କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲା ସୁପ୍ରିମ କୋର୍ଟରେ, ଶୁକ୍ରବାର ଶୁଣାଣୀ
ପ୍ରସାଦ ରାଓ
ଏପ୍ରିଲ ୨୫
ଜଣେ ନାବାଳିକା ସମେତ ସାତ ଜଣ କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ଦିଆଯାଇଥିବା ମାମଲା ଏବେ ସୁପ୍ରିମ କୋର୍ଟରେ ପହଂଚିଛି । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କୁସ୍ତଯୋଦ୍ଧାମାନେ ସୁପ୍ରିମ କୋର୍ଟରେ ସୋମବାର ଯେଉଁ ରିଟ୍ ପିଟିସନ୍ ଦାଏର କରିଛନ୍ତି ତାହାକୁ ଶୁଣାଣୀ ପାଇଁ ସୁପ୍ରିମ କୋର୍ଟ ଗ୍ରହଣ କରିଛନ୍ତି । ରେସିଲିଂ ଫେଡେରେସନ ଅଫ୍ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଏହି କୁସ୍ତିଯୋଦ୍ଧାମାନେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ସିଂହଙ୍କ ବିରୋଧରେ ପୁଲିସ ଏତଲା ପଂଜୀକୃତ କରୁ ବୋଲି ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ସୋମବାର ଦିନ ଦାଖଲ ହୋଇଥିବା ରିଟ୍ ପିଟିସନରେ ଅଭିଯୋଗ ହୋଇଛି, ସିଂହଙ୍କ ଯୌନ ଉତ୍ପୀଡନ ନେଇ ସେମାନେ ଗତ ଜାନୁୟାରୀ ମାସରେ ଦିଲ୍ଲୀ ପୁଲିସ ନିକଟରେ ଏତଲା ଦେଇଥିଲେ ମଧ୍ୟ ତାହା ଆଜି ସୁଦ୍ଧା ପଂଜୀକୃତ ହୋଇନି । ତିନି ମାସ ବିତି ଯାଇଥିଲେ ସୁଦ୍ଧା ଦିଲ୍ଲୀ ପୁଲିସ ଡବ୍ଲୁଏଫଆଇ ସଭାପତି ସିଂହଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ତେଣୁ, ସୁପ୍ରିମ କୋର୍ଟ ଦିଲ୍ଲୀ ପୁଲିସକୁ ସିଂହଙ୍କ ବିରୋଧରେ ଏତଲା ପଂଜୀକରଣ ପାଇଁ ନିର୍ଦେଶ ଦିଅନ୍ତୁ ବୋଲି ପୀଡିତ କୁସ୍ତିଯୋଦ୍ଧାମାନେ ନିବେଦନ କରିଛନ୍ତି ।
ଆଜି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କୁସ୍ତଯୋଦ୍ଧାଙ୍କ ରିଟ୍ ପିଟିସନ ବିଚାର ପାଇଁ ଗ୍ରହଣ କରିବା ସହ ଦିଲ୍ଲୀ ସରକାରଙ୍କୁ ଶୁକ୍ରବାର ସୁଦ୍ଧା ଉତ୍ତର ରଖିବାକୁ ନୋଟିସ ଜାରି କରିଛନ୍ତି । ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଆଜି ସୁପ୍ରିମ କୋର୍ଟରେ ଆବେଦନକାରୀଙ୍କ ପକ୍ଷ ରଖି ଥିଲେ । ଖଣ୍ଡପୀଠ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ସଂପର୍କରେ ବିସ୍ତୁତ ଭାବେ ଶୁଣିବା ପରେ ରିଟ୍ ଆବେଦନ ଉପରେ ତୁରନ୍ତ ଶୁଣାଣୀ ପାଇଁ ନିଷ୍ପତ୍ତି ନେଇଥିଲେ । ଦେଶକୁ ଆନ୍ତର୍ଜାତିକ କ୍ଷେତ୍ରରେ ଗୌରବାନ୍ୱିତ କରିଥିବା ମହିଳା କୁସ୍ତିଯୋଦ୍ଧାଙ୍କ ରିଟ୍ ପିଟିସନରେ ଯାହା ସବୁ ଅଭିଯୋଗ ହୋଇଛି ସେସବୁ ଅତ୍ୟନ୍ତ ଗମ୍ଭୀର ବୋଲି ଖଣ୍ଡପୀଠ କହିଛନ୍ତି ଏବଂ ତୁରନ୍ତ ଆବେଦନର ଶୁଣାଣୀ ପାଇଁ ରାଜି ହୋଇଛନ୍ତି । ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିବା ପୀଡିତଙ୍କ ନାମ ଗୋପନ ରଖାଯିବା ଉପରେ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି । ଆଜି ସୁପ୍ରିମ କୋର୍ଟ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ନୋଟିସ କରିବା ପୂର୍ବରୁ ପ୍ରଶ୍ନ କରିଥିଲେ, ସାଧାରଣତଃ ଏଭଳି ଧର୍ତ୍ତବ୍ୟ ଅପରାଧ ଅଭିଯୋଗ ସବୁର ତଦନ୍ତ ପାଇଁ ସିଆରପିସି (କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଡିଅର)ର ୧୫୬ ଧାରାରେ ପୁଲିସ ଅଧିକାରୀଙ୍କ ପର୍ଯ୍ୟାପ୍ତ କ୍ଷମତା ରହିଛି । ତେଣୁ, ଆବେଦନକାରୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ କାହିଁକି ?
ଆଇନଜୀବୀ ସିବଲ ଖଣ୍ଡପୀଠଙ୍କୁ ଜଣାଇ ଥିଲେ ଯେ, ଡବ୍ଲୁଏଫଆଇ ସଭାପତି ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଥିବା ସାତ ଜଣ ମହିଳା କୁସ୍ତିଯୋଦ୍ଧା (ଜଣେ ନାବାଳିକାଙ୍କ ସମେତ) ଗତ ଜାନୁୟାରୀ ମାସରେ ଦିଲ୍ଲୀ ପୁଲିସ ନିକଟରେ ଏସଂପର୍କରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ତାହାର ପଂଜୀକରଣ କରୁ ନାହିଁ । କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ସଂପୃକ୍ତ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ପାଇବା ପରେ ଏକ ତଦନ୍ତ କମିଟି ଗଠନ କରି ଥିଲେ । ତଦନ୍ତ କମିଟି ଗଠନର ତିନି ମାସ ବିତି ଯାଇଥିଲେ ମଧ୍ୟ କମିଟି କଣ ରିପୋର୍ଟ ଦେଇଛନ୍ତି ତାହା ସରକାର କାହାରିକୁ ଅବଗତ କରାଇ ନାହାନ୍ତି । ତେଣୁ, ପୀଡିତ କୁସ୍ତିଯେଦ୍ଧାମାନେ ସିଂହଙ୍କ ବିରୋଧରେ ପୁଲିସ ଏତଲା ପଂଜୀକରଣ କରୁ ବୋଲି ଦାବି ଜଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟକୁ ଆସିଛନ୍ତି । ଆଇନଜୀବୀ ସିବଲଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ରିଟ୍ ପିଟିସନକୁ ବିଚାର ପାଇଁ ଗ୍ରହଣ କରି କହିଥିଲେ, ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ମହିଳା କୁସ୍ତିଯୋଦ୍ଧାମାନେ ରେସିଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ତାହା ଅତ୍ୟନ୍ତ ଗମ୍ଭୀର ଓ ଗୁରୁତର ହୋଇଥିବାରୁ ଅଦାଲତ ତାହାକୁ ତୁରନ୍ତ ବିଚାର ପାଇଁ ଗ୍ରହଣ କରିବା ଆବଶ୍ୟକ ।
ଏଠାରେ ଉଲ୍ଲେଖନୀୟ, ଦେଶର ପ୍ରମୁଖ ମହିଳା ଓ ପୁରୁଷ କୁସ୍ତିଯୋଦ୍ଧାମାନେ ଗତ ଜାନୁୟାରୀ ମାସରେ ଡବ୍ଲୁଏଫଆଇ ସଭାପତି ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଗୁରୁତର ଯୌନ ଉତ୍ପୀଡନ ଅଭିଯୋଗ ଆଣି ଦିଲ୍ଲୀରେ ଏକାଧିକ ଦିନ ଧାରଣା ଦେଇଥିଲେ । ସେମାନେ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ତାହାକୁ ଗ୍ରହଣ କରିନଥିଲେ । ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ, ବଜରଂଗ ପୁନିଆଙ୍କ ଭଳି ଆନ୍ତର୍ଜାତିକ କ୍ଷାତି ସଂପନ୍ନ କୁସ୍ତିଯୋଦ୍ଧାମାନେ ଧାରଣାର ନେତୃତ୍ୱ ନେଇଥିବା ଦେଖି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କୁ ରାତି ଅଧିଆ ଆଲୋଚନା ପାଇଁ ନିଜ ସରକାରୀ ବାସଭବନକୁ ଡକାଇ ଥିଲେ । ଆଲୋଚନା ପରୋ କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ତଦନ୍ତ ପାଇଁ ଭାରତୀୟ ଅଲିଂପିକ ଆସୋସିଏସନ୍ ସଭାପତି ପି.ଟି.ଉଷାଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଏବଂ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସିଂହଙ୍କ ସ୍ଥାନରେ ଡବ୍ଲୁଏଫଆଇର ଦୈନନ୍ଦିନ କାର୍ଯ୍ୟ ତଦାରଖ ପାଇଁ ଏକ ଅଭରସାଇଟ୍ କମିଟି ଗଠନ କରାଯାଇଥିଲା । ତଦନ୍ତ କମିଟି ସରକାରଙ୍କୁ କଣ ରିପୋର୍ଟ ଦେଇଛନ୍ତି ତାହା ଏପର୍ଯ୍ୟନ୍ତ ବାହାରକୁ ଆସି ନାହିଁ । ଦିଲ୍ଲୀ ପୁଲିସ ମଧ୍ୟ ଡବ୍ଲୁଏଫଆଇ ସଭାପତି ସିଂହଙ୍କ ବିରୋଧରେ ଏତଲା ପଂଜୀକରଣ କରିନାହାନ୍ତି । ତେଣୁ, ସରକାର ସେମାନଙ୍କୁ ପ୍ରତାରିତ କରିଥିବା ସେମାନେ ଭାବୁଛନ୍ତି ବୋଲି କୁସ୍ତିଯେଦ୍ଧା ଭିନେଶ ଫୋଗଟ କହିଛନ୍ତି ।
ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଓ ବଜରଂଗ ପୁନିଆଙ୍କ ନେତୃତ୍ୱରେ ପୀଡିତ କୁସ୍ତିଯୋଦ୍ଧାମାନେ ଏଇ କିଛି ଦିନ ହେଲା ଦିଲ୍ଲୀର ଜନ୍ତର ମନ୍ତରଠାରେ ଧାରଣାରେ ବସିଛନ୍ତି । ରେସିଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ପୁଲିସ ଏତଲା ପଂଜୀକରଣ କରିବା ଏବଂ କ୍ରୀଡା କ୍ଷେତ୍ରରେ ଚାଲିଥିବା ଯୌନ ଉତ୍ପୀଡନର ସ୍ଥାୟୀ ପ୍ରତିକାର ନହେବା ଯାଏଁ ସେମାନେ ଧାରଣା ଚାଲୁ ରଖିବେ ବୋଲି ଭିନେଶ ଫୋଗଟ ଚେତାଇଛନ୍ତି । ଆଜି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଜନ୍ତର ମନ୍ତର ଧାରଣା ସ୍ଥଳକୁ ଯାଇ କୁସ୍ତିଯୋଦ୍ଧାଙ୍କ ସହ କିଛି ସମୟ ବିତାଇ ଥିଲେ । କୁସ୍ତଯୋଦ୍ଧାଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ ରିଟ୍ ପିଟିସନ ଉପରେ କୋର୍ଟ ଶୁକ୍ରବାର ସୁଦ୍ଧା ସରକାରଙ୍କୁ ଉତ୍ତର ମାଗି ଥିବାରୁ ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣୀ ସମ୍ଭାବନା ରହିଛି ।
ପୀଡିତ କୁସ୍ତିଯୋଦ୍ଧାମାନେ କହିଛନ୍ତି, ଗତ ଜାନୁୟାରୀ ମାସରେ ସେମାନେ ଡବ୍ଲୁଏଫଆଇ ସଭାପତି ସିଂହଙ୍କ ବିରୋଧରେ ଏତଲା ଦେବାକୁ ଦିଲ୍ଲୀ କନ୍ନଟ୍ ପ୍ଲେସ୍ ଥାନାକୁ ଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ଠାରୁ ଏତଲା ରଖି ନଥିଲେ । ଅନ୍ୟପକ୍ଷରେ, ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ଗତ ଜାନୁୟାରୀ ମାସରେ ଯେଉଁ ଓଭରସାଇଟ୍ କମିଟି ଗଠନ କରିଥିଲେ ସେହି କମିଟି ଡବ୍ଲୁଏଫଆଇ ସଭାପତି ସିଂହଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ଅଭିଯୋଗର ତଦନ୍ତରୁ କି ତଥ୍ୟ, ପ୍ରମାଣ ପାଇଛନ୍ତି ତାହା ମଗା ଯାଇଛି । ସାତ ଜଣ ପୀଡିତ କୁସ୍ତିଯୋଦ୍ଧାଙ୍କ ଅଭିଯୋଗପତ୍ର ପୁଲିସକୁ ମିଳିଛି ଏବଂ ତାହା ଉପରେ ତଦନ୍ତ ଚାଲିଛି । ତଦନ୍ତରୁ ନିର୍ଭରଯୋଗ୍ୟ ତଥ୍ୟ, ପ୍ରମାଣ ମିଳିଲେ ସେହି ଆଧାରରେ ସିଂହଙ୍କ ବିରୋଧରେ ଏତଲା ପଂଜୀକରଣ କରାଯିବ ।
ଏଠାରେ ଆଉ ଗୋଟିଏ କଥା ଉଲ୍ଲେଖ କରାଯାଇପାରେ । ଦେଶର ଅନ୍ୟତମ ପ୍ରମୁଖ ତଥା ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କୁସ୍ତିଯୋଦ୍ଧା ବବିତା ଫୋଗଟ ଏବେ ବିଜେପି ସହ ସଂପୃକ୍ତ ଅଛନ୍ତି । ଗତ ଜାନୁୟାରୀ ମାସରେ ସାତ ଜଣ କୁସ୍ତିଯୋଦ୍ଧା ଡବ୍ଲୁଏଫଆଇ ସଭାପତି ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଦିଲ୍ଲୀରେ ଧାରଣାରେ ବସିଥିବା ବେଳେ ବବିତା ମଧ୍ୟସ୍ଥତା କରି କୁସ୍ତିଯୋଦ୍ଧା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମାଧାନର ରାସ୍ତା ବାହାର କରିଥିଲେ । ବବିତା କେନ୍ଦ୍ର ସରକାରଙ୍କ ଓଭରସାଇଟ୍ କମିଟିର ସଦସ୍ୟ ଅଛନ୍ତି । ବବିତାଙ୍କ କାର୍ଯ୍ୟକଳାପରେ ପୀଡିତ କୁସ୍ତିଯୋଦ୍ଧାମାନେ ସନ୍ତୁଷ୍ଟ ନାହାନ୍ତି । ବବିତା ଏବେ କୁସ୍ତି ଅପେକ୍ଷା ରାଜନୀତିକୁ ବୋଧହୁଏ ଅଧିକ ପସନ୍ଦ କରୁଛନ୍ତି ବୋଲି ଭିନେଶ ମନ୍ତବ୍ୟ ଦେଇ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS