ମୋଗାରୁ ଅମ୍ରିତପାଲ ସିଂହ ଗିରଫ
ପ୍ରସାଦ ରାଓ
ଏପ୍ରିଲ ୨୩
ଗଲା କିଛି ବର୍ଷ ହେଲା ପଂଜାବରେ ଉଗ୍ରବାଦର ପ୍ରଚାର କରିବା ସହ ଖାଲିସ୍ତାନ ରାଷ୍ଟ୍ର ଗଠନ ଦାବି ସପକ୍ଷରେ ସଶସ୍ତ୍ର ସଂଘର୍ଷ ପାଇଁ ପ୍ରସ୍ତୁତି ଚଳାଇ ଥିବା ଉଗ୍ରବାଦୀ ଧର୍ମପ୍ରଚାରକ ଅମ୍ରିତପାଲ ସିଂହ (୨୯)କୁ ଆଜି ପଂଜାବ ପୁଲିସ ମୋଗା ଜିଲ୍ଲାର ରୋଡେ ଗ୍ରାମରୁ ଗିରଫ କରିଛନ୍ତି । ଅମ୍ରିତପାଲ ଏକ ଗୁରୁଦ୍ୱାରରେ ଥିବା ସଂପର୍କରେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ପୁଲିସ ସେହି ଗ୍ରାମକୁ ଘେରି ଯାଇଥିଲେ । ଅମ୍ରିତପାଲ ମଧ୍ୟ ଅନ୍ୟ ଉପାୟ ନ ଦେଖି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା ବୋଲି ପଂଜାବ ପୁଲିସ ସୂତ୍ରରୁ ଜଣାପଡିଛି । ଅମ୍ରିତପାଲ ଦୀର୍ଘ ବର୍ଷ ଧରି ପଂଜାବରେ ତାହାର ଉଗ୍ରବାଦୀ କାର୍ଯ୍ୟକଳାପ ଚଳାଇ ଥିଲେ ମଧ୍ୟ ପୁଲିସ ଗୁଇନ୍ଦା ବିଭାଗ ତାହାର ସାମାନ୍ୟତମ ସୁରାକ ପାଇ ନଥିଲେ । ଗତ ଫେବୃୟାରୀ ମାସରେ ଅମ୍ରିତପାଲ ନିଜ ସଶସ୍ତ୍ର ସମର୍ଥକଙ୍କ ସହ ପଂଜାବର ଆଜନାଲା ପୁଲିସ ଥାନା ଉପରେ ଚଢାଉ କରି ପୁଲିସ ଅଟକ ରଖି ଥିବା ତା’ର ଘନିଷ୍ଟ ସହଯୋଗୀ ପପଲପ୍ରୀତ ସିଂହକୁ ହାଜତରୁ ମୁକୁଳାଇ ନେବା ପରେ ଯାଇ ପଂଜାବ ପୁଲିସ ସଜାଗ ହୋଇଥିଲେ । ବିଭିନ୍ନ ମହଲରୁ ପଂଜାବ ପୁଲିସ ଓ ସରକାରଙ୍କ ଉପରେ ଚାପ ବଢିବାରୁ ଏବଂ ସରକାର ଚାରିଆଡୁ ସମାଲୋଚନାର ଶରବ୍ୟ ହେବାରୁ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରି ଥିଲେ ଅମ୍ରିତପାଲ ସିଂହଙ୍କୁ ଧରିବା ଯୋଜନା ପ୍ରସ୍ତୁତ କରିଥିଲେ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସହଯୋଗରେ ପୁଲିସର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଅମ୍ରିତପାଲକୁ ଗିରଫ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିବା ପରେ ଗତ ମାର୍ଚ୍ଚ ୧୮ ତାରିଖରୁ ସେ ଫେରାର ଥିଲା । ସେ ରିତିମତ ବେଶ ବଦଳାଇ ରାଜ୍ୟ, ସହର ବଦଳାଇବା ଫଳରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହେଉ ନଥିଲେ । ଆଜି ସେ ଆତ୍ମସମର୍ପଣ କରିବା ପରେ ପଂଜାବ ପୁଲିସ ଆଶ୍ୱସ୍ତ ହୋଇଛନ୍ତି । ଅମ୍ରିତପାଲ ସିଂହ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଲାଗିଛି ଏବଂ କଡା ସୁରକ୍ଷା ମଧ୍ୟରେ ତାକୁ ଆସାମର ଦୁବ୍ରୁଗଡ ଜେଲ ପଠାଇ ଦିଆଯାଇଛି । ପୂବରେୁ ଗିରଫ ହୋଇଥିବା ତା’ର କିଛି ଘନିଷ୍ଟ ସହଯୋଗୀ ମଧ୍ୟ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ବଳରେ ଆସାମର ଦିବ୍ରୁଗଡ ଜେଲରେ ଅଟକ ଅଛନ୍ତି । ପଂଜାବ ପୁଲିସ ଆଇଜି ସୁଖଚୈନ ସିଂହ ଗିଲ୍ କହିବା ଅନୁସାରେ ଅମ୍ରିତପାଲ ସିଂହ ପଂଜାବ ମୋଗା ଜିଲ୍ଲାର ରୋଡେ ଗ୍ରାମରେ ଏକ ଗୁରୁଦ୍ୱାରରେ ଆତ୍ମଗୋପନ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପୁଲିସ ଖବର ପାଇବା ପରେ ସେହି ଗ୍ରାମକୁ ଘେରି ନେଇଥିଲେ । ଅମ୍ରିତପାଲର ଖସିବା ବାଟ ନଥିଲା । ଫଳରେ ସେ ଆତ୍ମସମର୍ପଣ କରିଛି । ଅମ୍ରିତପାଲ ଜଣେ ଖାଲିସ୍ତାନୀ-ପାକିସ୍ତାନୀ ଏଜେଂଟ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ମଧ୍ୟ କହି ଆସୁଛି । ଅଶି ଦଶକରେ ପଂଜାବରେ ଯେତେବେଳେ ଉଗ୍ରବାଦ ଚରମରେ ଥିଲା ଏବଂ ସ୍ୱତନ୍ତ୍ର ଖାଲିସ୍ତାନ ରାଷ୍ଟ୍ର ଦାବିରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଚାଲିଥିଲା ତାହାର ମୁଖ୍ୟ ପୁରୋଧା ଥିଲେ ଉଗ୍ରବାଦର ପ୍ରଚାରକ ସନ୍ଥ ଜର୍ଣ୍ଣଲ ସିଂହ ଭିନ୍ଦରନୱାଲେ । ସେହି ସମୟରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ପଂଜାବରେ ଉଗ୍ରବାଦର ଦମନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧୀଙ୍କୁ ଚରମ ପଦକ୍ଷେପ ନେବାକୁ ପଡିଥିଲା । ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ସେନା କାର୍ଯ୍ୟାନୁଷ୍ଠାନ ବା ବ୍ଲୁଷ୍ଟାର ଅପରେସନ୍ ହୋଇଥିଲା ଏବଂ ଏହି କାର୍ଯ୍ୟାନୁଷ୍ଠାନରେ ଭିନ୍ଦରନୱାଲେଙ୍କ ମୃତ୍ୟୁ ଘଟିଥିଲା । ଅମ୍ରିତପାଲ ସିଂହ ସେହି ସନ୍ଥ ଜର୍ଣ୍ଣଲ ସିଂହ ଭିନ୍ଦରନୱାଲେଙ୍କୁ ନିଜର ଆଦର୍ଶ କରି ‘ୱାରିଶ ପଂଜାବ ଦେ’ର ନେତୃତ୍ୱ ନେଉଥିଲେ ଏବଂ ପୁନର୍ବାର ଖାଲିସ୍ଥାନ ଗଠନ ଦାବିକୁ ଜୀବନ୍ତ କରିବା ପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବା ସହ ଉଗ୍ରବାଦର ଆଶ୍ରୟ ନେଇଥିଲେ । ସେ ନିଜକୁ ‘ଭିନ୍ଦରନୱାଲେ-୨’ ପ୍ରତିପାଦିତ କରିବା ପାଇଁ ଭିନ୍ଦରନୱାଲେଙ୍କ ଭଳି ବେଶ ପୋଷାକ ପିନ୍ଧୁ ଥିଲେ ଏବଂ ସେହି ଠାଣିରେ ସବୁ କାର୍ଯ୍ୟ କରୁଥିଲେ । ଅମ୍ରିତପାଲ ସିଂହଙ୍କ ପତ୍ନୀ କିରଣଦୀପ କୌର ଗୁରୁବାର ଦିନ ଲଣ୍ଡନ ପଳାଇବାକୁ ଉଦ୍ୟମ କଲା ବେଳେ ଅମୃତସର ବିମାନ ବନ୍ଦରର ଇମିଗ୍ରେସନ ଅଧିକାରୀମାନେ ତାଙ୍କ ଅଟକ ରଖିଥିଲେ । ଅମ୍ରିତପାଲ ସିଂହ ମୋଗା ଜିଲ୍ଲା ରୋଡେ ଗ୍ରାମ ଗୁରୁଦ୍ୱାରରୁ ଆଜି ଖସି ଯିବା ବାଟ ନପାଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ବୋଲି ପଂଜାବ ପୁଲିସ କହୁଥିବା ବେଳେ ଶିଖ୍ ଧର୍ମର ସର୍ବୋଚ୍ଚ ଧାର୍ମିକ ସଂସ୍ଥାନ ‘ଅକାଲ ତାଖତ’ ଜାଥେଦାରଙ୍କ ପରାମର୍ଶକ୍ରମେ ସେ ଆଜି ଆତ୍ମସମର୍ପଣ କରିଥିବା ଅନ୍ୟ ସୂତ୍ରରୁ ସୂଚନା ମିଳିଛି । ସେ ଆତ୍ମସମର୍ପଣ କରି ପୁଲିସ ତଦନ୍ତରେ ସହଯୋଗ କରିବାକୁ କୁଆଡେ ‘ଅକାଲ ତାଖତ’ ଜାଥେଦାର ଅମ୍ରିତପାଲକୁ ପରାମର୍ଶ ଦେଇଥିଲେ । ଅମ୍ରିତପାଲ ସିଂହର ନଅ ଜଣ ସହଯୋଗୀ ଏବେ ଜାତୀୟ ନିରାପତ୍ତା ଆଇନ ବଳରେ ଆସାର ଦିବ୍ରୁଗଡ ଜେଲରେ ଅଛନ୍ତି । ଏନଏସଏ ଲାଗିଲେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଜାମିନ ମିଳି ନଥାଏ ଏବଂ ଛଅ ମାସରେ ଥରେ ଏସଏସଏ କମିଟି ତାହାର ରିଭ୍ୟୁ କରିଥା’ନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS