ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶରଦ ପାୱାର, କିଏ ହେବ ନୂଆ ଅଧ୍ୟକ୍ଷ ?


ପ୍ରସାଦ ରାଓ
ମେ’ ୦୨
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଶରଦ ପାୱାର ଆଜି ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ଘୋଷଣା ମହାରାଷ୍ଟ୍ର ରାଜନୀତିରେ ଭୂକଂପ ସୃଷ୍ଟି କରିଛି । ଆଜି ଅପରାହ୍ନରେ ମୁମ୍ବାଇର ୱାଇ.ବି.ଚଭନ ଭବନରେ ପାୱାରଙ୍କ ଅଟୋବାୟୋଗ୍ରାଫିର ଉନ୍ମୋଚନ କାର୍ଯ୍ୟକ୍ରମ ଥିଲା । ଏହି ଅବସରରେ ପାୱାର ଦଳର ଅଧ୍ୟକ୍ଷ ପକ୍ଷରୁ ଇସ୍ତଫା ଘୋଷଣା କରି ଦଳର ନେତା ଓ କର୍ମୀମାନଙ୍କୁ ଚକିତ କରିଥିଲେ । ଏହି ଘୋଷଣା ସମୟରେ ପାୱାରଙ୍କ ପତ୍ନୀ, କନ୍ୟା ସାଂସଦ ସୁପ୍ରିୟା ସୁଲେ ଏବଂ ପୁତୁରା ପୂର୍ବତନ ମହରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିକଟରେ ଉପସ୍ଥିତ ଥିଲେ । ପାୱାର ଏଭଳି ଏକ ଘୋଷଣା କରିବେ ବୋଲି ଦଳର ନେତା ଓ କର୍ମୀମାନେ ସ୍ୱପ୍ନରେ ସୁଦ୍ଧା ଆଶା କରିନଥିଲେ । ତେବେ, ଏଭଳି ଏକ ଆକସ୍ମିକ ଘୋଷଣା ଦ୍ୱାରା ସେ ସମସ୍ତଙ୍କୁ ଚକିତ କରିଛନ୍ତି । ପାୱାରଙ୍କ ଘୋଷଣାରେ ଦଳର ବରିଷ୍ଠ ନେତାରୁ ଆରମ୍ଭ କରି ତଳସ୍ତରର କର୍ମୀ ପର୍ଯ୍ୟନ୍ତ ଏତେଦୂର ପ୍ରଭାବିତ ହୋଇଛନ୍ତି ଯେ ସେମାନେ ଏହି ନିଷ୍ପତ୍ ତିର ବିରୋଧ କରିବା ସହ ପାୱାର ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ନିଷ୍ପତ୍ତିରୁ ଓହରିବାକୁ ଦାବି କରି କାର୍ଯ୍ୟକ୍ରମ ସ୍ଥଳରେ ଦୃଢ ଦାବି କରିବା ସହ କିଛି ନେତା କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ, ସେ ରାଜନୀତିରୁ ବା ସାଧାରଣ ଜୀବନରୁ ଅବସର ନେଇ ନାହାନ୍ତି, କେବଳ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି କହି ପାୱାର ସେମାନଙ୍କୁ ସାନ୍ତ୍ୱନା ଦେଉଥିବା ବେଳେ ଝିଅ ସୁପ୍ରିୟା ସୁଲେ ଭାବପ୍ରବଣ ହୋଇପଡିଥିବା ଦଳର ନେତା ଓ କର୍ମୀମାନଙ୍କୁ ବୁଝାଇବାକୁ ଉଦ୍ୟମ କରୁଥିବା ଓ ପୁତୁରା ଅଜିତ ପାୱାର ଦାଦା ଶରଦ ପାୱାରଙ୍କ ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଦେବାକୁ ଆହ୍ୱାନ ଦେଉଥିବା ଦୃଶ୍ୟ ହୃଦୟସ୍ପର୍ଶୀ ଥିଲା । ୮୨ ବର୍ଷ ବୟସ୍କ ଶରଦ ପାୱାର ଦଳର ନେତା ଓ କର୍ମୀମାନଙ୍କ ଦୁଃଖ ଶୁଣିବା ପରେ ମଧ୍ୟ ମନ ବଦଳାଇ ନଥିଲେ ଏବଂ ଅପରାହ୍ନରେ ବୈଠକ ଛାଡି ବାସଭବନକୁ ପଳାଇ ଥିଲେ । ପାୱାରଙ୍କ ଇସ୍ତଫାର କାରଣ ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ଏନସିପି ନେତୃତ୍ୱକୁ ନେଇ ପରବାର ଭିତରେ ଚାଲି ଥିବା ବିବାଦ କାରଣରୁ ଶରଦ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଛନ୍ତି । ଶରଦ ପାୱାର ଯଦି ନିଜ ନିଷ୍ପତ୍ତିରୁ ନ ଓହରନ୍ତି ତେବେ ତାଙ୍କ ସ୍ଥାନରେ ଦଳର ଅଧ୍ୟକ୍ଷ କିଏ ହେବେ, ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସାଂସଦ କନ୍ୟା ସୁପ୍ରିୟା ସୁଲେ ଏନସିପିର ଜାତୀୟ ରାଜନୀତିକୁ ସମ୍ଭାଳୁ ଥିବା ବେଳେ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ରାଜ୍ୟ ରାଜନୀତିକୁ ସମ୍ଭାଳୁଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ଶରଦ ପାୱାର ନିଜର ଉତ୍ତରାଧିକାରୀ ବାଛିବା ନିଶ୍ଚିତ । ତେବେ, ସୁପ୍ରିୟା କି ଅଜିତ – ତାହା ପ୍ରଶ୍ନବାଚୀ ହୋଇଛି । ନବେ ଦଶକରେ ପାୱାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ବିରୋଧରେ ସ୍ୱର ଉତ୍ତୋଳନ କରି ଦଳତ୍ୟାଗ କରିବା ସହ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଗଠନ କରିଥିଲେ । ସୋନିଆଙ୍କୁ ସେ ‘ବିଦେଶିନୀ’ କହି ପ୍ରଧାନମନ୍ତ୍ରୀ ପଦର ଦାବିଦାର ହେବାରେ ବାଟ ଓଗାଳି ଥିଲେ । ଶରଦ ପାୱାର ୧୯୬୦ ମେ’ ୧ ତାରିଖରୁ ୨୦୨୩ ମେ’ ୧ ତାରିଖ ଦୀର୍ଘ ବର୍ଷର ଲମ୍ବା ରାଜନୈତିକ ଜୀବନ ମଧ୍ୟରେ ଭାରତୀୟ ରାଜନୀତିରେ ଭୀଷ୍ମ ପିତାମହ ପାଲଟିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବିକଳ୍ପ ଭାବେ ଜାତୀୟସ୍ତରରେ ବିରୋଧୀ ମେଂଟ ଗଠନ ଦିଗରେ କାର୍ଯ୍ୟ କରୁଛନ୍ତି । ଆଜି ଦିନରେ ନୂଆ ପୀଢି ଦଳକୁ ନେତୃତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ମହାରାଷ୍ଟ୍ରର ଚାରି ଥରର ମୁଖ୍ୟମନ୍ତ୍ରୀ ଶରଦ ପାୱାରା କହିବା ସହ ନୂତନ ଏନସିପି ସଭାପତି ନିର୍ବାଚନ ପାଇଁ ଦଳୀୟ ନେତାଙ୍କ ଏକ କମିଟି ଗଠନ ସକାଶେ ସୁପାରିଶ କରିଛନ୍ତି । ଦଳକୁ ଆଗକୁ ନେବା ପାଇଁ ନୂତନ ଯୋଜନା ସବୁ କାର୍ଯ୍ୟକାରୀ କରିବା ସକାଶେ ଏନସିପିର ବରିଷ୍ଠ ନେତାମାନଙ୍କୁ ନେଇ ଏକ ପ୍ୟାନେଲ ଗଠନ ହୋଇଥିବା ଜଣାପଡିଛି । ଯିଏ ବି ଦଳର ସଭାପତି ହୁଅନ୍ତୁ ନା କାହିଁକି ମହାରାଷ୍ଟ୍ରରେ ଶିବସେନା (ଉଦ୍ଧବ ଗୋଷ୍ଠୀ)-ଏନସିପି-କଂଗ୍ରେସ ମେଂଟ ବା ‘ମହା ବିକାଶ ଅଘାଡି’ ଅତୁଟ ରହିବ ବୋଲି ପାୱାର ସ୍ପଷ୍ଟ କରିଛନ୍ତି । ପୁତୁରା ଅଜିତ ପାୱାର କହିଛନ୍ତି, ତାଙ୍କ ଦାଦା ଶରଦ ପାୱାର ଥରେ ଯେଉଁ ନିଷ୍ପତ୍ତି ନିଅନ୍ତି ସେଥିରୁ ପଛକୁ ହଟନ୍ତି ନାହିଁ । ମେ’ ୧ ତାରିଖରେ ସେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଯୋଜନା କରିଥିଲେ । ତେବେ, ୧ ତାରିଖ ଦିନ ‘ମହା ବିକାଶ ଅଘାଡି’ର ଏକ ମହାସମାବେଶ ଥିବାରୁ ପାୱାର (ଶରଦ) ୧ ତାରିଖ ଇସ୍ତଫା ନଦେଇ ଆଜି ତାଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି । ଏନସିପିରେ ପାୱାରଙ୍କ ପଛକୁ ଦ୍ୱିତୀୟ ଧାଡି ନେତା ଥିବା ଅଜିତ ପାୱାର ନିକଟରେ ଏନସିପି ଛାଡି ବିଜେପି ଆଡକୁ ମୁହାଁଇ ଥିବା ଚର୍ଚ୍ଚା ହେଉଥିଲା । ଅଜିତ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ମଧ୍ୟ ଶରଦ ପାୱାର କହିଥିଲେ ରାଜ୍ୟରେ ‘ମହା ବିକାଶ ଅଘାଡି’ ଅତୁଟ ରହିବ, ଯାହାର ଦଳ ଛାଡିବାର ଅଛି ଛାଡି ଦିଅନ୍ତୁ । ତେବେ, ବିଜେପି ଅଜିତ ପାୱାରଙ୍କ ସହ ଯୋଡି ହେଲେ ସେ ବିଜେପିଠାରୁ ଦୂରେଇ ଯିବାକୁ ବାଧ୍ୟ ହେବେ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (ଶିବସେନା) ଏକନାଥ ସିନ୍ଧେ ବିଜେପିକୁ ଚେତାବନୀ ଦେବାରୁ ବିଜେପି ପଛଘୁଂଚା ଦେଇଥିଲା । ଏବେ, ଶରଦ ପାୱାର ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଥିବାରୁ ଅଜିତ ପାୱାରଙ୍କ ବିଜେପି ଆଡକୁ ଢଳିବା ରାସ୍ତା ଉନ୍ମୁକ୍ତ ହୋଇଯାଇଛି ବୋଲି କିଛି ରାଜନୈତିକ ବିଶ୍ଲେଷକ କହୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଂଟ ବିଜୟୀ ହେବା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦର ଦାବିଦାର ହୋଇ ବିଜେପି ସହ ସଂପର୍କ ଛିନ୍ନ କରିଥିଲେ । ଶିବସେନା-ଏନସିପି-କଂଗ୍ରେସ ମେଂଟରେ ସରକାର ଗଠନ କରିବାକୁ ଆଲୋଚନା ଚାଲିଥିବା ବେଳେ ଏନସିପି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ସହ ହାତ ମିଳାଇ ନଭେମ୍ବର ୨୩ ତାରିଖ ଫଡନାଭିସ ମୁଖ୍ୟମନ୍ତ୍ରୀ ଓ ସେ (ଅଜିତ ପାୱାର) ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଥିଲେ । ଅଜିତଙ୍କ ଏଭଳି କାର୍ଯ୍ୟ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଲଜ୍ୟାକର ପରିସ୍ଥିତିରେ ପକାଇ ଥିଲା । ତେବେ, ଶରଦ ପାୱାର ପରିସ୍ଥିତିକୁ ସମ୍ଭାଳି ନେଇଥିଲେ ଏବଂ ଶିବସେନା-ଏନସିପି-କଂଗ୍ରେସ ମେଂଟ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପରେ ଫଡନାଭିସ ଓ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅଜିତ ପାୱାର ଏନସିପିକୁ ଫେରି ଆସିଥିଲେ । ନିକଟରେ ଅଜିତ ପାୱାର ବିଜେପିକୁ ଢଳୁଥିବା ପ୍ରଚାର ଜୋରଦାର ହେବା ପରେ ଶରଦ ପାୱାରଙ୍କ କନ୍ୟା ସୁପ୍ରିୟାଙ୍କ ପ୍ରତିକ୍ରିୟା ଥିଲା, ୧୫ ଦିନ ମଧ୍ୟରେ ରାଜ୍ୟରେ ଦୁଇଟି ବଡ ଧରଣର ରାଜନୈତିକ ବିସ୍ଫୋରଣ ହେବାକୁ ଯାଉଛି । ଆଜି ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ସେଥିରୁ ଗୋଟିଏ କହିବା ଅତ୍ୟୁକ୍ତି ହେବ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS