ପାଟନା ହାଇକୋର୍ଟରୁ ରାହୁଲଙ୍କୁ ମିଳିଲା ଆଶ୍ୱସ୍ତି
ପ୍ରସାଦ ରାଓ
ଏପ୍ରିଲ ୨୪
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ପାଟନା ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ‘ମୋଦୀ ସାଂଗିଆ’କୁ ନେଇ ରାହୁଲ ୨୦୧୯ ସାଧାରଣ ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ନିର୍ବାଚନ ସଭାରେ ବିବାଦୀୟ ମନ୍ତବ୍ୟ ଦେଇ ମାନହାନୀ ମାମଲାର ସମ୍ମୁଖୀନ ହୋଇଥିଲେ । ସୁରଟର ବିଜେପି ନେତା ପୂର୍ଣ୍ଣେଶ ମୋଦୀ ଏନେଇ ସୁରଟରେ ଏକ ଆପରାଧୀକ ମାନହାନୀ ମାମଲା କରିଥିବା ବେଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ ମୋଦୀ ପାଟନାରେ ଏକ ମାନହାନୀ ମାମଲା କରିଥିଲେ । ପୂର୍ଣ୍ଣେଶ ମୋଦୀଙ୍କ ଏତଲା ଉପରେ ସୁରଟର ଏକ ନିମ୍ନ ଅଦାଲତ ଗତ ମାସରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ କାରାଦଣ୍ଡ ଏବଂ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବା ଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି । ସୁରଟ ନିମ୍ନ ଅଦାଲତର ରାୟ ବିରୋଧରେ ରାହୁଲ ସେଠାକାର ସେସନ୍ସ ଜଜ୍ କୋର୍ଟରେ ଆବେଦନ କରି ମଧ୍ୟ ଆଶ୍ୱସ୍ତି ପାଇ ନାହାନ୍ତି । ସୁରଟ ନିମ୍ନ ଅଦାଲତର ଦଣ୍ଡାଦେଶକୁ ରଦ୍ଦ କରିବାକୁ ଏବଂ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ରାହୁଲଙ୍କ ପକ୍ଷରୁ ସୁରଟ ସେସନ୍ସ ଜଜ୍ କୋର୍ଟରେ ଆବେଦନ ହୋଇଥିବା ବେଳେ ସେସନ୍ସ ଜଜ୍ ଦଣ୍ଡାଦେଶ ସ୍ଥଗିତ ରଖିବା ଆବେଦନକୁ ଖାରଜ କରିବା ସହ ଦୁଇ ବର୍ଷ କାରାଦଣ୍ଡ ଆଦେଶ ଉପରେ ଶୁଣାଣୀ କରିବାକୁ ରାଜି ହୋଇ ତାରିଖ ଧାର୍ଯ୍ୟ କରିଛନ୍ତି । ସେସନ୍ସ କୋର୍ଟରେ ରାହୁଲଙ୍କ ଆବେଦନ ଖାରଜ ହୋଇଯିବା ପରେ ତାଙ୍କ ସାଂସଦ ପଦ ଫେରି ପାଇବା ଆଶା ସାମୟିକ ଭାବେ ମଉଳି ଯାଇଛି । ଅପରପକ୍ଷରେ, ରାହୁଲଙ୍କ ୨୦୧୯ର ସେହି ଏକା ବୟାନ ପାଇଁ ବିହାର ବିଜେପି ନେତା ସୁଶିଲ ମୋଦୀ ପାଟନାରେ ଯେଉଁ ମାନହାନୀ ମାମଲା କରିଛନ୍ତି ତାହାର ଶୁଣାଣୀ ପାଇଁ ରାହୁଲ ଏପ୍ରିଲ ୧୨ ତାରିଖରେ ନିମ୍ନ ଅଦାଲତରେ ହାଜର ହୋଇ ନିଜ ବୟାନ ରଖିବାକୁ ପାଟନାର ନିମ୍ନ ଅଦାଲତ ସମନ କରିଥିଲେ । ଏହି ସମନକୁ ରଦ୍ଦ କରିବା ସକାଶେ ରାହୁଲଙ୍କ ପକ୍ଷରୁ ପାଟନା ହାଇକୋର୍ଟରେ ଆବେଦନ ହୋଇଥିଲେ । ପାଟନା ହାଇକୋର୍ଟ ଆଜି ରାହୁଲଙ୍କ ଆବେଦନକୁ ବିଚାରକୁ ନେଇ ମେ’ ୧୫ ତାରିଖ ପର୍ଯ୍ୟନ୍ତ ନିମ୍ନ ଅଦାଲତର ଆଦେଶକୁ ସ୍ଥଗିତ ରଖିବା ସହ ମେ’ ୧୫ରେ ପରବର୍ତ୍ତୀ ଶୁଣାଣୀ ତାରିଖ ଧାର୍ଯ୍ୟ କରିଛନ୍ତି । ରାହୁଲଙ୍କ ଓକିଲ ବିରେନ୍ଦ୍ର ରାଠୋର ଆଜି ପାଟନାରେ ଗଣମାଧ୍ୟମକୁ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଗୋଟିଏ ବୟାନକୁ ନେଇ ସୁରଟରେ ମାନହାନୀ ମାମଲା ବିଚାରାଧୀନ ଥିବା ବେଳେ ସେହି ଏକା ବୟାନକୁ ନେଇ ଅନ୍ୟ ଏକ ଟ୍ରାଏଲ କୋର୍ଟ ଶୁଣାଣୀ ପାଇଁ ସମନ କରିବା ଆଇନସିଦ୍ଧ ନୁହେଁ । ତେଣୁ, ପାଟନା ନିମ୍ନ ଅଦାଲତ ସମନକୁ ରଦ୍ଦ କରାଯିବାକୁ ୨୨ ତାରିଖ ଦିନ ପାଟନା ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ୨୦୧୯ ନିର୍ବାଚନରେ କର୍ଣ୍ଣାଟକର କୋଲାରଠାରେ ଏକ ନିର୍ବାଚନ ସଭାରେ ‘ମୋଦୀ ସାଂଗିଆ’କୁ ବିବାଦୀୟ ମନ୍ତବ୍ୟ ଦେବା ପରେ ସୁରଟ ବିଜେପି ନେତା ପୂର୍ଣ୍ଣେଶ ମୋଦୀ ଯେଉଁ ଆପରାଧୀକ ମାନହାନୀ ମାମଲା କରିଥିଲେ ତାହା ଉପରେ ସୁରଟର ନିମ୍ନ ଅଦାଲତ ରାହୁଲଙ୍କୁ ଦଣ୍ଡିତ କରିସାରିଛନ୍ତି । ଦୁଇ ବର୍ଷ ଦଣ୍ଡାଦେଶ ହେବାରୁ ସ୍ୱୟଂକ୍ରିୟ ଭାବେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି । ୨୦୦୪ରେ ସେ ପ୍ରଥମ କରି ୟୁପିର ଆମେଥିରୁ ସଂସଦକୁ ନିର୍ବାଚିତ ହେବା ପରେ ତାଙ୍କୁ ନୂଆଦିଲ୍ଲୀ ୧୨, ତୁଗଲେକ ଲେନ୍ ରେ ଏକ ସରକାରୀ ବଂଗଳା ଯୋଗାଇ ଦିଆଯାଇଥିଲା । ପାଖାପାଖି ୨୦ ବର୍ଷ ହେଲା ସେ ସେହି ବଂଗଳାରେ ରହୁଥିଲେ । ଦୀର୍ଘ ବର୍ଷ ଧରି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ୧୦, ଜନପଥ ସରକାରୀ ବାସଭବନ ସହ ରାହୁଲଙ୍କ ୧୨, ତୁଗଲେକ ଲେନ୍ ବାସଭବନ କଂଗ୍ରେସର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ଥିଲା । ଦେଶବ୍ୟାପୀ କଂଗ୍ରେସ ନେତା ଓ କର୍ମୀମାନେ ଦିଲ୍ଲୀରେ ପହଂଚି ପ୍ରଥମେ ରାହୁଲଙ୍କ ବଂଗଳାକୁ ଯିବା ପରେ ସୋନିଆଙ୍କ ବଂଗଳାକୁ ଯାଉଥିଲେ । ରାହୁଲଙ୍କ ବଂଗଳାରେ କଂଗ୍ରେସର ବହୁ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନିଆଯାଉଥିଲା । ସାଂସଦ ପଦ ରଦ୍ଦ ହେବା ପରେ ସରକାରୀ ବଂଗଳା ଖାଲି କରିବାକୁ ରାହୁଲଙ୍କୁ ଲୋକସଭା ସଚିବାଳୟ ହାଉସିଂ କମିଟି ନୋଟିସ କରିଥିଲେ । ଗଲା ଶନିବାର ବଂଗଳା ଛାଡିବାର ଶେଷ ଦିନ ଥିଲା ଏବଂ ରାହୁଲ ଶନିବାର ହିଁ ବଂଗଳାର ଚାବି ହାଉସିଂ କମିଟିକୁ ହସ୍ତାନ୍ତ କରିଛନ୍ତି । ଏବେ ତାଙ୍କ ଠିକଣା ହୋଇଛି ମା’ ସୋନିଆ ଗାନ୍ଧୀଙ୍କ ୧୦, ଜନପଥ ବାସଭବନ । ସେ ସତ୍ୟ କହିବାର ଫଳ ପାଉଛନ୍ତି । ତେବେ, ସତ୍ୟଠାରୁ ସେ କେବେ ମଧ୍ୟ ଦୂରେଇବେ ନାହିଁ ବୋଲି ରାହୁଲ ଗାନ୍ଧୀ ବଂଗଳା ଛାଡିବା ପରେ ଗଣମାଧ୍ୟମକୁ କହିଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS