ଦିଲ୍ଲୀରେ ଆପ୍-ବିଜେପି ଓ କର୍ଣ୍ଣାଟକରେ କଂଗ୍ରେସ-ବିଜେପି !
ପ୍ରସାଦ ରାଓ
ଏପ୍ରିଲ ୨୬
ଦିଲ୍ଲୀରେ ଆପ୍-ବିଜେପି ଖୁମ୍ପୁରାଖୁମ୍ପୁରି ହେବା କିଛି ନୂଆ କଥା ନୁହେଁ । କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ହେବା ଦିନରୁ ଏହା ଚାଲି ଆସିଛି । ତେବେ, ଦିଲ୍ଲୀ ମୁନସିପାଲ କାଉନସିଲ (ଏମସିଡି) ନିର୍ବାଚନରୁ ଦୁଇ ଦଳ ମଧ୍ୟରେ ସଂପର୍କ ଅଧିକ ତୀକ୍ତ ହୋଇଛି । ଗଲା ୧୫ ବର୍ଷ ଧରି ଏମସିଡିରେ ବିଜେପିର ନିରଙ୍କୁଶ ଶାସନ ଥଲା । ଗତ ବର୍ଷ ହୋଇଥିବା ନିର୍ବାଚନରେ ‘ଆପ୍’ ବିଜେପିକୁ ମାତ୍ ଦେଇ ଏମସିଡିରେ କ୍ଷମତା ଦଖଲ କରିଛି । ‘ଆପ୍’ର ସଂଖ୍ୟାଗରିଷ୍ଠତା ଥିଲେ ମଧ୍ୟ ବିଜେପି ଏମସିଡି ମେୟର ପଦ ଦଖଲ କରିବାକୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରି ବିଫଳ ହୋଇଥିଲା । ସୁପ୍ରିମ କୋର୍ଟ ହସ୍ତକ୍ଷେପ ପରେ ମେୟର ନିର୍ବାଚନ କରାଇ ଥିଲେ ଏବଂ ‘ଆପ୍’ର ମେୟର ପ୍ରାର୍ଥୀ ବିଜୟୀ ହୋଇଥିଲେ ।
କେବଳ ଏମସିଡି ନିର୍ବାଚନ ନୁହେଁ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମଧ୍ୟ ଆପ୍-ବିଜେପି ମଧ୍ୟରେ ରିତିମତ ମୁହାଁମୁହିଁ ପରିସ୍ଥିତି ରହିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସରକାର ୨୦୨୦ରେ ଯେଉଁ ନୂତନ ଅବକାରୀ ନୀତି ଆଣି ଥିଲେ ତାହାର କାର୍ଯ୍ୟକାରିତାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦିଲ୍ଲୀ ପ୍ରଶାସନରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଲ୍ୟୁଟିନାଂଟ ଗଭର୍ଣ୍ଣର (ଏଲଜି) ଏହି କଥିତ ଦୁର୍ନୀତିର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ । ଦିଲ୍ଲୀ ସରକାର ଏଲଜିଙ୍କ ବିରୋଧ ପରେ ନୂତନ ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଲେ ସିନା ସିବିଆଇ କେଜରୀୱାଲ ସରକାରଙ୍କ ପିଛା ଛାଡିନି । ରାଜ୍ୟର ଅବକାରୀ ମନ୍ତ୍ରୀ ରହିଥିବା ପୂର୍ବତନ ଉପ ମୁଖମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଓ ଇଡି ତଦନ୍ତର ସାମ୍ନା କରୁଛନ୍ତି ଏବଂ ଗିରଫ ହୋଇ ଜେଲରେ ଅଛନ୍ତି ।
ଏହା ପୂର୍ବରୁ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନିଲଂଡରିଂ ମାମଲାର ଫସି ପାଖାପାଖି ଏକ ବର୍ଷ ହେଲା ଜେଲରେ ରହିଛନ୍ତି । ତାଙ୍କୁ ଅଦାଲତରୁ ଜାମିନ ମିଳୁ ନାହିଁ । କେନ୍ଦ୍ର ସରକାର ସର୍ବସାଧାରଣରେ ‘ଆପ୍’କୁ ନିନ୍ଦିତ କରିବା ପାଇଁ ରିତିମତ ଘଡଯନ୍ତ୍ରରେ ଲିପ୍ତ, ଦିଲ୍ଲୀରେ ଏଲଜି ଭାବେ ନିଯୁକ୍ତ ପ୍ରଶାସନିକ ଅଧିକାରୀଙ୍କ ସମେତ ସିବିଆଇ, ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ଏହା କାର୍ଯ୍ୟରେ ବ୍ୟବହାର କରାଯାଉଛି ବୋଲି ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଲଗାତର ଅଭିଯୋଗ କରିଆସୁଛନ୍ତି । ଅପରପକ୍ଷରେ ବିଜେପି କହୁଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ ସରକାର ହେଉଛି ସର୍ବାଧିକ ଦୁର୍ନୀତିଗ୍ରସ୍ତ । ଦୁର୍ନୀତି ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ଚାଲିଛି ସେଥିରେ ବିଜେପିର କୌଣସି ଭୂମିକା ନାହିଁ ।
ଏବେ ଆପ୍-ବିଜେପି ମଧ୍ୟରେ କାଦୁଅ ଫିଙ୍ଗାରେ ଆଉ ଏକ ନୂଆ ପ୍ରସଙ୍ଗ ଯୋଡି ହୋଇଛି । ତାହା ହେଉଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସରକାରୀ ବାସଭବନର ନବୀକରଣ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନର ନବୀକରଣ କାର୍ଯ୍ୟରେ ଅଯଥାରେ ୪୫ କୋଟି ଟଙ୍କା ବିନିଯୋଗ କରିଛନ୍ତି ବୋଲି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି ନୂଆ ବିବାଦର ସୂତ୍ରପାତ କରିଛନ୍ତି । ପାତ୍ରଙ୍କ ଅଭିଯୋଗ ହେଉଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ସର୍ବଦା ନିଜକୁ ଜଣେ ଅତି ସାଧାରଣ ବ୍ୟକ୍ତି ଭାବେ ପରିଚିତ କରାଉଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ସେ କୌଣସି ମାତ୍ରାଧିକ ସରକାରୀ ସୁବିଧା ସୁଯୋଗ ନେବେ ନାହିଁ ବୋଲି ଘୋଷଣା କରିଥିଲେ । ସାଧୁତା, ମିତବ୍ୟୟିତା ଓ ସାଧାରଣ ଜୀବନ ଯାପନ ଶୈଳୀ ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ, ସେ ତାଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ ବାସଭବନକୁ ନବୀକରଣ କରାଇବାରେ ୪୫ କୋଟି ଟଙ୍କା ଖର୍ଚ୍ଚ କରି ପ୍ରତିଶ୍ରୁତି ସବୁକୁ ଜଳାଂଜଳି ଦେଇଛନ୍ତି ।
କେଜରୀୱାଲ ନିଜକୁ ‘ମହାରାଜା’ ଭାବୁଛନ୍ତି ଏବଂ ବିଳାଶବ୍ୟସନରେ ଡୁବି ରହି ସରକାରୀ ଅର୍ଥର ବ୍ୟାପକ ଅପଚୟ କରୁଛନ୍ତି ବୋଲି ପାତ୍ର ଅଭିଯୋଗ କରିବା ସହ କେଜରୀୱାଲଙ୍କ ସରକାରୀ ବାସଭବନ ନବୀକରଣରେ ଦାମୀ ଭିଏତନାମୀ ଟାଇଲ୍ ଓ ପୂର୍ବରୁ କାରୁକାର୍ଯ୍ୟ ହୋଇ ଆସିଥିବା କାଠର କାନ୍ଥ ଲାଗି ଥିବା ଏବଂ ଯେଉଁ ଆଠଟି ଦାମୀ ପରଦା ଲାଗିଛି ତାହାର ମୂଲ୍ୟ ଗୋଟି ପିଛା ୭.୯୪ ଲକ୍ଷରୁ ଅଧିକ ଟଙ୍କା ଥିବା କାଗଜପତ୍ର ସାମ୍ବାଦିକ ସମ୍ମିଳନୀରେ ଦେଖାଇଛନ୍ତି । ‘ଏହା ହେଉଛି ଜଣେ ଲଜ୍ୟାହୀନ ମହାରାଜାଙ୍କ କାହାଣୀ’ ବୋଲି ପାତ୍ର ଗଣମାଧ୍ୟମକୁ କହିବା ସହ ‘ଆପ୍’ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ଯେଉଁ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ମାଗି ଥିଲେ କେଜରୀୱାଲ ମଧ୍ୟ ଠିକ୍ ସେହିଭଳି ସାମ୍ବାଦିକ ସମ୍ମିଳନୀ କରି ନିଜ ସରକାରୀ ବାସଭବନର ନବୀକରଣ ସଂପର୍କିତ ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜରୀୱାଲ ତୁରନ୍ତ ଏହାର କୌଣସି ଉତ୍ତର ଦେଇନଥିଲେ ମଧ୍ୟ ଦିଲ୍ଲୀରେ ତାଙ୍କୁ ସରକାରୀ ଭାବେ ଯେଉଁ ବାସଭବନ ଯୋଗାଇ ଦିଆଯାଇଥିଲା ତାହାର ଜରାଜୀର୍ଣ୍ଣ ଅବସ୍ଥାର ଭିଡ଼ିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।
‘ଆପ୍’ ମୁଖପାତ୍ର ପ୍ରିୟଙ୍କା କକ୍କର ଟ୍ୱିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଦିଲ୍ଲୀରେ ଯେଉଁ ସରକାରୀ ଘର ଯୋଗାଇ ଦିଆଯାଇଛି ତାହା ଏକ ଏକର ଜମିରେ ୧୯୪୨ରେ ନିର୍ମିତ ଏବଂ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ରହି ଥିଲା । ବୈଠକ କରିବା ସମୟରେ ଛାତରୁ କଂକ୍ରିଟ୍ ଗଳି ପଡୁଥିଲା । ତେଣୁ ନବୀକରଣ ହୋଇଛି । ଦିଲ୍ଲୀରେ ଏଲଜିଙ୍କୁ ଯେଉଁ ସରକାରୀ ବାସଭବନ ଯୋଗାଇ ଦିଆଯାଇଛି ତାହା ଛଅ ଏକର ପରିମିତ ଏବଂ ଏଲଜିଙ୍କ ଘରର ମରାମତି ଏବଂ ରଂଗ ଦେବାରେ ଯେତିକି ସରକାରୀ ଅର୍ଥ ବ୍ୟୟ ହୋଇଛି ତାହା ମୁଖ୍ୟମନ୍ତ୍ରୀଙ୍କ ଘରର ନବୀକରଣ ଖର୍ଚ୍ଚ ତୁଳନାରେ ଯଥେଷ୍ଟ ଅଧିକ । ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସରକାରୀ ବାସଭବନର ନବୀକରଣରେ ୪୫ କୋଟି ଟଙ୍କା କରାଯାଇ ତାହାକୁ ଏକ ରାଜପ୍ରାସାଦତୁଲ୍ୟ କରାଯାଇଛି ବୋଲି ବିଜେପି ମୁଖପାତ୍ର ଜଣକ ଅଭିଯୋଗ କରି ଥିବାରୁ ଏଲଜି ଭି.କେ.ସାକ୍ସେନା ମହୋଦୟ ତାଙ୍କ ସରକାରୀ ବାସଭବନ କେଜରୀୱାଲଙ୍କୁ ଛାଡି କେଜରୀୱାଲଙ୍କ ନବୀକରଣ ହୋଇଥିବା ବାସଭବନକୁ ଚାଲି ଆସୁ ନାହାନ୍ତି କାହିଁକି ?
ଏହା ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ନବୀକରଣକୁ ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଛି ତାହାର ଅବସାନ ଘଟିବ ଏବଂ ସେତିକି ସମୟ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ବିତର୍କରେ ବ୍ୟୟ କରି ହେବ ବୋଲି ‘ଆପ୍’ ମୁଖପାତ୍ର କକ୍କର୍ କହିଛନ୍ତି । ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ ମଧ୍ୟ ଏହି ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ଦେଶବାସୀ ସାମ୍ନା କରୁଥିବା ବାସ୍ତବ ସମସ୍ୟାଗୁଡିକରୁ ନଜର ହଟାଇବା ପାଇଁ ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସରକାରୀ ବାସଭବନର ନବୀକରଣକୁ ପ୍ରସଙ୍ଗ କରିଛି ବୋଲି ସିଂହ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଜଣେ ‘ଫକିର୍’ ବୋଲି କହୁଥିବା ବେଳେ ତାଙ୍କ ପାଇଁ ୫୦୦ କୋଟି ଟଙ୍କାର ଗୃହ ନିର୍ମାଣ ହୋଇଛି ଏବଂ ବର୍ତ୍ତମାନ ସେ ଯେଉଁ ଘରେ ରହୁଛନ୍ତି ତାହାର ନବୀକରଣରେ ୯୦ କୋଟି ଟଙ୍କା ବ୍ୟୟ ହୋଇଛି ବୋଲି ସିଂହ ପାଲଟା ଅଭିଯୋଗ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସରକାରୀ ବାସଭବନର ନବୀକରଣକୁ ନେଇ ଦିଲ୍ଲୀରେ ବିଜେପି-ଆପ୍ ମଧ୍ୟରେ ନୂଆ ବିବାଦ ଆରମ୍ଭ ହୋଇଥିବା ବେଳେ କର୍ଣ୍ଣାଟକରେ ମେ’ ୧୦ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ବିଜେପି-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଚରମରେ ପହଂଚିଛି । ରାଜ୍ୟରେ ବିଜେପିର ସରକାର ରହିଛି । ବାସବରାଜ ବୋମାଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଅଛନ୍ତି । ତେବେ, ବୋମାଇ ସରକାର ବ୍ୟାପକ ଜନ ଅସନ୍ତୋଷର ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ୟୁପି ଓ ମଧ୍ୟ ପ୍ରଦେଶର ବିଜେପି ମୁଖ୍ୟମନ୍ତ୍ରୀ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାରର ମଂଗ ଧରିଛନ୍ତି । କଂଗ୍ରେସ ପକ୍ଷରୁ ମଧ୍ୟ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ କର୍ଣ୍ଣାଟକରେ କଂଗ୍ରେସ ପାଇଁ ଜୋରଦାର ପ୍ରଚାର ଚଳାଇ ଥିବା ଦେଖିବାକୁ ମିଳୁଛି । ବୋମାଇ ସରକାର ପ୍ରତ୍ୟେକ କାମ ପାଇଁ ୪୦ ପ୍ରତିଶତ ପିସି (ଲାଂଚ) ନେଉଥିବା ରାଜ୍ୟର ଠିକାଦାର ସଂଘ ଯେଉଁ ଅଭିଯୋଗ କରିଛି ତାହା କଂଗ୍ରେସ ପାଇଁ ବଡ ଅସ୍ତ୍ର ହୋଇଛି ।
ଦୁର୍ନୀତିଗ୍ରସ୍ତ ବିଜେପିକୁ କ୍ଷମତାରୁ ହଟାଇ କଂଗ୍ରେସକୁ କ୍ଷମତାକୁ ଆଣିବାକୁ କଂଗ୍ରେସ ନେତାମାନେ ରାଜ୍ୟର ମତଦାତାଙ୍କୁ ଆହ୍ୱାନ ଦେଉଥିବା ବେଳେ ବିଜେପି କର୍ଣ୍ଣାଟକରେ ଭୋଟବ୍ୟାଙ୍କ ଭାବେ ପରିଚିତ ବିଭିନ୍ନ ଜାତିଙ୍କ ପାଇଁ ଆସନ ସଂରକ୍ଷଣ ବଢାଇ ସେମାନଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟମରେ ଅଛି । ରାଜ୍ୟରେ କଂଗ୍ରେସ ଦଳ କ୍ଷମତାକୁ ଫେରିଲେ ପୁନର୍ବାର ପାରିବାରବାଦ ଆରମ୍ଭ ହେବ ଏବଂ ରାଜ୍ୟରେ ବିକାଶ କାର୍ଯ୍ୟ ଯେଭଳି ଦୃତ ଗତିରେ ଚାଲିଛି ତାହା ବ୍ୟାହତ ହୋଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ କେନ୍ଦ୍ର ଯୋଗାଇବା ଅର୍ଥ ଦିଲ୍ଲୀକୁ ବାଟମାରଣା ହୋଇଯିବ ବୋଲି ବିଜେପି ପାଲଟା ଅଭିଯୋଗ କରୁଛି । ରାଜ୍ୟରେ ‘ଡବଲ ଇଂଜିନ’ ସରକାର ରହିଲେ ହିଁ ବିକାଶ ତ୍ୱରାନ୍ୱିତ ହେବ କହି ବିଜେପି ଜନମତକୁ ନିଜ ସପକ୍ଷରେ ବାନ୍ଧି ରଖିବାକୁ ଉଦ୍ୟମ କରୁଛି । କର୍ଣ୍ଣାଟକ ନିର୍ବାଚନରେ ଜାତି, ଧର୍ମ ରାଜନୀତି ମଧ୍ୟ ସରଗରମ ରହିଛି । ରାଜ୍ୟବାସୀ ପୂର୍ବରୁ କଂଗ୍ରେସ ଓ ବିଜେପିର ଶାସନ ଦେଖିଛନ୍ତି । ବୋମାଇ ସରକାରଙ୍କ ଅପରାଗତାକୁ ମଧ୍ୟ ଅଂଗେ ନିଭାଉଛନ୍ତି । ତେଣୁ, ମେ’ ୧୦ ତାରିଖ ନିର୍ବାଚନରେ ମତଦାତା କାହାକୁ ବାଛିଲେ, କାହାକୁ ଛାଡିଲେ ୧୩ ତାରିଖ ଫଳାଫଳ ଆସିଲେ ସ୍ପଷ୍ଟ ହୋଇଯିବ । ଜାତୀୟ ରାଜନୀତି ଦୃଷ୍ଟିରୁ କର୍ଣ୍ଣାଟକ ବିଧାନସଭା ବେଶ୍ ଗୁରୁତ୍ୱ ରଖୁଥିବାରୁ ସମଗ୍ର ଦେଶର ନଜର ଫଳାଫଳ ଉପରେ ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS