ଓଡ଼ିଶା ସରକାରଙ୍କ ତଂଟିରେ କଂଟା ପୋଲାଭରମ ପ୍ରକଳ୍ପ !


ପ୍ରସାଦ ରାଓ
ଭୁବନେଶ୍ୱର ୦୬/୦୩
ଆନ୍ଧ୍ର ପ୍ରଦେଶର ଏଲୁରୁ ଜିଲ୍ଲା ଓ ଇଷ୍ଟ ଗୋଦାବରୀ ଜିଲ୍ଲାରେ ଗୋଦାବରୀ ନଦୀ ଉପରେ ନିର୍ମାଣାଧୀନ ବହୁମୁଖୀ ପୋଲାଭରମ ଜଳସେଚନ ପ୍ରକଳ୍ପ ଓଡ଼ିଶା ସରକାରଙ୍କ ତଂଟିରେ କଂଟା ହୋଇ ଅଟକି ରହିଛି । ସରକାର ଏହାକୁ ଢୋକିପାରୁ ନାହାନ୍ତି କି ଉଗାଳି ପାରୁ ନାହାନ୍ତି । କାରଣ, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ଆନ୍ଧ୍ର ସରକାରଙ୍କୁ ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ବିପୁଳ ଅର୍ଥ ଅନୁଦାନ ଆକାରରେ ଦେଇଛନ୍ତି । ୨୦୨୭ ସୁଦ୍ଧା ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଆନ୍ଧ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି । ୭୩ରୁ ୭୫ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିଲାଣି । ଏହି ପ୍ରକଳ୍ପର ବନ୍ଧ ନିର୍ମାଣ କାର୍ଯ୍ୟ ଶେଷ ହେଲେ ବନ୍ୟାଜଳ ନିଷ୍କାସନ ସମୟରେ ପଛକୁ ଫେରୁଥିବା ପାଣି (ବ୍ୟାକ୍ ୱାଟର) ପ୍ରଭାବରେ ଆନ୍ଧ୍ରର କିଛି ଅଂଚଳ ସମେତ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କିଛି ବ୍ଲକ ଓ ପଡୋଶୀ ଛତିଶଗଡ଼ରେ ବ୍ୟାପକ କ୍ଷୟକ୍ଷତି ଘଟାାଇବ ବୋଲି ଆକଳନ କରାଯାଇଛି । ବ୍ୟାକ୍ ୱାଟର ପ୍ରଭାବରେ ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ ଓ ମୋଟୁ ଅଂଚଳ ଜଳମଗ୍ନ ହୋଇ ସେସବୁ ବ୍ଲକରେ ବସବାସ କରୁଥିବା ଆଦିବାସୀମାନଙ୍କ ଘରଦ୍ୱାର, ଚାଷ ଜମି, ପଶୁସଂପଦ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବେ । ତେଣୁ, ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ଏହି ବହୁମୁଖୀ ଜଳସେଚନ ପ୍ରକଳ୍ପକୁ ଆରମ୍ଭରୁ ବିରୋଧ କରି ଆସୁଛନ୍ତି ।
ଓଡ଼ିଶାରେ ବିଜେଡି ସରକାର ଥିବା ସମୟରେ ଆନ୍ଧ୍ର ପ୍ରଦେଶର ବହୁମୁଖୀ ପୋଲାଭରମ ଜଳସେଚନ ପ୍ରକଳ୍ପକୁ ବିରୋଧ କରାଯାଇ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଜିର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଜଳସଂପଦ ବିଭାଗ ମନ୍ତ୍ରୀଙ୍କୁ ପତ୍ର ଲେଖି ପୋଲାଭରମ ପ୍ରକଳ୍ପର ସଂଶୋଧିତ ଡିଜାଇନକୁ ବିରୋଧ କରିଛନ୍ତି ଏବଂ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବାକୁ ଦାବି କରିଛନ୍ତି । ମାମଲା ଟ୍ରିବ୍ୟୁନାଲରୁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଛି । ସୁପ୍ରିମ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ପକ୍ଷଭୁକ୍ତ ଥିବା ସମସ୍ତ ପକ୍ଷଙ୍କ ସହ ଆଲୋଚନା ମାଧ୍ୟମରେ ପୋଲାଭରମ ପ୍ରକଳ୍ପକୁ ନେଇ ଉପୁଜି ଥିବା ବିବାଦର ସମାଧାନ କରିବାକୁ ସରକାରଙ୍କୁ ନର୍ଦେଶ ଦେଇଛନ୍ତି । କିନ୍ତୁ, ଆନ୍ଧ୍ର ସରକାର ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ଅଣଦେଖା କରି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିବା ଅଭିଯୋଗ ହେଉଛି । ପ୍ରକଳ୍ପର ନିର୍ମାଣ ସରିଲେ ବନ୍ୟାଜଳ ନିଷ୍କାସନ ସମୟରେ ବ୍ୟାକ୍ ୱାଟର ପ୍ରଭାବରେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ପ୍ରାୟ ୬୪୮ ହେକ୍ଟର ଓ ଛତିଶଗଡ଼ରେ ୭୯୫ ହେକ୍ଟର ଜମି ଜଳମଗ୍ନ ହେବ ବୋଲି କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଆକଳନ କରିଛି ।
କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ରାଷ୍ଟ୍ର ମନ୍ତ୍ରୀ ରାଜ ଭୂଷଣ ଚୌଧୁରୀ କହଛନ୍ତି, ପୋଲାଭରମ ଡ୍ୟାମରେ ୧୫୦ଫୁଟରୁ ଅଧକ ପାଣି ଭର୍ତ୍ତି ହୋଇଗଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଆଠଟି ରାଜସ୍ୱ ଗ୍ରାମର ୧,୦୦୫ ପରିବାର ଜଳମଗ୍ନ ହୋଇଯିବେ । ତେବେ, ଆନ୍ଧ୍ର, ଓଡ଼ିଶା ଓ ଛତଶଗଡ଼ ମଧ୍ୟରେ ହୋଇଥିବା ରାଜିନାମା ଭିତ୍ତିରେ ଏହି ପ୍ରକଳ୍ପ ନିର୍ମାଣ ହେଉଥିବା ସେ ଦର୍ଶାଇଛନ୍ତି । ଏହି ଓଡ଼ିଶାର ଆଠଟି ରାଜସ୍ୱ ଗ୍ରାମକୁ ଜଳମଗ୍ନ ହେବାରୁ ବଂଚାଇବା ପାଇଁ ମାଲକାନଗିରିର ସାବେରୀ ଓ ସିଲେରୁ ନଦୀରେ ପ୍ରତିରୋଧକ କାନ୍ଥ ବା ରିଟେନିଂ ୱାଲ୍ ନର୍ମାଣ କରାଯିବାକୁ ଏବଂ ଓଡ଼ିଶା ସରକାର ଏହା ନିର୍ମାଣ କରିବାକୁ କେନ୍ଦ୍ର ସରକାର କହିଥିଲେ ମଧ୍ୟ ଓଡ଼ିଶା ସରକାର ଆଜି ସୁଦ୍ଧା ଏଦିଗରେ ପଦକ୍ଷେପ ନେଇ ନାହାନ୍ତି ବୋଲି କେନ୍ଦ୍ର ମନ୍ତ୍ରୀଙ୍କ ଆଡୁ ଅଭଯୋଗ ହୋଇଛି । ତେବେ, ଏହି ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ ଦ୍ୱାରା ଗୋଦାବରୀ ନଦୀ ଅବବାହିକାରେ ଥିବା ଆନ୍ଧ୍ର ପ୍ରଦେଶର ବ୍ୟାପକ ଅଂଚଳ ବିଶେଷ ଉପକୃତ ହେବାକୁ ଥିବା ବେଳେ ଓଡ଼ିଶା ସରକାର ନିଜ ଖର୍ଚ୍ଚରେ ସାବେରୀ ଓ ସିଲେରୁ ନଦୀରେ ୩୦.୨ କିମି (ସାବେରୀ ନଦୀରେ ୧୨ କିମି ଓ ସିଲେରୁ ନଦୀରେ ୧୮.୨ କିମି ଲମ୍ବ) ରିଟେନିଂ ୱାଲ୍ କାହିଁକି ନିର୍ମାଣ କରିବେ (?) ବୋଲି ଓଡ଼ିଶାରେ ପ୍ରଶ୍ନ ହେଉଛି ।
ପୋଲାଭରମ ବହମୁଖୀ ଜଳସେଚନ ପ୍ରକଳ୍ପକୁ ନେଇ ୧୯୭୦ରେ ଯେଉଁ ମୂଳ ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା ସେଥିରେ ବନ୍ୟା ପରିସ୍ଥିତିରେ ୩୬ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କଥା କୁହାଯାଇଥିଲା । ଆଜିର ସଂଶୋଧିତ ଡିଜାଇନରେ ତାହା ୫୦ ଲକ୍ଷ କ୍ୟୁସେକ ହେବ କୁହାଯାଉଛି । ମୂଳ ଡିଜାଇନରେ ବ୍ୟାକ୍ ୱାଟର ସ୍ତର ୧୭୪.୨୨ ଫୁଟ ରହିବ ଦର୍ଶାଯାଇଥିବା ବେଳେ ସଂଶୋଧିତ ଡିଜାଇନରେ ତାହା ୨୩୨,୨୮ ଫୁଟ୍ ହେବ ବୋଲି ଆକଳନ କରାଯାଉଛି । ତେଣୁ, ବନ୍ୟାଜଳ ନିଷ୍କାସନ ସମୟରେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଯେତିକି ଅଂଚଳ ଜଳମଗ୍ନ ହେବା କେନ୍ଦ୍ର ସରକାର ଦର୍ଶାଉଛନ୍ତି ତାହାଠାରୁ ବହୁ ଅଧିକ ପରିମାଣ ଜମି, ଘରଦ୍ୱାର ଓ ପଶୁସଂପଦ ଜଳମଗ୍ନ ହେବେ ବୋଲି ବିଜେଡି ଅଭିଯୋଗ କରିଛି । କେନ୍ଦ୍ର ସରକାର ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ତୁରନ୍ତ ରୋକ୍ ଲଗାନ୍ତୁ ବୋଲି ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜେଡି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି । ଫେବୃୟାରୀ ୨୮ ତାରିଖ ଦିନ ମାଲକାନଗିରି ଜିଲ୍ଲାର ମୋଟୁଠାରେ ବିଜେଡି ଓ ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ଏକ ବଡ ଧରଣର ପ୍ରତିବାଦ ସମାବେଶର ଆୟୋଜନ ହୋଇଥିଲା । ରାଜ୍ୟର ବରିଷ୍ଠ ବିଜେଡି ନେତାଙ୍କ ସମତେ ଦଳିତ ସମାଜ, ବହୁଜନ ସମାଜ ପାର୍ଟି ଓ ଅନ୍ୟୁନ ୧୪ଟି ଆଦିବାସୀ ସଂଗଠନ ଏଥିରେ ଭାଗ ନେଇଥିଲେ । ବିଜେଡି ମୁଖ୍ୟ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସେମାନଙ୍କୁ ଉଦବୋଧନ ଦେଇଥିଲେ ।
ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବାକୁ ଥିବା ନେଇ ସେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଜଳ ଶକ୍ତି ବିଭାଗ ମନ୍ତ୍ରୀ ସି.ଆର.ପାଟିଲଙ୍କୁ ଏକାଧିକ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ କୌଣସି ପ୍ରତିକ୍ରିୟା ନାହିଁ । ଓଡ଼ିଶାର ଜଣେ ଆଦିବାସୀ ନେତା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଅଛନ୍ତି । ସେ ଅନ୍ତତଃ ପୋଲାଭରମ ପ୍ରକଳ୍ପ ଦ୍ୱାରା ଜଳମଗ୍ନ ହେବାକୁ ଯାଉଥିବା ମାଲକାନଗିରି ଜିଲ୍ଲା ଆଦିବାସୀଙ୍କ ସମସ୍ୟାକୁ ହୃଦବୋଧ କରୁଥିବେ ବୋଲି ନବୀନ ଆଶାବ୍ୟକ୍ତ କରିବା ସହ ପୋଲାଭରମ ପ୍ରକଳ୍ପ ବିରୋଧରେ ବିଜେଡି ତାହାର ପ୍ରତିବାଦ ଆନ୍ଦୋଳନ ଅବ୍ୟାହତ ରଖିବ ଓ ଆଗକୁ ଜୋରଦାର କରିବ ବୋଲି ଘୋଷଣା କରିଛନ୍ତ । ବିଜେଡିର ଏକ ତଥ୍ୟ ଅନୁସଂଧାନକାରୀ ଦଳ ଗତ ବର୍ଷ ଶେଷ ଭାଗରେ ମାଲକାନଗିରି ଜିଲ୍ଲା ଗସ୍ତ କରି ପୋଲାଭରମ ପ୍ରକଳ୍ପ ଦ୍ୱାରା ହେବାକୁ ଥିବା ସମ୍ଭାବ୍ୟ କ୍ଷତିର ଆକଳନ କରିଥିଲେ । ଜଲ୍ଲାର ୨୩୬ଟି ଗ୍ରାମ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବ ବୋଲି ବିଜେଡି ନେତାମାନେ ନବୀନଙ୍କୁ ରିପୋର୍ଟ ଦେଇଥିଲେ । ୨୦୨୪ ଜୁନରୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିଛି ।
ବିଜେପିର ଅଭିଯୋଗ ହେଉଛି, ବିଗତ ୨୪ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର ଥିଲା ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ । ବରିଷ୍ଠ କଂଗ୍ରେସ ନେତା ଟି.ଆଂଜେୟା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୋଦାବରୀ ନଦୀରେ ପୋଲାଭରମ ପ୍ରକଳ୍ପ ନିର୍ମାଣର ଶିଳାନ୍ୟାସ ହୋଇଥିଲା । ଓଡ଼ିଶାରେ ମଧ୍ୟ ଦୀର୍ଘ ବର୍ଷ କଂଗ୍ରେସର ଶାସନ ଥିଲା । ନବୀନ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦ୍ରରେ ଶାସନରେ ଥିବା ଉଭୟ ୟୁପିଏ ଓ ଏନଡିିଏ ସରକାରଙ୍କ ସହ ତାଙ୍କର ଉତ୍ତମ ସଂପର୍କ ରହିଥିଲା । ୨୦୧୪ରୁ କେନ୍ଦ୍ରରେ ଶାସନରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନବୀନ ସଂସଦରେ ଆଖିବୁଜା ସମର୍ଥନ ଦେଉଥିଲେ । ସେତେବେଳେ ପୋଲାଭରମ ପ୍ରକଳ୍ପ ବିରୋଧରେ ସ୍ୱରକୁ ଶାଣିତ ନକରି ଏବେ କ୍ଷମତାରୁ ଯିବା ପରେ ନବୀନ ପ୍ରକଳ୍ପର ନିର୍ମାଣକୁ ରୋକିବା ପାଇଁ ଦାବି କରିବା ଓ ଆନ୍ଦୋଳନର ରାସ୍ତା ଆପଣାଇବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ନବୀନ ନିଜ ଦଳ ଭିତରର ସଂକଟରୁ ଲୋକଙ୍କ ନଜର ହଟାଇବା ପାଇଁ ପୋଲାଭରମକୁ ପ୍ରସଙ୍ଗ କରି ପ୍ରହସନ ଚଳାଇଛନ୍ତି ।
ଅପରପକ୍ଷରେ ବିରୋଧୀଙ୍କ ଅଭିଯୋଗ ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଓ ଅନ୍ୟପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ସାହାରା କରି କେନ୍ଦ୍ରରେ ତୃତୀୟ ପାଳି ସରକାର ଚଳାଇ ଥିବାରୁ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରୁଛନ୍ତି । କେନ୍ଦ୍ରୀୟ ବଜେଟରେ ସେମାନଙ୍କ ପାଇଁ ବିପୁଳ ଅର୍ଥ ବ୍ୟବସ୍ଥା କରାଯାଇଛି, ଯାହାକି ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅମରାବତୀକୁ ଆଧୁନିକ ରାଜଧାନୀ ସହର ଭାବେ ପ୍ରତିଷ୍ଠା କରିବାକୁ ଏବଂ ପୋଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପର ନିର୍ବାଣ କାର୍ଯ୍ୟ ସାରିବାକୁ କେନ୍ଦ୍ର ସରକାର ୧୮ ହଜାର କୋଟି ଟଙ୍କା ଦେଇଛନ୍ତି । ଯେତେବେଳ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପର ନିର୍ମାଣ ଶେଷ କରିବାକୁ ଆନ୍ଧ୍ର ସରକାରଙ୍କୁ ହଜାର ହଜାର କୋଟି ଦେଉଛନ୍ତି ଓଡ଼ିଶା ସରକାର ପୋଲାଭରମକୁ ବିରୋଧ କରିବେ ବା କେମିିତି ? ଏହା ହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରର ବଡ ଦୁର୍ବଳତା । ଓଡ଼ିଶାରେ କଂଗ୍ରେସ ଦଳ ମଧ୍ୟ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନାତ୍ମକ ପଦକ୍ଷେପ ନେଉଛି । ରାଜ୍ୟ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେଉଥିବାରୁ ବିଧାନସଭାରେ ପୋଲାଭରମ ବଡ ପ୍ରସଙ୍ଗ ହୋଇ ରହିଛି । ରାଜ୍ୟ ସରକାର ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଦାୟି କରି ଓ ଗୋଲମୋଲ ଉତ୍ତର ଦେଇ ବିରୋଧୀଙ୍କ ଚାପକୁ ଏଡାଇ ଗଲେ । ଦ୍ୱତୀୟ ପର୍ଯ୍ୟାୟ ଅଧିବେଶନ ମଧ୍ୟ ସେହିଭଳି ହେବ କି ରାଜ୍ୟ ସରକାର ମାଲକାନଗିରି ଜିଲ୍ଲା ଆଦିବାସୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ – ତାହା ଦେଖିବାକୁ ବାକି ରହିଛ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS