ବିଜୁଙ୍କ ‘ମାଡ ତତ୍ୱ’ ଲାଗୁ ହେଲା ବୈଜୟନ୍ତଙ୍କ ନିକଟରେ !
ଭୁବନେଶ୍ୱର,୩୧ ମେ : ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ସରକାର ଥିବା ବେଳେ ବେଶ୍ ଚର୍ଚାରେ ଥିଲା ‘ମାଡତତ୍ୱ’ । ସରକାରୀ ଅଫିସର ଓ କର୍ମଚାରୀ କଥା ନ ଶୁଣିଲେ ମାଡ ମାରିବାକୁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ବ୍ରହ୍ମାସ୍ତ୍ର ଧରାଇ ଥିଲେ । ସାଧାରଣ ଜନତା ନ ହେଲେ ବି ଜନତା ଦଳର ନେତା ଓ କର୍ମୀମାନେ ଏହି ବ୍ରହ୍ମାସ୍ତ୍ର ପ୍ରୟୋଗ କରୁଥିଲେ ସରକାରୀ ଅଫିସରଙ୍କ ବିରୋଧରେ । ଏହାକୁ ‘ଶସ୍ତା ପପୁଲିଜିମ୍’ କୁହାଯାଉଥିଲେ ମଧ୍ୟ ବିଜୁ ବାବୁ ନିଜେ ଏହି ଜ୍ଞାନ ଦେଇ ଥିବାରୁ କେହି ଏହାକୁ
ବିରୋଧ କରିବାକୁ ସାହସ କରୁ ନ ଥିଲେ । ତେବେ, ବିଜୁ ପୁତ୍ର ନବୀନ ପଟ୍ଟନାୟକଙ୍କ ଶାସନରେ ଏହା ନୂଆ ରୂପ ନେଇ ଆସିଛି । ଏହାକୁ ‘ମାଡ ତତ୍ୱ’ କୁହା ନ ଯାଇ ଆଇନ ତା’ ବାଟରେ ଯାଉଛି ବୋଲି କୁହାଯାଉଛି । ମେ ୩୦ ତାରିଖ ଏହାର ପ୍ରୟୋଗ ହୋଇଛି ଏକଦା ନବୀନଙ୍କ ପାଖ ଲୋକ ଥିବା କେନ୍ଦ୍ରାପଡା ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରେ । ୨୪ ଘଂଟା ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ପ୍ରତିକ୍ରୀୟା ପ୍ରକାଶ କରି ତାଙ୍କ ଦଳ ହିଂସାରେ ବିଶ୍ୱାସ କରେ ନାହିଁ ବୋଲି କହିଛନ୍ତି । ନିକଟରେ କଟକ ଜିଲ୍ଲା ପାଇଁ ବିଜେଡ଼ି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ମନ୍ତ୍ରୀ ସୁଶ୍ରୀ ଉଷା ଦେବୀ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ଉଷା ଦେବୀ ମଧ୍ୟ କିଛି ନ ଜାଣିଲା ଭଳି ତଦନ୍ତ କଲା ପରେ ହିଁ ସେ ଯାହା କିଛି କହିବେ ବୋଲି ପ୍ରତିକ୍ରୀୟା ଦେଇ ମିଡ଼ିଆକୁ ଭୁତାଇଛନ୍ତି ।
ସାଂସଦ ବୈଜୟନ୍ତଙ୍କ ଉପରେ ବିଜେଡ଼ିର ଏଭଳି ବର୍ଷାର କାରଣ ହେଉଛି, ଲଗାତର ଭାବେ ସେ ଟ୍ୱିଟର୍ ଓ ଖବରକାଗଜ ଲେଖା ମାଧ୍ୟମରେ ବିଜେଡ଼ି ଓ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଡୁଆରେ ପକାଇବା ଉଦ୍ୟମ କରିବା । କେନ୍ଦ୍ରାପଡା ସାଂସଦ ପଣ୍ଡା ପାର୍ଲାମେଂଟରେ ଦଳର ମୁଖପାତ୍ର ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ ବି କିଛି ମାସ ହେଲା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡକୁ ଢଳୁ ଥିବା ବିଜେଡ଼ିର ହୃଦବୋଧ ହୋଇଥିଲା । ରାଜ୍ୟରେ ୧୭ ବର୍ଷ ହେଲା ସରକାର ଚଳାଇ ଆସିଥିବା ନବୀନ ଚତୁର୍ଥ ପାଳିରେ ଦଳର ଲଗାମକୁ ଢିଲା କରି ଦେବାରୁ ଦଳ ଭିତରେ ବିଶୃଙ୍ଖଳା ବଢୁ ଥିବା ବୈଜୟନ୍ତ ଅଭିଯୋଗ କରି ଆସୁଥିଲେ । ଦଳ ଓ ସରକାରରେ ଶାସକ ଦଳ ନେତାଙ୍କ ଗୁରୁତ୍ୱ ନ ଥିବା ଏବଂ କିଛି ଆଇଏଏସ୍ ଅଫିସର ଦଳକୁ ନିୟନ୍ତ୍ରଣ କରି ବିଶୃଙ୍ଖଳାର ମଂଜି ବୁଣି ଥିବା ମଧ୍ୟ ସାଂସଦ ପଣ୍ଡାଙ୍କ ଆଡୁ ଅଭିଯୋଗ ହୋଇଥିଲା । ଟ୍ୱିଟର୍ ଓ ଜାତୀୟ ଓ ଅଂଚଳିକ ସମ୍ବାଦପତ୍ରରେ ଅଗ୍ରଲେଖା ମାଧ୍ୟମରେ ବୈଜୟନ୍ତ ବାରମ୍ବାର ସରକାର ଓ ନବୀନଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ କରିବାରୁ ଅନ୍ୟତମ ଦଳୀୟ ସାଂସଦ (ଢେଙ୍କାନାଳ) ତଥାଗତ ସତପଥୀଙ୍କ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । ପରବର୍ତୀ ସମୟରେ କଟକ ସାଂସଦ ଭର୍ତୃହରୀ ମହତାବ ମଧ୍ୟ ଅଗ୍ରଲେଖା ମାଧ୍ୟମରେ ନବୀନଙ୍କୁ ଅଡୁଆରେ ପକାଇବାକୁ ଉଦ୍ୟମ କରିବାରୁ ନବୀନ ଦିଲ୍ଲୀରେ ସାଂସଦମାନଙ୍କ ସହ ଆଲୋଚନା କରି ଦଳରେ ଯଦି କିଛି ସମସ୍ୟା ଅଛି ବ୍ୟକ୍ତିଗତ ଭାବେ ତାଙ୍କୁ ଜଣାଇବାକୁ ପରାମର୍ଶ ଦେଇଥିଲେ । ତାହା ପରେ ବି କେନ୍ଦ୍ରପଡା ସାଂସଦଙ୍କ ଖୋଲା ସମାଲୋଚନା ବନ୍ଦ ନ ହେବାରୁ ପାର୍ଲାମେଂଟରେ ଦଳୀୟ ମୁଖପାତ୍ର ପଦରୁ ତାଙ୍କୁ ହଟାଇ ଦିଆଯାଇ ଦଳ ଭିତରେ ଏକପ୍ରକାର ବାଚ୍ଛନ୍ଦ କଲା ଭଳି ରଖା ଯାଇଥିଲା । ବୈଜୟନ୍ତଙ୍କ କାର୍ଯ୍ୟକ୍ରମଗୁଡ଼ିକୁ ଦଳର ବିଧାୟକ ଓ କର୍ମୀମାନେ ଯିବା ବନ୍ଦ କରି ଦେଇଥିଲେ । ତାଙ୍କ ସହ ରାଜନୈତିକ ମୁକାବିଲା ପାଇଁ ପ୍ରତାପ ଜେନାଙ୍କୁ ପୁନର୍ବାର ମନ୍ତ୍ରୀ ପଦରେ ବସା ଯିବା ସହ ସ୍ୱାସ୍ଥ୍ୟ ବିଭାଗ ସହ ଆଇନ ମନ୍ତ୍ରୀ କରାଗଲା । ଦଳର ଅଭ୍ୟନ୍ତରୀଣ ପରିସ୍ଥିତି ଗୋଳମାଳିଆ ରହିଥିବା ବେଳେ ବୈଜୟନ୍ତ ତାଙ୍କ ସାଂସଦ ପାଣ୍ଠିରେ ମାହାଙ୍ଗା ଠାରେ ନିର୍ମିତ ଏକ ପାନୀୟ ଜଳ ପ୍ରକଳ୍ପର ଉଦ୍ଘାଟନ କାର୍ଯ୍ୟକ୍ରମ ରଖିଲେ । ୩୧ ତାରିଖ ଏହି ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ରହିଥିବା ବେଳେ ବୈଜୟନ୍ତଙ୍କ ସେଠାକୁ ଗଲେ ବିରୋଧ କରାଯିବ ବୋଲି ତାଙ୍କ ବିରୋଧୀ ଗୋଷ୍ଠୀ ଚେତାବନୀ ଦେଇଥିଲେ । କାଲି ପୂର୍ବ ଚେତାବନୀ ଅନୁସାରେ ଉଦଘାଟନ ପାଇଁ ଯାଇଥିବା ସାଂସଦ ପଣ୍ଡାଙ୍କୁ ବିରୋଧୀମାନେ ଅଣ୍ଡା ଓ ପଥର ମାଡ କରିଥିଲେ । ଘଟଣାସ୍ଥଳରେ ପୁଲିସ ଥାଇ ମଧ୍ୟ ଦେଖେଣାହାରୀ ସାଜି ଥିବା ସରକାରଙ୍କ ମତିଗତି ନେଇ ସନେ୍ଦହର ବାତାବରଣ ସୃଷ୍ଟି କରିଛି । ପ୍ରତାପ ଜେନା ଜିନ୍ଦାବାଦ ଧ୍ୱନୀ ଦେଇ ଅଣ୍ଡା ଓ ପଥର ମାଡ କରୁଥିବା ବୈଜୟନ୍ତଙ୍କ ବିରୋଧୀମାନେ ପୁଲିସର ସହାନୁଭୂତି ପାଇବା ପଛରେ ନବୀନଙ୍କ ଆଶୀର୍ବାଦ ରହିଥିବା କେବଳ ବୈଜୟନ୍ତଙ୍କ ସମର୍ଥକ ନୁହନ୍ତି, ରାଜ୍ୟରେ ବିଜେପିର ମଙ୍ଗୁଆଳ ସାଜି ଥିବା କେନ୍ଦ୍ର ପେଟ୍ରୋଲିଅମ୍ ରାଷ୍ଟ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଭିଯୋଗ କରିଛନ୍ତି । ସରକାରଙ୍କ ଏଭଳି ଅସହିଷ୍ଣୁତା ନିନ୍ଦନୀୟ ବୋଲି ପ୍ରଧାନ କହିଥିବା ବେଳେ କଂଗ୍ରେସ ନେତା ଶରତ ରାଉତ ଘଟଣାର ନିନ୍ଦା କରି ପୁଲିସ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ କରିଥିବା ଯୁବ କଂଗ୍ରେସ କର୍ମୀମାନଙ୍କ ବିରୋଧରେ ଯେଭଳି ସଂଗୀନ ଦଫା ଲାଗୁ କରିଛି, ସେଭଳି ଦଫା ବୈଜୟନ୍ତଙ୍କ ଉପରେ ଆକ୍ରମଣ କରିଥିବା ବିଜେଡ଼ି କର୍ମୀମାନଙ୍କ ବିରୋଧରେ ମଧ୍ୟ ଲାଗୁ କରାଯିବାକୁ ଦାବୀ କରିଛନ୍ତି ।
କୌତୁହଳର ବିଷୟ ହୋଇଛି, ମାହାଙ୍ଗାରେ ପୁଲିସ ଆଖି ଆଗରେ ୩୧ ତାରିଖ ଜଣେ ବିଜେଡ଼ି ସାଂସଦଙ୍କ ଉପରେ ଅଣ୍ଡା ଓ ପଥର ମାଡ ହୋଇଥିବା ବେଳେ କଟକ ଗ୍ରାମାଂଚଳ ଥାନା ପୁଲିସ କୌଣସି ଅଭିଯୋଗ ପାଇ ନ ଥିବା ଦର୍ଶାଇ ନୀରବ ବସିଛନ୍ତି । ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ଗ୍ରାମାଂଚଳ ଏସପି ମାଦବ ଚନ୍ଦ୍ର ସାହୁ ଆଜି ସମ୍ବାଦପତ୍ରକୁ କହିଛନ୍ତି । ପୁଲିସ ନିଜ ଆଖିରେ ସାଂସଦଙ୍କ ଉପରେ ଆକ୍ରମଣ ହୋଇଥିବା ଦୃଶ୍ୟ ଦେଖି ମଧ୍ୟ ନିଜ ଆଡୁ ଏତଲା ଦାଏର ନ କରିବା ବା ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ବିଜୁ ବାବୁଙ୍କ ସମୟର ‘ମାଡତତ୍ୱ’ କାହାଣୀର ପୁନରାବୃତ୍ତି ନୁହେଁ ତ ? ଘଟଣା ଘଟିବା ବେଳେ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ବାହାରେ ଥିଲେ ବୋଲି ନିକଟରେ ରାଜ୍ୟସଭାକୁ ଯାଇଥିବା ଦଳର ମୁଖପାତ୍ର ପ୍ରତାପ ଦେଓ ମନ୍ତବ୍ୟ ଦେବା ଏବଂ ଏହି ଘଟଣା ଅଂଚଳିକ ରାଜନୀତିର ପ୍ରତିଫଳନ କହି ଆଉ ଜଣେ ମୁଖପାତ୍ର ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିବା ସରକାରଙ୍କ ମତିଗତି ଠଉରାଇବାକୁ ଯଥେଷ୍ଟ । ନବୀନ ଯେତେ ପରଦା ଘୋଡାଇବାକୁ ଚାହିଁଲେ ବି ତାଙ୍କର ଏହି ମୁଖପାତ୍ରମାନେ ଫାଙ୍କ ରଖି ଥିବାରୁ ରାଜ୍ୟବାସୀ ପଛପଟର ଦୃଶ୍ୟ ଦେଖିବାରେ ଅସୁବିଧା ହେଉ ନାହିଁ । ୨୦୧୯ ନିର୍ବାଚନ ଦୂରରେ ଥିଲେ ବି ବିଜେଡ଼ିର ଏଭଳି ଅସହିଷ୍ଣୁତା ବୈଜୟନ୍ତଙ୍କୁ ବିଜେପି ମୁହାଁ ହେବାକୁ ଅଧିକ ସୁଯୋଗ ସୃଷ୍ଟି କରିବ । ରାଜ୍ୟବାସୀ ବିଜେଡ଼ି ସଂପର୍କରେ ସେମାନଙ୍କ ଧାରଣା ବଦଳାଇବାକୁ ମଧ୍ୟ ସମୟ ପାଇବେ ବୋଲି ରାଜନୈତିକ ମହଲରେ ଚର୍ଚା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS