ପିଟି ଉଷାଙ୍କ ବୟାନ ଖେଳକୁ ବିଗାଡି ଦେଲା ?
ପ୍ରସାଦ ରାଓ
ଏପ୍ରିଲ ୨୮
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ନିର୍ବାଚନ ସମାବେଶ ଓ ରୋଡ୍ ସୋ’ରେ ବ୍ୟସ୍ତ ଥିବା ସମୟରେ ରାଜଧାନୀ ଦିଲ୍ଲୀରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କୁସ୍ତିଯୋଦ୍ଧାମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଳୁଏଫଆଇ) ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ତାଙ୍କୁ ଗିରଫ କରାଯିବା ଦାବିରେ ‘ଜନ୍ତର ମନ୍ତର’ରେ ଧାରଣା ଚାଲୁ ରଖିଛନ୍ତି । ରବିବାରରୁ ସେମାନଙ୍କ ଯେଉଁ ଦ୍ୱତୀୟ ପର୍ଯ୍ୟାୟ ଧାରଣାରେ ଅଛନ୍ତି ତାହା ଆଜି ପଂଚମ ଦିନରେ ପହଂଚିଛି । ତଥାପି, କେନ୍ଦ୍ର ସରକାରଙ୍କ ନିଦ ଭାଂଗୁନି । ଜଣେ ନାବାଳିକାଙ୍କ ସମେତ ସାତ ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜ୍ ଭୂଷଣ ଓ ଡବ୍ଲୁଏଫଆଇର ପ୍ରଶିକ୍ଷକମାନଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଗତ ଜାନୁୟାରୀ ମାସରେ ଦିଲ୍ଲୀ କନ୍ନଟ ପ୍ଲେସ୍ ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏତଲା ପଂଜୀକୃତ କରୁନଥିବା କାରଣରୁ ଏହି ଦ୍ୱିତୀୟ ପର୍ଯ୍ୟାୟ ଧାରଣା ଚାଲିଛି ।
ଦିଲ୍ଲୀ ପୁଲିସ ବ୍ରିଜ୍ ଭୂଷଣଙ୍କ ବିରୋଧରେ ମାମଲା ପଂଜୀକରଣ କରୁ ଏବଂ ତାଙ୍କୁ ଗିରଫ କରାଯାଇ ଜେରା କରାଯାଉ ବୋଲି ମହିଳା କୁସ୍ତିଯୋଦ୍ଧାମାନେ ତିନି ମାସରୁ ଅଧିକ ସମୟ ହେଲା ଦାବି କରୁଥିଲେ ମଧ୍ୟ ପୁଲିସ ମାମଲା ରୁଜୁ ନକରି ‘ଅଭିଯୋଗର ତଦନ୍ତ ଚାଲିଛି, କିଛି ଠୋସ୍ ପ୍ରମାଣ ମିଳିଲେ ମାମଲା ରୁଜୁ କରାଯିବ’ କହି ଗଡାଇ ଚାଲିଥିଲା । କେନ୍ଦ୍ର ସରକାର ମଧ୍ୟ ‘କିଛି ଯେମିତି ଘଟି ନାହିଁ’ ସେଭଳି ଅଭିନୟ କରି ନିରବ ରହିବା କୁସ୍ତିଯୋଦ୍ଧାଙ୍କୁ ବିଚଳିତ କରିଥିଲା । ଫଳରେ ସେମାନେ ନ୍ୟାୟ ପାଇବାକୁ ସୋମବାର ଦିନ ସୁପ୍ରିମ କୋର୍ଟରେ ପହଂଚି ଥିଲେ । ସୁପ୍ରିମ କୋର୍ଟ ଖଣ୍ଡପୀଠ ସେଦିନ ମାମଲାର ଶୁଣାଣୀ ଆରମ୍ଭ କରି ଦିଲ୍ଲୀ ପୁଲିସକୁ ନୋଟିସ କରିଥିଲେ । ଆଜି ତାହାର ଶୁଣାଣୀ ଥିଲା ଏବଂ ଦିଲ୍ଲୀ ପୁଲିସ ସାଂସଦ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଏତଲା ରୁଜୁ କରିବେ ବୋଲି ସୁପ୍ରିମ କୋର୍ଟକୁ ଜଣାଇଛନ୍ତି ।
ଯେଉଁ କୁସ୍ତିଯୋଦ୍ଧାମାନେ ଏହି ଆଇନର ଲଢେଇରେ ସାମିଲ ଅଛନ୍ତି ସେମାନେ ସାଧାରଣ ଖେଳାଳୀ ନୁହନ୍ତି, ଅତ୍ୟନ୍ତ ଅସାଧାରଣ ଏବଂ ବିଭିନ୍ନ ସମୟରେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଦେଶର ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣ, ରୌପ୍ୟ ବା କାଂସ ପଦକ ବିଜୟୀ ହୋଇଛନ୍ତି ଓ ଦେଶ ପାଇଁ ଗୌରବର ଧ୍ୱଜା ଉଡାଇଛନ୍ତି । ସେମାନେ ପ୍ରଶିକ୍ଷଣ ଛାଡି ଦିଲ୍ଲୀ ରାଜରାସ୍ତାରେ ପ୍ରତିବାଦ ଧାରଣାରେ ବସିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ଚୁପ ରହିବା ଏବଂ ନ୍ୟାୟ ପାଇବା ସକାଶେ ସେମାନଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ପଡିବା ବିଡମ୍ବନାର ବିଷୟ ହୋଇଛି । ଏହା ଦେଶର ପ୍ରତ୍ୟେକ ସଚେତନ ନାଗରିକଙ୍କୁ ବିଚଳିତ କରିବାକୁ ଯଥେଷ୍ଟ । ଯେଉଁ ପ୍ରଭାବଶାଳୀ ନେତାଙ୍କ ବିରୋଧରେ ସେମାନେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି ସେ ହେଉଛନ୍ତି ଉତ୍ତର ପ୍ରଦେଶର ଜଣେ ପ୍ରଭାବଶାଳୀ ବିଜେପି ନେତା ଏବଂ ଛଅ ଥରର ସାଂସଦ । ତେଣୁ, କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ସଂଗୀନ ହୋଇଥିଲେ ମଧ୍ୟ ତିନି ମାସ ହେଲା କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ତାଙ୍କୁ ସୁରକ୍ଷା ଦେଇଆସୁଛନ୍ତି ।
ନିଜକୁ ‘ବିକାଶ ପୁରୁଷ’ ଭାବେ ଦାବି କରୁଥିବା ଓ ‘ବେଟି ବଚାଓ, ବେଟି ପଢାଓ’ ଆହ୍ୱାନ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମନ୍ତ୍ରୀ ପରିଷଦ ଯେତେବେଳେ ଦେଶର ପ୍ରମୁଖ ମହିଳା କୁସ୍ତିଯୋଦ୍ଧାଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି ସାଧାରଣ ଖେଳାଳୀଙ୍କୁ କିଏ ସୁରକ୍ଷା ଦେବ ତାହା ଏବେ ବଡ ପ୍ରଶ୍ନ ହୋଇଛି । ସଂପ୍ରତ୍ତି ‘ଜନ୍ତର ମନ୍ତର’ରେ ଦ୍ୱିତୀୟ ପର୍ଯ୍ୟାୟ ଧାରଣାରେ ବସି ଥିବା କୁସ୍ତିଯୋଦ୍ଧାମାନେ ଗତ ଜାନୁୟାରୀ ମାସରେ ପ୍ରଥମ ଥର ପାଇଁ ଡବ୍ଲୁଏଫଆଇ ସଭାପତି ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଥିଲେ । ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ, ବଜରଂଗ ପୁନିଆଙ୍କ ଭଳି ସେଲିବ୍ରିଟି ରେସଲର୍ ଓ ଜିମନାଷ୍ଟ୍ ଏହି ଧାରଣାର ନେତୃତ୍ୱ ନେଉ ଥିବାରୁ ପୀଡିତ କୁସ୍ତିଯୋଦ୍ଧାଙ୍କ ପ୍ରତି ସମର୍ଥନ ବଢିଥିଲା । ତାହା ଦେଖି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କୁ ଡକାଇ ଦୀର୍ଘ ଆଲୋଚନା କରିବା ପରେ ବ୍ରିଜ୍ ଭୂଷଣଙ୍କୁ ଡବ୍ଲୁଏଫଆଇ ସଭାପତି ଦାୟିତ୍ୱରୁ ସାମୟିକ ଭାବେ ହଟାଇ କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ତଦନ୍ତ ପାଇଁ ଆଇଓଏ (ଇଣ୍ଡିଆନ୍ ଅଲିଂପିକ୍ସ ଆସୋସିଏସନ୍) ସଭାପତି ତଥା ଦେଶର କିମ୍ବଦନ୍ତୀ ଧାବିକା ପିଟି ଉଷାଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଟି ଗଠନ କରିଥିଲେ । ଏହାଛଡା, ‘ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ’ ଦୈନନ୍ଦିନ କାର୍ଯ୍ୟ ତଦାରଖ ପାଇଁ ଏକ ଓଭରସାଇଟ୍ କମିଟି ମଧ୍ୟ ଗଠନ ହୋଇଥିଲା ।
ପିଟି ଉଷାଙ୍କ ଭଳି ଜଣେ ମହିଳା କ୍ରୀଡା କିମ୍ବଦନ୍ତୀ ତଦନ୍ତ କମିଟିର ଅଧ୍ୟକ୍ଷ ହୋଇଥିବାରୁ ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାମାନେ ନ୍ୟାୟ ପାଇବା ନେଇ ଆଶାବାଦୀ ଥିଲେ । ତଦନ୍ତ ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟ ଧାର୍ଯ୍ୟା ହୋଇଥିଲା । ତେବେ, ଆଜି ସୁଦ୍ଧା ତଦନ୍ତ ରିପୋର୍ଟ ସର୍ବସାଧାରଣ ହୋଇ ନାହିଁ । ତଦନ୍ତ ସରି ନାହିଁ, ଚାଲିଛି ବୋଲି କମିଟି ଅଧ୍ୟକ୍ଷା ପିଟି ଉଷା କହିଛନ୍ତି । ତଦନ୍ତ ରିପୋର୍ଟ ଆସିବା ଯାଏଁ ଅପେକ୍ଷା ନକରି ମହିଳା କୁସ୍ତିଯୋଦ୍ଧାମାନେ ପୁନର୍ବାର ‘ଜନ୍ତର ମନ୍ତର’ରେ ଧାରଣା ଦେଇଥିବା ‘ଘୋର ବିଶୃଙ୍ଖଳା’ ବୋଲି ଗତକାଲି ଆଇଓଏ ସଭାପତି ଉଷା ବିବୃତି ଦେବା ପୀଡିତଙ୍କ ମନରେ ଘୋର ଆଘାତ ଦେଇଛି । ଉଷା କହିଛନ୍ତି, ଯୌନ ଉତ୍ପୀଡନ ଅଭିଯୋଗର ଶୁଣିବା ପାଇଁ ଆଇଓଏର ଏକ କମିଟି ଓ ଆଥେଲେଟ୍ କମିସନ ରହିଛି । ଅଭିଯୋଗକାରୀମାନେ ଆଇଓଏ ନିକଟକୁ ନଯାଇ ପୁନର୍ବାର ରାଜରାସ୍ତାରେ ଧାରଣା ଦେବା ଦେଶକୁ ନିନ୍ଦିତ କଲା ଭଳି ହୋଇଛି । ଆଇଓଏ ଧାରଣା ସ୍ଥଳକୁ ଯାଇ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଶୁଣିବ କି (?) ବୋଲି ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ ହେବାରୁ ‘କିଛି ତ ଶୃଙ୍ଖଳା ରହିବା ଆବଶ୍ୟକ’ ବୋଲି ଉଷା କହିଥିଲେ । କୁସ୍ତିଯୋଦ୍ଧାମାନେ ରାଜରାସ୍ତାରେ ଧାରଣା ଦେବା କ୍ରୀଡା ପାଇଁ ଅନୁକୂଳ ନୁହେଁ ବୋଲି ସେ ଆଇଓଏର କାର୍ଯ୍ୟକାରୀ କମିଟି ବୈଠକ ସରିବା ପରେ ଗଣମାଧ୍ୟମକୁ କହିଥିଲେ ।
ଉଷାଙ୍କ ଏଭଳି ରୁକ୍ଷ ମନ୍ତବ୍ୟ କେବଳ ଦେଶର ପ୍ରମୁଖ କୁସ୍ତିଯୋଦ୍ଧାଙ୍କୁ ନୁହେଁ, ବିରୋଧୀ ରାଜନେତାଙ୍କୁ ମଧ୍ୟ କ୍ଷୁବ୍ଧ କରିଛି । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଜିମନାଷ୍ଟ ସାକ୍ଷୀ ମଲ୍ଲିକ ଓ ରେସଲିଂ ଅଲଂପିଆନ୍ ଭିନେଶ ଫୋଗଟ କହିଛନ୍ତି, ଆଇଓଏ ସଭାପତି ପିଟି ଉଷା ଜଣେ କିମ୍ବଦନ୍ତୀ ମହିଳା କ୍ରୀଡାବିତ୍ ହୋଇଥିବାରୁ ତାଙ୍କଠାରୁ ସୁରକ୍ଷା ମିଳିବ ବୋଲି ସେମାନେ ଆଶା କରୁଥିଲେ । ତେବେ, ଉଷା ସେମାନଙ୍କୁ ନିରାଶ କରିଛନ୍ତି । ପିଲା ବେଳୁ ସେମାନେ ଉଷାଙ୍କୁ ନିଜର ଆଦର୍ଶ ଭାବୁଥିଲେ । ଆଜି ମଧ୍ୟ ଭାବୁଛନ୍ତି । କିନ୍ତୁ, ଯୌନ ଉତ୍ପୀଡନ ମାମଲାରେ ଉଷା ସେମାନଙ୍କୁ ନ୍ୟାୟ ଦେବା ବଦଳରେ ‘ବିଶୃଙ୍ଖଳ’ କହି ସେମାନଙ୍କ ବିଶ୍ୱାସ ଭଂଗ କରିଥିବା ଦୁଃଖଦାୟକ । ଭିନେଶ ଫୋଗଟ କହିଛନ୍ତି, ସେ ଆଇଓଏ ସଭାପତି ଉଷାଙ୍କୁ ଫୋନରେ ଯୋଗାଯୋଗ କରି ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବାକୁ ଚାହିଁଥିଲେ ମଧ୍ୟ ଉଷା ଫୋନ୍ ଉଠାଇ ନଥିଲେ । ବୋଧହୁଏ ଉଷା କୌଣସି ପକାର ଚାପରେ ରହି ଏଭଳି କରିଛନ୍ତି । ଅପରପକ୍ଷରେ, କଂଗ୍ରେସ ସାଂସଦ ଶଶି ଥରୁର ‘ଟ୍ୱିଟ୍’ କରି ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।
ଡବ୍ଲୁଏଫଆଇ ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସେମାନେ ନିର୍ଭୀକ ଭାବେ ରାଜରାସ୍ତାକୁ ଓହ୍ଲାଇବା ସେମାନଙ୍କ ସାହସର ପରିଚୟ ଦେଉଛି । ଏହାଦ୍ୱାରା ଦେଶର ଭାବମୂର୍ତ୍ତି ନଷ୍ଟ ହୋଇଥିବା ନେଇ ଉଷାଙ୍କ ଅଭିଯୋଗ ଠିକ୍ ନୁହେଁ ବୋଲି ଥରୁର କହିଛନ୍ତି । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ଜାତୀୟ ମୁଖପାତ୍ର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଧାରଣା ଦେଇଥିବା କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଛନ୍ତି । ଦେଶର ମହିଳା ଖେଳାଳୀଙ୍କ ପାଇଁ ଆମେ ଏକାଠି ସ୍ୱର ଉତ୍ତୋଳନ କରିବାର ଆବଶ୍ୟକ ବୋଲି ଚତୁର୍ବେଦୀ କହିଛନ୍ତି । ଆଇଓଏ ସଭାପତି ପିଟି ଉଷାଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ରଖି ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ସାଂସଦ ମହୁଆ ମୈତ୍ର ପ୍ରଶ୍ନ କରିଛନ୍ତି, ମହିଳା କୁସ୍ତିଯୋଦ୍ଧାମାନେ ଯୌନ ଉତ୍ପୀଡନ ଅଭିଯୋଗ କରି ରାଜରାସ୍ତା ଓହ୍ଲାଇବା ଯଦି ଦେଶର ଭାବମୂର୍ତ୍ତୀକୁ ନଷ୍ଟ କରୁଛି, ଶାସକ ଦଳର ଜଣେ ସାଂସଦଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆସିବା ଏବଂ ଦିଲ୍ଲୀ ପୁଲିସ ଏତଲା ରୁଜୁ କରିବାକୁ ରାଜି ନହେବା କଣ ଗୋଲାପ ଫୁଲ ଭଳି ବାସୁଛି ?
ଅଲିଂପିଆନ୍ ନୀରଜ ଚୋପ୍ରା, ସୁଟର ଅଭିନବ ବିନ୍ଦ୍ରା, କ୍ରିକେଟ୍ କିମ୍ବଦନ୍ତୀ କପିଳ ଦେବଙ୍କ ଭଳି ବହୁ ଖ୍ୟାତିସଂପନ୍ନ ଖେଳାଳୀ ‘ଜନ୍ତର ମନ୍ତର’ରେ ଚାଲି ଥିବା କୁସ୍ତିଯୋଦ୍ଧାଙ୍କ ଧାରଣାକୁ ସମର୍ଥନ ଦେଇଥିବା ବେଳେ ପଦକୁ ଜିତିଲେ ବଧେଇ ଜଣାଉ ଥିବା ଦେଶର କ୍ରିକେଟ ଖେଳାଳୀମାନେ ଏହି ଅସମୟରେ ନିରବ କାହିଁକି (?) ବୋଲି ରେସଲିଂ ଚାଂପିଅନ୍ ଭିନେଶ ଫୋଗଟ ପ୍ରଶ୍ନ କରିବା ସହ ସେମାନଙ୍କ ସମର୍ଥନ ଆଶା କରିଛନ୍ତି । ଇତିମଧ୍ୟରେ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ତଦନ୍ତ ସାରି କମିଟି ଏପ୍ରିଲ ୫ ତାରିଖ ଦିନ ରିପୋର୍ଟ ଦାଖଲ କରିଥିବା ଓ କ୍ରୀଡା ମନ୍ତ୍ରଣାଳୟ ତାହାକୁ ଅନୁଧ୍ୟାନ କରୁଥିବା କହିଛନ୍ତି । ମନ୍ତ୍ରଣାଳୟ ଅନୁଧ୍ୟାନ କରିବା ପରେ ତାହା ସର୍ବସାଧାରଣ କରାଯିବ ବୋଲି ଠାକୁର ଗଣମାଧ୍ୟମରେ ସୂଚନା ଦେଇଚନ୍ତି । ଅନ୍ୟପକ୍ଷରେ, ବିଜେପି ସାଂସଦ ବ୍ରିଜ୍ ଭୂଷଣଙ୍କ ବିରୋଧରେ ପୁଲିସ ମାମଲା ପଂଜୀକରଣ କରିବାକୁ କୁସ୍ତିଯୋଦ୍ଧାମାନେ ସୁପ୍ରିମ କୋର୍ଟରେ ଯେଉଁ ଆବେଦନ କରିଥିଲେ ତାହା ଉପରେ ଆଜି ଶୁଣାଣୀ ହୋଇଛି ଏବଂ ମାମଲା ରୁଜୁ କରିବ ବୋଲି ଦିଲ୍ଲୀ ପୁଲିସ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କୁ ଜଣାଇ ଥିବା ସୂଚନା ମିଳିଛି ।
ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠରେ ସୋମବାର ଦିନ ଏହି ଆବେଦନ ହୋଇଥିଲା । ପୀଡିତ କୁସ୍ତିଯୋଦ୍ଧାମାନେ ରେସଲିଂ ଫେଡେରେସନ ଅଫ୍ ଇଂଡିଆ ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ଓ ଅନ୍ୟ ପ୍ରଶିକ୍ଷକମାନଙ୍କ ବିରୋଧରେ ଯାହା ସବୁ ଅଭିଯୋଗ କରିଛନ୍ତି ସେସବୁ ଅତ୍ୟନ୍ତ ଗୁରୁତର ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ମନ୍ତବ୍ୟ ଦେଇ ଶୁକ୍ରବାର ସୁଦ୍ଧା ଉତ୍ ତର ଦାଖଲ କରିବାକୁ ଦିଲ୍ଲୀ ପୁଲିସକୁ ନୋଟିସ କରିଥିଲେ । ଆଜି ସୁପ୍ରିମ କୋର୍ଟରେ ମାମଲାର ଶୁଣାଣୀ ବେଳେ ଦିଲ୍ଲୀ ପୁଲିସ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଏତଲା ରୁଜୁ କରିବେ ବୋଲି କୋର୍ଟକୁ ସୂଚିତ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ସୁପ୍ରିମ କୋର୍ଟରେ ଉପସ୍ଥାପନ କରିଥିବା ତଥ୍ୟ ବେଶ୍ ରୋଚକ । ବିଜେପିର କୈଶରଗଂଜ (ୟୁପି) ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂହ ୨୦୧୨ରୁ ଡବ୍ଲୁଏଫଆଇର ସଭାପତି ରହି ଆସିଛନ୍ତି ଏବଂ ତାଙ୍କ ବିରୋଧରେ ୪୦ଟି ଗୁରୁତର ଆପରାଧିକ ମାମଲା ଥିବା ବେଳେ ୩୦ଟି ମାମଲାରେ ଖଲାସ ହୋଇଛନ୍ତି ବୋଲି ଆଜି ଉପସ୍ଥାପିତ ତଥ୍ୟରୁ ଜଣାପଡିଛି ।
ବ୍ରିଜ୍ ଭୂଷଣଙ୍କ ଇତିହାସରୁ ଜଣାପଡିଛି, ଦୀର୍ଘ ସମୟର ରାଜନୈତିକ ଜୀବନ ଭିତରେ ବ୍ରିଜ୍ ଭୂଷଣ ଅଳ୍ପ ସମୟ ପାଇଁ ସମାଜବାଦୀ ପାର୍ଟିରେ ଥିଲେ । ୨୦୧୪ ଓ ୨୦୧୯ରେ ବିଜେପି ଟିକଟରେ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସେ ବାବ୍ରି ମସଜିଧ ଭଂଗା ଘଟଣାରେ ସଂଶ୍ଲିଷ୍ଟ ଥିବା ତାଙ୍କ ଅପରାଧ ଇତିହାସ କହୁଛି । ବ୍ରିଜ୍ ଭୂଷଣଙ୍କ ନାମରେ ୟୁପିର ଅଯୋଧ୍ୟାରେ ୧୭ଟି, ଫୈଜାବାଦରେ ୧୨ଟି, ନୱାବଗଂଜରେ ୮ଟି ଓ ଦିଲ୍ଲୀରେ ଗୋଟିଏ ମାମଲା ପଂଜୀକୃତ ହୋଇଛି । ହତ୍ୟା, ହତ୍ୟା ଉଦ୍ୟମ ଭଳି ବହୁ ଗୁରୁତର ଅଭିଯୋଗ ସହ ଗ୍ୟାଂଗଷ୍ଟର ଆଇନ ଓ ଆର୍ମସ୍ ଆକ୍ଟରେ ଆଇପିସିର ବିଭିନ୍ନ ଧାରାରେ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫାରେ ମାମଲା ସବୁ ହୋଇଛି । ୧୯୯୩ ମଧ୍ୟରେ ସେ ଚାରି ଥର ୟୁପି ଗ୍ୟାଂଗଷ୍ଟର ଆଇନ ବଳରେ ଗିରଫ ହୋଇଥିଲେ ବୋଲି ସିଂହଙ୍କ ଅପରାଧ ଇତିହାସ କହୁଛି । ସିଂହଙ୍କ ବିରୋଧରେ ଏତଲା ପଂଜୀକରଣ କରାଯିବ ବୋଲି ଆଜି ଦିଲ୍ଲୀ ପୁଲିସ ସୁପ୍ରିମ କୋର୍ଟକୁ ସୂଚିତ କରିଥିଲେ ମଧ୍ୟ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଉଁ ସେମାନେ ଧାରଣା ଚାଲୁ ରଖିବେ ବୋଲି ‘ଜନ୍ତର ମନ୍ତର’ରେ ଧାରଣା ଦେଇଥିବା କୁସ୍ତିଯୋଦ୍ଧାମାନେ ସ୍ପଷ୍ଟ କରିଛନ୍ତି ।
କୁସ୍ତିଯୋଦ୍ଧାଙ୍କ ଧାରଣା ପ୍ରତି ବିଭିନ୍ନ ରାଜନୈତିକ ଦଳର ସମର୍ଥନ ବଢୁଛି । ଆଜି ଦିଲ୍ଲୀରେ ‘ଆମ୍ ଆଦମୀ ପାର୍ଟି’ ମନ୍ତ୍ରୀ ଅତସୀ ଓ ସୌରଭ ଭରଧ୍ୱଜ ଧାରଣା ସ୍ଥଳକୁ ଯାଇ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଦେଇଛନ୍ତି । ଗତକାଲି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ (କଂଗ୍ରେସ) ଭୂପିନ୍ଦିର ସିଂହ ହୁଡ୍ଡା ଓ ତାଙ୍କ ପୁଅ ଦୀପେନ୍ଦର ସିଂହ ହୁଡ୍ଡା ଧାରଣା ସ୍ଥଳକୁ କୁସ୍ତିଯୋଦ୍ଧାଙ୍କ ମନୋବଳ ବଢାଇ ଥିଲେ । ଅନ୍ୟ ବିରୋଧୀ ରାଜନୈତିକ ଦଳମାନେ ମଧ୍ୟ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଦେଉଥିବା ଦେଖିବାକୁ ମିଳୁଛି । ଧୀରେ ଧୀର କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ମାମଲା ରାଜନୈତିକ ରୂପ ନେବାକୁ ବସିଛି । ପ୍ରାରମ୍ଭରେ କୁସ୍ତିଯୋଦ୍ଧାମାନେ ଏହା ଚାହୁଁ ନଥିଲେ ମଧ୍ୟ ଏବେ ରାଜନୈତିକ ସମର୍ଥନକୁ ଗୁରୁତ୍ୱ ଦେଉଥିବାରୁ ବିଜେପି ଏହାକୁ ବିଜେପି ବନାମ ବିରୋଧୀ ରୂପ ଦେବାର ଆଶଙ୍କା ସୃଷ୍ଟି ହେଲାଣି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ତ୍ୱରିତ ହସ୍ତକ୍ଷେପ ଏବଂ କୁସ୍ତିଯୋଦ୍ଧାଙ୍କ ସମସ୍ୟାର ସମାଧାନ ବିଶେଷ ଗୁରୁତ୍ୱ ରଖୁଛି । ତେବେ, ଆଜି ଦିନରେ ସାଂସଦ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯାହା ବି କାର୍ଯ୍ୟାନୁଷ୍ଠାନ ହେବ ତାହା ସୁପ୍ରିମ କୋର୍ଟର ହସ୍ତକ୍ଷେପରୁ ସମ୍ଭବ ହେଲା ବୋଲି ଧାରଣା ବଳବତ୍ତର ହେବ । ବିଜେପି ଆଗରୁ ଏହି ପଦକ୍ଷେପ ନେଇଥିଲେ ଯେଉଁ ରାଜନୈତିକ ଫାଇଦା ପାଇ ଥାଆନ୍ତା ତାହା ଏବେ ପାଇବା ଆଶା କ୍ଷୀଣ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS