ଚଳିତ ଲୋକସଭା ରାଜନୀତର ରଣକ୍ଷେତ୍ର ହେବାକୁ ଯାଉଛି ?


ପ୍ରସାଦ ରାଓ
ଜୁଲାଇ ୦୪
ସଂସଦରେ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ନୂଆ କଥା ନୁହେଁ । ବିଭିନ୍ନ ଜନହୀତ ସଂପର୍କିତ ପ୍ରସଙ୍ଗକୁ ନେଇ ସଦନରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥା’ନ୍ତି । ଏହା ଏକ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ହୋଇ ରହି ଆସିଛି । ତେବେ, ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନରେ ଶାସକ ଓ ବିରୋଧୀ ମେଂଟ ମଧ୍ୟରେ ଯେଭଳି ମୁହାଁମୁହିଁ ପରିସ୍ଥିତି ଉପୁଜିଲା ତାହା ଗଣତାନ୍ତ୍ରିକ ପ୍ରକ୍ରିୟା କହିବା ଅପେକ୍ଷା ଦୁଇ ମେଂଟ ମଧ୍ୟରେ ରହି ଆସିଥିବା ରାଜନୈତିକ ଆକ୍ରୋଶକୁ ପ୍ରତିଫଳିତ ବୋଲି ଏବେ ଆଲୋଚନା ହେଉଛି । ବିଶେଷକରି, ଲୋକସଭାରେ ବିଜେପିର ସଦସ୍ୟ ସଂଖ୍ୟା କମିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ମେଂଟର ନେତା ଭାବେ ତୃତୀୟ ଥର ପାଇଁ କ୍ଷମତାସୀନ ହେବା, ଗୃହରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ପାଖାପାଖି ଦୁଇ ଗୁଣ ହେବା ଏବଂ କଂଗ୍ରେସକୁ ନେଇ ଗଠିତ ବିରୋଧୀ ‘ଇଣ୍ଡି’ ମେଂଟ ଲୋକସଭାରେ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ନିଜକୁ ପ୍ରତିଷ୍ଠା କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ତାହାର ନେତା ଭାବେ ଆଗୁ ଛାଡିବା ଶାସକ ମେଂଟ ପାଇଁ ଅଶ୍ୱସ୍ତିର କାରଣ ହୋଇଥିବା ବେଳେ ବିରୋଧୀ ମେଂଟ ଏହାର ଭରପୁର ସୁଯୋଗ ନେବାକୁ ଉଦ୍ୟମ କରିଥିବା ଲୋକସଭାର ପ୍ରଥମ ଅଧିବେଶନରେ ହୋଇଥିବା ବିତର୍କରୁ ସ୍ପଷ୍ଟ ଜଣାପଡୁଛି । ୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦୀ ଗଲା ଦଶ ବର୍ଷ ଧରି ‘କଂଗ୍ରେସ ମୁକ୍ତ’ ଭାରତ କଥା କହି ଆସିଛନ୍ତି । ଦେଶରେ କଂଗ୍ରେସ ଶାସିତ ରାଜ୍ୟ ସଂଖ୍ୟା ମଧ୍ୟ କମିଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ଆଶାତୀତ ଜନସମର୍ଥନ ମିଳିଥିଲା । ଲୋକସଭାରେ ବିଜେପିର ସଂଖ୍ୟା ଏତେ ଅଧିକ ଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ଦଫା ସରକାର ମଧ୍ୟ ପ୍ରଥମ ଦଫା ଭଳି ନିରଂକୁଶ ଥିଲେ । ଦେଶରେ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ)ର ଶାସନ ଚାଲି ଥିଲେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଶାସକ ମେଂଟ ଅଂଶୀଦାରଙ୍କ ଭୂମିକା ସୀମିତ ରହିଥିଲା । ବିରୋଧୀ ସଂଖ୍ୟା ଦୃଷ୍ଟିରୁ ଦୁର୍ବଳ ଥିବାରୁ ସେମାନଙ୍କ ସହଯୋଗ, ସମର୍ଥନ ବିନା ସରକାର ଚାଲିବାରେ କୌଣସି ଅସୁବିଧା ନଥିଲା । ୨୦୨୪ ପରିସ୍ଥିତି କିନ୍ତୁ ଭିନ୍ନ । ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପ୍ରସଙ୍ଗରେ ବିଜେପି-ବିରୋଧୀ ରାଜନୈତିକ ଦଳମାନେ ସଂଗଠିତ ହୋଇ ‘ଇଣ୍ଡି’ ମେଂଟ ନାମରେ ନିର୍ବାଚନ ଲଢିଲେ । ବିଜେପି ଏନଡିଏ ମେଂଟକୁ ଅଧିକ ସଂପ୍ରସାରିତ କରି ନିର୍ବାଚନର ସମ୍ମୁଖୀନ ହେଲା । ଏପ୍ରିଲ ମାସ ମଧ୍ୟ ଭାଗରୁ ଆରମ୍ବ ହୋଇ ଜୁନ ୦୧ ସରିଥିବା ଲୋକସଭା ନିର୍ବାଚନ ଏତେମାତ୍ରାରେ ପ୍ରତିଦ୍ୱନ୍ଦ୍ୱତାମୂଳକ ଥିଲା ଯେ ଜନମତ ଏକପାଖିଆ ନହୋଇ ଦେଶକୁ ପୁଣି ଥରେ ଏକ ମିଳିତ ସରକାର ଆଡକୁ ଟାଣି ନେଲା । ଲୋକସଭାରେ ବିଜେପି ଏକାକୀ ସରକାର ଗଠନ ପାଇଁ ବହୁମତ ନପାଇ ଏନଡିଏ ମେଂଟ ଉପରେ ନିର୍ଭରଶୀଳ ରହିଛି । ବିରୋଧୀ ମେଂଟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ପାଇନଥିଲେ ମଧ୍ୟ ଶକ୍ତିଶାଳୀ ବିରୋଧୀ ଭାବେ ଉଭା ହୋଇ ଲୋକସଭାରେ ସରକାରଙ୍କୁ ଚ୍ୟାଲେଂଜ କଲାଭଳି ସ୍ଥିତିରେ ରହିଛନ୍ତି । ତେଣୁ, ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନରେ ଦୁଇ ମେଂଟ ମୁହାଁମୁହିଁ ହୋଇ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ବେଳେ ଯେଭଳି ଅରୁଚିକର ପରିସ୍ଥିତି ସୃଷ୍ଟି କରିଛନ୍ତି, ତାହା ଆଗାମୀ ଦିନରେ ଲୋକସଭା କିଭଳି ଭାବେ ଚାଲିବ ସେନେଇ ସଂକେତ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସକ ମେଂଟର ନେତା ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ସହ ବିରୋଧୀ ମେଂଟର ନେତା ରହିଛନ୍ତି । ଗାନ୍ଧୀ ପରିବାରକୁ ନେଇ ବିଜେପି ଗତ ଦଶ ବର୍ଷ ହେଲା ଯେଭଳି ଆଭିମୁଖ୍ୟ ପ୍ରଦର୍ଶନ କରି ଆସିଛି ତାହା ଏହି ଦୁଇ ନେତା ଗୃହ ଭିତରେ ଓ ବାହାରେ ପରସ୍ପରକୁ କରୁଥିବା ଆକ୍ଷେପରୁ ସ୍ପଷ୍ଟ ହେଉଛି । ଗାନ୍ଧୀ ପରିବାରର ଦାୟଦ ରାହୁଲ ଗାନ୍ଧୀ ଜଣେ ‘ଅପରିପକ୍ୱ’ ଓ ‘ଅସ୍ଥିର’ ନେତା ଏବଂ ବିରୋଧୀ ମେଂଟ ପରିବାରବାଦୀ ଓ ଦୁର୍ନୀତିଗ୍ରସ୍ତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ନେତୃବର୍ଗ ଗଲା ଦଶ ବର୍ଷ ହେଲା ଅଭିଯୋଗ କରିବା ସହ ଦେଶବାସୀଙ୍କ ଉପରେ ରାଜତ୍ୱ କରୁଥିଲେ । ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କୁ ‘ପପ୍ପୁ’ ନାମରେ ନାମିତ କରି ପ୍ରତିଟି ବିତର୍କ ଓ ଆଲୋଚନାରେ ତାଙ୍କୁ ଟାର୍ଗେଟ କରୁଥିଲେ । ତେବେ, ଦେଶରେ ଦୁଇଟି ପଦଯାତ୍ରା ମାଧ୍ୟମରେ ଜନସଂପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତି ବଦଳାଇବାକୁ ସକ୍ଷମ ହୋଇଥିବା ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ମାନ୍ୟତା ପାଇବା ଶାସକ ମେଂଟ ପାଇଁ ଅଶ୍ୱସ୍ତିକର ହେବା ସ୍ୱାଭାବିକ । ରାହୁଲ ମଧ୍ୟ ନିଜର ପରିବର୍ତ୍ତିତ ଭାବମୂର୍ତ୍ତିକୁ ନେଇ ଯେଭଳି ଦାୟିତ୍ୱସଂପନ୍ନ ହେବା କଥା ତାହା ନହୋଇ ଲୋକସଭାରେ ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କୁ ଆକ୍ରମଣ କରିବାକୁ ଯାଇ ଯେଭଳି ଭ୍ରମାତ୍ମକ ତଥ୍ୟ ଉପସ୍ଥାପନ କରିଛନ୍ତି ତାହା ତାଙ୍କ ଭାବୂତ୍ତିକୁ କ୍ଷୁର୍ଣ୍ଣ କରିବା ସହ ବିରୋଧୀ ମେଂଟକୁ ଅଡୁଆରେ ପକାଇଛି । ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ଭାବେ ପ୍ରଥମ କରି ଜୁନ ୨୮ ତାରିଖ ଦିନ ଲୋକସଭାରେ ନିଜର ବକ୍ତବ୍ୟ ରଖିଥିଲେ । ନିଟ୍-ୟୁଜି ପରୀକ୍ଷା ପରିଚାଳନାରେ ବ୍ୟାପକ ଦୁର୍ନୀତି ଓ ସରକାରୀ ଅପାରଗତାକୁ ନେଇ ସମାଲୋଚନା କରିବା ଏବଂ ଲୋକସଭାରେ ଏହା ଉପରେ ପ୍ରଥମେ ଆଲୋଚନା କରାଯାଉ ବୋଲି ଅଡି ବସିବା ବିରୋଧୀ ମେଂଟର ରଣନୀତି ଥିଲା । ତାହାକୁ ନେଇ କାହାରି କିଛି କହିବା ନାହିଁ । କିନ୍ତୁ, ପ୍ରତିରକ୍ଷା ବିଭାଗ ପକ୍ଷରୁ ସେନାରେ ନିଯୁକ୍ତି ଅଗ୍ନିବୀରଙ୍କୁ ସହିଦ ହେଲେ ଉଚିତ କ୍ଷତିପୂରଣ ମିଳୁନଥିବା ଏବଂ ଚାଷୀଙ୍କୁ ଏମଏସପି (ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ) ଦିଆଯାଉନଥିବା ନେଇ ରାହୁଲ ସଂସଦରେ ଯେଉଁ ଅଭିଯୋଗ କରିଛନ୍ତି ସେସବୁ ‘ମିଥ୍ୟା’ ଓ ‘ଭ୍ରମାତ୍ମକ’ ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିବା ସହ ତାହାକୁ ‘ବାଳବୁଦ୍ଧି’ କହି ସମାଲୋଚନା କରିଛନ୍ତି । ଗତକାଲି ରାଜ୍ୟସଭାରେ ମଧ୍ୟ ପ୍ରଧାନମନ୍ତ୍ରୀ ଏକା କଥା କହିଥିଲେ ଏବଂ ରାହୁଲଙ୍କ ଅଭିଯୋଗ ସବୁକୁ ‘ବାଳବୁଦ୍ଧି’ କହି ବାଚସ୍ପତି ଏଥିପାଇଁ ନରମ ଆଭିମୁଖ୍ୟ ପ୍ରଦର୍ଶନ ନକରି କଡା ମିଥ୍ୟଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି । ସେନାରେ ‘ଅଗ୍ନିପଥ’ ସ୍କିମରେ ଯୁବକ, ଯୁବତୀଙ୍କୁ ଚାରି ବର୍ଷିଆ ନିଯୁକ୍ତି ଦିଆଯାଉଛି । କାର୍ଯ୍ୟକ୍ଷେତ୍ରରେ କୌଣସି କାରଣବଶତଃ ଅଗ୍ନିବୀର ସହିଦ ହେଲେ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ମିଳୁନାହିଁ ବୋଲି ରହୁଲ ଗାନ୍ଧୀ ଲୋକସଭାରେ କରିଥିବା ଅଭିଯୋଗକୁ ସେନା ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଖଣ୍ଡନ କରିଛି । ଗତ ଜାନୁୟାରୀ ମାସରେ ଜମ୍ମୁ-କଶ୍ମୀରର ନୌସେରାଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇ ଥିବା ଅଗ୍ନିବୀର ଅଜୟ କୁମାରଙ୍କ ପରିବାରକୁ ସେନା ପକ୍ଷରୁ ଆଂଶିକ କ୍ଷତିପୂରଣ ଦିଆ ସରିଛି । ସହିଦ ଅଜୟ କୁମାରଙ୍କ ପରିବାର ୯୮.୩୯ ଲକ୍ଷ ଟଙ୍କା ପାିଛନ୍ତି । ଆବଶ୍ୟକ ପୁଲିସ ଯାଂଚ କାର୍ଯ୍ୟ ସଂପନ୍ନ ହେବା ପରେ ଚୂଡାନ୍ତ ହିସାବ କରାଯାଇ ଏକ୍ସଗ୍ରାସିଆ ଓ ଅନ୍ୟାନ୍ୟ ବାବଦରେ ଆଉ ୬୭ ଲକ୍ଷ ଟଙ୍କା ଦିଆଯିବ ବୋଲି ସେନା ପକ୍ଷରୁ ଆଜି ଏକ ବିବୃତିରେ କହୁଯାଇଛି । ସହିଦ ଅଜୟ କୁମାରଙ୍କ ପରିବାର ପାଖାପାଖି ୧ କୋଟି ୬୫ ଲକ୍ଷ ପାଉଥିବା ସେନା ସୂଚନା ଦେଇଛି । ସହିଦ ଅଜୟ କୁମାରଙ୍କ ପରିବାର କ୍ଷତିପୂରଣ ବାବଦ ଟଙ୍କା ପାଇଥିବା ସ୍ୱୀକାର କରିଥିବା ବେଳେ ଅଜୟକୁମାରଙ୍କ ଅବର୍ତ୍ତମାନରେ କୋଟିଏ ଟଙ୍କା କ୍ଷତିପୂରଣ ମିଳିଲେ ମଧ୍ୟ ଅଜୟ ଆଉ ଫେରିବାର ନାହିଁ । ତେଣୁ, ପରିବାର ପାଇଁ ପେନସନ୍ ଓ କ୍ୟାଂଟିନ କାର୍ଡ ବ୍ୟବସ୍ଥା କରାଯିବା ଓ ଅଗ୍ନିବୀର ସ୍କିମ୍ ଉଚ୍ଛେଦ କରାଯିବା ଆବଶ୍ୟକ ବୋଲି ଅଜୟ କୁମାରଙ୍କ ପିତା ଗଣମାଧ୍ୟମକୁ କହିଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସହିଦ ଅଗ୍ନିବୀରଙ୍କ ପରିବାରକୁ କ୍ଷତିପୂରଣ ମିଳୁନି ବୋଲି ଲୋକସଭାରେ ଅଭିଯୋଗ କରିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଅପଦସ୍ତ କରିବା ସୁଯୋଗ ହାତଛଡା କରି ନାହାନ୍ତି । ସେହିଭଳି, ଚାଷୀଙ୍କୁ ଏମଏସପି ମିଳୁନି ବୋଲି ରାହୁଲ ଅଭିଯୋଗ କରିବାରୁ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ତୁରନ୍ତ ତାହାର ବିରୋଧ କରି ବିରୋଧୀ ଦଳ ନେତା ଗୃହରେ ମିଛି କହୁଛନ୍ତି ବୋଲି ଅଭିଯୋଗ କରିଥିଲେ । ରାହୁଲ ନିଜ ମନ୍ତବ୍ୟର ସଂଶୋଧନ କରିବାକୁ ଯାଇ ଏମଏସପି ଗ୍ୟାରେଂଟି କଥା କହିଥିବା ସଫେଇ ଦେଇଥିଲେ । ଗଲା ଦଶ ବର୍ଷ ହେଲା ପ୍ରଧାନମନ୍ତ୍ରୀ ମୋଦୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ରାଜନୈତିକ ସଂପର୍କ ଯେଭଳି ତୀକ୍ତ ରହିଛି ଲୋକସଭା ଅଧିବେଶନରେ ତାହା ପ୍ରତିଫଳିତ ହୋଇଛି । ବିରୋଧୀ ଦଳ ନେତା ଲୋକସଭାରେ ଅନେକ ମିଛ କହି ଗୃହକୁ ଭ୍ରମିତ କରିବାକୁ ଉଦ୍ୟମ କରିଛନ୍ତି ବୋଲି ବିଜେପିର ଯୁବା ସାଂସଦ ବାଂଶୁରୀ ସ୍ୱରାଜ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିବା ସହ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଦେଇଛନ୍ତି । ବାଚସ୍ପତି ନୋଟିସ ଉପରେ ପଦକ୍ଷେପ ନେବାକୁ ସେ ନିବେଦନ କରିଥିବା ବେଳେ ଆଜି କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି, ଗୃହକୁ ଭ୍ରମିତ କରିବା ପାଇଁ ଉଦ୍ୟମ କରି କୌଣସି ସଭ୍ୟ ଖସି ପାରିବେ ନାହିଁ । ସେ ଯେତେ ପ୍ରଭାବଶାଳୀ ହୋଇଥାଆନ୍ତୁ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରିବେ ନାହିଁ । ‘ଆମେ ବିରୋଧୀ ଦଳ ନେତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବାଚସ୍ପତିଙ୍କୁ ନୋଟିସ ଦେଇଛୁ । କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି’ ବୋଲି ରିଜ୍ଜୁ ଆଜି ଗଣମାଧ୍ୟମକୁ କହିଛନ୍ତି । ଲୋକସଭାରେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମୌଖିକ ଭାବେ ଧନ୍ୟବାଦ ପ୍ରସ୍ତାବ ଗଢହୀତ ହୋଇଛି । ବାଚସ୍ପତି ଲୋକସଭାକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବୀ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଥିବାରୁ ଓ ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ବାଚସ୍ପତିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଦେଇଥିବାରୁ ବାଚସ୍ପତି ନିଷ୍ପତ୍ତି ଉପରେ ଆଗକୁ ଲୋକସଭା କେମିତି ଚାଲିବ ତାହା ନିର୍ଭର କରୁଛି । ବିଭିନ୍ନ ସାମ୍ବିଧାନିକ ଦାୟିତ୍ୱ ସଂପନ୍ନ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ଲୋକସଭାର ବିରୋଧୀ ଦଳ ନେତାଙ୍କ ମଧ୍ୟରେ ସେହାର୍ଦ୍ଧ୍ୟପୂର୍ଣ୍ଣ ସଂପର୍କ ରହିବା ଆବଶ୍ୟକ । ତେଣୁ, କାର୍ଯ୍ୟାନୁଷ୍ଠାନ ଆପେକ୍ଷା ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ସୌହାର୍ଦ୍ଧ୍ୟର ବାତାବରଣ ସୃଷ୍ଟି କରାଯିବା ନିତାନ୍ତ ଆବଶ୍ୟକ ବୋଲି କିଛି ରାଜନୈତିକ ବିଶ୍ଲେଷକ ମତ ରଖିଛନ୍ତି । ତେବେ, ମୋଦୀ ଓ ରାହୁଲଙ୍କ କ୍ଷେତ୍ରରେ ଏହା କେତେଦୂର ସମ୍ଭବ – ତାହା ଦେଖିବାକୁ ଅପେକ୍ଷା ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS