ଆନ୍ତର୍ଜାତିକ ମହିଳା ଦିବସରେ ମା’ମାନଙ୍କ ଦୁଃଖ ଶୁଣିବାକୁ କେହି ନାହିଁ ?


ପ୍ରସାଦ ରାଓ
ଭୁବନେଶ୍ୱର ୦୮/୦୩:
ଆଜି ହେଉଛି ଆନ୍ତର୍ଜାତିକ ମହିଳା ଦିବସ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ବ୍ରହ୍ମପୁରରେ ଏକ ବିରାଟ ସମାବେଶ କରି ‘ସୁଭଦ୍ରା’ ଯୋଜନାରେ ଅନ୍ତର୍ଭୁକ୍ତ ମହିଳାମାନଙ୍କ ଦ୍ୱିତୀୟ କିସ୍ତିରେ ପାଂଚ ହଜାର କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ପ୍ରଶଂସା ସାଉଁଟୁ ଥିବା ବେଳେ ରାଜଧାନୀ ଗାନ୍ଧୀ ମାର୍ଗରେ ଗଲା ତିନି ଦିନ ହେଲା ଖରାତରାରେ ପିଚୁ ରାସ୍ତାରେ ବସି ରହିଥିବା ମହିଳାଙ୍କ ଦୁଃଖ ବୁଝିବାକୁ ଜଣେ କେହି ମନ୍ତ୍ରୀ ବା ସରକାରୀ ଅଧିକାରୀ ପହଂଚି ନଥିବା ମହିଳାଙ୍କ ପ୍ରତି ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଏହି ଧାରଣା ଚାଲିଛି । ହଜାର ହଜାର ସଂଖ୍ୟାରେ ପାଚକ, ପାଚିକା ମହିଳା ଧାରଣାରେ ବସିବା ସହ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଯେଉଁ ଦୈନିକ ମଜୁରୀ ଧାର୍ଯ୍ୟ ହୋଇଛି ତାହା ସେମାନଙ୍କୁ ମଧ୍ୟ ଦିଆଯାଉ ବୋଲି ଦାବିରେ ଡହଡହ ଖରାରେ ବସି ରହିଛନ୍ତି । ସେମାନଙ୍କ ଦୁଃଖ ବୁଝିବା ଦୂରେ ଥାଉ, କଥା ହେବାକୁ ମଧ୍ୟ କେହି ମନ୍ତ୍ରୀ ବା ସରକାରୀ ଅଧିକାରୀ ଆସୁନଥିବା ଏହି ମହିଳାମାନଙ୍କ ପାଇଁ ବଡ ଦୁଃଖ ହୋଇଛି । ‘ଆମକୁ ପାଣି ଟୋପାଏ ଦେବାକୁ ମଧ୍ୟ କାହାରି ଦେଖା ନାହିଁ । ରାସ୍ତାରେ ମରି ଗଲେ ଆମ ପିଲାଛୁଆ ଭାସି ଯିବେ’ ଏହା ହେଉଛି ଧାରଣାରେ ବସିଥିବା ମହିଳାଙ୍କ କୋହଭରା ଅଭିଯୋଗ ।
ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ, ପାଚିକା ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଓ ଧାରଣା କାର୍ଯ୍ୟକ୍ରମ ଚାଲିଛି । ଫେବୃଆରୀ ୧୩ ତାରିଖରେ ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବା ଦିନରୁ ସଂଘର ଧାରଣା ଚାଲିଛି । ୨୯ ତାରିଖରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ଅଧିବେଶନ ସରିବା ପରେ ଧାରଣା ସ୍ଥଗିତ ଥିଲା । ତେବେ, ମାର୍ଚ୍ଚ ୭ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଛି । ୬ ତାରିଖରୁ ପାଚକ, ପାଚିକାମାନେ ପୁନର୍ବାର ଧାରଣା ସ୍ଥଳକୁ ଫେରି ରାସ୍ତାରେ ବସିଛନ୍ତି । ପିଏମ୍ ପୋଷଣ ଯୋଜନାରେ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ, ପାଚିକାମାନେ କାର୍ଯ୍ୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ ଦରମା ଦେଉଛନ୍ତି । ମାସିକ ଦୁଇ ହଜାର ଟଙ୍କାରେ ସେମାନଙ୍କ ଦ୍ୱାରା ସ୍କୁଲମାନଙ୍କରେ ଭୋଜନ ରନ୍ଧା କାର୍ଯ୍ୟ ସହ ପାଇଖାନା ସଫା କରିବାଠାରୁ ଗଛରେ ପାଣି ଦେବା ପର୍ଯ୍ୟନ୍ତ ସବୁ କାମ କରାଇ ନିଆଯାଉଛି । ଗରୀବ ମହିଳାମାନେ ଅନ୍ୟ ଉପାୟ ନପାଇ ସମସ୍ତ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ପାଇଁ ଛୁଟି ବ୍ୟବସ୍ଥା ନାହିଁ କି ଅନ୍ୟ କିଛି ସରକାରୀ ସୁବିଧା ନାହିଁ । ୨୭ ବର୍ଷ ହେଲା ଉତ୍ସର୍ଗୀକୃତ ଭାବେ ସେବା କାର୍ଯ୍ୟ କରି ଆସୁଥିବା ମା’ମାନେ ରାଜ୍ୟ ସରକାରଙ୍କ ନିକଟରେ ସାତ ଦଫା ଦାବି ଉପସ୍ଥାପନ କରି ଆନ୍ଦୋଳନରେ ଅଛନ୍ତି ।
ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ, ପାଚିକା ମହାସଂଘର ଦାବି ସବୁ ହେଉଛି, ସେମାନଙ୍କୁ ତୁରନ୍ତ ନିଯୁକ୍ତପତ୍ର ସହ ପରିଚୟପତ୍ର ଦିଆଯାଉ, ସରକାରଙ୍କ ଦ୍ୱାରା ଅଣକୁଶଳୀ ଶ୍ରମଜୀବୀଙ୍କ ପାଇଁ ଧାର୍ଯ୍ୟ ଦୈନିକ ସର୍ବନିମ୍ନ ମଜୁରୀ ୪୫୨ ଟଙ୍କା ହିସାବରେ ସେମାନଙ୍କୁ ମାସିକ ୧୩,୫୦୦ଟଙ୍କାରୁ ଅଧିକ ଦରମା ଦିଆଯାଉ, ମା’ମାନଙ୍କ ନିୟନ୍ତ୍ରଣ ସ୍କୁଲ ମ୍ୟାନେଜମେଂଟ କମିଟି ହାତରୁ କାଢି ନିଆଯାଇ ତୁରନ୍ତ ଶିକ୍ଷା ବିଭାଗ ହାତରେ ନ୍ୟସ୍ତ କରାଯାଉ, ୨୦୧୮ ମସିହାରେ ମାସିକ ଦରମା ୨୦୦୦ ଟଙ୍କା ଘୋଷଣା ହୋଇଥିବା ବେଳେ ପାଚକ, ପାଚିକାଙ୍କୁ ମିଳୁଛି ମାସିକ ୧୪ ଶହ ଟଙ୍କା । ତାହା ମଧ୍ୟ ନିୟମିତ ଭାବେ ମିଳୁ ନାହିଁ । ତେଣୁ, ବକେୟା ରହିଥିବା ଦରମା ତୁରନ୍ତ ଦିଆଯାଉ । ଶହେ ଟଙ୍କା ଦରମାରୁ କାର୍ଯ୍ୟ ଆରମ୍ଭ କରି ସ୍ୱଳ୍ପ ଦରମାରେ ସ୍କୁଲମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଥିବା ମା’ମାନଙ୍କୁ ୬୦ ବର୍ଷ ଆଳ ଦେଖାଇ କାମରୁ ବାହାର କରାଯାଉଛି । ସେହି ସ୍ଥାନରେ ପରିବାରରୁ ଜଣକୁ ନିଯୁକ୍ତି ଦିଆଯାଉ ଏବଂ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହେଲେ ଦେବାକୁ ଥିବା ଏକ ଲକ୍ଷ ଟଙ୍କା ଅବସରକାଳୀନ ଭତ୍ତା ଆକାରରେ ଦିଆଯାଉ । ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ସେମାନଙ୍କୁ ମଧ୍ୟ ମାସର ପ୍ରଥମ ସପ୍ତାହରେ ଦରମା ମିଳୁ । ସମସ୍ତ କ୍ଷେତ୍ରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବର୍ଷକରେ ବାର ମାସ ଦରମା ଦିଆଯାଉଥିବା ବେଳେ ପାଚକ, ପାଚିକାଙ୍କୁ ୧୦ ମାସର ଦରମା ମିଳୁଛି । ଏହା ପରିବତ୍ତେ ସେମାନଙ୍କୁ ୧୨ ମାସର ଦରମା ଦିଆଯାଉ ।
ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ କହିଛନ୍ତି, ହଜାର ହଜାର ସଂଖ୍ୟାରେ ପାଚକ, ପାଚିକା ମହାସଂଘ ମହିଳାମାନେ ପିଲାଛୁଆଙ୍କୁ ଘରେ ଛାଡି ଭୁବନେଶ୍ୱରରେ ଖରାତରାରେ ଧାରଣାରେ ବସି ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଆଡୁ ସାମାନ୍ୟତମ ସମବେଦନା ଦେଖିବାକୁ ମିଳୁନି । ଗତକାଲି (ମାର୍ଚ୍ଚ ୭ ତାରିଖ) ଅପରାହ୍ନରେ ରାଜ୍ୟ ସରକାରଙ୍କ ‘ମିଶନ ଶକ୍ତି’ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ମହାସଂଘର ଏକ ପାଂଚ ଜଣିଆ ପ୍ରତିନିଧି ଦଳକୁ ଆଲୋଚନା ପାଇଁ ଡାକି ଥିଲେ । ମହାସଂଘ ପକ୍ଷରୁ ସାତ ଜଣ ପ୍ରତିନିଧି ଆଲୋଚନା ପାଇଁ ଯାଇଥିଲେ । ଦୀର୍ଘ ସମୟ ଆଲୋଚନା ପରେ ମାତ୍ର ଗୋଟିଏ ଦାବି ବିଚାର କରିବେ ବୋଲି ସରକାର କହିଛନ୍ତି । ତାହା ହେଉଛି, ପାଚକ, ପାଳିକାଙ୍କୁ ତୁରନ୍ତ ନିଯୁକ୍ତିପତ୍ର ସହ ପରିଚୟପତ୍ର ଦିଆଯିବା । ତେବେ, ସରକାର କେବେ ବିଚାର କରିବେ ସେନେଇ କୌଣସି ନିର୍ଦ୍ଧିଷ୍ଟ ସମୟସୀମା ଦିଆଯାଇନାହି । ଆଜି ଆନ୍ତର୍ଜାତିକ ମହିଳା ଦିବସ ହୋଇଥିବା ବେଳେ କୌଣସି ସରକାରୀ ପ୍ରତିନିଧି ଧାରଣାରେ ବସିଥିବା ମହିଳାଙ୍କୁ ଭେଟିବାକୁ ଆସି ନାହାନ୍ତି । କାଳେ କେହି ମନ୍ତ୍ରୀ ବା ଅଧିକାରୀ ସେମାନଙ୍କୁ ଭେଟିବାକୁ ଆସି ପାରନ୍ତି ଭାବି ମହାସଂଘ ପକ୍ଷରୁ ଫୁଲ ମାଳ ସହ ଅପେକ୍ଷା କରାଯାଇଛି । ସନ୍ଧ୍ୟା ସୁଦ୍ଧା କେହି ନ ଆସିଲେ ବାସୀ ଫୁଲମାଳ ସବୁ ଫିଙ୍ଗି ଦିଆଯିବ ଓ ଧାରଣା ଚାଲୁ ରହିବ ।
ଖରାତରାରେ ବିଚ୍ ରାସ୍ତାରେ ବସି ରହିଥିବା ପାଚକ, ପାଚିକା ମହାସଂଘ ମହିଳାମାନେ ଏତେଦୂର ନିରାଶା ଭିତରେ ରହିଛନ୍ତି ଯେ ସେମାନଙ୍କ ସମସ୍ୟା ଯିଏ ବୁଝିବାକୁ ଯାଉଛି ତା’ର ପାଦ ତଳେ ପଡି ମୁଣ୍ଡିଆ ମାରୁଛନ୍ତି । କହୁଛନ୍ତି, ଆମ କଥା ଟିକିଏ ବୁଝ । ପିଲାଛୁଆଙ୍କୁ ଘରେ ଛାଡି ଆସି ବସିଛୁ ରାଜଧାନୀ ରାଜରାସ୍ତାରେ । ଘରେ ପିଲାଙ୍କ ଭଲମନ୍ଦ ବୁଝିବାକୁ କେହି ନାହାନ୍ତି । ଏଠି ଆମ କଥା କେହି ବୁଝିବାକୁ ଆସୁ ନାହାନ୍ତି । ଆନ୍ତର୍ଜାତିକ ମହିଳା ଦିବସକୁ ମହାଆଡମ୍ବରରେ ପାଳନ କରୁଥିବା ମୋହନ ସରକାର ଆମ ଭଳି ଗରୀବ ମହିଳାଙ୍କ କଥା ବୁଝିବେ କେବେ ? ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ କଡା ପୁଲିସ ବଳୟ ଭିତରେ ଚାଲିଥିବା ଏହି ଧାରଣା ଆଉ କେତେ ଦିନ ଚାଲିବ, ଆଗକୁ ଜଣାପଡିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS