ଆତିଶୀ ହେଲେ ପ୍ରଥମ ମହିଳା ବିରୋଧୀ ଦଳ ନେତା


ପ୍ରସାଦ ରାଓ
ଫେବୃୟାରୀ ୨୩/୨୦୨୫
ଆମ୍ ଆଦମୀ ପାଟି (ଆପ୍) ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନାଙ୍କୁ ଆଜି ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତି ଦେଇଛି । ଦଳର ବରିଷ୍ଠ ନେତା ତଥା ବିଧାୟକ ଗୋପାଳ ରାୟ ଗଣମାଧ୍ୟମକୁ ଏହା ସୂଚିତ କରିଛନ୍ତି । ଗତ ସେପ୍ଟେମ୍ବର ମାସରେ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସରକାରରେ ମନ୍ତ୍ରୀ ଥିବା ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ‘ଆପ୍’ ତାଙ୍କରି ନେତୃତ୍ୱରେ ହିଁ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢି ଥିଲା । ତେବେ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ‘ଆପ୍’ ୨୨ ଆସନରେ ସୀମିତ ରହିଯାଇଥିବା ବେଳେ ବିଜେପି ୪୮ ଆସନରେ ବିଜୟୀ ହୋଇ ୨୭ ବର୍ଷ ପରେ ଦିଲ୍ଲୀରେ ସରକାର କରିଛି । ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଜି ‘ଆପ୍’ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ ଦେଇଛି । ଏହି ନିଯୁକ୍ତି ପରେ ‘ଆପ୍’ ମୁଖ୍ୟ କେଜରୀୱାଲ ଆତିଶୀଙ୍କୁ ଅଭିନନ୍ଦନ ଜଣାଇ ‘ଏକ୍ସ’ରେ ପୋଷ୍ଟ୍ କରିଛନ୍ତି । ଆତିଶୀ ହେଉଛନ୍ତି ଦେଶର ପ୍ରଥମ ମହିଳା ଯିଏକି ବିଧାନସଭାରେ ବିରୋଧୀ ଦଳ ନେତା ହେବା ସୁଯୋଗ ପାଇଛନ୍ତି । ଆଜି ଦିଲ୍ଲୀ ବିଧାନସଭାରେ ‘ଆପ୍’ ବିଧାୟକ ଦଳ ବୈଠକ ବସି ଆତିଶୀଙ୍କୁ ନେତା ନିର୍ବାଚିତ କରାଯାଇଥିଲା । ଆତିଶୀଙ୍କ ନେତୃତ୍ୱରେ ଦଳ ଦିଲ୍ଲୀବାସୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ବିଧାନସଭାରେ ଏକ ଗଠନମୂଳକ ବିରୋଧୀ ଦଳ ଭାବେ କାର୍ଯ୍ୟ ନିର୍ବାହ କରିବ ବୋଲି ଗୋପାଳ ରାୟ ଗଣମାଧ୍ୟମକୁ କହିଛନ୍ତି । ଆତିଶୀ ମଧ୍ୟ ତାଙ୍କୁ ଦଳ ପକ୍ଷରୁ ଏହି ଗୁରୁଦାୟିତ୍ୱ ଦିଆଯାଇଥିବାରୁ ଦଳର ମୁଖ୍ୟ କେଜରୀୱାଲ ଓ ଦଳୀୟ ବିଧାୟକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆତିଶୀ ଦିଲ୍ଲୀର କାଲକାଜୀ ଆସନରୁ ପ୍ରାର୍ଥୀ ଥିଲେ ଏବଂ ବିଜେପିର ପୂର୍ବତନ ସାଂସଦ ରମେଶ ବିଧୁରୀ ଓ କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ସହ ତାଙ୍କର କଡା ମୁକାବିଲା ହୋଇଥିଲା । ତିିନି ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସେ ବିଜେପି ପ୍ରାର୍ଥୀ ବିଧୁରୀଙ୍କୁ ପରାଜିତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ଲାମ୍ବା ବହୁ ପଛରେ ଥିଲେ । ୪୩ ବର୍ଷ ବୟସ୍କ ଆତିଶୀ ଥିଲେ ଦିଲ୍ଲୀର ତୃତୀୟ ତଥା କନିଷ୍ଠ ମୁଖ୍ୟମନ୍ତ୍ରୀ । ୨୦୨୪ ସେପ୍ଟେମ୍ବର ୨୧ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କ ପୂର୍ବରୁ ବିଜେପିର ସୁଷମା ସ୍ୱରାଜ କମ୍ ଦିନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ । ସୁଷମାଙ୍କ ପରେ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷୀତ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିଥିଲେ । ଗତ ଗୁରୁବାର ଦିନ ରାମଲୀଳା ମଇଦାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପିର ରେଖା ଗୁପ୍ତା ହେଉଛନ୍ତି ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ । ‘ଆପ୍’ ୨୦୧୩ରୁ ୨୦୨୫ ପର୍ଯ୍ୟନ୍ତ ଦିଲ୍ଲୀରେ ଶାସନରେ ଥିଲା । ଦଳକୁ ୨୦୧୫ ବିଧାନସଭା ନିର୍ବାଚନରେ ୬୭ ଓ ୨୦୨୦ ବିଧାନସଭା ନିର୍ବାଚନରେ ୬୨ ଆସନ ମିଳିଥିବା ବେଳେ ୨୦୨୫ରେ ମାତ୍ର ୨୨ଟି ଆସନ ମିଳିଛି । ‘ଆପ୍’ ମୁଖ୍ୟ କେଜରୀୱାଲ ପ୍ରଥମେ ୨୦୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ଅଳ୍ପ ଦିନ ପାଇଁ କ୍ଷମତାରେ ରହି ଇସ୍ତଫା ଦେଇଥିଲେ । ୨୦୧୫ ଓ ୨୦୨୦ ନିର୍ବାଚନରେ ଦଳର ବିପୁଳ ବିଜୟ ହେବାରୁ ସେ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ ଯିବା ପରେ ମଧ୍ୟ କେଜରୀୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିଲେ । ଗତ ବର୍ଷ ସେପ୍ଟେମ୍ବର ମାସରେ ସେ ସୁପ୍ରିମ କୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ । ୨୦୨୫ ବିଧାନସଭା ନିର୍ବାଚନରେ ଦଳ ସଂଖ୍ୟାଗରିଷ୍ଠତା ପାଇଲେ ମୁଖ୍ୟମନ୍ତ୍ରୀ ହେବେ ବୋଲି କେଜରୀୱାଲ ଆଶା ରଖିଥିବା ବେଳେ ବିଜେପି ବାଜି ମାରି ନେଇଛି ଏବଂ ସେ ନିଜେ ମଧ୍ୟ ନିର୍ବାଚନରେ ପରାଜିତ ହୋଇଛନ୍ତି । ତେବେ, ଆତିଶୀ ବିଧାନସଭାକୁ ନିର୍ବାଚିତ ହୋଇ ବିଧାନସଭାରେ ପ୍ରଥମ ମହିଳା ବିରୋଧୀ ଦଳ ନେତା ହେବା ସୁଯୋଗ ପାଇଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS