ଅଚ୍ୟୁତଙ୍କୁ ନେଇ ଅଡୁଆରେ ଶାସକ ଓ ବିରୋଧୀ !


ପ୍ରସାଦ ରାଓ
ଫେବୃୟାରୀ ୨୨/୨୦୨୫
ମାଳ ମାଳ ଡକ୍ଟରେଟ୍ ଓ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ପୁରସ୍କାର ପାଇବା ସହ ଓଡ଼ିଶାରେ ଜଣେ ଆଗଧାଡିର ଶିକ୍ଷାବିତ୍ ଏବଂ ସମାଜସେବୀ ଭାବେ ନାଁ କମାଇ ଥିବା ‘କିଟ୍’ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଦିନରେ ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଅଡୁଆ ହୋଇଛନ୍ତି । ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବା ବେଳେ ଫେବୃୟାରୀ ୧୬ ତାରିଖ ରାତିରେ ‘କିଟ୍’ ବିଶ୍ୱବିଦ୍ୟାଳୟର ଜଣେ ନେପାଳୀ ଇଂଜିନିୟରିଂ ଛାତ୍ରୀ ହଷ୍ଟେଲରେ ନିଜ କୋଠରୀରେ ଆତ୍ମହତ୍ୟା କରିବା, ପରବର୍ତ୍ତୀ ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା, ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କୁ ଦମନ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ସାଇନ-ଡେ ଘୋଷଣା କରି ସେମାନଙ୍କୁ ହଷ୍ଟେଲରୁ ତଡିବା ଉଦ୍ୟମ କରିବା, କ୍ୟାମ୍ପସରେ ପୁଲିସ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ଅଧିକାରୀ ଓ ଅଧସ୍ତନ କର୍ମଚାରୀମାନେ ଏହି ବିଦେଶୀ ଛାତ୍ରଛାତ୍ରଙ୍କ ପ୍ରତି ଅସଭ୍ୟ ବ୍ୟବହାର ପ୍ରଦର୍ଶନ କରିବା ସହ ଜୋରଜବରଦସ୍ତ କ୍ୟାମ୍ପସରୁ ବିଦା କରିବା ପ୍ରଭୃତି ଘଟଣା ‘କିଟ୍’ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପାଇଁ ମହଂଗା ପଡିଛି ।
ସେହିଭଳି, ରାଜ୍ୟ ସରକାର ମଧ୍ୟ ଘଟଣାକୁ ନେଇ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରିବାରେ ବିଫଳ ହୋଇ ବିଧାନସଭାରେ ଓ ବାହାରେ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହୋଇଛନ୍ତି । ବିରୋଧୀ ମଧ୍ୟ କମ୍ ଅଡୁଆରେ ନାହାନ୍ତି । ବିଧାନସଭାରେ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ସରକାରକୁ ସମାଲୋଚନା କରିବା ବେଳେ ନିଜେ ମଧ୍ୟ ଅଡୁଆରେ ପଡୁଛନ୍ତି । କାରଣ, ଏହି ଶିକ୍ଷା ବ୍ୟବସାୟୀ ଜଣକ ରାଜନୈତିକ ଦଳ ନିର୍ବିଶେଷରେ ସବୁ ଦଳର ପୃଷ୍ଠପୋଷକତାରେ ବଳିୟାନ ହୋଇଛନ୍ତି ଓ ନିଜ ବ୍ୟବସାୟକୁ ଅବିଶ୍ୱସନୀୟ ସ୍ତରକୁ ବଢାଇଛନ୍ତି । ଗଲା କିଛି ବର୍ଷ ଧରି ସେ ଓଡ଼ିଶା ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ବିଜେଡି ନେପାଳୀ ଛାତ୍ର ଆତ୍ମହତ୍ୟା ଘଟଣା ଓ ତାହା ପରବର୍ତ୍ତୀ ପରିସ୍ଥିତିକୁ ନେଇ ଅଚ୍ୟୁତଙ୍କୁ ସମାଲୋଚନା କରିବା ସହ ତାଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ବେଳେ ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ସେ ସେହି ଦଳର ସାଂସଦ ଥିବାରୁ ଶାସକ ଦଳ ବିଜେଡିକୁ ଘେରିବାକୁ ପଛାଉ ନାହିଁ ।
ବିଜେଡି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ୨୪ ବର୍ଷର ଶାସନରେ ‘କିଟ୍’ ଘରୋଇ ବିଶ୍ୱବିଦ୍ୟାଳୟକୁ କେବଳ ପ୍ରୋତ୍ସାହିତ କରି ନାହାନ୍ତି, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ସକ୍ରିୟ ରାଜନୀତିରେ ସାମିଲ କରିଛନ୍ତି । ୨୦୧୮ରେ ନବୀନ ବାବୁ ପ୍ରଥମେ ଅଚ୍ୟୁତ ସାମନ୍ତଙ୍କୁ ବିଜେଡିକୁ ଆଣି ରାଜ୍ୟସଭାକୁ ପଠାଇ ଥିଲେ । ୨୦୧୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଅଚ୍ୟୁତ ରାଜ୍ୟସଭା ସଦସ୍ୟ ଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ ଓଡ଼ିଶାର କନ୍ଧମାଳ ଲୋକସଭା ଆସନରୁ ସଂସଦକୁ ପ୍ରାର୍ଥୀ କରାଯାଇଥିଲା । ଅଚ୍ୟୁତ ନିର୍ବାଚନ ଜିତି ୨୦୨୪ ପର୍ଯ୍ୟନ୍ତ ଲୋକସଭାରେ ସାଂସଦ ରହିଥିଲେ । ୨୦୨୪ ନିର୍ବାଚନରେ ମଧ୍ୟ ବିଜେଡି ଅଚ୍ୟୁତଙ୍କୁ କନ୍ଧମାଳରୁ ଲୋକସଭା ପ୍ରାର୍ଥୀ କରିଥିଲା । ତେବେ, ଅଚ୍ୟୁତ ପରାଜିତ ହେବା ପରେ ରାଜନୈତିକ ସନ୍ୟାସ ଘୋଷଣା କରି ବିଜେଡିରୁ ଦୂରେଇ ଯାଇଛନ୍ତି ।
୨୦୨୪ ନିର୍ବାଚନରେ ବିଜେଡି ଓଡ଼ିଶାରେ ଲଗାତର ଷଷ୍ଠ ଥର ପାଇଁ କ୍ଷମତା ଦଖଲରେ ବିଫଳ ହେବା, ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର କରିବା ଏବଂ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର ୨୧ରୁ ୨୦ ଆସନରେ ବିଜୟୀ ହୋଇଥିବା ବେଳେ ବିଜେଡି ଲୋକସଭାରେ ‘ଶୂନ’ ହୋଇଯିବା ପ୍ରଭୃତି ବିଘଟଣ ବୋଧହୁଏ ଅଚ୍ୟୁତଙ୍କୁ ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ ବିଜେଡିରୁ ଦୂରେଇବାକୁ ବାଧ୍ୟ କରିଛି । ଓଡ଼ିଶାରେ ସଂଖ୍ୟାଲଘୁ ଜାତି ଓ ଜନଜାତି ଶିକ୍ଷାର୍ଥୀଙ୍କ ଶୁଭେଚ୍ଛୁ ଓ ତ୍ରାଣକର୍ତ୍ତା ଭାବେ ଅଚ୍ୟୁତ ବର୍ଷ ବର୍ଷ ଧରି ଯେଉଁ ଭାବମୂର୍ତ୍ତୀ ଗଢିଛନ୍ତି ତାହାକୁ ବିନା ବାଧାରେ ଆଗକୁ ନେବାକୁ ସେ ରଣନୀତି ଆପଣାଇ ଥିବା ବେଳେ ଫେବୃୟାରୀ ୧୬ ତାରିଖ ରାତିରେ ‘କିଟ୍’ ହଷ୍ଟେଲରେ ଘଟିଥିବା ଛାତ୍ରୀ ଆତ୍ମହତ୍ୟା ଘଟଣା ଏବଂ ପରେ କ୍ୟାମ୍ପସରେ ସୃଷ୍ଟି ହୋଇଥିବା ପରିସ୍ଥିତି ତାଙ୍କୁ କାଠଗଡାକୁ ଟାଣି ଆଣିଛି । ନଅ ମାସ ହେଲା ରାଜ୍ୟର ଶାସନ ଡୋରି ଧରିଥିବା ବିଜେପି ମଧ୍ୟ ୧୬ ତାରିଖ ରାତି ଘଟଣାକୁ ଏକ ସାଧାରଣ ଘଟଣା ଭାବେ ଗ୍ରହଣ କରି ନେଇ ଏବେ ସମାଲୋଚନାର ଶରବ୍ୟ ହୋଇଛି ।
ରାଜ୍ୟ ସରକାର ୧୬ ତାରିଖ ରାତିରେ ‘କିଟ୍’ କ୍ୟାମ୍ପସରେ ଘଟିଥିବା ଘଟଣା ଓ ତାହା ପରବର୍ତ୍ତୀ ଉତ୍ତେଜନାକୁ କେବଳ ଏକ ଆଇନଶୃଙ୍ଖଳା ପରିସ୍ଥିତି ବୋଲି ଧରି ନେଇ ନାକ ପୁରାଇ ନଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବା ଦାୟିତ୍ୱ ସଂପୃକ୍ତ ଘରୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୁଲିସ ପ୍ରଶାସନ ଉପରେ ଛାଡି ଦିଆଗଲା । ‘କିଟ୍’ କର୍ତ୍ତୃପକ୍ଷ ମଧ୍ୟ ମାତ୍ରାଧିକ ଆତ୍ମବିଶ୍ୱାସ ଦେଖାଇ କ୍ୟାମ୍ପସରେ ପ୍ରତିବାଦ କରୁଥିବା ଶହ ଶହ ନେପାଳୀ ଛାତ୍ରଛାତ୍ରୀଙ୍କୁ ଶାନ୍ତ କରାଇବାକୁ ପ୍ରଥମେ ସାଇନ୍-ଡେ (କେବଳ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ) ଘୋଷଣା କରିଥିଲେ ଓ ପ୍ରତିବାଦ ନ ଥମିବାରୁ ବଳପୂର୍ବକ ସେମାନଙ୍କୁ ହଷ୍ଟେଲରୁ ବିଦା କରିଥିଲେ । ପ୍ରତିବାଦକାରୀ ନେପାଳୀ ଛାତ୍ରଛାତ୍ରୀଙ୍କୁ ନିର୍ଦୟ ଭାବେ କୁହାଯାଇଥିଲା, ନେପାଳର ମୋଟ ଜିଡିପି ଯାହା ‘କିଟ୍’ ବିଶ୍ୱବିଦ୍ୟାଳୟର ଖର୍ଚ୍ଚ ସେୟା । ଯାହାକି, ନେପାଳ ଛାତ୍ରଛାତ୍ରୀ ଓ ନେପାଳ ସରକାରଙ୍କ ପାଇଁ ଥିବା ଅଶ୍ୱସ୍ତିକର ଓ ଅପମାନଜନକ । ଏହା ଜାଣି ମଧ୍ୟ ରାଜ୍ୟ ସରକାର ଥିଲେ ପ୍ରତିକ୍ରିୟା-ଶୂନ୍ୟ ।
ଓଡ଼ିଶା ରାଜଧାନୀରେ ଉଠିଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦର ସ୍ୱର ସୂଦୂର ନେପାଳରେ ପ୍ରତିଧ୍ୱିନିତ କରିବାରୁ ଓ ନେପାଳରେ ତାହାର ପ୍ରତିକ୍ରିୟା ଦେଖିବାକୁ ମିଳିବା ସହ ନେବାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ‘କିଟ୍’ ଘଟଣାକୁ ନିନ୍ଦା କରି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ୍ କରିବାରୁ ଓଡ଼ିଶାରେ ବିଜେପି ସରକାରଙ୍କ ନିଦ ଭାଂଗିଲା । ନେପାଳ ପ୍ରଧାନମନ୍ତ୍ରୀ ଓଲି ଭାରତରେ ଥିବା ନେପାଳ ରାଷ୍ଟ୍ରଦୂତଙ୍କୁ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ ନେପାଳ ଦୂତାବାସର ଦୁଇ ଜଣ ପ୍ରତିନିଧି ଓଡ଼ିଶା ଆସି ‘କିଟ୍’ ଘଟଣାର ତଦନ୍ତ କରିବାରୁ ‘କିଟ୍’ କର୍ତ୍ତୃପକ୍ଷ ଘଟଣାକୁ ଦୁର୍ଭାଗ୍ୟଜନକ ଓ ଅପ୍ରତ୍ୟାଶିତ କହି ଉତ୍ତେଜନା ପ୍ରସମିତ କରିବା ଉଦ୍ୟମ କଲେ । ଫେବୃୟାରୀ ୧୩ ତାରିଖରୁ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇସାରିଥିଲା । ‘କିଟ୍’ ଘଟଣା ବିଧାନସଭାରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ହୋଇଥିଲା । ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ଫେବୃୟାରୀ ୧୬ରେ ‘କିଟ୍’ କ୍ୟାମ୍ପସରେ ଘଟିଥିବା ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ତାହା ପରବର୍ତ୍ତୀ ପରିସ୍ଥିତି ବିଧାନସଭାରେ ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ ରହି ଥିଲା ।
ବିରୋଧୀଙ୍କ ଚାପରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ‘କିଟ୍’ ପ୍ରସଙ୍ଗକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ । ପ୍ରଥମ ପର୍ଯ୍ୟାୟରେ ‘କିଟ୍’ର ଦୁଇ ଜଣ ସୁରକ୍ଷା କର୍ମୀଙ୍କ ଓ ତିନି ଜଣ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ହଷ୍ଟେଲ ଦାୟିତ୍ୱରେ ଥିବା ଦୁଇ ଜଣ ୱାର୍ଡେନଙ୍କୁ ମଧ୍ୟ ନିଳମ୍ବିତ କରାଯାଇଥିଲା । ପରେ ସଂପୂର୍ଣ୍ଣ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ‘କିଟ୍’ ମୁଖ୍ୟ ଅଚ୍ୟୁତ ସାମନ୍ତଙ୍କ ସମେତ ଅନ୍ୟ ୮ ଜଣ ଅଧିକାରୀଙ୍କୁ ଶୁକ୍ରବାର (୨୧ ତାରିଖ) କମିଟି ସମ୍ମୁଖରେ ହାଜର ହେବାକୁ ନୋଟିସ ଦେଇଥିଲେ । ଏହି ନୋଟିସ ମୁତାବକ ଅଚ୍ୟୁତ ଓ ‘କିଟ୍’ ଅଧିକାରୀମାନେ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ କମିଟି ସମ୍ମୁଖରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି । ଅଚ୍ୟୁତଙ୍କୁ ତିନି ଘଂଟାରୁ ଅଧିକ ସମୟ ଜେରା କରାଯାଇଥିବା ଜଣାପଡିଛି । ୧୬ତାରିଖ ଘଟଣାରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ଘଉଡାଇବାକୁ ‘କିଟ୍’ କର୍ତ୍ତୃପକ୍ଷ ଯେଉଁ ସାଇନ-ଡେ ଘୋଷଣା କରିଥିଲେ ତାହା ପରେ ତୁରନ୍ତ ପ୍ରତ୍ୟାହାର କରି ନେଇଥିଲେ । ନେପାଳ ଦୂତାବାସ କର୍ତ୍ତୃପକ୍ଷ, ନେପାଳୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ସହ ଯୋଗଯୋଗ କରି ଆଲୋଚନା କରିଥିଲେ ଏବଂ ତୁରନ୍ତ ସେମାନେ କ୍ୟାମ୍ପସକୁ ଫେରିଆସି ପାଠପଢାରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ଭବିଷ୍ୟତରେ ଏଭଳି ଘଟଣାର ପୁନରୁବୃତ୍ତି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ତଥାପି, ‘କିଟ୍’ରେ ପଢୁଥିବା ପ୍ରାୟ ୯୦୦ ନେପାଳୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୧୦୦ ଜଣ କ୍ୟାମ୍ପସକୁ ଫେରିଥିବା ବିରୋଧୀ ବିଧାୟକମାନେ ୨୧ ତାରିଖ ଦିନ ବିଧାନସଭାରେ ସରକାରଙ୍କ ଦୃଷ୍ଟିକୁ ଆଣି କ୍ୟାମ୍ପସକୁ ଫେରିନଥିବା ଛାତ୍ରଛାତ୍ରୀ କିଭଳି ଅବସ୍ଥାରେ ଅଛନ୍ତି ତାହା ଅନୁଧ୍ୟାନ କରିବାକୁ ଓ ଏହି ଘଟଣାରେ ‘କିଟ୍’ ମୁଖ୍ୟ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେମାନେ ଦାବି କରିଛନ୍ତି । ପରବର୍ତ୍ତୀ ସମୟରେ କିଟ୍ ବିଶ୍ୱବିଦ୍ୟାଳୟା ଆଉ ପାଂଚ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର (୨୧ ତାରିଖ) ଦିନ ରାଜ୍ୟ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସରକାର ଉପସ୍ଥାପନ କରିଥିବା ବଜେଟ ଉପରେ ବିଧାନସଭାରେ ଆଲୋଚନା ହେଉଥିବା ବେଳେ କଂଗ୍ରେସ ପକ୍ଷରୁ ଗୃହରେ ‘କିଟ୍’ ପ୍ରସଙ୍ଗକୁ ନେଇ ଏକ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା । ବିଧାନସଭା ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଗୃହରେ ଅଧ୍ୟକ୍ଷତା କରୁଥିବା ବାଚସ୍ପତି ସୁରମା ପାଢୀ ମଧ୍ୟ ତାହା ଉପରେ ଆଲୋଚନା ପାଇଁ ଅନୁମତି ଦେଇଥିଲେ ।
କଂଗ୍ରେସ ଓ ବିଜେଡି ବିଧାୟକମାନେ ‘କିଟ୍’ ପ୍ରସଙ୍ଗରେ ସରକାରଙ୍କ ଅବହେଳା ଓ ମାନସିକତାକୁ କଠୋର ସମାଲୋଚନା କରି ଏହା ଏକ ଆଇନଶୃଙ୍ଖଳା ପ୍ରସଙ୍ଗ ହୋଇଥିବା ଗୃହ ମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିବୃତି ଦାବି କରିଥିଲେ । ‘କିଟ୍’ ଘଟଣାକୁ ସେମାନେ ନିନ୍ଦା କରିବା ସହ ପରିସ୍ଥିତି ପାଇଁ ସରକାରଙ୍କୁ ଦାୟି କରିଥିଲେ । ତେବେ, ବିଜେପି ବିଧାୟକମାନେ ଯାହା ଘଟିଛି ତାହା ଦୁର୍ଭାଗ୍ୟଜନକ ବୋଲି ସ୍ୱୀକାର କରିବା ସହ ‘କିଟ୍’ ପ୍ରତିଷ୍ଠାତା କେଉଁମାନଙ୍କ ବଳରେ ବଳିୟାନ (?) ବୋଲି ପ୍ରଶ୍ନ ଉଠାଇ ବିରାଧୀ ବିଜେଡିକୁ ଘେରିବାକୁ ଉଦ୍ୟମ କରିଥିଲେ । ଗତ ୨୪ ବର୍ଷର ବିଜେଡି ଶାସନରେ ‘କିଟ୍’ କର୍ତ୍ତୃପକ୍ଷ ଶାଗମାଛ ମୂଲ୍ୟରେ ଜଂଗଲ ଜମି ହାତେଇ ବିରାଟ ବିରାଟ ଅଟ୍ଟାଳିକାମାନ ନିର୍ମାଣ କରିଥିବା ସେମାନେ ଅଭିଯୋଗ କରିବା ସହ ‘କିଟ୍’ ମୁଖ୍ୟ ଅଚ୍ୟୁତ ସାମନ୍ତ ରାଜ୍ୟର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ସମେତ ଅନ୍ୟାନ୍ୟ ସୁବିଧା ଦେଉଥିବା ଦାବି କରୁଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ କୋଟି କୋଟି ଟଙ୍କା ଅନୁଦାନ ପାଇଛନ୍ତି । ବିଦେଶରୁ ମଧ୍ୟ ତାଙ୍କୁ କୋଟି କୋଟି ଟଙ୍କା ମିଳୁଛି ବୋଲି ବିଜେପି ବିଧାୟକମାନେ ଅଭିଯୋଗ କରିବା ସହ ରାଜ୍ୟ ସରକାର ଏହାର ତଦନ୍ତ କରିବାକୁ ଉଭୟ ଶାସକ ଓ ବିରୋଧୀଙ୍କ ପକ୍ଷରୁ ଦାବି ହୋଇଥିଲା ।
କଂଗ୍ରେସ, ବିଜେଡି, ସିପିଆଇ, ସିପିଏମ୍ ପ୍ରଭୃତି ବିରୋଧୀ ରାଜନୈତିକ ଦଳମାନେ ‘କିଟ୍’ ମୁଖ୍ୟ ଅଚ୍ୟୁତ ସାମନ୍ତ ବିରାଟ କଳାସାମ୍ରାଜ୍ୟର ମାଲିକ ହୋଇଥିବା ଅଭିଯୋଗ କରି ତାଙ୍କୁ ଗିରଫ କରାଯିବାକୁ ସରକାରଙ୍କ ନିକଟରେ ଦାବି କରିଥିବା ବେଳେ ବିଜେପି ବିଧାୟକ ବାବୁ ସିଂହଙ୍କ ସମେତ ଅନ୍ୟ ବିଧାୟକମାନେ ମଧ୍ୟ ଅଚ୍ୟୁତଙ୍କ ବିରୋଧରେ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ନଅ ମାସ ତଳେ ବିଜେପି ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ରାଜ୍ୟରେ କ୍ଷମତାକୁ ଆସିଥିବା ବେଳେ ‘କିଟ୍’ ଘଟଣାରେ ଓଡ଼ିଶା ସମଗ୍ର ବିଶ୍ୱ ସମ୍ମୁଖରେ ନିନ୍ଦିତ ହୋଇଛି ବୋଲି ବିଜେଡି ଓ କଂଗ୍ରେସ ବିଧାୟକମାନେ ଗତ କାଲି ବିଧାନସଭାରେ ଅଭିଯୋଗ କରିଛନ୍ତି । କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ଚାଲି ଥିବାରୁ କେନ୍ଦ୍ର ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ‘କିଟ୍’ ଘଟଣାରେ ତୁରନ୍ତ ବୟାନ ରଖିବା ଆବଶ୍ୟକ ବୋଲି ବିରୋଧୀ ବିଧାୟକମାନେ ବିଧାନସଭାରେ ଦାବି କରିଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ଗତକାଲି ସନ୍ଧ୍ୟାରେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି । ଲେଖା ପ୍ରସ୍ତୁତ ସୁଦ୍ଧା ‘କିଟ୍’ ଘଟଣା ଉଚ୍ଚସ୍ତରୀୟ କମିଟିର ତଦନ୍ତ ମଧ୍ୟରେ ସୀମିତ ରହିଛି । ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି ଉପରେ ସରକାରଙ୍କ ଆଭିମୁଖ୍ୟ କଣ ରହିବ ତାହା ସ୍ପଷ୍ଟ ହୋଇନାହିଁ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS