ଓଡ଼ିଶାରେ କଂଗ୍ରେସର ସ୍ଥିତି ସୁଧାରି ପାରିବେ ତ ଭକ୍ତ ?


ପ୍ରସାଦ ରାଓ
ଫେବୃୟାରୀ ୧୭/୨୦୨୫
୨୦୨୪ ସାଧାରଣ ନିର୍ବାଚନ ପରରୁ ଗତ ଆଠ ମାସ ହେଲା ଓଡ଼ିଶାରେ କଂଗ୍ରେସ ଦଳ ମୂରବୀ ଶୂନ୍ୟ ରହିଥିଲା । ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ ବିପର୍ଯ୍ୟୟ ପାଇଁ ନିଜକୁ ଦାୟି କରି ଇସ୍ତଫା ଦେଇଥିଲେ ଏବଂ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଓଡ଼ିଶାରେ କଂଗ୍ରେସର ସମସ୍ତ ଆଗୁଆ ସଂଗଠନକୁ ଭାଂଗି ଦେଇ ପୁନର୍ଗଠନର ସଂକେତ ଦେଇଥିଲେ । ଓଡ଼ିଶାରେ କଂଗ୍ରେସରସଭାପତି ପରିବତ୍ ର୍ତନ ହେବା ଓ ନୂଆ ସଭାପତି ନିଯୁକ୍ତ ହେବା କିଛି ନୂଆ କଥା ନୁହେଁ । ଅତୀତରେ ମଧ୍ୟ ଏଭଳି ହୋଇଛି । ତେବେ, ଆଠ ମାସ ଧରି ରାଜ୍ୟରେ ଦଳର କେହି ମଂଗୁଆଳ ନ ରହିବା ତୃଣମୂଳସ୍ତରରେ କଂଗ୍ରେସ ନେତା ଓ କର୍ମୀ ମହଲରେ ବେଶ୍ ନିରାଶା ଭାବ ସୃଷ୍ଟି କରିଥିଲା । ଓଡ଼ିଶାରେ ନୂଆ ପିସିସି ସଭାପତିଙ୍କୁ ନିଯୁକ୍ତି ଦେବା ପୂର୍ବରୁ କଂଗ୍ରେସ ନେତାଙ୍କ ମନକୁ ପରଖିବା ପାଇଁ ଏଆଇସିସି କର୍ତ୍ତୃପକ୍ଷ ଦୁଇ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ତେବେ, ସେମାନେ ପ୍ରଥମେ ଓଡ଼ିଶା ଆସିବାରେ ବିଳମ୍ବ କଲେ । ପରେ ଯେତେବେଳେ ଓଡ଼ିଶା ଆସି ପିସିସି ସଭାପତି ପଦରେ କେଉଁ ନେତାଙ୍କୁ ବସାଇବା ଉଚିତ ହେବ ତାହା ଉପରେ ତୃଣମୂଳସ୍ତରର କଂଗ୍ରେସ ନେତା ଓ କର୍ମୀଙ୍କ ସହ ଆଲୋଚନା କଲେ ଏବଂ ଏଆଇସିସିକୁ ରିପୋର୍ଟ ଦେଲେ ତାହା ମଧ୍ୟ ଦୀର୍ଘ ସମୟ ଧରି ଏଆଇସିସି କାର୍ଯ୍ୟାଳୟରେ ଅଣଦେଖା ହୋଇ ପଡି ରହିଲା । ଯାହାକି, ରାଜ୍ୟ କଂଗ୍ରେସରେ ହତାଶା ଭାବ ସୃଷ୍ଟି କରିଥିଲା । ୨୦୨୫ ଫେବୃୟାରୀ ୦୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନର ମତଦାନ ସରି ୦୮ ତାରିଖ ଫଳାଫଳ ଆସିବା ପରେ ହିଁ ଏଆଇସିସି ଓଡ଼ିଶା ପେଡି ଖୋଲିଛନ୍ତି ଏବଂ ୧୧ ତାରିଖ ଦିନ ଏକ ବିଜ୍ଞପ୍ତି ଜାରି କରି ନୂଆ ପିସିସି ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ମୁଣ୍ଡରେ ସିନା କଳସ ଢଳିଛି । ଏଆଇସିସି ସାଧାରଣ ସଂପାଦକ କେସି ବେଣୁଗୋପାଳ ବିଜ୍ଞପ୍ତୀ ଜାରି ନୂଆ ପିସିସି ସଭାପତି ଭାବେ ଭକ୍ତଙ୍କ ନା ଘୋଷଣା କରିଛନ୍ତି ।
ଶରତ ପଟ୍ଟନାୟକଙ୍କ ଇସ୍ତଫା ପରେ ଓଡ଼ିଶାର ଯେଉଁ କଂଗ୍ରେସ ନେତାମାନେ ପିସିସି ସଭାପତି ହେବା ପାଇଁ ଲବିରେ ଥିଲେ ସେମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଜୟଦେବ ଜେନା । ଏହାଛଡା, ପୂର୍ବତନ କଟକ ସଦର ବିଧାୟକ ମହମ୍ମଦ ମୋକିମ, ଜୟପୁର ବିଧାୟକ ତାରା ବାହିନୀପତି, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଥିଲା । ଯିଏ ଯାହା ବାଟରେ କେନ୍ଦ୍ରୀୟ ନେତୃତ୍ୱ ନିକଟରେ ଲବି କରୁଥିଲେ । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଦିଲ୍ଲୀ ଲବି ଦୃଢ ଥିବାରୁ ତାଙ୍କୁ ପିସିସି ସଭାପତି କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ, ସମୟ ଗଡୁଥିବା ବେଳେ ଏଆଇସିସି ଓଡ଼ିଶାର ମଂଗ କାହା ହାତରେ ଦେବ, ଚୟନ କରିବାରେ ଢେର ବିଳମ୍ବ କରୁଥିବା ଦେଖି ନେତାମାନେ ଅସ୍ତବ୍ୟସ୍ତ ହେବା ସହ ଯାହାକୁ ଚୟନ କଲେ ବି ସହଯୋଗର ହାତ ବଢାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନେକ ଆଶା କରିଥିଲେ ସପ୍ତଗିରି ନହେଲେ ମୋକିମ ବା ତାରାଙ୍କୁ ଏହି ଗୁରୁଦାୟିତ୍ୱ ମିଳିପାରେ । କାରଣ, ସଂଗଠନ ଚଳାଇବାକୁ ସେମାନଙ୍କ ନିକଟରେ ଉଭୟ ଜୋସ୍ ଓ ଅର୍ଥର ଅଭାବ ନାହିଁ । ତେବେ, ଏଆଇସିସି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦ ପାଇଁ ଭକ୍ତଙ୍କୁ ଚୟନ କରିଛି । କାରଣ, ଭକ୍ତ ଦାସ ହେଉଛନ୍ତି ଓଡ଼ିଶାର ଜଣେ ଦଳିତ ଚେହେରା ।
ଓଡ଼ିଶାର ମୋଟ ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ଦଳିତ (ଏସସି) ଏବଂ ୧୭ ପ୍ରତିଶତ ହେଉଛନ୍ତି ଆଦିବାସୀ (ଏସଟି) । ଅତୀତରେ ଏହି ଦୁଇ ବର୍ଗ କଂଗ୍ରେସର ଭୋଟ ବ୍ୟାଙ୍କ ଥିଲେ । ପରବର୍ତ୍ତୀ ସମୟରେ ସେମାନେ ବିଜେଡି, ବିଜେପି ମୁହାଁ ହେବାରୁ ରାଜ୍ୟରେ କେଂଗ୍ରେସର ସଂଗଠନ ଦୁର୍ବଳ ହୋଇଯାଇଛି । ତେବେ, ଜଣେ ଦଳିତ ମୁହଁଙ୍କୁ ପିସିସି ସଭାପତି କରି କଂଗ୍ରେସ ତାହାରୁ ପୁରୁଣା ଭୋଟ ବ୍ୟାଙ୍କକୁ ଫେରି ପାଇବା ଉଦ୍ୟମ ଆରମ୍ଭ କରିଛି । ଭକ୍ତ ପିସିସି ସଭାପତି ପଦ ପାଇଁ ପୂର୍ବରୁ ଆଗ୍ରହୀ ଥିଲେ । ତେବେ, ତାଙ୍କୁ ଓଡ଼ିଶାରେ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା । ଏହାକୁ ନେଇ ଓଡ଼ିଶା କଂଗ୍ରେସରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା । କିଛି ନେତା କଂଗ୍ରେସ ଛାଡି ଥିଲେ । ଭକ୍ତ ଦାସ ମଧ୍ୟ କଂଗ୍ରେସରେ ଥାଇ ଓଡ଼ିଶା ଅପେକ୍ଷା ଦଳର ଜାତୀୟ ରାଜନୀତିରେ ଅଧିକ ସକ୍ରୀୟ ଭୂମିକା ନେଉଥିଲେ । ଦଳ ତାଙ୍କ ବିହାର ଓ ମଣିପୁର ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ଏହି ଦୁଇ ରାଜ୍ୟରେ ସାଂଗଠନିକ କାର୍ଯ୍ୟ ଚଳାଇ ଥିଲା । ଭକ୍ତଙ୍କ ଏହି ଅଭିଜ୍ଞତା ଓଡ଼ିଶାରେ କଂଗ୍ରେସ ଦଳକୁ ସୁଦୃଢ କରିବାରେ ସଫଳ ହେବ ବୋଲି ଏଆଇସିସି ବିଶ୍ୱାସ କରୁଥିବା ପିସିସି ସଭାପତି ଭାବେ ତାଙ୍କ ନାମ ଘୋଷଣା ପରେ ଅନୁମାନ କରାଯାଉଛି ।
ଭକ୍ତ ଦାସ ମଧ୍ୟ ପିସିସି ସଭାପତି ହେବା ପରେ ରାଜ୍ୟରେ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସ ସଂଗଠନକୁ ତୃଣମୂଳସ୍ତରରୁ ପୁନଃସଂଗଠିତ କରିବା ପଣ ନେଇଛନ୍ତି । ୨୦୨୭ରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବାକୁ ଥିବାରୁ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ସେ ‘ସର୍ବକ୍ଷମା’ ଯୋଜନା ଆରମ୍ଭ କରିଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଯେଉଁ ନେତାମାନେ କଂଗ୍ରେସ ଛାଡିଛନ୍ତି, ଦଳରୁ ବିତାଡିତ ବା ନିଲମ୍ବିତ ହୋଇଛନ୍ତି ସେମାନଙ୍କୁ ଦଳକୁ ଫେରାଇ ଆଣି ରାଜ୍ୟରେ କଂଗ୍ରେସକୁ ସୁଦୃଢ କରିବା ଲକ୍ଷ୍ୟରେ ଏହି ସର୍ବକ୍ଷମା ଯୋଜନା ଘୋଷଣା ହୋଇଥିବା ଭକ୍ତ ସୂଚନା ଦେଇଛନ୍ତି । କଂଗ୍ରେସର ଅନ୍ୟ ନେତାମାନେ ମଧ୍ୟ ଭକ୍ତଙ୍କ ଏହି ଘୋଷଣାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଯେଉଁମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ, ଦେଶକୁ ଭଲ ପାଉଥିଲେ କଂଗ୍ରେସକୁ ଫେରି ଆସନ୍ତୁ ବୋଲି ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଇତିମଧ୍ୟରେ ଆହ୍ୱାନ ଦେଲେଣି । ଫଳରେ, ବିଭିନ୍ନ କାରଣରୁ କଂଗ୍ରେସ ଛାଡି ଥିବା ବହୁ ବରିଷ୍ଠ ନେତା ଦଳକୁ ଫେରିବା ସମ୍ଭାବନା ସୃଷ୍ଟି ହୋଇଛି । ଭୂପିନ୍ଦର ସିଂହ, ଡକ୍ଟର ପ୍ରଫୁଲ୍ଲ ମାଝୀ, ଚିରଂଜୀବ ବିଶ୍ୱାଳ, ସୁରେନ୍ଦ୍ର ସିଂହ ଭୋଇ, ପ୍ରଦୀପ ମାଝୀ, ପ୍ରକାଶ ବେହେରା, ଗଣେଶ୍ୱର ବେହେରାଙ୍କ ଭଳି ବହୁ ନେତା ଏହି ବିକଳ୍ପକୁ ନେଇ ଚିନ୍ତା କରିପାରନ୍ତି ବୋଲି ଆଶା କରାଯାଉଛି ।
୨୦୨୪ ସାଧାରଣ ନିର୍ବାଚନରେ ସାନ ପୁଅ ମନ୍ମଥ ରାଉତରାୟ (ବିଜେଡି)ଙ୍କ ପାଇଁ ନିର୍ବାଚନ ପ୍ରଚାର କରି କଂଗ୍ରେସରୁ ଛଅ ବର୍ଷ ପାଇଁ ବହିଷ୍କୃତ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ସର୍ବକ୍ଷମା ଯୋଜନାରେ ପ୍ରଥମେ ଲାଭାନ୍ୱିତ ହୋଇଛନ୍ତି । ସେ କଂଗ୍ରେସକୁ ଫେରିଥିବା ଉଲ୍ଲାସର ସହ ଘୋଷଣା କରିବା ସହ ଅନ୍ୟମାନଙ୍କୁ ମଧ୍ୟ କଂଗ୍ରେସକୁ ଫେରିବାକୁ ଆହ୍ୱାନ ଦେଇଛନ୍ତି । ଅବଶ୍ୟ, ଭକ୍ତଙ୍କ ସର୍ବକ୍ଷମା ଘୋଷଣା ଓଡ଼ିଶା ରାଜନୀତିରେ କିଛି ନୂଆ ନୁହେଁ । ଯେତେବେଳେ ଯିଏ ରାଜ୍ୟରେ କଂଗ୍ରେସର ମଂଗ ଧରିଛନ୍ତି ଦଳ ଛାଡିଥିବା ନେତାଙ୍କୁ ଏଭଳି ଆହ୍ୱାନ ଦେଇ ଦଳକୁ ଫେରିବା ବାଟ ମେଲା ରଖିଥା’ନ୍ତି । ଦଳକୁ ଶକ୍ତି ବଢାଇବାକୁ ଏହା ସର୍ବଦା ଏକ ରଣନୀତି ହୋଇ ଆସିଛି । ତେବେ, କଂଗ୍ରେସରେ ଆଉ ଏକ ରୋଗ ମଧ୍ୟ ରହିଛି । କଂଗ୍ରେସ ନେତାମାନେ ନୂଆ କରି ମଂଗ ଧରୁଥିବା ନେତାଙ୍କୁ ପ୍ରଥମେ ଭରପୁର ସ୍ୱାଗତ କରିବା ସହ ସହଯୋଗର ପ୍ରତିଶ୍ରୁତି ଦେଇଥା’ନ୍ତି । ଟିକିଏ ପୁରୁଣା ହୋଇଗଲେ ବିରୋଧ ଆରମ୍ଭ ହୋଇଯାଏ । ଅସହଯୋଗ ଓ ଛକାପଂଝା ଭିତରେ ସଭାପତି ପରିବତ୍ ର୍ତନ ପାଇଁ ଦିଲ୍ଲୀ ଦୌଡିବା କଂଗ୍ରେସ ନେତାଙ୍କ ଏକ ପୁରୁଣା ଅଭ୍ୟାସ । ସେ ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ହୁଅନ୍ତୁ ବା ଶରତ ପଟ୍ଟନାୟକ – କେହି ଏହି ଚକ୍ରରୁ ବାଦ ପଡି ନାହାନ୍ତି । ପିସିସି ସଭାପତି ଭାବେ ଭକ୍ତଙ୍କ ନାମ ଘୋଷଣା ପରେ ତାଙ୍କୁ ରାଜ୍ୟର ସମସ୍ତ ବରିଷ୍ଠ ନେତା ସ୍ୱାଗତ କରିଛନ୍ତି । ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି । ତେବେ, ତାହା କେତେ ଦିନ ପାଇଁ (?) – ଏହା ପ୍ରଶ୍ନବାଚୀ ହୋଇ ରହିଛି ।
ଜଣେ ନୂଆ ମୁଖିଆଙ୍କ ନିଯୁକ୍ତି ପରେ ଦଳରେ ଉତ୍ସାହ ବଢିବା ସ୍ୱାଭାବିକ ଘଟଣା । ଭକ୍ତଙ୍କ ନିଯୁକ୍ତିକୁ ନେଇ ମଧ୍ୟ ସେଭଳି ଉତ୍ସାହ ଓ ଅବେଗ ଦେଖିବାକୁ ମିଳୁଛି । ତେବେ, ସେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ତାଙ୍କ ନେତୃତ୍ୱକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିବ କି ପୁରୁଣା ଖେଳ ଆରମ୍ଭ ହୋଇଯିବ ଜଣାପଡିବ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଉଛନ୍ତି । ଶରତ ପଟ୍ଟନାୟକ ୨୦୨୨ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଯୁକ୍ତ ହେବା ସମୟରେ ମଧ୍ୟ ରାଜ୍ୟ ନେତାମାନେ ତାଙ୍କୁ ଏକାଭଳି ସ୍ୱାଗତ କରିଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ । ସେ ମଧ୍ୟ ସବୁ ନେତାଙ୍କୁ ସାଂଗରେ ନେଇ କାର୍ଯ୍ୟ କରିବେ ବୋଲି କଂଗ୍ରେସ ନେତୃତ୍ୱକୁ ଆଶ୍ୱସ୍ତ କରିଥିଲେ । ତେବେ, ପରେ ଜଣେ ବିବାଦୀୟ ଦଳପତି ଭାବେ ଦଳରେ ବିରୋଧର ସମ୍ମୁଖୀନ ହୋଇ ୨୦୨୪ରେ ସାଧାରଣ ନିର୍ବାଚନ ବିପର୍ଯ୍ୟୟ ପରେ ସଭାପତି ପଦ ଛାଡିବାକୁ ବାଧ୍ୟ ହେଲେ । ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ୨୦୨୪ରେ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢି ରାଜ୍ୟ ବିଧାନସଭାରେ ୨୦୧୯ ତୁଳନାରେ ଅଧିକ ଆସନ ପାଇଥିଲେ ମଧ୍ୟ ସେ ନିଜେ ନିର୍ବାଚନ ହାରିଥିଲେ । ତାହା ତାଙ୍କ ପାଇଁ ସମସ୍ୟା ହୋଇଥିଲା ଏବଂ ତାଙ୍କୁ ସଭାପତି ପଦ ଛାଡିବାକୁ ବାଧ୍ୟ କରିଥିଲା । ୨୦୧୯ ତୁଳନାରେ ୨୦୨୪ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଭୋଟ ସେୟାର କମିବା ମଧ୍ୟ କଂଗ୍ରେସ ପ୍ରତି ଜନସାଧାରଣରେ ଥିବା ଅନାସ୍ଥା ଭାବକୁ ପ୍ରତିଫଳିତ କରିଛି ।
୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ଓଡ଼ିଶାର ୧୪୭ ବିଧାନସଭା ଆନରୁ ମାତ୍ର ୦୯ଟି ଜିତିବା ବେଳେ ଦଳର ଭୋଟ ସେୟାର ଥିଲା ୧୬.୩ ପ୍ରତିଶତ । ୨୦୨୪ ବିଧାନସଭା ନିର୍ବାଚନରେ ଦଳ ୧୪ଟି ଆସନ ଜିତିଛି । ତେବେ, କଂଗ୍ରେସର ଭୋଟ ସେୟାର ୧୩.୨୬ ପ୍ରତିଶତକୁ ହ୍ରାସ ପାଇଛି । ସେହିଭଳି, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଭୋଟ ସେୟାର ୧୪ ପ୍ରତିଶତ ରହିଥିବା ବେଳେ ୨୦୨୪ ନିର୍ବାଚନରେ ତାହା ୧୨.୫୨ ପ୍ରତିଶତକୁ ଖସିଛି । ୨୦୦୦ ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରରୁ ଆଉ କ୍ଷମତାକୁ ଫେରି ପାରିନି । ଓଡ଼ିଶାରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଂଟରେ ଓ ୨୦୦୯ ନିର୍ବାଚନରୁ ଏକାକୀ ଲଢି ୨୦୨୪ ପର୍ଯ୍ୟନ୍ତ ଶାସନରେ ଥିଲେ । ୨୦୨୪ ମେ’-ଜୁନ ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ଘଟିଛି ଓ ବିଜେପି ରାଜ୍ୟରେ ପ୍ରଥମ ଥା ପାଇଁ ଏକାକୀ ସରକାର କରିବାରେ ସଫଳ ହୋଇଛି । କଂଗ୍ରେସ ଦେଶର ମୁଖ୍ୟ ବିରୋଧୀ ଦଳ ହୋଇ ଓଡ଼ିଶାରେ ସାଂଗଠନିକ ଦୁର୍ବଳତା କାରଣରୁ ରସାତଳକୁ ଯାଉଛି । ବିଭିନ୍ନ ନିର୍ବାଚନରେ ଦଳର ପ୍ରାର୍ଥୀମାନେ ନିଜ ଅମାନତ ରଖିପାରୁ ନାହାନ୍ତି ।
୨୦୦୪ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ୩୬ ଜଣ ବିଧାୟକ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଓ କଂଗ୍ରେସର ଭୋଟ ସେୟାର ଥିଲା ୩୪.୮ ପ୍ରତିଶତ ଥିଲା । ୨୦୦୯ ନିର୍ବାଚନରେ ୨୭ ବିଧାୟକ ନିର୍ବାଚିତ ହେଲେ ଓ ଭୋଟ ସେୟାର ୨୯ ପ୍ରତିଶତକୁ ଖସି ଯାଇଥିଲା । ୨୦୧୪ ନିର୍ବାଚନରେ କଂଗ୍ରେସର ବିଧାୟକ ସଂଖ୍ୟା ୧୬କୁ ଖସି ଏବଂ ୨୦୧୯ରେ ୦୯କୁ ଖସି ଆସିଥିଲା । ୨୦୨୪ରେ ସଂଖ୍ୟା ୧୪କୁ ବଢିଛି । ତେବେ, ଭୋଟ ସେୟାର ବଢିନି, କମିଛି । ଏଭଳି ସ୍ଥିତିରେ ଭକ୍ତ ଦାସ ରାଜ୍ୟ କଂଗ୍ରେସର ମଂଗୁଆଳ ନିଯୁକ୍ତ ହୋଇଛନ୍ତି । ଶରତ ପଟ୍ଟନାୟକଙ୍କ ଭଳି ଭକ୍ତ ମଧ୍ୟ ମଧ୍ୟ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ରାଜନେତା । ତେବେ, ସାମଗ୍ରିକ ଭାବେ ଓଡ଼ିଶାରେ ତାଙ୍କ ପତିଆରା ନାହିଁ । ସଂଖ୍ୟାଲଘୁ ଜାତି ଓ ଜନଜାତି ଭୋଟ ବ୍ୟାଙ୍କକୁ ଭରସା କରି ସେ ରାଜ୍ୟ କଂଗ୍ରେସର ମଂଗ ଧରିଥିବା ଆଲୋଚନା ହେଉଛି । ଅଭିଜ୍ଞତା ଦୃଷ୍ଟିରୁ ସେ ପରିପକ୍ୱ । ରାଜ୍ୟବାସୀ ବିଜେଡିର ଲଗାତର ୨୪ ବର୍ଷର ଶାସନ ଦେଖିଛନ୍ତି । ଆଠ ମାସ ହେଲା ବିଜେପି ସରକାରକୁ ମଧ୍ୟ ଦେଖୁଛନ୍ତି । ତେଣୁ, କଂଗ୍ରେସ ପ୍ରଥମ ବିକଳ୍ପ ନହେଲେ ମଧ୍ୟ ଦ୍ୱିତୀୟ ବିକଳ୍ପ ଭାବେ ଉଭା ହେବା କିଛି ଅସମ୍ଭବ ନୁହେଁ । ତେବେ, ଭକ୍ତଙ୍କ ନେତୃତ୍ୱକୁ ଅନ୍ୟ କଂଗ୍ରେସ ନେତାମାନେ କେତେଦୂର ସମର୍ଥନ କରିବେ ଓ ଦଳ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବ, ତାହା ଉପରେ ଅନେକ କିଛି ନିର୍ଭର କରୁଛି ।
ଭକ୍ତଙ୍କ ଅଭିଜ୍ଞତା କହିଲେ, ୧୯୮୫ରେ ସେ ପ୍ରଥମ କରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଧାନସଭା ଆସନରୁ ଜନତା ପାର୍ଟି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ, ୧୯୮୯ରେ ଜନତା ଦଳ, ୧୯୯୬ରେ ସମତା ପାର୍ଟି ଓ ୨୦୦୯ରେ କଂଗ୍ରେସରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୯୦ ଏପ୍ରିଲ ୨୩ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭିପି ସିଂହଙ୍କ ସରକାରରେ ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଉପ ମନ୍ତ୍ରୀ ଏବଂ ୧୯୯୦ ନଭେମ୍ବର ୨୧ରୁ ୧୯୯୧ ଜୁନ ୨୧ ପର୍ଯ୍ୟନ୍ତ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏହାଛଡା, ମଣିପୁର ଓ ବିହାରରେ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବା ଅଭିଜ୍ଞତା ମଧ୍ୟ ରହିଛି । ସେହି ଆଧାରରେ ସେ ଓଡ଼ିଶାରେ କଂଗ୍ରେସର ନେତୃତ୍ୱ ନେବାକୁ ଯାଉଛନ୍ତି । ୨୦୨୪ ବିଧାନସଭା ନିର୍ବାଚନରେ ଭକ୍ତ କଳାହାଣ୍ଡି ଜିଲ୍ଲାର ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜେଡି ଠାରୁ ପରାଜିତ ହୋଇଥିଲେ ମଧ୍ୟ ତାଙ୍କ ପୁଅ ପୁଅ ସାଗର ଦାସ ଭବାନୀପାଟଣା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଭକ୍ତ ଦାସଙ୍କ କଂଗ୍ରେସ ସମେତ ଅନ୍ୟ ଦଳରେ ରହି କାର୍ଯ୍ୟ କରିବା ଅଭିଜ୍ଞତା ଥିବାରୁ ଏଆଇସିସି ତାଙ୍କ ଭରସା କରିଥିବା ଅନୁମାନ କରାଯାଉଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
(ଫେବୃୟାରୀ ୧୭ ତାରିଖ ‘ଦୈନିକ ଅନୁପମ ଭାରତ’ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଛି)
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS