ଜାତିସଂଘ ରିପୋର୍ଟ: ଜନସଂଖ୍ୟାରେ ଚୀନକୁ ଟପିଲା ଭାରତ !
ପ୍ରସାଦ ରାଓ
ଏପ୍ରିଲ ୧୯
ଜନସଂଖ୍ୟା କ୍ଷେତ୍ରରେ ଭାରତ ଚୀନକୁ ଟପି ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଥିବା ୟୁଏନଏଫପିଏ (ୟୁନାଇଟେଡ ନେସନ୍ସ ପପୁଲେସନ୍ ଫଣ୍ଡ୍ସ) ପକ୍ଷରୁ ବୁଧବାର (୧୯ ଏପ୍ରିଲ) ପ୍ରକାଶିତ ରିପୋର୍ଟରୁ ସୂଚନା ମିଳିଛି । ଏହି ରିପୋର୍ଟରେ କୁହାଯାଇଛି, ୨୦୨୩ ମଧ୍ୟ ଭାଗ ସୁଦ୍ଧା ଭାରତର ଜନସଂଖ୍ୟା ୧୪୨.୮୬ କୋଟିରେ ପହଂଚୁ ଥିବା ବେଳେ ଚୀନର ଜନସଂଖ୍ୟା ୧୪୨.୫୭ କୋଟି ରହିଛି । ଭାରତର ଜନସଂଖ୍ୟା ଚୀନ ଜନସଂଖ୍ୟା ତୁଳନାରେ ପାଖାପାଖି ତିନି ନିୟୁତ ଅଧିକ ହେଉଥିବା ଏହି ରିପୋର୍ଟରେ କୁହାଯାଇଛି । ୧୯୫୦ରୁ ଜାତିସଂଘ ପକ୍ଷରୁ ବିଶ୍ୱ ଜନସଂଖ୍ୟାକୁ ନେଇ ସର୍ବେକ୍ଷଣ ତଥ୍ୟ ପ୍ରକାଶ ପାଇ ଆସୁଛି । ତେବେ, ପ୍ରଥମ ଥର ପାଇଁ ଭାରତ ଜାତିସଂଘର ବିଶ୍ୱ ଜନସଂଖ୍ୟା ସର୍ବେକ୍ଷଣ ତାଲିକାରେ ଜନସଂଖ୍ୟା ଦୃଷ୍ଟରୁ ଶୀର୍ଷରେ ରହିଛି । ‘ଷ୍ଟେଟ ଅଫ୍ ୱାର୍ଲ୍ଡ ପପୁଲେସନ ରିପୋର୍ଟ, ୨୦୨୩’ ନାମରେ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି । ଚୀନର ବାମପନ୍ଥୀ ସରକାର ଦେଶର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଯାଇ ଜନ୍ମହାର କମାଇବା ଦିଗରେ କଠୋର ପଦକ୍ଷେପମାନ ନେଇ ଥିଲେ । ଫଳରେ, ଚୀନରେ ଶିଶୁ ଜନ୍ମହାର କମି ନିୟନ୍ତ୍ରିତ ହୋଇ ମୋଟ ଜନସଂଖ୍ୟାକୁ ପ୍ରଭାବିତ କରିଥିଲା । ତେବେ, ଏହା ଦେଶ ପାଇଁ ହାନୀକାରକ ବୋଲି ଚୀନ ସରକାର ଅନୁଭବ କରିବା ପରେ ନିଜ ପୂର୍ବ ନୀତିରେ ପରିବର୍ତ୍ତନ କରି ଜନସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦେଇଥିଲେ ଏବଂ ବିବାହିତ ଦଂପତ୍ତିଙ୍କୁ ଅଧିକ ସନ୍ତାନ ଜନ୍ମ ନିମନ୍ତେ ପ୍ରୋତ୍ସାହିତ କରିବା ସକାଶ ବିଭିନ୍ନ ସରକାରୀ ସୁବିଧା ସୁୁଯୋଗ ଘୋଷଣା କରିଥିଲେ । ଏହାସତ୍ତ୍ୱେ ବିଭିନ୍ନ କାରଣରୁ ଚୀନ ଦଂପତ୍ତି ଅଧିକ ସନ୍ତାନ ଜନ୍ମ ଦିଗରେ ଆଗ୍ରହ ପ୍ରକାଶ କରୁ ନଥିବା ଜଣାପଡିଛି । ଫଳରେ, ଚୀନ ସରକାରଙ୍କ ପ୍ରୋତ୍ସାହନ ଯୋଜନା ବିଫଳ ହୋଇଛି । ପଶ୍ଚାତ ଗତିରେ ଚାଲି ଥିବା ଚୀନ ଜନସଂଖ୍ୟା ଆଗକୁ ବଢୁ ନାହିଁ । ଅପରପକ୍ଷରେ, ଜନସଂଖ୍ୟା ବୃଦ୍ଧିକୁ ନେଇ ଭାରତରେ ସେଭଳି କିଛି କଟକଣା ନଥିବାରୁ ଜନସଂଖ୍ୟା ବଢିଛି ଏବଂ ଆଗାମୀ ତିନି ଦଶକ ପର୍ଯ୍ୟନ୍ତ ତାହା ବଢି ୧୬୫ କୋଟିରେ ପହଂଚିବା ପରେ ତଳକୁ ଖସିବା ଆରମ୍ଭ କରିବ ବୋଲି ବିଭିନ୍ନ ସଂସ୍ଥା ପୂର୍ବାନୁମାନ କରିଛନ୍ତି । ଦେଶରେ ପ୍ରତି ଦଶ ବର୍ଷରେ ଥରେ ଜନଗଣନା ହେବାର ବିଧି ବ୍ୟବସ୍ଥା ରହିଥିଲେ ମଧ୍ୟ ୨୦୧୧ ପରେ ୨୦୨୧ରେ ଯେଉଁ ଜନଗଣନା ହେବା କଥା କୋଭିଡ଼ ମହାମାରୀ କାରଣରୁ ତାହା ହୋଇନାହିଁ । ଫଳରେ, ଦେଶର ବାସ୍ତବ ଜନସଂଖ୍ୟାକୁ ନେଇ ଭାରତ ସରକାରଙ୍କ ନିକଟରେ କୌଣସି ସଠିକ ରିପୋର୍ଟ ନାହିଁ । ୟୁଏନଏଫପିଏ ତଥ୍ୟ ହିଁ ଭାରତର ଜନସଂଖ୍ୟା ଚୀନ ତୁଳନାରେ ତିନି ନିୟୁତ ଅଧିକ ହେଉଥିବା ସୂଚନା ଦେଇଛି । ଏହି ରିପୋର୍ଟ ଅନୁଯାୟୀ ଭାରତର ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ ୧୪ ବର୍ଷରୁ କମ୍ ବୟସର ଥିବା ବେଳେ ୬୮ ପ୍ରତିଶତ ହେଉଛନ୍ତି ୧୫ରୁ ୬୪ ବର୍ଷ ବୟସ ସୀମାର । ୬୫ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ମାତ୍ର ୭ ପ୍ରତିଶତ ଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS