ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ, ଗୋପାଳପୁର ବିଧାୟକଙ୍କ ଅଡୁଆ ବଢିଲା
ପ୍ରସାଦ ରାଓ
ଭୁବନେଶ୍ୱର
ଏପ୍ରିଲ ୨୨
ଗଂଜାମ ଜିଲ୍ଲା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢିବାରେ ଲାଗିଛି । ଜାଲିଆତି ଭଳି ଗୁରୁତର ଅଭିଯୋଗରେ ଛନ୍ଦି ହୋଇ କୋର୍ଟ କଚେରୀକୁ ଧାଇଁବା ପରେ ୨୦୨୪ ବିଧାନସଭା ନିର୍ବାଚନକୁ ଆଖିରେ ରଖି ସେ ଏକାକୀ ପ୍ରସ୍ତୁତି ଚଳାଇଥିବା ବେଳେ ‘ଟାଟା ମୋଟର୍ସ ନିଯୁକ୍ତି ଦୁର୍ନୀତି’ ମାମଲାରେ ଆଜି ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତିନି ହଜାର ପୃଷ୍ଠାର ଏକ ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି । ଚାର୍ଜସିଟ୍ ରେ ବିଧାୟକ ପାଣିଗ୍ରାହୀଙ୍କ ସହ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀଙ୍କ ବିରୋଧରେ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ଏବଂ ଦୁର୍ନୀତିକୁ ସଂରକ୍ଷଣ ଦେଇଥିବା ଅଭିଯୋଗ ହୋଇଛି । ଭିଜିଲାନ୍ସ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବିଧାୟକ ପାଣିଗ୍ରାହୀ ନଅ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ବେଳେ ତାଙ୍କ ପତ୍ନୀ ଏହି ଦୁର୍ନୀତିରେ ତାଙ୍କୁ ସଂରକ୍ଷଣ ଦେଇଥିବା ତଦନ୍ତରୁ ଜଣାପଡିଛି । ‘ଟାଟା ମୋଟର୍ସ’ରେ ଚାକିରୀ କରାଇ ଦେବା ନାମରେ ବିଧାୟକ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀର ବହୁ ବେକାର ଯୁବକ, ଯୁବତୀଙ୍କୁ ଲୁଟି ଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡିବା ପରେ ଓଡ଼ିଶା ଭିଜିଲାନ୍ସ ବିଭାଗ ୨୦୨୦ରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ଜାଲିଆତି, ଆପରାଧିକ ଷଡଯନ୍ତ୍ର ଓ ବିଭିନ୍ନ ସାଇବର୍ ଅପରାଧ ଅଭିଯୋଗରେ ୨୦୨୦ ଡିସେମ୍ବର ୩ ତାରିଖ ଦିନ ବିଧାୟକଙ୍କୁ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ ଗିରଫ କରିଥିଲେ । ଗିରଫ ହେବା ପରେ ବିଧାୟକ ପାଣିଗ୍ରାହୀଙ୍କୁ ବିଜେଡ଼ିରୁ ବହିଷ୍କାର କରାଯାଇଥିଲା । ଗିରଫ ହୋଇ ଦୀର୍ଘ ଦିନ ଭୁନେଶ୍ୱର ଝାରପଡା ଜେଲରେ ରହିବା ପରେ ବିଧାୟକ ପାଣିଗ୍ରାହୀ ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ହୋଇଥିବା ‘ଟାଟା ମୋଟର୍ସ ଚାକିରୀ ଦୁର୍ନୀତି’ ମାମଲାରେ ଓଡ଼ିଶା ହାଇକୋର୍ଟରୁ ଜାମିନ ପାଇ ୨୦୨୧ ଜୁନ ୧୨ ତାରିଖରେ ଜେଲରୁ ମୁକୁଳି ଥିଲେ । ଭିଜିଲାନ୍ସ ବିଭାଗର ଗିରଫଦାରୀକୁ ବିଧାୟକ ଚ୍ୟାଲେଂଜ କରିବାରୁ ମାମଲା ଓଡ଼ିଶାର ଲୋକାୟୁକ୍ତଙ୍କ ନିକଟକୁ ଯାଇଥିଲା । ଲୋକାୟୁକ୍ତଙ୍କ ନିର୍ଦେଶକ୍ରମେ ସେହି ଭିଜିଲାନ୍ସ ବିଭାଗ ହିଁ ବିଧାୟକ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ନାମରେ ୨୦୨୧ ଅକ୍ଟୋବର ୪ ତାରିଖରେ ଏକ ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଭିଜିଲାନ୍ସ ବିଭାଗ ବିରୋଧରେ ସେ କରିଥିବା ଅଭିଯୋଗକୁ ଲୋକାୟୁକ୍ତ ସେ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଉଛନ୍ତି କେମିତି ବୋଲି ସର୍ବୋଚ୍ଚ ନ୍ୟାୟାଳୟରେ ବିଦାୟକ ଚ୍ୟାଲେଂଜ କରିଥିଲେ ମଧ୍ୟ କୌଣସି ରିଲିଫ ପାଇ ନଥିଲେ । ଲୋକାୟୁକ୍ତଙ୍କ ଦ୍ୱାରା ନିଯୁକ୍ତ ଭିଜିଲାନ୍ସ ଅଧିକାରୀମାନେ ବିଧାୟକ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ମାମଲାର ତଦନ୍ତ କରି ବିଭିନ୍ନ ସମୟରେ ତାଙ୍କ ସରକାରୀ ଓ ଘରୋଇ ବାସଭବନରେ ଚଢାଉ କରି ବିଭିନ୍ନ କାଗଜପତ୍ର ଜବତ କରିଥିଲେ । ଆୟ-ବ୍ୟୟ ହିସାବରୁ ବିଧାୟକ ପାଣିଗ୍ରାହୀ ୯ କୋଟି ୧୮ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଲ କରିଥିବା ଏବଂ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଏହି ଦୁର୍ନୀତିର ଘଂଟଘୋଡାଇ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଅଭିଯୋଗ ହୋଇଛି । ବିଧାୟକ ତାଙ୍କ ଆୟରୁ ଅଧିକ ସଂପତ୍ତି କେଉଁ ସୂତ୍ରରୁ ଠୁଳ କରିଛନ୍ତି ସେନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି ବୋଲି ଭିଜିଲାନ୍ସ ବିଭାଗ କହିଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦୨୨ ଜୁନ ୯ ତାରିଖ ଦିନ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା । ଲୋକାୟୁକ୍ତ ତଦନ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଏପ୍ରିଲ ୨୦ ତାରିଖ ଦିନ ଭିଜିଲାନ୍ସ ବିଭାଗକୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ବିଧାୟକ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦେଶ ଦେଇଥିଲେ ବୋଲି ଓଡ଼ିଶା ଭିଜିଲାନ୍ସ ବିଭାଗର ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି । ବିଧାୟକ ପାଣିଗ୍ରାହୀ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ଘନିଷ୍ଟ ଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଗଂଜାମ ଜିଲ୍ଲା ହିଂଜିଳୀ ନିର୍ବାଚନ ମଣ୍ଡଳୀ କଥା ବୁଝୁଥିଲେ । ସେ ଗଂଜାମ ଜିଲ୍ଲା ବିଜେଡ଼ିର ସଭାପତି ମଧ୍ୟ ରହି ଥିଲେ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଧାୟକ ପାଣିଗ୍ରାହୀଙ୍କୁ ନିଜ କ୍ୟାବିନେଟରେ ସ୍ଥାନ ଦେଇ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ପଦ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ଦେଇଥିଲେ । ତେବେ, ୨୦୧୯ ବିଧାନସଭା ନିର୍ବାଚନ ପରଠାରୁ ସବୁ କିଛି ବଦଳି ଯାଇଥିଲା । ୨୦୧୯ ନିର୍ବାଚନରେ ବିଧାୟକ ପାଣିଗ୍ରାହୀ ବିଜେଡ଼ିରୁ ପ୍ରାର୍ଥୀ ଥାଇ ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ପୁନଃ ନିର୍ବାଚିତ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦରବାରରେ ତାଙ୍କ କର୍ତ୍ତୃତ୍ୱ ହ୍ରାସ ପାଉଥିବା ଦେଖିବାକୁ ମିଳି ଥିଲା । ବିଜେଡ଼ି ଜିଲ୍ଲା ସଭାପତି ପଦ ତାଙ୍କ ହାତରୁ ଖସି ଯାଇଥିଲା । ତାହା ପରେ, ଟାଟା ମୋଟର୍ସରେ ଚାକିରୀ ଦେବା ନା’ରେ ନିଜ ନିର୍ବାଚନ ମଣ୍ଡଳୀର ବେକାର ଯୁବକ, ଯୁବତୀଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ଅଭିଯୋଗରେ ବିଧାୟକ ଗିରଫ ହୋଇ ଜେଲ ଯିବାରୁ ବିଜେଡ଼ିରୁ ବହିଷ୍କୃତ ହୋଇଛନ୍ତି । ଗଂଜାମ ଜିଲ୍ଲାରେ ଥିବା ବିଧାୟକ ପାଣିଗ୍ରାହୀଙ୍କ ରାଜନୈତିକ ପତିଆରାକୁ ସଂପୂର୍ଣ୍ଣ ଭାବେ ଧୋଇ ଦେବା ପାଇଁ ବିଜେଡ଼ି ସବୁ ପ୍ରକାର କୌଶଳ କରିଥିବା ବେଳେ ବିଧାୟକ ପାଣିଗ୍ରାହୀ ୨୦୨୪ ନିର୍ବାଚନ ପାଇଁ ନିଜର ଏକ ସଂଗଠନ କରି ପ୍ରସ୍ତୁତିରେ ଅଛନ୍ତି । ସେ ନିର୍ଦ୍ଦଳୀୟ ରହି ନିର୍ବାଚନ ଲଢିବେ କି ବିଜେପିର ହାତ ଧରିବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ବିଜେଡ଼ି ଗଂଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ବ୍ରହ୍ମପୁର ଲୋକସଭା ଆସନରୁ ଦୁଇ ଥର ସାଂସଦ ନିର୍ବାଚିତ ହୋଇଥିବା ଓଡ଼ିଆ ସିନେ ତାରକା ସିଦ୍ଧାନ୍ତ ମହାପାତ୍ରଙ୍କୁ ଦଳ ଦୀର୍ଘ ଦିନ କୋଣଠେସା କରି ରଖିବା ପରେ ଏବେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳର ସାଂଗଠନିକ ଦାୟିତ୍ୱ ଦେଇଛି । ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି । ଏଭଳି ରାଜନୈତିକ ଛକାପଂଝା ଭିତରେ ବିଧାୟକ ପାଣିଗ୍ରାହୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଭୁବେନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଜି ଚାର୍ଜସିଟ୍ ଦାଖଲ କରି ନଅ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଲ କରିଥିବା ଅଭିଯୋଗ ଆଣିବା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟଦୁର୍ନୀତିକୁ ସଂରକ୍ଷଣ ଦେବା ଅଭିଯୋଗ ଲଗାଇବା ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ରଖୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS