ଆନନ୍ଦ ମୋହନଙ୍କ ମୁକ୍ତିକୁ ନେଇ ରାଜନୀତି ଘନଉଛି
ପ୍ରସାଦ ରାଓ
ଏପ୍ରିଲ ୨୭
୧୯୯୪ ଡିସେମ୍ବର ୫ ତାରିଖ ଦିନ ବିହାର ଗୋପାଳଗଂଜର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ କାର୍ ରୁ ଘୋଷାଡି ଆଣି ହତ୍ୟା କରିବା ଘଟଣାରେ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ୨୦୦୭ରୁ ବିହାରର ସହର୍ଷା ଜେଲରେ ଦୀର୍ଘ ୧୫ ବର୍ଷ ହେଲା ଆଜୀବନ କାରାଦଣ୍ଡ ଭୋଗୁଥିବା ବାହୁବଳୀ ନେତା ଆନନ୍ଦ ମୋହନ ସିଂହଙ୍କୁ ଆଜି ବିହାର ସରକାର ଜେଲରୁ ମୁକ୍ତ କରିଥିବା ଘଟଣା ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନେଇ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଆନନ୍ଦ ମୋହନ ସିଂହଙ୍କୁ ଜେଲରୁ ଆଗୁଆ ମୁକ୍ତି ଦେବା ପାଇଁ ବିହାର ସରକାର ଜେଲ୍ ମାନୁଆଲ, ୨୦୧୨ରେ ଯେଉଁ ସଂଶୋଧନ କରିଛନ୍ତି ତାହା ମଧ୍ୟ ସମାଲୋଚନାର ବିଷୟ ହୋଇଛି ।
ଆନନ୍ଦ ମାହନ ସିଂହଙ୍କ ସହ ଅନ୍ୟ ୨୬ ଜଣ କଏଦୀଙ୍କୁ ଜେଲରୁ ଆଗୁଆ ମୁକ୍ତି ଦେବାକୁ ବିହାର ସରକାର ଗତ ୨୪ ତାରିଖ ଦିନ ବିଜ୍ଞପ୍ତ ଜାରି କରିବା ପରେ ବିଭିନ୍ନ ମହଲରେ ଏହାର ଦୃଢ ବିରୋଧ କରାଯାଇଥିଲା । ତେବେ, ନୀତୀଶ ସରକାର କୌଣସି ପ୍ରତିକ୍ରିୟା ବ୍ୟକ୍ତ ନକରି ଏପ୍ରିଲ ୨୪ ତାରିଖ ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିଛନ୍ତି । ଗୁଜୁରାଟର ବିଲକିସ୍ ବାନୋ ମାମଲାରେ ଗଣଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କୁ ଆଗୁଆ ମୁକ୍ତି ଦିଆଯିବା କଥାକୁ ନେଇ ସେଠାକାର ବିଜେପି ସରକାର ଦେଶବ୍ୟାପୀ ସମାଲୋଚିତ ହୋଇଛନ୍ତି ଏବଂ ଏହା ବିରୋଧରେ ବିଲକିସ୍ ସୁପ୍ରିମ କୋର୍ଟରେ ଦାଏର କରିଥିବା ମାମଲା ବିଚାରାଧୀନ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି । ଏଭଳି ସ୍ଥିତିରେ ବିହାରର ନୀତୀଶ ସରକାର ବାହୁବଳୀ ନେତା ଆନନ୍ଦ ମୋହନ ସିଂହଙ୍କୁ ଆଗୁଆ ମୁକ୍ତି ଦେବାକୁ ଜେଲ୍ ମାନୁଆଲରେ ସଂଶୋଧନ କରିବା ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୧୪ ବର୍ଷରୁ ଅଧିକ ସମୟ ସଜା କାଟି ସାରିଥିବା କଏଦୀଙ୍କୁ ମୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ଏପ୍ରିଲ ୨୪ ତାରିଖରେ ଯେଉଁ ବିଜ୍ଞପ୍ତ ଜାରି କରିଥିଲେ ସେଥିରେ ବାହୁବଳୀ ନେତା ଆନନ୍ଦ ମୋହନଙ୍କ ସମେତ ଅନ୍ୟ ୨୬ ଜଣଙ୍କ ନାମ ଥିଲା । ଆନନ୍ଦ ମୋହନ ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ହତ୍ୟା କରିଥିବା ଦୃଷ୍ଟିରୁ ରେମିସନ୍ ବା ଆଗୁଆ ମୁକ୍ତି ପାଇବାକୁ ହକ୍ଦାର ନଥିଲେ ମଧ୍ୟ ଜେଲ୍ ମାନୁଆଲରେ ସଂଶୋଧନ କରାଯାଇ ସଂଗୀନ ଅପରାଧ ତାଲିକାରୁ ‘କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ ହତ୍ୟା’କୁ ହଟାଇ ଦିଆଯାଇଥିଲା । ତାହା ହିଁ ନୀତୀଶଙ୍କ ଉଦ୍ଦେଶ୍ୟକୁ ନେଇ ସନ୍ଦେହର ଅବକାଶ ସୃଷ୍ଟି କରିଛି ।
ଏଠାରେ ଉଲ୍ଲେଖନୀୟ ଯେ, ବାହୁବଳୀ ନେତା ଆନନ୍ଦ ମୋହନ ୧୯୯୪ ଡିସେମ୍ବର ୫ ତାରିଖ ଦିନ ଏକ ଶୋକ ଶୋଭାଯାତ୍ରାରେ ଯାଉଥିବା ବେଳେ ଗୋପାଳଗଂଜ ଜିଲ୍ଲା ମାଜିଷ୍ଟ୍ରଟ୍ (ଡିଏମ୍) ଜି.କ୍ରୀଷ୍ଣାୟାଙ୍କ କାର୍ ସାମ୍ନାକୁ ଆସି ଯିବାରୁ ଆନନ୍ଦ ମୋହନ ତାଙ୍କୁ ଗାଡିରୁ ଘୋଷାଡି ଆଣି ପିଟି ପିଟି ହତ୍ୟା କରିଥିଲେ । ମାମଲାର ବିଚାର କରୁଥିବା ଟ୍ରାଏଲ କୋର୍ଟ (ନିମ୍ନ ଅଦାଲତ) ଆନନ୍ଦ ମୋହନଙ୍କୁ ୨୦୦୭ରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ, ପାଟନା ହାଇକୋର୍ଟ ଦଣ୍ଡକୁ କୋହଳ କରି ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଅନନ୍ଦ ମୋହନ ସିଂହ ପାଟନା ହାଇକୋର୍ଟ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରିଥିଲେ ମଧ୍ୟ ରିହାତି ପାଇନଥିଲେ । ସୁପ୍ରିମ କୋର୍ଟରେ ଆନନ୍ଦ ମୋହନଙ୍କ ଆଜୀବନ କାରାଦଣ୍ଡ ଆଦେଶ କାଏମ ରହିଥିଲା । ୨୦୦୭ରୁ ସେ ୧୫ ବର୍ଷ ହେଲା ବିହାର ସହର୍ଷା ଜେଲରେ ଅଛନ୍ତି । ନୀତୀଶ ସରକାର ଜେଲ୍ ମାନୁଆଲରେ ସଂଶୋଧନ କରି ଆନନ୍ଦ ମୋହନଙ୍କୁ ମୁକ୍ତ କରିବା ପଛରେ ଥିବା ଉଦ୍ଦେଶ୍ୟ ସ୍ପଷ୍ଟ ନୁହେଁ । ତେବେ, ୨୦୨୪ ସାଧାରଣ ନିର୍ବାଚନରେ ରାଜପୁତ ଓ ଉଚ୍ଚବର୍ଗର ଭୋଟ ହାତେଇବା ପାଇଁ ଏହା କରାଯାଇଛି ବୋଲି ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି ।
୨୦୨୪ ନିର୍ବାଚନରେ ବିଜେପିକୁ ସାମ୍ନା କରିବା ପାଇଁ ନୀତୀଶ ସମାଭାବାପନ୍ନ ବିରୋଧୀ ଦଳଙ୍କୁ ଏକାଠି କରୁଥିବା ବେଳେ ଆନନ୍ଦ ମୋହନଙ୍କୁ ଯେଭଳି ଭାବେ ମୁକ୍ତି ଦିଆଯାଇଛି ତାହା ଏହି ଉଦ୍ୟମରେ ପ୍ରତିବନ୍ଧକ ହୋଇପାରେ ବୋଲି ଏବେ ଅନେକ ଆଶଙ୍କା ପ୍ରକାଶ କଲେଣି । କାରଣ, ଆନନ୍ଦ ମୋହନଙ୍କ ମୁକ୍ତି ନିଷ୍ପତ୍ତି କେବଳ ସାମାଜିକ ସ୍ତରରେ ନୁହେଁ ବିରୋଧୀ ମହଲରେ ମଧ୍ୟ କଡା ସମାଲୋଚନାର ଶରବ୍ୟ ହୋଇଛି । ପୂର୍ବରୁ ଆନନ୍ଦ ମୋହନଙ୍କ ରାଜନୈତିକ ଜୀବନ ସଂପର୍କରେ ଯେଉଁମାନେ ଅଜ୍ଞ୍ ସେମାନେ ମଧ୍ୟ ଏବେ ତାଙ୍କ ରାଜନୈତିକ ଜୀବନ ସଂପର୍କରେ ଜାଣିବାକୁ ଆଗ୍ରହ ଦେଖାଇଲେଣି । ଆନନ୍ଦ ମୋହନ ଉତ୍ତର ବିହାର କୋସୀ ଅଂଚଳର ବାସିନ୍ଦା ଥିବା ବେଳେ ତାଙ୍କ ପିତା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୯୯୦ ମସିହାରେ ଆନନ୍ଦ ମୋହନ ଜନତା ଦଳରୁ ରାଜନୀତି ଆରମ୍ଭ କରିଥିଲେ ।
୧୯୯୦ ମସହାରେ ସେ ବିହାରର ହମସିହି ଆସନରୁ ବିଧାନସଭାକୁ ନିର୍ବାଚିତ ହେବା ସମୟରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଭି.ପି.ସିଂହଙ୍କ ଜନତା ଦଳର ସରକାର ଥିଲା । ସିଂହ ଦେଶର ପଛୁଆ ବର୍ଗଙ୍କ ସ୍ଥାନ ସଂରକ୍ଷଣ ପାଇଁ ମଣ୍ଡଳ କମିସନ ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ । ତାହାକୁ ନେଇ ଦେଶବ୍ୟାପୀ ବିରୋଧ ହୋଇଥିଲା । ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉଦ୍ୟମ ବିଫଳ ହେବା ପରେ ଭି.ପି.ସିଂହଙ୍କ ସରକାରଙ୍କ ପତନ ଘଟି ଥିଲା ଏବଂ କେନ୍ଦ୍ରରେ ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ ସମାଜବାଦୀ ଜନତା ପାର୍ଟି (ଏସଜେପି) ସରକାର ପ୍ରତିଷ୍ଠା ହୋଇଥିଲା । କଂଗ୍ରେସ ଦଳ ବାହାରୁ ଚନ୍ଦ୍ରଶେଖରଙ୍କ ସରକାରକୁ ସମର୍ଥନ ଦେଉଥିଲା । ବାହୁବଳୀ ନେତା ଆନନ୍ଦ ମୋହନ ଜନତା ଦଳରୁ ଇସ୍ତଫା ଦେଇ ଚନ୍ଦ୍ରଶେଖରଙ୍କ ଏସଜେପିକୁ ଚାଲି ଯାଇ ରାଜପୁତ ଓ ବ୍ରାହ୍ମଣ ସମାଜର ନେତୃତ୍ୱ ନେଉ ଥିଲେ ଏବଂ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ସମର୍ଥନ ଦେଉଥିବା ଲୋକଙ୍କୁ ଟାର୍ଗେଟ୍ କରିବାକୁ ଭିତିରିଆ ଅଭିଯାନ ଚଳାଇ ଥିଲେ ବୋଲି କୁହାଯାଏ ।
ତେବେ, ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସରକାର ମଧ୍ୟ ଅଧିକ ଦିନ ତିଷ୍ଠି ନଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସଂପର୍କରେ ଗୁଇନ୍ଦାଗିରି ଚାଲିଛି ବୋଲି ଅଭିଯୋଗ କରି କଂଗ୍ରେସ ଚନ୍ଦ୍ରଶେଖରଙ୍କ ସରକାରକୁ ଦେଉଥିବା ସମର୍ଥନ ପ୍ରତ୍ୟାହାର କରିନେବାରୁ ପ୍ରଧାନମନ୍ତ୍ରୀ ପଦରୁ ପରେ ଚନ୍ଦ୍ରଶେଖର ଇସ୍ତଫା ଦେଇଥିଲେ ଓ ୧୯୯୧ରେ ସାଧାରଣ ନିର୍ବାଚନ ହୋଇଥିଲା । ଆନନ୍ଦ ମୋହନ ବିହାରରେ ଯାଦବ ସଂପ୍ରଦାୟର ଗଡ଼ ଭାବେ ପରିଚିତ ମାଧେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ । ଲୋକସଭା ନିର୍ବାଚନ ସମୟରେ ବାହୁବଳୀ ନେତା ଆନନ୍ଦ ମୋହନ ଓ ରାଜୀବ ରଂଜନ ଯାଦବ (ପପୁ ଯାଦବ)ଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରେ ସଂଘର୍ଷରୁ ଫାଇଦା ନେଇ ଶରଦ ଯାଦବ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
୧୯୯୦ରେ ବିହାରରେ ଯାଦବ ଓ ପଛୁଆ ବର୍ଗର ନେତା ଥିଲେ ଲାଲୁ ପ୍ରସାଦ ଯାଦବ । ଲାଲୁ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ଦୃଢ ବିରୋଧୀ ଭାବେ ପରିଚିତ ଆନନ୍ଦ ମୋହନ ‘ବିହାର ପିପୁଲ୍ସ ପାର୍ଟି’ ଗଠନ କରି ୧୯୯୪ରେ ଅନୁଷ୍ଠିତ ଏକ ଉପ ନିର୍ବାଚନରେ ପତ୍ନୀ ଲଭଲି ସିଂହଙ୍କୁ ବିହାର ବୈଷାଳୀ ଆସନରୁ ଲୋକସଭାକୁ ନିର୍ବାଚିତ କରାଇଥିଲେ । ସେହି ବର୍ଷ ଡିସେମ୍ବର ମାସରେ ଗୋପାଳଗଂଜ ଘଟଣା ଘଟି ଥିଲା । ଭୂମିହାର ସଂପ୍ରଦାୟର ଦୁର୍ଦ୍ଦାନ୍ତ ଛୋଟନ ଶୁକ୍ଲାର ହତ୍ୟା ପରେ ଏକ ଶୋକ ଶୋଭାଯାତ୍ରା ବାହାରି ଥିଲା ଏବଂ ଆନନ୍ଦ ମୋହନ ସେଥିରେ ସାମିଲ ଥିଲେ । ଶୋଭାଯାତ୍ରା ଚାଲି ଥିବା ବେଳେ ଗୋପାଳଗଂଜ ଜିଲ୍ଲା ମାଜିଷ୍ଟ୍ରେଟ୍ (ତାମିଲନାଡୁ ମେହେବୁବନଗର ବାସିନ୍ଦା ତଥା ୧୯୮୫ ବ୍ୟାଚ୍ ବିହାର କ୍ୟାଡର ଆଇଏଏସ୍) ଜି.କ୍ରୀଷ୍ଣାୟାଙ୍କ ଗାଡି ସାମ୍ନାକୁ ଆସି ଯିବାରୁ ଉତ୍କ୍ଷିପ୍ତ ବାହୁବଳୀ ନେତା ଆନନ୍ଦ ମୋହନ କ୍ରୀଷ୍ଣାୟାଙ୍କୁ ଗାଡିରୁ ଘୋଷାଡି ଆଣି ପିଟି ପିଟି ହତ୍ୟା କରିଥିଲେ ।
ଏଭଳି ନିର୍ମମ ହତ୍ୟାରେ ଆଜୀବନ କାରାଦଣ୍ଡ ଭୋଗୁ ଥିବା ଆନନ୍ଦ ମୋହନଙ୍କୁ ନୀତୀଶ ସରକାର ଜେଲ୍ ମାନୁଆଲରେ ସଂଶୋଧନ କରି ମୁକ୍ତି ଦେବା ଗଟଣାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ତେବେ, ଏପ୍ରିଲ ୨୦ ତାରିଖରେ ହୋଇଥିବା ବିହାର ଷ୍ଟେଟ୍ ସେଂଟେନ୍ସ ରେମିସନ୍ କାଉନସଲ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆନନ୍ଦ ମୋହନ ଓ ଅନ୍ୟ ୨୬ ଜଣ କଏଦୀଙ୍କୁ ମୁକ୍ତି ଦିଆଯାଇଛି ବୋଲି ନୀତୀଶ ସରକାର କହୁଛନ୍ତି । ତେବେ, ସଂଗୀନ ଅପରାଧରେ ସୃଂକ୍ତି ଥାଇ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ଆଗୁଆ ମୁକ୍ତି (ରେମିସନ୍) ଦେବା ଆଇନ ସମ୍ମତ ନଥିବା ବେଳେ ନୀତୀଶ ସରକାର ଆନନ୍ଦ ମୋହନଙ୍କ ପାଇଁ ଜେଲ୍ ମାନୁଆଲରେ ସଂଶୋଧନ କରିବା ଏବଂ ଏବଂ ସଂଗୀନ ଅପରାଧ ତାଲିକାରୁ ‘ସରକାରୀ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କୁ ହତ୍ୟା’କୁ ବାଦ୍ ଦେବା ପଛରେ ରାଜନୀତି ସୁସ୍ପଷ୍ଟ ବୋଲି ବିରୋଧୀ କହୁଛନ୍ତି ।
ଆନନ୍ଦ ମୋହନ ପୁଅ ବାହାଘରରେ ଯୋଗଦେବାକୁ ପାରେଲରେ ଆସି ଗତକାଲି ଜେଲକୁ ଫେରି ଥିଲେ । ଆଜି ସେ କାରାଗାରରୁ ମୁକ୍ତ ହୋଇଛନ୍ତି । ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବିଧାୟକ ଅଛନ୍ତି । ତେଣୁ, ଆନନ୍ଦ ମୋହନଙ୍କୁ ମୁକ୍ତ କରାଯିବା ପଛରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜନୈତିକ ଅଭିସନ୍ଧି ରହିଥିବା ଆଲୋଚନା ହେଉଛି । କ୍ଷମତାହାତଛଡା ନ କରିବାକୁ ନୀତୀଶ ଆନନ୍ଦ ମୋହନ ସିଂହଙ୍କୁ ମୁକ୍ତି ଦେବା ମାଧ୍ୟମରେ ଆରଜେଡିକୁ ସନ୍ତୁଷ୍ଟ କରିଛନ୍ତି ବୋଲି ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଳ ମୋଦୀ ମତ ଦେଇଥିବା ବେଳେ ଜଣେ ଦଳିତ ବିରୋଧୀଙ୍କ ପ୍ରତି ବିହାରର ନୀତୀଶ ସରକାର ମାତ୍ରାଧିକ ଅନୁକଂପା ଦେଖାଇଛନ୍ତି ବୋଲି ବିଏସପି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କହିଛନ୍ତି ।
୨୦୨୪ ନିର୍ବାଚନରେ ରାଜପୁତ ଓ ଉଚ୍ଚବର୍ଗର ଭୋଟ ହାତେଇବା ଉଦ୍ଦେଶ୍ୟ ନେଇ ନୀତୀଶ କୁମାର ଏହି ଗୋଟିଚାଳନା କରିଛନ୍ତି ବୋଲି ତାଙ୍କ ବିରୋଧୀ ଆଲୋଚନା କରୁଥିବା ବେଳେ ଆନନ୍ଦ ମୋହନଙ୍କୁ ଆଗୁଆ ମୁକ୍ତି ଦିଆଯିବା କଥାକୁ ମୃତ ଆଇଏଏସ୍ ଜି.କ୍ରୀଷ୍ଣାୟାଙ୍କ ପତ୍ନୀଙ୍କ ଆଡୁ ମଧ୍ୟ ବିରୋଧ କରାଯାଇଛି । ସର୍ବଭାରତୀୟ ଆଇଏଏସ୍ ସଂଘ ମଧ୍ୟ ଏହାର ବିରୋଧ କରିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପରବର୍ତ୍ତୀ ଗୋଟିଚାଳନା କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS