ବିଜୁ ବାବୁଙ୍କୁ ନେଇ ଓଡ଼ିଶା ବିଜେପି ଏତେ ଅସହିଷ୍ଣୁ କାହିଁକି ?


ପ୍ରସାଦ ରାଓ
ଭୁବନେଶ୍ୱର ୦୫/୦୩:
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ରାଜନେତା ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନକୁ ପୂର୍ବତନ ବିଜେଡି ସରକାର ୨୦୨୦ ମସିହାରୁ ପଂଚାୟତରାଜ ଦିବସ ଭାବେ ପାଳନ କରି ଆସୁଥିଲେ । ମାର୍ଚ୍ଚ ୫ ତାରିଖକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଥିଲା । ରାଜ୍ୟରେ ବିଜେଡି ସରକାର ଥିବା ଯାଏଁ ଏହା ଅବାଧରେ ଚାଲିଥିଲା । ୨୦୨୪ ଜୁନରେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ପାଇଁ ଏଥିରେ ବ୍ୟତିକ୍ରମ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଦୁଇ ଦିନ ତଳେ ଏକ ବିଜ୍ଞପ୍ତି ଜାରି କରି ମାର୍ଚ୍ଚ ୫ ତାରିଖ ବଦଳରେ ଏପ୍ରିଲ ୨୪ ତାରିଖରେ ଜାତୀୟ ପଂଚାୟତରାଜ ଦିବସ ସହ ଓଡ଼ିଶାରେ ପଂଚାୟତରାଜ ଦିବସ ପାଳନ କରାଯିବ ବୋଲି ସୂଚିତ କରିବା ସହ ମାର୍ଚ୍ଚ ୫ ତାରିଖ ଦିନ ହେଉଥିବା ସରକାରୀ ଛୁଟିକୁ ବାତିଲ କରି ଦେଇଛନ୍ତି । ରାଜ୍ୟର ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭଳି ବିଜୁ ବାବୁଙ୍କ ଜନ୍ମ ଦିନ ମଧ୍ୟ ସରକାରୀ ଭାବେ ପାଳନ କରାଯିବ ବୋଲି କହି ସରକାର ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀକୁ ନେଇ ବିଜେପିର ଏହି ରାଜନୀତି ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଛି । ସରକାରୀ ଛୁଟି ତ ବାତିଲ ହୋଇଯାଇଛି, ରାଜ୍ୟ ସରକାର ବିଗତ ଚାରି ବର୍ଷ ହେଲା ଚାଲିଥିବା ଧାରାକୁ ବଦଳାଇ ଜାତୀୟ ପଂଚାୟତରାଜ ଦିବସ ସହ ଓଡ଼ିଶାର କାର୍ଯ୍ୟକ୍ରମକୁ ଯୋଡି ଦେଇଛନ୍ତି । ଏହାକୁ ରାଜ୍ୟ ବିଜେପି ସରକାରଙ୍କ ଅସହିଷ୍ଣୁତା କୁହାଯିବ ନା ଆଉ କଣ କୁହାଯିବ – ତାହା ବଡ ପ୍ରଶ୍ନ ହୋଇଛି ।
୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକ କଟକ ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଘର ଗଂଜାମ ଜିଲ୍ଲା ନୂଆଗାଁ ହୋଇଥିବା ବେଳେ ମାତା ଆଶାଲତା ଦେବୀ ପୂର୍ବ ବଂଗର । ବିଜୁ ବାବୁଙ୍କ ମାମୁ ଥିଲେ ଜଣେ ବିପ୍ଳବୀ ନେତା । ୧୯୩୦ରେ ଚିଟ୍ଟାଗଂଗ ଆର୍ମୋରୀ ଉପରେ ହୋଇଥିବା ବିପ୍ଲବୀଙ୍କ ଆକ୍ରମଣରେ ବିବୁ ବାବୁଙ୍କ ମାମୁଙ୍କ ଭୂମିକା ଥିଲା । ୧୬ ବର୍ଷ ବୟସରେ ବିଜୁ ବାବୁ ସାଇକଲରେ କଟକରୁ ପେଶୱାର ୨,୩୮୫ କିମି ଯାତ୍ରା କରି ତାଙ୍କ ଦୁଃସାହସିକତାର ପରିଚୟ ଦେଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ରୟାଲ ଇଣ୍ଡିଆନ ଏୟାର ଫୋର୍ସର ଏକ ଫ୍ଲାଇଂ ମିଶନରେ ସାମିଲ ହୋଇଥିଲେ । ସେ ତାଙ୍କ ବିରୋଧୀ ଭାବେ ଜଣାଶୁଣା ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଅରୁଣା ଅସଫ ଅଲ୍ଲୀଙ୍କୁ ରାଜନୈତିକ ଆଶ୍ରୟ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ‘ଭାରତ ଛାଡ’ ଆନେ୍ଦୋଳନ ସମୟରେ ସେ ବ୍ରିଟିଶ ସେନାରେ ଥିବା ଭାରତୀୟ ସୈନିକଙ୍କୁ ସଚେତନ କରିବାକୁ ଆକାଶ ମାର୍ଗରୁ ଲିଫଲେଟ୍ ବ୍ୟାଗ ଖସାଇ ଥିଲେ । ୧୯୪୩ ମସିହାରେ ବ୍ରିଟିଶ ସରକାର ତାଙ୍କୁ ଗିରଫ କରି ଦୁଇ ବର୍ଷ ଜେଲରେ ରଖିଥିଲେ । ୧୯୪୫ରେ ବିଜୁ ବାବୁ ଜେଲରୁ ମୁକୁଳିବା ପରେ ସକ୍ରୀୟ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୪୬ରେ ଉତ୍ ତର କଟକ ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୩୮ ମସିହାରେ ସେ ବିମାନରେ ଲାହୋରରେ ପହଂଚି ପଂଜାବୀ ମହିଳା ଜ୍ଞାନ ସିଂହ ଓରଫ ଜ୍ଞାନ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।
ବିଜୁ ବାବୁଙ୍କ ଦୁଃସାହସର ଆହୁରି ଅନେକ କାହାଣୀ ବା କିମ୍ବଦନ୍ତୀ ରହିଛି । ତେବେ, ସ୍ୱାଧୀନତା ପରେ ଓଡ଼ିଶାରେ ଯାହାବି ଆଖିଦୃଶିଆ ବିକାଶ ହୋଇଛି ତାହା ବିବୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ । ସେ ପାରାଦୀପ ବନ୍ଦର ହେଉ ବା ହିରାକୁଦ ଡ଼୍ୟାମ୍ । ଚାରବାଟିଆରେ ପ୍ରତିରକ୍ଷା ବିଭାଗର ଏରୋନଟିକ ରିସର୍ଚ୍ଚ ସେଂଟର (ଏଆରସି), ଚୌଦ୍ୱାରରେ କଳିଙ୍ଗ ଟ୍ୟୁବ୍ସ ଭଳି ଶିଳ୍ପ ସଂସ୍ଥା ପ୍ରତିଷ୍ଠା ତାଙ୍କ ପ୍ରଥମ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀତ୍ୱ ସମୟର ସଫଳ କାହାଣୀ । ୧୯୯୦ରେ ସେ ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ୧୯୯୧ରେ ରାଜ୍ୟରେ ପ୍ରଥମ ଥର ପାଇଁ ପଂଚାୟତରାଜ ସଂସ୍ଥାମାନଙ୍କରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇଥିଲା, ଯାହାକି ସର୍ବଭାରତୀୟସ୍ତରରେ ପ୍ରଥମ ଥିଲା । ବିଜୁ ବାବୁଙ୍କ ଦେହାନ୍ତ ପରେ ସାନ ପୁଅ ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିକୁ ଆସି ବାପାଙ୍କ ଆସନ (ଗଂଜାମ ଜିଲ୍ଲାର ଆସିକା ଲୋକସଭା ଆସନ)ରେ ହୋଇଥିବା ଉପନିର୍ବାଚନରେ ସଂସଦକୁ ନିର୍ବାଚିତ ହୋଇଥିଲେ । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ନବୀନ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । ବାପାଙ୍କ ନାମରେ ନବୀନ ବିଜୁ ଜନତା ଦଳ (ବିଜେଡି) ଗଠନ କରି ୨୦୦୦ରୁ ୨୦୨୪ ଯାଏଁ ଲଗାତର ଓଡ଼ିଶା ମୁଖ୍ୟମନ୍ତ୍ରୀ ରହିବା ପରେ ୨୦୨୪ ନିର୍ବାଚନରେ ପରାଜିତ ହୋଇ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି । ଓଡ଼ିଶାରେ ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସହ ବିଭିନ୍ନ ପଂଚାୟତରାଜ ଅନୁଷ୍ଠାରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବାରେ ବିଜୁ ବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସ୍ମରଣୀୟ କରିବା ପାଇଁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ବିଜୁ ବାବୁଙ୍କ ଜନ୍ମ ଦିନ ମାର୍ଚ୍ଚ ୫ ତାରିଖକୁ ରାଜ୍ୟରେ ପଂଚାୟତରାଜ ଦିବସ ଭାବେ ପାଳନ କରାଯାଉଥିଲା । ବିଜେପି ହାତକୁ ରାଜ୍ୟର ଶାସନ ଡୋର ଯିବା ପରେ ପ୍ରଥମ କରି ମାର୍ଚ୍ଚ ୫ ତାରିଖ ବଦଳରେ ଏପ୍ରିଲ ୨୪ ତାରିଖରେ ଜାତୀୟ ପଂଚାୟତରାଜ ଦିବସ ସହ ଓଡ଼ିଶାକୁ ଯୋଡା ଯାଇ ବିଜୁ ବାବୁଙ୍କ ଅବଦାନକୁ ନ୍ୟୁନ କରିବା ଉଦ୍ୟମ ହୋଇଛି ।
ଓଡ଼ିଶାରେ ମାର୍ଚ୍ଚ ୫ ତାରିଖ ଦିନ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ସହ ପଂଚାୟତରାଜ ଦିବସ ପାଳନ ହେଉଥିବାରୁ ସରକାରୀ ଛୁଟି ରହୁଥିଲା ଏବଂ ସରକାରୀ କାର୍ଯ୍ୟାଳୟ ସହ ସମସ୍ତ ସ୍କୁୁଲ, କଲେଜ ବନ୍ଦ ରହୁଥିଲା । ୨୦୨୫ ସରକାରୀ କ୍ୟାଲେଣ୍ଡରରେ ମଧ୍ୟ ମାର୍ଚ୍ଚ ତାରିଖକୁ ଛୁଟି ଭାବେ ଦର୍ଶାଯାଇଥିଲା । ତେବେ, ମୁଖ୍ୟମନ୍ତ୍ରୀ ମାଝୀଙ୍କ ଅଧିନରେ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁଇ ଦିନ ତଳେ ଏକ ବିଜ୍ଞପ୍ତି ଜାରି କରାଯାଇ ମାର୍ଚ୍ଚ ୫ ତାରିଖ ଛୁଟି ବାତିଲ ହୋଇଥିବା ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ସଫେଇ ହେଉଛି, ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀମାନଙ୍କ ଜନ୍ମ ଦିନରେ ସରକାରୀ ଛୁଟି ହେବା ବ୍ୟବସ୍ଥା ନାହିଁ । ରାଜ୍ୟ ସରକାର ସେମାନଙ୍କ ଜନ୍ମ ବାର୍ଷିକୀ ପାଳନ କରି ଆସୁଛନ୍ତି । ବିଜୁ ବାବୁଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଥିଲା । ମାର୍ଚ୍ଚ ୫ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିବା ସହ ବିଜୁ ବାବୁଙ୍କ ଜନ୍ମ ଦିନକୁ ପଂଚାୟତରାଜ ଦିବସ ଭାବେ ପାଳନ କରି ଆସୁଥିଲେ । ରାଜ୍ୟ ବିଜେପି ସରକାର ଏବେ ଏହି ବ୍ୟତିକ୍ରମ ଦୂର କରଛନ୍ତି । ଏପ୍ରିଲ ୨୪ରେ ସଂବିଧାନରେ ୭୩ତମ ସଂଶୋଧନ କରାଯାଇ ଜାତୀୟସ୍ତରରେ ପଂଚାୟତରାଜ ଅନୁଷ୍ଠାନକୁ ସ୍ୱୀକୃତି ଦିଆଯାଇଥିଲା । ତେଣୁ, ଜାତୀୟସ୍ତରରେ ଏପ୍ରିଲ ୨୪ ତାରିଖକୁ ପଂଚାୟତରାଜ ଦିବସ ରୂପେ ପାଳନ କରାଯାଉଛି । ଓଡ଼ିଶା ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପାଳନ ହେଉଥିବା ପଂଚାୟତରାଜ ଦିବସକୁ ସେଥି ସହ ଯୋଡି ଦିଆଯାଇଛି । ଯେହେତୁ ମାର୍ଚ୍ଚ ୫ ତାରିଖରେ ପଂଚାୟତରାଜ ଦିବସ ପାଳନ ହେଉନି ରାଜ୍ୟ ସେଦିନ ହେଉଥିବା ସରକାରୀ ଛୁଟିକୁ ବାତିଲ କରିଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି । ଉଭୟ ବିଜେଡି ଓ କଂଗ୍ରେସ ଏହାକୁ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ କହି ରାଜ୍ୟ ବିଜେପି ସରକାରଙ୍କୁ ଘେରିଛନ୍ତି । ବିଜୁ ବାବୁଙ୍କ ନାମକୁ ନିଶ୍ଚିହ୍ନ କରି ଦେବା ପାଇଁ ବିଜେପିର ଏହା ପ୍ରଚ୍ଛନ୍ନ ଉଦ୍ୟମ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାର ନିଜର ନିରପେକ୍ଷ ସାବ୍ୟସ୍ତ କରିବା ସକାଶେ ଆଜି ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀକୁ ସରକାରୀ ଭାବେ ପାଳନ କରୁଛନ୍ତି । ସନ୍ଧ୍ୟାରେ ଭୁବନେଶ୍ୱର ସୂଚନା ଭବନରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଯେଉଁ ସଭାର ଆୟୋଜନ କରାଯାଇଛି ସେଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଥିବା ସମୟରେ ବିଜେଡି ମୁଖ୍ୟ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମ୍ମାନୀତ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ତେବେ, ନବୀନ ସରକାରଙ୍କ ଏହି ନିମନ୍ତ୍ରଣକୁ ଗ୍ରହଣ କରବା ପରିବର୍ତ୍ତେ ‘ଶଙ୍ଖ ଭବନ’ (ରାଜ୍ୟ ବିଜେଡି କାର୍ଯ୍ୟାଳୟ)ରେ ସାମ୍ବାଦିକଙ୍କୁ ଭେଟି ରାଜ୍ୟ ବିଜେପି ସରକାର ହେଉଛନ୍ତି ‘ରଂଗ ବଦଳା’ ଓ ‘ନାମ ବଦଳା’ ସରକାର, ବିଜୁ ବାବୁଙ୍କ ନାମକୁ ନିଶ୍ଚିହ୍ନ କରିବା ପାଇଁ ସେମାନଙ୍କ ପ୍ରଚେଷ୍ଟା ସଫଳ ହେବ ନାହିଁ ବୋଲି କହିଛନ୍ତି । ବିଜେଡି ଆଜି ଶଙ୍ଖ ଭବନରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ କରିଥିବା ବେଳେ କଂଗ୍ରେସ ଆଜି ଭୁବନେଶ୍ୱରସ୍ଥିତି ମୁଖ୍ୟ କାର୍ଯ୍ୟାଳୟରେ ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନ ନାମରେ ରାଜ୍ୟସ୍ତରୀୟ ଚିନ୍ତନ ଶିବିର ଆୟୋଜନ କରିଥିଲା । ପିସିସି ସଭାପତି ଭକ୍ତ ଚରଣ ଦାସ ସେଥିରେ ଅଧ୍ୟକ୍ଷତା କରି ପଂଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳର ସଂଗଠନ ସୁଦୃଢ କରାଯିବ ବୋଲି ଘୋଷଣା କରିଥିଲେ । ସେ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଥିଲେ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS