ମହାରାଷ୍ଟ୍ରରେ ପାୱାରଙ୍କ ମହାନାଟକ !
ପ୍ରସାଦ ରାଓ
ଏପ୍ରିଲ ୨୪
ଦେଶର ପ୍ରମୁଖ ରାଜନେତା ତଥା ଏନସିପି ମୁଖ୍ୟ ଶରଦ ପାୱାରା କିଛି ଦିନ ହେଲା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି । ଆମେରିକା ଭିତ୍ତିକ ଘରୋଇ ଅଡିଟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଭିତ୍ତିରେ ଦେଶର ପ୍ରମୁଖ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ‘ଆଦାନୀ ଗୃପ୍’ର ଆର୍ଥିକ ଜାଲିଆତି ଓ ଅନିୟମିତତାର ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ କରାଯିବାକୁ ବିରୋଧୀ ରାଜନୈିତିକ ଦଳମାନେ ଦାବି କରୁଥିବା ବେଳେ ହିଣ୍ଡେନବର୍ଗକୁ ଏକ ଅନାମଧେୟ ସଂସ୍ଥା କହି ବିରୋଧୀଙ୍କ ଜେପିସି ତଦନ୍ତ ଦାବି ଅନାବଶ୍ୟକ ବୋଲି ପାୱାର ନିକଟରେ କହିଛନ୍ତି । ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ଏନଡିଟିଭିକୁ ପାୱାର ଲାଇଭ୍ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେବା ବିରୋଧୀଙ୍କୁ ଚକିତ କରିଥିଲା । ପାୱାରଙ୍କ ଯୁକ୍ତି ଥିଲା, ଯେହେତୁ ସୁପ୍ରିମ କୋର୍ଟ ତତ୍ୱାଧାନରେ ଗଠିତ ବିଶେଷଜ୍ଞ କମିଟି ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ କରୁଛି ଜେପିସି ତଦନ୍ତ ଅନାବଶ୍ୟକ । ସେ ନିଜ କଥାରେ ଅଟଳ ବୋଲି ପାୱାର କହିଥିଲେ । ଏହା ପରେ ପରେ ଉଦ୍ୟୋଗପତି ଆଦାନୀ ନିକଟରେ ତାଙ୍କ ବାସଭବନକୁ ଯାଇ ପାୱାରଙ୍କୁ ଭେଟିବା ଖବର ବିରୋଧୀ ଶିବିରରେ ଆଲୋଡନ ସୃଷ୍ଟି କରିଥିଲା । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ସାମ୍ନା କରିବା ପାଇଁ ସମଭାବାପନ୍ନ ବିରୋଧୀ ଦଳମାନେ ଏକାଠି ହେଉଥିବା ବେଳେ ସେଥିରେ ପ୍ରମୁଖ ଅଂଶୀଦାର ଥିବା ପାୱାରଙ୍କ ଏପ୍ରକାର ପରିବତ୍ତିତ ରୂପ ବିରୋଧୀ ଏକତା ଉଦ୍ୟମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଗଣମାଧ୍ୟମରେ ଖବର ଚାଲି ଥିଲା । ଇତିମଧ୍ୟରେ, ପାୱାରଙ୍କ ପୁତୁରା ତଥା ମହାରାଷ୍ଟ୍ରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ୨୦୧୯ରୁ ଗଠିତ ଏମଭିଏ (ମହା ବିକାଶ ଅଘାଡି) ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ ଯେ ଅଜିତ ପାୱାର ଏନସିପି ଛାଡି ବିଜେପି ମୁହାଁ ହୋଇଥିବା ଚର୍ଚ୍ଚା ଜୋର୍ ଧରି ଥିଲା । ଅଜିତ ପାୱାର ଏଭଳି ସମ୍ଭାବନାକୁ ଅଗ୍ରାହ୍ୟ କରି ସେ ଜୀବନର ଶେଷ ପର୍ଯ୍ୟନ୍ତ ଏନସିପି ଛାଡିବା ପ୍ରଶ୍ନ ଉଠୁନି ବୋଲି ସ୍ପଷ୍ଟୀକରଣ ଦେଇଥିଲେ । ଅଜିତ ପାୱାରଙ୍କୁ ନେଇ ଚର୍ଚ୍ଚା ନ ଥମୁଣୁ ଏନସିପି ମୁଖ୍ୟ ଶରଦ ପାୱାର ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଗଣମାଧ୍ୟମରେ ରଖି ଥିବା ଏକ ମନ୍ତବ୍ୟ ମହାରାଷ୍ଟ୍ର ରାଜନୀତିକୁ ଅଧିକ ସରଗରମ କରିଛି । ୨୦୨୪ ନିର୍ବାଚନରେ ମହାରାଷ୍ଟ୍ରର ମହା ବିକାଶ ଅଘାଡି (କଂଗ୍ରେସ-ଏନସିପି-ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ମେଂଟ) ଏକାଠି ରହି ନିର୍ବାଚନର ସାମ୍ନା କରିବ କି (?) ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ପାୱାରଙ୍କ ଉତ୍ତର ଗୋଲମୋଲ ଥିଲା । ୨୦୨୪ ନିର୍ବାଚନରେ ଏମଭିଏର ସମସ୍ତ ଅଂଶୀଦାର ଏକାଠି କାର୍ଯ୍ୟ କରିବା ପ୍ରସଙ୍ଗରେ ପାୱାରଙ୍କ ଉତ୍ତର ଥିଲା – ସେ ଏହା ଚାହାନ୍ତି । ତେବେ, ଏପର୍ଯ୍ୟନ୍ତ ସେମାନଙ୍କ ଭିତରେ ଆସନ ବୁଝାମଣା କୌଣସି ଆଲୋଚନା ହୋଇନଥିବାରୁ ଏବେଠାରୁ କିଛି କହିବା କଷ୍ଟକର । ପାୱାରଙ୍କ ଏହି ମନ୍ତବ୍ୟ ଏମଭିଏର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ, ପାୱାର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି ଗଣମାଧ୍ୟମରେ ତାଙ୍କ ବୟାନକୁ ମାତ୍ରାଧିକ ପୁଟ ଦେଇ ଉପସ୍ଥାପନ କରାଯାଇଛି । ପାୱାରଙ୍କ ସ୍ପଷ୍ଟୀକରଣ ସତ୍ତ୍ୱେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏକ ବୟାନ ଦେଇ ପରିସ୍ଥିତିକୁ ଗୋଳମାଳିଆ କରିବାକୁ ଚେଷ୍ଟା କରିଛନ୍ତି । ସିନ୍ଧେ କହିଛନ୍ତି, ପାୱାର ଜଣେ ପୁରୁଖା ଓ ଅଭିଜ୍ଞ ରାଜନେତା । ସେ ଯେଉଁ ବୟାନ ଦିଅନ୍ତି ତାହାର ବିଶେଷ ଗୁରୁତ୍ୱ ଥାଏ ଏବଂ ଅନ୍ୟମାନଙ୍କ ପାଇଁ ତାହା ବୁଝିବା କଷ୍ଟସାଧ୍ୟ । ଏଠାରେ ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେ ଗତ ବର୍ଷ ଜୁନ ୩୦ରେ ଶିବସେନାରେ ବିଭାଜନ ଘଟାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏମଭିଏ ସରକାରଙ୍କ ପତନ ଘଟାଇ ଥିଲେ ଏବଂ ରାଜ୍ୟରେ ବିଜେପି ସହଯୋଗରେ ନିଜ ସରକାର ପ୍ରତିଷ୍ଠା କରିଥିଲେ । ଭାରତୀୟ ନିର୍ବାଚନ ଆୟୁକ୍ତ ମଧ୍ୟ ସିନ୍ଧେ ଗୋଷ୍ଠୀକୁ ମୂଳ ଶିବସେନାବୋଲି ସ୍ୱୀକୃତି ଦେଇ ଶିବସେନାର ମୂଳ ନିର୍ବାଚନ ଚିହ୍ନ ସିନ୍ଧେ ଗୋଷ୍ଠୀକୁ ହସ୍ତାନ୍ତର କରିଛି । ସିନ୍ଧେ ପାୱାରଙ୍କ ବୟାନକୁ ନେଇ ରାଜନୈତିକ ଖେଳ ଆରମ୍ଭ କରିଥିବା ବେଳେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ରାଉତ କହିଛନ୍ତି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ପ୍ରତି କୌଣସି ବିପଦ ନାହିଁ । ଏମଭିଏ ଅଂଶୀଦାରମାନେ ୨୦୨୪ ନିର୍ବାଚନରେ ଏକାଠି ରହି କାର୍ଯ୍ୟ କରିବେ । ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ବେଳକାଳ ସରି ଆସୁଛି ବୋଲି ରାଉତଙ୍କ ମନ୍ତବ୍ୟ ଶିବସେନା (ସିନ୍ଧେ) ଓ ବିଜେପି ମଧ୍ୟରେ ଚାଲି ଥିବା ଛକାପଂଝାକୁ ସୂଚିତ କରୁଛି । ରାଜ୍ୟରେ ବିଜେପି ସରକାର ପ୍ରତି କୌଣସି ବିପଦ ନାହିଁ, ତେବେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଦିଲ୍ଲୀ ବିଜେପିରେ ଜୋରସୋର ଆଲୋଚନା ଚାଲିଛି ବୋଲି ଏନସିପି ନେତା ଛଗନ ଭୁଜବଳ ନିକଟରେ ଦେଇଥିବା ଏକ ବୟାନକୁ ଆଧାର କରି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ରାଉତ ଏହା କହିଥିବା ଅନୁମାନ କରାଯାଉଛି । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ଦଳରେ ବିଭାଜନ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସମେତ ମୋଟ ୧୬ ଜଣ ଶିବସେନା ବିଧାୟକଙ୍କ ବିଧାୟକ ପଦ ରଦ୍ଦ କରାଯିବାକୁ ସୁପ୍ରିମ କୋର୍ଟରେ ଯେଉଁ ଆବେଦନ କରିଛନ୍ତି ତାହାର ରାୟ ମଧ୍ୟ ଅତିଶୀଘ୍ର ଆସିବା ଆଶା କରାଯାଉଛି । ଏହି ବିଧାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ହେଲେ ସ୍ୱାଭାବିକ ଭାବେ ସିନ୍ଧେଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବ । ତେବେ, ସଂଜୟ ରାଉତ ଯାହା କହୁଛନ୍ତି ତାହା ସୁପ୍ରିମ କୋର୍ଟ ରାୟ ଆସିବା ପରେ ହେବ କି ତା’ ପୂର୍ବରୁ ବିଜେପି ତାହାକୁ କାର୍ଯ୍ୟକାରୀ କରି ଦେବ (!) ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ମହାରାଷ୍ଟ୍ର ରାଜନୀତିରେ ପାୱାର, ସିନ୍ଧେ ଓ ସଂଜୟ ରାଉତଙ୍କ ବୟାନକୁ ନେଇ ଘମାଘୋଟ ରାଜନୀତି ଚାଲିଥିବା ବଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (ଜେଡିୟୁ)ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ (ଆରଜେଡି) ଆଜି କୋଲକାତାରେ ପଶିଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ମିଳିଛି । ବିରୋଧୀ ଏକତା ଦିଗରେ ନୀତିଶ ଆଉ ପାଦେ ଆଗେଇ ଥିବା କୁହାଯାଉଛି । ୨୦୨୪ ନିର୍ବାଚନକୁ ଆଖିରେ ରଖି ଚାଲି ଥିବା ଏହି କ୍ଷମତା ଦଖଲ ଖେଳରେ କିଏ ଜିତିବ, କିଏ ହାରିବ ଭିନ୍ନ କଥା । କିନ୍ତୁ, ଆଜି ଦିନରେ ଦେଶର ଗଣମାଧ୍ୟମ ପାଇଁ ଏହା ରୋଚକ ଖବର ହୋଇଛି, ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS