ଗୁଜରାଟ ହାଇକୋର୍ଟରୁ ରାହୁଲଙ୍କୁ ଆନ୍ତଃରୀଣ ସୁରକ୍ଷା ମିଳିଲା ନାହିଁ
ପ୍ରସାଦ ରାଓ
ମେ’ ୦୨
‘ମୋଦୀ ସାଂଗିଆ’ ଟିପ୍ପଣୀକୁ ନେଇ ସୁରଟର ଏକ ନିମ୍ନ ଅଦାଲତ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ଗୁଜରାଟ ହାଇକୋର୍ଟ କୌଣସି ପ୍ରକାର ଆନ୍ତଃରୀଣ ସୁରକ୍ଷା ଦେବାକୁ ମନା କରିଦେଇଛନ୍ତି । ତେବେ, ହାଇକୋର୍ଟ ବିଚାରପତି ହେମନ୍ତ ପ୍ରଚ୍ଛକ ରାହୁଲଙ୍କ ଆବେଦନ ଉପରେ ଆଜି ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ସେ ମେ’ ୫ ତାରିଖ ଭାରତ ବାହାରକୁ ଯାଉଥିବାରୁ ରାହୁଲଙ୍କ ଆବେଦନ ଉପରେ ଶୁଣାଣୀ ସାରି ଦେଇଛନ୍ତି, ଛୁଟିରୁ ଫେରିବା ପରେ ରାୟ ପ୍ରକାଶ କରିବେ ବୋଲି ବିଚାରପତି ପ୍ରଚ୍ଛକ କହିଛନ୍ତି । ‘ଯେତେସବୁ ଚୋର ଧରାପଡୁଛନ୍ତି ଆଶ୍ଚର୍ଯ୍ୟର କଥା ସମସ୍ତଙ୍କ ସାଂଗିଆ ମୋଦୀ’ ବୋଲି କଂଗ୍ରେସ ସଭାପତି ଥିବା ରାହୁଲ ଗାନ୍ଧୀ ୨୦୧୯ ସାଧାରଣ ନିର୍ବାଚନ ସମୟରେ କର୍ଣ୍ଣାଟକର କୋଲାରଠାରେ ଏକ ସଭାରେ ଭାଷଣ ଦେଇ ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟ ମୋଦୀ ସମାଜ ପ୍ରତି ଅପମାନସୂଚକ ଦର୍ଶାଇ ସୁରଟର ବିଜେପି ନେତା ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ଏକ ଏତଲା ଦେଇଥିଲେ । ସୁରଟର ନିମ୍ନ ଅଦାଲତ ରାହୁଲଙ୍କ ବିରୋଧରେ ଆଗତ ଆପରାଧିକ ମାନହାନୀ ମାମଲାର ଶୁଣାଣୀ କରି ଏଭଳି ଟିପ୍ପଣୀ ଅପମାନସୂଚକ ଏବଂ ରାହୁଲଙ୍କ ଭଳି ସର୍ବୋଚ୍ଚ ରାଜନୈତିକ ସ୍ତରରେ ଥିବା ଜଣେ ରାଜନେତାଙ୍କଠାରୁ ଆଶା କରାଯାଏ ନାହିଁ ବୋଲି ଦର୍ଶାଇ ଟିପ୍ପଣୀ ପାଇଁ ରାହୁଲଙ୍କୁ ଦୁଇ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ । ରାହୁଲଙ୍କ ସର୍ବାଧିକ ଦୁଇ ବର୍ଷ କାରାଦଣ୍ଡ ହୋଇଥିବାରୁ ସେ ତକ୍ରାଳ ଲୋକସଭା ସଦସ୍ୟ ପଦ ହରାଇଛନ୍ତି । ନିମ୍ନ ଅଦାଲତର ଦଣ୍ଡାଦେଶ ରଦ୍ଦ ହେଲେ ବା ସ୍ଥଗିତ ରହିଲେ ଲୋକସଭା ସଦସ୍ୟ ପଦ ଫେରି ପାଇବା ଆଶା ଥିବାରୁ ରାହୁଲ ଦଣ୍ଡାଦେଶ ରଦ୍ଦ କରାଯିବା ଏବଂ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ନିମ୍ନ ଅଦାଲତର ରାୟ ଉପରେ ସ୍ଥଗିତାଦେଶ ଜାରି ପାଇଁ ସୁରଟ ଜିଲ୍ଲା ସେସନ୍ସ କୋର୍ଟରେ ଆବେଦନ କରିଥିଲେ । ତେବେ, ସେସନ୍ସ କୋର୍ଟରେ ରାହୁଲଙ୍କ ଆବେଦନ ଖାରଜ ହୋଇଛି । ଏହାପରେ ସେ ଗୁଜରାଟ ହାଇକୋର୍ଟରେ ଏକା ଆବେଦନ କରିଥିଲେ ମଧ୍ୟ ଗୁଜରାଟ ହାଇକୋର୍ଟ ବିଚାରପତି ଆଜି ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ତେବେ, ରାହୁଲଙ୍କୁ କୌଣସି ପ୍ରକାର ଆନ୍ତଃରୀଣ ସୁରକ୍ଷା ଦେବାକୁ ମନା କରିଛନ୍ତି । ଫଳରେ, ରାହୁଲ ସଂସଦର ସଦସ୍ୟତା ଫେରି ପାଇବା ଆଶା ମଉଳି ଯାଇଛି । ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଅଭିଷେକ ମନୁ ସଂଘଭୀ ରାହୁଲଙ୍କ ମକଦ୍ଦମା ପରିଚାଳନା କରୁଛନ୍ତି । ଗୁଜରାଟ ହାଇକୋର୍ଟଙ୍କ ରାୟ ଆସିବା ପରେ ରାହୁଲଙ୍କ ପାଇଁ ସୁପ୍ରିମ କୋର୍ଟକୁ ଯିବା ଶେଷ ବିକଳ୍ପ ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS