ଓଡ଼ିଶା ବିଜେପି ସଭାପତି କିଏ ? ମୋଦୀ-ଶାହାଙ୍କ ଝୁଲାମୁଣି ଉପରେ ସମସ୍ତଙ୍କ ନଜର !


ପ୍ରସାଦ ରାଓ
ଫେବୃୟାରୀ ୨୭/୨୦୨୫
ଓଡ଼ିଶାରେ ଆଠ ମାସ ଧରି ମଙ୍ଗୁଆଳ ନଥାଇ ଦଳ ଚାଳିବା ପରେ ନିକଟରେ ଏଆଇସିିସି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେଇଛି । ଭକ୍ତ ପିସିସି ସଭାପତି ହେବା ପରେ ଫେବୃୟାରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ପୁରୀ ଯାଏଁ ସଂକଳ୍ପ ଯାତ୍ରା କରି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ରାଜ୍ୟରେ କଂଗ୍ରେସକୁ ସଂଗଠିତ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ୨୦୨୭ରେ ରାଜ୍ୟରେ ଗ୍ରାମ ପଂଚାୟତ ନିର୍ବାଚନ ହେବାକୁ ଅଛି । ତେଣୁ, ତୃଣମୂଳସ୍ତରରୁ ଦଳକୁ ସଂଗଠିତ କରିବା ଭକ୍ତଙ୍କ ପାଇଁ ବଡ ଚ୍ୟାଲେଂଜ ହୋଇଛି । ସେହିପରି, ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଥିବା ବିଜେଡି ତାହାର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରି ସାରିଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭରୁ ଦଳର ସଭାପତି ରହିଛନ୍ତି । ପୁନର୍ବାର ସେ ସଭାପତି ନିର୍ବାଚିତ ହେବା ନିଶ୍ଚିତ । ଦଳରେ ବିଭିନ୍ନ କାରଣରୁ ଅସନ୍ତୋଷ କୁହୁଳୁ ଥିବା ବିଜେଡ଼ି ମୁଖ୍ୟଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଦଳରେ ବିଭିନ୍ନ ବର୍ଗର ନେତାମାନେ ଅଲଗା ଅଲଗା ମେଳି କରୁଥିବାରୁ ଆଗାମୀ ଦିନରେ ଦଳ ଭାଂଗି ଯାଇପାରେ ବୋଲି ଅନେକ ଆଶଙ୍କା କରୁଛନ୍ତି । ତେବେ, ନବୀନ ଅସନ୍ତୋଷକୁ ପ୍ରସମିତ କରି ଦଳକୁ ସଂଗଠିତ ରଖିବା ଉଦ୍ୟମ କରୁଛନ୍ତି । ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରି ଥିବାରୁ ଅତିଶୀଘ୍ର ନେତାଙ୍କ ମଧ୍ୟରେ ଥିବା ଅସନ୍ତୋଷ ଦୂର ହେବ ଏବଂ ବିଜେଡି ପୁନର୍ବାର ଶକ୍ତିଶାଳୀ ହୋଇ ଉଭା ହେବ ବୋଲି ବିଜେଡି ନେତାମାନେ ଆଶା କରୁଛନ୍ତି । ଏବେ, ସମସ୍ତଙ୍କ ନଜର ବିଜେପି ଉପରେ ରହିଛି ।
୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେଡିକୁ ଚିତ୍ କରି କ୍ଷମତା ଦଖଲ କରିଥିବା ବିଜେପି ଏବେ ପୁରା ଯୋଶ୍ ରେ ଥିବା ବେଳେ ରାଜ୍ୟ ବିଜେପିର କିଏ ମଂଗୁଆଳ ହେବ ତାହା ଚୟନ କରିବାରେ ଗୋଷ୍ଠୀ ବିବାଦର ସାମ୍ନା କରୁଥିବା ଲକ୍ଷ୍ୟ କରାଯାଉଛି । ଦଳରେ ଥିବା ଭିନ୍ନ ଭିନ୍ନ ଗୋଷ୍ଠୀ ନିଜ ପସନ୍ଦର ନେତାଙ୍କୁ ସଭାପତି କରିବାକୁ ଛକାପଂଝାରେ ଥିବାରୁ କିଏ ହେବ ବିଜେପିର ରାଜ୍ୟ ସଭାପତି – ତାହା ଆଜି ଦିନରେ ନିୟୁତ ଡଲାର ପ୍ରଶ୍ନ ହୋଇଛି । ଫେବୃୟାରୀ ସୁଦ୍ଧା ଓଡ଼ିଶା ବିଜେପିକୁ ଜଣେ ମଂଗୁଆଳ ମିଳି ଯିବେ ବୋଲି ସମସ୍ତେ ଆଶା କରିଥିଲେ । ତେବେ, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦଳର ରାଷ୍ଟ୍ରୀୟ ସଭାପତି ନିର୍ବାଚନ ଶେଷ ହେବାକୁ ଥିବାରୁ ଓଡ଼ିଶାରେ ମାଚ୍ଚ ୧୫ ସୁଦ୍ଧା ନୂତନ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମର ମଂଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତୋମର କହିଛନ୍ତି, ୧୨ଟି ରାଜ୍ୟରେ ବିଜେପି ସଭାପତି ନିର୍ବାଚନ ସରିଥିବା ବେଳେ ଓଡ଼ିଶା ପାଇଁ ଏପର୍ଯ୍ୟନ୍ତ ପ୍ରକ୍ରିୟା ଆରମ୍ଭ ହୋଇପାରିନି । ତେବେ, ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ଅତିଶୀଘ୍ର ରିଟର୍ଣ୍ଣିଂ ଅଫିସର ସଂଜୟ ଜୟସ୍ୱାଲଙ୍କ ସହ ଆଲୋଚନା ଆରମ୍ଭ କରାଯିବ । ମାର୍ଚ୍ଚ ୧୫ ସୁଦ୍ଧା ଓଡ଼ିଶାରେ ବିଜେପି ସଭାପତି ନିର୍ବାଚନ ଶେଷ ହେବ । ତାହା ପୂର୍ବରୁ ସମସ୍ତ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବ । ତେବେ, ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରିପିଟ୍ କରିବେ କି ଅନ୍ୟ କାହା ମୁଣ୍ଡରେ ଶିରିପା ବାନ୍ଧିବେ, ସେ ନେଇ ଦଳ ଆଡୁ କୌଣସି ସ୍ପଷ୍ଟ ସୂଚନା ନାହିଁ । ତେଣୁ, ରାଜ୍ୟର ବରିଷ୍ଠ ବିଜେପି ନେତାମାନେ ଅନ୍ଧାରରେ ବାଡି ବୁଲାଉ ଥିବା ଦେଖିବାକୁ ମିଳୁଛି । ଓଡ଼ିଶା ବିଜେପି ସଭାପତି କିଏ ହେବ ବୋଲି ପ୍ରଶ୍ନ ହେଲେ ସେମାନେ ଦଳର ରାଷ୍ଟ୍ରୀୟ ନେତୃତ୍ୱ ଓ ଚୟନ କମିଟିକୁ ଆଂଗୁଠି ଦେଖାଉଛନ୍ତି ।
କିଛି ନେତା କହୁଛନ୍ତି, ସଭାପତି ଚୟନ ପାଇଁ ଏପର୍ଯ୍ୟନ୍ତ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଚୟନ କମିଟି ବୈଠକ ବସିଲେ ଏନେଇ ଆଲୋଚନା ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ମୁଣିରୁ ଯାହା ନାଁ ବାହାରିବ ସେ ସଭାପତି ହେବେ ଓ ଅନ୍ୟମାନେ ତାହା ଗ୍ରହଣ କରି ନେବାକୁ ବାଧ୍ୟ ହେବେ । ମନମୋହନ ସାମଲ ରିପିଟ୍ ହେବେ କି କୌଣସି ନୂଆ ନେତାଙ୍କୁ ସଭାପତି ଦାୟିତ୍ୱ ମିଳିବ ଏବେଠାରୁ କହିବା ସମ୍ଭବ ନୁହେଁ । ନିକଟରେ ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତାଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ମୋଦୀ-ଶାହା ଯାହା ନାମ କହିବେ ସେ ହିଁ ଦଳର ରାଜ୍ୟ ସଭାପତି ହେବେ । ସେ ନିଜେ ସଭାପତି ହେବାକୁ ଆଗ୍ରହୀ ନୁହନ୍ତି କି (?) ବୋଲି ପ୍ରଶ୍ନ ହେବାରୁ ନେତା ଜଣକ କହିଲେ, ସବୁ ନେତା ରାଜ୍ୟ ସଭାପତି ହେବାକୁ ଚାହୁଁଛନ୍ତି । ତେବେ, ଦଳର ସମସ୍ତ ନିଷ୍ପତ୍ତି ରାଷ୍ଟ୍ରୀୟସ୍ତରରେ ହେଉଥିବାରୁ ଯିଏବି ଆଗ୍ରହୀ ଥାଆନ୍ତୁ ଶୀର୍ଷ ନେତୃତ୍ୱର ନିଷ୍ପତ୍ତିକୁ ମାନି ନେବେ ।
ବିଜେପିର କିଛି ଯୁବ ନେତାଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଓଡ଼ିଶା ଶାଖାର ନିଭୃତ ସମର୍ଥନ ରହିଛି । ତେଣୁ, ସେ ରିପିଟ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ, ଜାତୀୟ ରାଜନୀତିରେ ପ୍ରଭାବ ରଖିଥିବା କିଛି ବିଜେପି ନେତା ମନମୋହନ ରିପିଟ୍ ହେବା ସପକ୍ଷରେ ନଥବାରୁ ସଭାପତି ନିର୍ବାଚନ ବିଳମ୍ବିତ ହେଉଛି । ନେତାଙ୍କ ଭିତରେ ଛକାପଂଝାରେ ଓଡ଼ିଶା ବିଜେପି ସଭାପତି ଚୟନ ଫସି ରହିଛି । ପରୋକ୍ଷରେ ଏହି ଯୁବ ନେତାମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଇଂଗିତ କରୁଛନ୍ତି । ତେବେ, ଯେତେ ଯାହା ଛକାପଂଝା ଚାଲିଲେ ମଧ୍ୟ ରାଷ୍ଟ୍ରୀୟ ନେତୃତ୍ୱ ଯାହାକୁ ବାଛିବେ ସେ ଓଡ଼ିଶା ବିଜେପି ସଭାପତି ହେବେ ବୋଲି ସ୍ପଷ୍ଟ କହିଛନ୍ତି ।
ବିଜେପି ନେତାମାନେ ମୋଦୀ, ଶାହାଙ୍କ ଝୁଲାମୁଣି କଥା କହୁଥିବା ବେଳେ ତୋମର କିନ୍ତୁ ଏସଂପର୍କରେ ନିରବ । ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶା ବିଜେପି ମନମୋହନ ସାମଲଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲା । ଦଳ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ୨୪ ବର୍ଷ ଧରି ଓଡ଼ିଶାରେ ଶାସନରେ ଥିବା ବିଜେଡିକୁ ପ୍ରବଳ ଆକ୍ରମଣ କରିବା ସହ ବିଜେଡିକୁ ଧରାଶାୟୀ କରିଥିଲା । ରାଜ୍ୟରେ ପ୍ରଥମ ଥର ବିଜେପି ସରକାର କରିବାର ଶ୍ରେୟ ମନମୋହନଙ୍କୁ ଯାଉଛି । ରାଜ୍ୟ ବିଧାନସଭାରେ ଦଳକୁ ୧୪୭ରୁ ୭୮ ଆସନ ମିଳିଥିବା ବେଳେ ଲୋକସଭାରେ ଓଡ଼ିଶାର ୨୧ରୁ ୨୦ ଆସନ ବିଜେପି ଦଖଲ କରିଛି । ରାଜ୍ୟର ଏକମାତ୍ର ଲୋକସଭା ଆସନ କଂଗ୍ରେସ ହାତକୁ ଯାଇଛି । ବିଜେଡି ଲୋକସଭାରେ ସଂପୂର୍ଣ୍ଣ ମୂଳପୋଛ ହୋଇଯାଇଛି । ମନମୋହନଙ୍କ ପରିଶ୍ରମ ଓ ପ୍ରୟାସରୁ ଏହା ସମ୍ଭବ ହୋଇଛି ବୋଲି ବିଜେପିର ଉଭୟ ରାଜ୍ୟ ଓ ରାଷ୍ଟ୍ରୀୟ ନେତାମାନେ ସ୍ୱୀକାର କରୁଛନ୍ତି ।
ତେବେ, ମନମୋହନ ନିଜେ ନିଜ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ପ୍ରାର୍ଥୀ ହୋଇ ହାରି ଯାଇଥିବା ତାଙ୍କ ବିରୋଧରେ ଗୋଟି ଚାଳନା ପାଇଁ ପ୍ରମୁଖ ଅସ୍ତ୍ର ହୋଇଛି । ବିରୋଧୀ ଗୋଷ୍ଠୀ ମନମୋହନଙ୍କୁ ସଭାପତି କରାଇ ନଦେବାକୁ ଗୋଟି ଚଳାଇ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଚାଣକ୍ୟ ଶାହା ଚାହିଁଲେ ମନମୋହନଙ୍କୁ ରିପିଟ୍ କରିପାରନ୍ତି ବା ତାଙ୍କୁ କେନ୍ଦ୍ରୀୟ ସଂଗଠନରେ ଦାୟିତ୍ୱ ଦେବା ସହ ଅନ୍ୟ କାହାକୁ ଓଡ଼ିଶାରେ ବିଜେପି ସଭାପତି କରି ପାରନ୍ତି ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି । ମୋଦୀ-ଶାହାଙ୍କ ଝୁଲାମୁଣି କଥା କହି ଗତ ବର୍ଷ ଜୁନ ମାସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଚୟନକୁ ଉଦାହରଣ ଭାବେ ଦର୍ଶାଇଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପିର ସରକାର ହେବା ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବହୁ ବରିଷ୍ଠ ଓ ଅଭିଜ୍ଞ ନେତା ଆଗ୍ରହୀ ଥିଲେ ଓ ଲବି କରୁଥିଲେ । କିନ୍ତୁ, ଜୁନ ୧୧ ତାରିଖରେ ଦଳର ରାଷ୍ଟ୍ରୀୟ ନେତୃତ୍ୱ ସମସ୍ତଙ୍କୁ ଚମକ୍ରୃତ କରି କେଉଁଝର ବିଧାୟକ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା କରିଥିଲେ ।
ମାଝୀ ଜୁନ ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ଅନ୍ୟ ରାଷ୍ଟ୍ରୀୟ ନେତାଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ସହ ଶପଥ ନେଇଥିବା ଅଧିକାଂଶ ମନ୍ତ୍ରୀ ନୂଆ । ଶାସନ ଓ ପ୍ରାଶାସନିକ ଅଭଜ୍ଞତା ନଥାଇ ମଧ୍ୟ ଅଧିକାଂଶ ମନ୍ତ୍ରୀ ପଦ ପାଇ ନଅ ମାସ ହେଲା ସରକାର ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ମଧ୍ୟରେ ଯଥେଷ୍ଟ ତାଳମେଳର ଅଭାବ ଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ରାଜ୍ୟରେ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ମାଝୀ ନିଜକୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ଉପସ୍ଥାପନ କରିବାକୁ ଅହରହ ଉଦ୍ୟମ କରୁଛନ୍ତି । କେବଳ, ମୋହନ ମାଝୀ ନୁହନ୍ତି, ପୁଷ୍କର ସିଂହ ଧାମୀଙ୍କ ଠାରୁ ଆରମ୍ଭ କରି ସାହବ ସିଂହ ସୈନୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆକସ୍ମିକ ଭାବେ ମୋଦୀ-ଶାହାଙ୍କ ଝୁଲାମୁଣିରୁ ବାହାରି ନିଜ ନିଜ ରାଜ୍ୟକୁ ସଫଳତାର ସହ ଶାସନ କରୁଛନ୍ତି । ବିଜେପି କେନ୍ଦ୍ରୀୟ ନେତୃତ୍ୱ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛି ।
ମୋହନ ସରକାରକୁ ନେଇ ବିଜେପି ନେତା ଜଣକ କହିଛନ୍ତି, ଗଲା ନଅ ମାସ ହେଲା ରାଜ୍ୟରେ ଡବଲ ଇଂଜିନ ସରକାର ଠିକ୍ ବାଟରେ ଚାଲିଛି । ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ସଂଗେ ସଂଗେ ଦଳ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ସବୁକୁ ବାସ୍ତବ ରୂପ ଦେବାକୁ ଉଦ୍ୟମ କରୁଛନ୍ତି । ନଅ ମାସ ଭିତରେ ଅନେକ ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦିଆଯାଇଛି । ଆଗକୁ ଅନ୍ୟନ୍ୟ ପ୍ରତିଶ୍ରୁତି ମଧ୍ୟ ବାସ୍ତବ ରୂପ ନେବ । ୨୪ ବର୍ଷର ବିଜେଡି ସରକାର ବଜେଟରେ ଅର୍ଥ ବ୍ୟବସ୍ଥା ନକରି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଥିଲେ ସିନା ସେସବୁ କାର୍ଯ୍ୟକାରୀ ହେଉନଥିଲା । ରାଜ୍ୟବାସୀ ନିରାଶ ହୋଇ ସରକାର ବଦଳାଇ ଦେଲେ । ମୋହନ ସରକାର କିନ୍ତୁ ଗୋଟି ଗୋଟି କରି ସମସ୍ତ ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବାକୁ ବଜେଟ ବ୍ୟବସ୍ଥା କରିଛନ୍ତି ଓ କାର୍ଯ୍ୟାନ୍ୱୟନ ଆରମ୍ଭ କରି ସାରିଛନ୍ତି । ସରକାର ପାଂଚ ବର୍ଷ ରହିବ । ଓଡ଼ିଶାକୁ ବିକାଶ ଆଡକୁ ଆଗେଇ ନେଇ ରାଜ୍ୟବାସୀଙ୍କ ମନ ଜିଣିବ ବୋଲି ରାଜ୍ୟ ବିଜେପି ନେତାମାନେ ବିଶ୍ୱାସ କରୁଛନ୍ତି ।
ବିଜେଡିରେ ଯେଭଳି ଅସନ୍ତୋଷ କୁହୁଳିବାରେ ଲାଗିଛି କେତେବେଳେ ଯେ ଦଳରେ ବଡ ବିସ୍ଫୋରଣଟିଏ ହେବ ତାହା ଉପରେ ଉଭୟ ବିଜେପି ଓ କଂଗ୍ରେସର ନଜର ରହିଛି । ବିଜେଡିରେ ବିସ୍ଫୋରଣ ଘଟିଲେ କିଏ ଲାଭବାନ ହେବ, ତାହାର ହିସାବ ନିକାସ ଚାଲିଛି । ଭକ୍ତଙ୍କ ନେତୃତ୍ୱକୁ ଭରସା କରି ସେମାନେ କଂଗ୍ରେସ ମୁହାଁ ହେବେ କି ମୋଦୀଙ୍କୁ ଭରସା କରି ବିଜେପି ମୁହାଁ ହେବେ ? ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିଜେପି ରାଜ୍ୟ ସଭାପତି ନିଯୁକ୍ତି ପଦ୍ମ ଘୁଂଚି ଘୁଂଚି ଚାଲିଛି । ଭକ୍ତ ପିସିସି ସଭାପତି ହେବା ପରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଜେପି ସଭାପତି ଚୟନକୁ ନେଇ ସମୟ ଗଡାଉଛି । ଏଭଳି ସ୍ଥିତିରେ ବିଜେଡିର ଅସନ୍ତୁଷ୍ଟ ନେତାମାନେ କାହାକୁ ଭରସା କରିବେ, ତାହା ବଡ ପ୍ରଶ୍ନ ହୋଇଛି । ତେବେ, ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଓଡ଼ିଶାକୁ ଦଳର ମଂଗୁଆଳ ମିଳି ଯିବେ ବୋଲି ବିଜେପିର ଓଡ଼ିଶା ପ୍ରଭାରୀ ତୋମରଙ୍କ ସୂଚନା ସାମୟିକ ଭାବେ ରାଜ୍ୟ ବିଜେପି ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଯଥେଷ୍ଟ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS