ଧାରଣା ସ୍ଥଳକୁ ବିଦ୍ୟୁତ, ଖାଦ୍ୟ ଓ ଜଳ ଯୋଗାଣ ବନ୍ଦ !
ପ୍ରସାଦ ରାଓ
ଏପ୍ରିଲ ୨୯
ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପର କିଛି ଘଂଟା ମଧ୍ୟରେ ଦିଲ୍ଲୀ ପୁଲିସ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ଅଭିଯୋଗ ଆଧାରରେ ଡବ୍ଲୁଏଫଆଇ (ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ)ର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଗତକାଲି ଦୁଇଟି ଏତଲା ରୁଜୁ କରିଥିଲେ ମଧ୍ୟ ‘ଜନ୍ତର ମନ୍ତର’ରେ ଧାରଣା ଚାଲୁ ରଖିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଥିବା ଅଲିଂପିକ୍ ପଦକ ବିଜେତା ବଜରଂଗ ପୁନିଆ ତାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ଅଭିଯୋଗ କରିଛନ୍ତି । ଗତକାଲି ପର୍ଯ୍ୟନ୍ତ ଦିଲ୍ଲୀର ‘ଜନ୍ତର ମନ୍ତର’ ଧାରଣା ସ୍ଥଳକୁ ବିଦ୍ୟୁତ, ଖାଦ୍ୟ ଓ ଜଳ ଯୋଗଣ ସ୍ୱାଭାବିକ ଥିଲା । ପୁଲିସ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ କୁସ୍ତିଯୋଦ୍ଧାଙ୍କୁ ଧାରଣା ସ୍ଥଳରୁ ହଟି ଯିବାକୁ କହିବା ସହ ବିଦ୍ୟୁତ, ଖାଦ୍ୟ ଓ ଜଳ ଯୋଗାଣକୁ ରୋକି ଦେଇଛନ୍ତି ଏବଂ ସଂପୃକ୍ତ ଅଂଚଳକୁ ବ୍ୟାରିକେଡିଂ କରି ଦିଆଯାଇଛି ବୋଲି ପୁନିଆ ଇନଷ୍ଟାଗ୍ରାମ ଲାଇଭ୍ ସେସନରେ ତାଙ୍କ ଶୁଭେଚ୍ଛୁମାନଙ୍କୁ ସୂଚନା ଦେଇଛନ୍ତି । ପୁନିଆ ଆଜି ଗଣମାଧ୍ୟମକୁ କହିଛନ୍ତି, ଯେକୌଣସି ପରିସ୍ଥିତିରେ ଧାରଣା ସ୍ଥଳକୁ ବିଦ୍ୟୁତ, ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ହୋଇପାରିବ ନାହିଁ ବୋଲି ପୁଲିସ ସେମାନଙ୍କୁ କହିଛନ୍ତି । ‘ତୁମେମାନେ ଯଦି ପ୍ରତିବାଦ ଜାରି ରଖିବାକୁ ଚାହୁଁଛ ରାସ୍ତାରେ ଶୁଅ’ ବୋଲି ପୁଲିସ ସେମାନଙ୍କୁ କହିଥିବା ଏବଂ ପ୍ରତିବାଦ ସ୍ଥଳକୁ ଖାଦ୍ୟ ଓ ପାଣି ଯୋଗାଉ ଥିବା ଲୋକଙ୍କୁ ମାଡ ମରା ଯାଉଥିବା ଟୋକିଓ ଅଲିଂପିକ୍ସରେ ବ୍ରୋଂଜ ପଦକ ବିଜେତା ପୁନିଆ ଅଭିଯୋଗ କରିବା ସହ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ରାଗି ଯାଇ ଦିଲ୍ଲୀ ପୁଲିସ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି । ତେବେ, ସେମାନଙ୍କୁ ପୁଲିସ ପ୍ରଶାସନ ଯେତେ ନିର୍ଯ୍ୟାତନା ଦିଆଯାଉନା କାହିଁକି ନ୍ୟାୟ ମିଳିବା ପର୍ଯ୍ୟନ୍ତ ସେମାନଙ୍କ ଧାରଣା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଅଲିଂପିଆନ ସାକ୍ଷୀ ମଲ୍ଲିକଙ୍କ ସ୍ୱାମୀ ରେସଲର୍ ସତ୍ୟବ୍ରତ କାଦିଆନ ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ଅଭିଯୋଗ ଉପରେ ଦିଲ୍ଲୀ ପୁଲିସ ଏତଲା ରୁଜୁ କରିବାରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇବା ସହ ମହିଳା ରେସଲରମାନଙ୍କୁ ସୁରକ୍ଷା ମିଳୁ ଓ କ୍ରୀଡାକୁ ରାଜନୀତିଠାରୁ ଦୂରେଇ ରଖାଯାଉ ବୋଲି ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ପୁଲିସ ବିଳମ୍ବରେ ହେଲେ ମଧ୍ୟ ଏତଲା ରୁଜୁ କରିଥିବା ଭଲ କଥା । ତେବେ, ଏହି ଏତଲାରୁ କଣ ମିଳିବ ? ଅଭିଯୋଗ ହେବାର ପ୍ରଥମ ଦିନରୁ ହିଁ ଏହା ହେବାର ଥିଲା । ‘ବର୍ତ୍ତମାନ କାଗଜପତ୍ରରେ ଲଢେଇ ଆରମ୍ଭ ହୋଇଛି । ଆମ ଲିଗାଲ ଟିମ୍ ଓ କୋଚମାନେ କଣ କହୁଛନ୍ତି ଦେଖି ସେହି ଅନୁସାରେ ଆଗକୁ ପଦକ୍ଷେପ ନିଆଯିବ’ ବୋଲି କାଦିଆନ କହିବା ସହ ମହିଳା ଖୋଳାଳୀଙ୍କ ସୁରକ୍ଷା ଏବଂ କ୍ରୀଡାକୁ ରାଜନୀତିରୁ ଦୂରେଇ ରଖିବା’ କଥାକୁ ଦୋହରାଇଛନ୍ତି । ମହିଳା କୁସ୍ତିଯୋଦ୍ଧାଙ୍କ ଧାରଣା ସ୍ଥଳକୁ ବିଦ୍ୟୁତ, ଖାଦ୍ୟ ଓ ଜଳ ଯୋଗାଣ ବନ୍ଦ କରିଦିଆଯିବା ଅଭିଯୋଗକୁ ନେଇ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ମଧ୍ୟ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ‘କୁସ୍ତିଯୋଦ୍ଧାମାନେ ଛଅ ଦିନ ହେଲା ଧାରଣାରେ ଥିବା ବେଳେ ଦିଲ୍ଲୀ ପୁଲିସ ଡବ୍ଲୁଏଫଆଇ ପୂର୍ବତନ ସଭାପତିଙ୍କ ବିରୋଧରେ ଏତଲା ରୁଜୁ କଲେ ନାହିଁ, ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ଗତକାଲି ଏତଲା ହେଲା । ଏହାପରେ ଧାରଣା ସ୍ଥଳକୁ ବିଦ୍ୟୁତ, ଖାଦ୍ୟ ଓ ଜଳ ଯୋଗାଣ ବନ୍ଦ କରି ଦିଆଗଲା । ଜଣେ ଏକଛତ୍ରବାଦୀ ରାଜା ମଧ୍ୟ ନିଜ ବିରୋଧୀଙ୍କ ପ୍ରତି ଏଭଳି କରିବେ ନାହିଁ । ତାହା ମଧ୍ୟ ଅଲିଂପିକ ଚାଂପିଅନଙ୍କ ପ୍ରତି । ଏହା ହିଁ ଗଣତନ୍ତ୍ର’ ବୋଲି ମାଲିୱାଲ କହିଛନ୍ତି । ପୂର୍ବରୁ ଅଲିଂପିଆନ ପୁନିଆ, ଭିନେଶ ଫୋଗଟ ଓ ସାକ୍ଷୀ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି, ମହିଳା କୁସ୍ତଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ଅଭିଯୋଗ ଉପରେ ପୁଲିସ ବିଲମ୍ବରେ ଏତଲା ପଂଜୀକୃତ କରିଥିଲେ ମଧ୍ୟ ଅଭିଯୁକ୍ତ ଡବ୍ଲୁଏଫଆଇ ପୂର୍ବତନ ସଭାପତି ସିଂହଙ୍କୁ ଗିରଫ କରାନଯିବା ଯାଏଁ ସେମାନଙ୍କ ଧାରଣା ଅବ୍ୟାହତ ରହିବ । ଦିଲ୍ଲୀ ପୁଲିସ ଉପରେ ସେମାନଙ୍କ ଭରସା ନଥିବାରୁ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ଅଭିଯୋଗର ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ହେଉ ବୋଲି ମଧ୍ୟ ଖୋଳାଳୀଙ୍କ ଆଡୁ ଦାବି ଉଠି ଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ କି, ଜଣେ ନାବାଳିକାଙ୍କ ସମେତ ସାତ ଜଣ ମହିଳା କୁସ୍ତିଯୋଦ୍ଧା ଡବ୍ଲୁଏଫଆଇ ପୂର୍ବତନ ସଭାପତି ସିଂହ ଓ ଅନ୍ୟ ପ୍ରଶିକ୍ଷକମାନଙ୍କ ବିରୋଧରେ ଗତ ଜାନୁୟାରୀ ମାସରେ ଯୌନ ଉତ୍ପୀଡନ ଅଭିଯୋଗ କରି ଦିଲ୍ଲୀ କନ୍ନଟ ପ୍ଲେସ୍ ଥାନାରେ ଏତଲା ଦେଇଥିଲେ । ତେବେ, ପୁଲିସ ସେମାନଙ୍କ ଏତଲାକୁ ପଂଜୀକୃତ କରି ନଥିଲେ । ତେବେ, କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏହି କୁସ୍ତିଯୋଦ୍ଧାଙକ ସହ ଆଲୋଚନା କରିବା ପରେ ଆଇଓଏ ସଭାପତି ପିଟି ଉଷାଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ ହୋଇଥିଲା । ତିନି ମାସ ବିତିବା ପରେ ମଧ୍ୟ ଦିଲ୍ଲୀ ପୁଲିସ ସେମାନଙ୍କ ଅଭିଯେଯାଗ ଆଧାରରେ ସିଂହଙ୍କ ବିରୋଧରେ ମାମଲା ରୁଜୁ ନକରିବାରୁ ଓ ପିଟି ଉଷାଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି କି ରିପୋର୍ଟ ଦେଲେ ତାହା ମଧ୍ୟ ସର୍ବସାଧାରଣରେ ପ୍ରକାଶ କରାଯାଇ ନଥିବାରୁ କୁସ୍ତିଯୋଦ୍ଧାମାନେ ସିଂହଙ୍କ ବିରୋଧରେ ଏତଲା ପଂଜୀକରଣ କରାଯିବା ଦାବିରେ ଗତ ରବିବାରରୁ ‘ଜନ୍ତର ମନ୍ତର’ରେ ଧାରଣାରେ ବସିଛନ୍ତି । ଆଇଓଏ ସଭାପତି ପିଟି ଉଷା କିମ୍ବଦନ୍ତୀ ଧାବିକା ହୋଇ ମଧ୍ୟ ମହିଳା କୁସ୍ତଯୋଦ୍ଧାଙ୍କୁ ସୁରକ୍ଷା ଦେବା ବଦଳରେ ମହିଳା କୁସ୍ତିଯୋଦ୍ଧାଙ୍କ ଧାରଣା ‘ଚରମ ବିଶୃଙ୍ଖଳା’ ଏବଂ ଏହାଦ୍ୱାରା ‘ଦେଶ ନିନ୍ଦିତ ହେଉଛି’ ବୋଲି ଗତକାଲି ଗଣମାଧ୍ୟମରେ ମନ୍ତବ୍ୟ ରଖି ଥିବା ମହିଳା କୁସ୍ତିଯୋଦ୍ଧାଙ୍କୁ ଅସନ୍ତୁଷ୍ଟ କରିଛି । ରାଜ୍ୟସଭା ସାଂସଦ (ମନୋନୀତ) ଉଷା ଜଣେ ସରକାରୀ ମୁଖପାତ୍ର ଭଳି ଏହି ବୟାନ ଦେଇଥିବା ବିରୋଧୀ ସମାଲୋଚନା କରିଛନ୍ତି । ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିବା ମହିଳା କୁସ୍ତିଯୋଦ୍ଧାମାନେ ଦିଲ୍ଲୀ ପୁଲିସ ନିକଟରୁ ନ୍ୟାୟ ନ ପାଇବାରୁ ଗତ ସୋମବାର ଦିନ ସିଂହଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିବା ଦାବିରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ସେହି ଦିନ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିବା ସହ ଗତକାଲି ତାହା ଉପରେ ଶୁଣାଣୀ ରଖିଥିଲେ । ଦିଲ୍ଲୀ ପୁଲିସ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଗତକାଲି ସୁପ୍ରିମ କୋର୍ଟ ଖଣ୍ଡପୀଠରେ ହାଜିର ହୋଇ ଶୁକ୍ରବାର ହିଁ ଦିଲ୍ଲୀ ପୁଲିସ ସିଂହଙ୍କ ବିରୋଧରେ ଏତଲା ପଂଜୀକୃତ କରୁଥିବା ସୂଚନା ଦେବା ପରେ ଖଣ୍ଡପୀଠ ଅଭିଯୋଗକାରୀ ନାବାଳିକା ସମେତ ଅନ୍ୟାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ । ସୁପ୍ରିମ କୋର୍ଟରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଦିଲ୍ଲୀ କନ୍ନଟ ପ୍ଲେସ ଥାନା ପୁଲିସ ଡବ୍ଲୁଏଫଆଇ ପୂର୍ବତନ ସଭାପତି ସିଂହ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦୁଇଟି ଏତଲା ପଂଜୀକରଣ କରିଛନ୍ତି । ନାବାଳିକାଙ୍କ ଅଭିଯୋଗ ଭିତ୍ତିଆରେ ‘ପୋସ୍କା’ ଆଇନରେ ଗୋଟିଏ ମାମଲା ହୋଇଥିବା ବେଳେ ସାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଆଉ ଏକ ମାମଲା ପଂଜୀକରଣ କରାଯାଇଥିବା ଜଣାପଡିଛି । ‘ପୋସ୍କୋ’ ଆଇନରେ ପଂଜୀକୃତ ହୋଇଥିବା ମାମଲା ‘ଜାମିନଯୋଗ୍ୟ’ ନୁହେଁ । ଦିଲ୍ଲୀ ପୁଲିସ ଗତକାଲି ମାମଲା ପଂଜୀକରଣ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରିନଥିବା ଦର୍ଶାଇ କୁସ୍ତିଯୋଦ୍ଧାଙ୍କ ପ୍ରତିବାଦ ଧାରଣା ଚାଲୁ ରହିଛି । ଇତିମଧ୍ୟରେ, ଡବ୍ଲୁଏଫଆଇ ପୂର୍ବତନ ସଭାପତି ସିଂହ ଆଜି ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ ଅଭିଯୋଗ ଅମୂଳକ ବୋଲି କହିଛନ୍ତି । ସେ ନିଜକୁ ନିର୍ଦୋଷ ବୋଲି ଦାବି କରିବା ସହ ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କ ପୂର୍ଣ୍ଣ ଭରସା ଥିବା କହିଛନ୍ତି । ତାଙ୍କ ବିରୋଧରେ ଗୋଟିଏ ପରିବାର ଓ ଗୋଟିଏ ଆଖାଡା ଏଭଳି ଅଭିଯାନ ଚଳାଇଛି । କଂଗ୍ରେସ ଦଳ ଓ ଜଣେ ଉଦ୍ୟୋଗପତି ଏହି ଷଡଯନ୍ତ୍ରରେ ସାମିଲ ଅଛନ୍ତି ବୋଲି ବିଜେପି ସାଂସଦ ସିଂହ ଅଭିଯୋଗ କରିଛନ୍ତି । ଆଜି ସଂସଦ ସିଂହଙ୍କ ଗୋଣ୍ଡା ବାସଭବନରେ ତାଙ୍କ ସମର୍ଥକ ବିଧାୟକମାନେ ଏକାଠି ହୋଇ କଂଗ୍ରେସ ଓ ଜଣେ ଉଦ୍ୟୋଗପତିଙ୍କ ପକ୍ଷରୁ ସିଂହଙ୍କ ଚରିତ୍ର ସଂହାର ଉଦ୍ୟମ ହୋଇଛି ବୋଲି ଅଭିଯୋଗ କରିଥିବା ବେଳେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ଧାରଣା ସ୍ଥଳକୁ ଯାଇ ମହିଳା କୁସ୍ତଯୋଦ୍ଧାଙ୍କ ମନୋବଳ ବଢାଇଛନ୍ତି । ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ଆଜି ସନ୍ଧ୍ୟାରେ ଧାରଣା ସ୍ଥଳକୁ ଯାଇ ମହିଳା କୁସ୍ତିଯୋଦ୍ଧାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ସରକାରଙ୍କ ଦୁଇ ଜଣ ମନ୍ତ୍ରୀ ଗତକାଲି କୁସ୍ତିଯୋଦ୍ଧାଙ୍କୁ ଭେଟି ସମର୍ଥନ ଦେଇଥିଲେ । ତାଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡନ ଅଭିଯୋଗ ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଅଭିଯୁକ୍ତ ବ୍ରିଜଭୂଷଣ ଶରଣ ସିଂହ ଆଜି ଗଣମାଧ୍ୟମରେ କହିବା ପରେ ଯୌନ ଉତ୍ପୀଡନ ମାମଲା ରାଜନୈତିକ ମୋଡ ନେଇଛି, ଯାହାକି କୁସ୍ତିଯୋଦ୍ଧାମାନେ ଚାହୁଁ ନଥିଲେ ଏବଂ ଏଇଥି ପାଇଁ ଗତ ଜାନୁୟାରୀ ମାସର ସେମାନଙ୍କୁ ସମର୍ଥନ ଦେବାକୁ ଧାରଣା ସ୍ଥଳକୁ ଆସିଥିବା ସିପିଏମ୍ ନେତ୍ରୀ ବ୍ରିନ୍ଦା କରାତଙ୍କୁ ଫେରି ଯିବାକୁ କହିଥିଲେ । ଗତ ରବିବାରରୁ ଚାଲି ଥିବା ଦ୍ୱିତୀୟ ପର୍ଯ୍ୟାୟ ଧାରଣାରେ ରାଜନେତାଙ୍କ ଅବାଧ ପ୍ରବେଶ ଯୌନ ଉତ୍ପୀଡନ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଲଢେଇକୁ ରାଜନୈତିକ ଲଢେଇ ଆଡକୁ ଟାଣି ନେଇଛି । ‘ବିଜେପି ବନାମ ବିରୋଧୀ’ ଲଢେଇରେ ପୀଡିତ ମହିଳା କୁସ୍ତିଯୋଦ୍ଧା କେତେଦୂର ନ୍ୟାୟ ପାଇବେ ତାହା ଆଜିର ବଡ ପ୍ରଶ୍ନ ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS