ଦିଲ୍ଲୀ ନିର୍ବାଚନରେ ବିଜେପିକୁ ୪୫.୮ ଓ ‘ଆପ୍’କୁ ୪୩.୮ ପ୍ରତିଶତ ଭୋଟ ମିଳିଛି


ପ୍ରସାଦ ରାଓ
ଫେବୃୟାରୀ ୦୯/୨୦୨୫
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ୪୫.୮ ପ୍ରତିଶତ ଭୋଟ ମିଳିଥିବା ବେଳେ ‘ଆପ୍’କୁ ୪୩.୮ ପ୍ରତିଶତ ଭୋଟ ମିଳିଛି । ସଂଖ୍ୟା ଦୃଷ୍ଟିରୁ ବିଜେପି ୭୦ରୁ ୪୮ ଆସନ ପାଇ ବଡ ବିଜୟ ହାସଲ କରିଥିବା ବେଳେ ‘ଆପ୍’ ୨୨ ଆସନରେ ସୀମିତ ହୋଇ ବଡ ପରାଜୟର ସମ୍ମୁଖୀନ ହୋଇଛି । ବିଜେପିର ବିଜୟ ଓ ‘ଆପ୍’ର ପରାଜୟର କାରଣକୁ ନେଇ ଗତକାଲି ଫଳାଫଳ ଆସିବା ପରରୁ ଆଲୋଚନା ଚାଲିଛି । ୨୦୨୫ ନିର୍ବାଚନରେ ଦିଲ୍ଲୀରେ କଂଗ୍ରେସକୁ ଗୋଟିଏ ହେଲେ ଆସନ ମିଳି ନଥିଲେ ମଧ୍ୟ ରାଜଧାନୀ ସହରରେ ଦଳର ଭୋଟ ଦୁଇ ପ୍ରତିଶତ ବୃଦ୍ଧି ପାଇଥିବା ଏକମାତ୍ର ଆଶ୍ୱାସନା ହୋଇଛି । ୨୦୧୫ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ବିଜେପିକୁ ୩୨.୨ ପ୍ରତିଶତ ଓ ‘ଆପ୍’କୁ ୫୪.୩ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୨୦ରେ ବିଜେପିକୁ ୩୮.୫ ପ୍ରତିଶତ ଓ ‘ଆପ୍’ କୁ ୫୩.୬ ପ୍ରତିଶତ ଭୋଟ ମିଳିଥିଲା । କଂଗ୍ରେସ ୨୦୧୫ରେ ୯.୭ ଓ ୨୦୨୦ରେ ୪.୩ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୨୫ ନିର୍ବାଚନରେ ୬.୪ ପ୍ରତିଶତ ଭୋଟ ପାଇଛି । ‘ଆପ୍’ ପାଇଁ ବଡ ଝଟକା ହୋଇଛି ଦଳର ଜାତୀୟ ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସମେତ ଦଳର ଅନେକ ତୁଂଗ ନେତା ଏହି ନିର୍ବାଚନରେ ପରାଜିତ ହେବା । ନୂଆଦିଲ୍ଲୀ ବିଧାନସଭା ଆସନରେ ବିଜେପି ନେତା ପରବେଶ ସାହେବ ବର୍ମା ଓ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କ ମଧ୍ୟରେ ହୋଇଥିବା ହାଇ-ପ୍ରୋଫାଇଲ ପ୍ରତିଦ୍ୱନ୍ଦ୍ୱିତାରେ ମାତ୍ର ୪,୦୮୯ ଭୋଟ ବ୍ୟବଧାନରେ କେଜରୀୱାଲଙ୍କ ପରାଜୟ ଘଟିଛି । କେଜରୀୱାଲ ୨୫,୯୮୮ ଭୋଟ ପାଇଥିବା ବେଳେ ବିଜୟୀ ପରବେଶ ବର୍ମା ୩୦,୦୮୮ ଭୋଟ ପାଇଛନ୍ତି । ପରବେଶ ବର୍ମା ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବ ସିଂହ ବର୍ମାଙ୍କ ପୁଅ । ନୂଆଦିଲ୍ଲୀ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଥିଲେ ସନ୍ଦୀପ ଦୀକ୍ଷିତ । ଦିଲ୍ଲୀରେ ୧୫ ବର୍ଷ (୧୯୯୮ରୁ ୨୦୧୩) ମୁଖ୍ୟମନ୍ତ୍ରୀ ଥିବା ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ କଂଗ୍ରେସର ଅଘୋଷିତ ମୁଖ୍ୟମନ୍ତ୍ରୀ ଚେହେରା ଥିଲେ । ତାଙ୍କୁ ମିଳିଛି ମାତ୍ର ୪,୫୬୮ ଭୋଟ । ସେହିଭଳି, ଦିଲ୍ଲୀର ଜଂଗପୁରା ଆସନରୁ ପରାଜିତ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମାତ୍ର ୬୭୫ ଭୋଟ ବ୍ୟବଧାନରେ ବିଜେପି ନେତା ତଲୱିନ୍ଦର ସିଂହ ମାରୱାଙ୍କ ନିକଟରୁ ପରାଜିତ ହୋଇଛନ୍ତି । କେଜରୀୱାଲ, ସିସୋଦିଆଙ୍କ ସହ ‘ଆପ୍’ ପରାଜିତ ବଡ ନେତାଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀର ମନ୍ତ୍ରୀ ସୌରଭ ଭରଦ୍ୱଜ, ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଦୁର୍ଗେଶ ପାଠକ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନା ସିଂହ ଓ ‘ଆପ୍’ ଦିଲ୍ଲୀ ଶାଖା ଆବାହକ ତଥା ମନ୍ତ୍ରୀ ଗୋପାଳ ରାଏ ବିଜୟୀ ହୋଇ ଦଳର ଇଜ୍ଜତ ରଖିଛନ୍ତି । କାଲକାଜୀ ବିଧାନସଭା ଆସନରେ ଆତିଶୀ ବିଜେପିର ପୂର୍ବତନ ସାଂସଦ ତଥା ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚର୍ଚ୍ଚାରେ ରହିଥିବା ରମେଶ ବିଧୁରୀଙ୍କୁ ୩,୫୨୧ ଭୋଟ ବ୍ୟବଧାନରେ ପରାଜିତ କରିଥିବା ଚୂଡାନ୍ତ ଫଳାଫଳରୁ ଜଣାପଡିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ବିଜେପି, ‘ଆପ୍’ ଓ କଂଗ୍ରେସ ପାଇଁ ଥିଲା ପ୍ରତିଷ୍ଠାର ପ୍ରଶ୍ନ । ଯେଉଁଥିରେ କି ବିଜେପି ସରକାର ଗଠନ କରିବାକୁ ଆବଶ୍ୟକ ୩୬ ସଂଖ୍ୟାଠାରୁ ୧୨ଟି ଅଧିକ ଆସନ ପାଇ ୨୭ ବର୍ଷ ପରେ ଦିଲ୍ଲୀ ସିଂହାସନ ଦଖଲ କରିଛି । ୧୧ ବର୍ଷ ହେଲା ଦିଲ୍ଲୀରେ ଶାସନରେ ଥିବା ‘ଆପ୍’ ବିରୋଧୀ ଭୂମିକା ଆସି ଯାଇଛି । କଂଗ୍ରେସ ଗଲା ତିନିଟି ବିଧାନସଭା ନିର୍ବାଚନରେ ‘ଶୂନ’ ଆସନ ପାଇ ହ୍ୟାଟ୍ରିକ୍ କରିଛି । ବିରୋଧୀ ‘ଇଣ୍ଡି’ ମେଂଟର ଦୁଇ ସହଯୋଗୀ ଦଳ କଂଗ୍ରେସ ଓ ‘ଆପ୍’ ପରସ୍ପର ବିରୋଧରେ ନିର୍ବାଚନ ନଲଢି ଏକାଠି ବିଜେପି ବିରୋଧରେ ନିର୍ବାଚନ ଲଢିଥିଲେ ଫଳାଫଳ ଭିନ୍ନ ହେବା ସମ୍ଭାବନା ରହିଥିଲା । କାରଣ, ବିଜେପି, ‘ଆପ୍’ ଓ କଂଗ୍ରେସ ମଧ୍ୟରେ ହୋଇଥିବା ଲଢେଇରେ ‘ଆପ୍’ ମୁଖ୍ୟ କେଜରୀୱାଲ, ମନୀଷ ସିସୋଦିଆଙ୍କ ସମେତ ବହୁ ପ୍ରାର୍ଥୀ ଅତି କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । କଂଗ୍ରେସ ବିଧାନସଭାରେ ଗୋଟିଏ ହେଲେ ଆସନରେ ଜିତି ନଥିଲେ ମଧ୍ୟ ବିଜେପି ବିରୋଧୀ ଭୋଟକୁ ଗିଳିଛି । ଫଳରେ, ବିଜେପି ଏହି ନିର୍ବାଚନରେ ବଡ ବିଜୟ ହାସଲ କରିଛି ।‘ଇଣ୍ଡି’ ମେଂଟ ନେତାମାନେ ପରସ୍ପର ବିରୋଧରେ ଆହୁରି ଲଢନ୍ତୁ, ଶେଷରେ ନିଶ୍ଚିହ୍ନ ହୋଇଯିବେ ବୋଲି ଜମ୍ମୁ-କଶ୍ମୀର ଜାତୀୟ କନ୍ଫରେନ୍ସ (ଜେକେଏନସି) ନେତା ତଥା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟାରେ କହିଛନ୍ତି । କଂଗ୍ରେସ ଏଥିରୁ କେତଦୂର ସଚେତନ ହେବ, ତାହା ଭବିଷ୍ୟତ କହିବ । ତେବେ ଦିଲ୍ଲୀରେ ‘ଆପ୍’ର ପରାଜୟ ପାଇଁ କଂଗ୍ରେସ ଯେ ବହୁମାତ୍ରାରେ ଦାୟି, ତାହା ବିରୋଧୀ ମେଂଟ ନେତାମାନେ ବିଶ୍ୱାସ କରୁଥିବା ଓମାରଙ୍କ ବୟାନରୁ ସ୍ପଷ୍ଟ ହେଉଛି । ଓମାରଙ୍କ ଜମ୍ମୁ-କଶ୍ମୀର ଜାତୀୟ କନ୍ଫରେନ୍ସ (ଜେକେଏନସି) ବିରୋଧୀ ‘ଇଣ୍ଡି’ ମେଂଟର ସହଯୋଗୀ ରହିଛି । ୨୦୧୪ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ଥିଲା । ୨୦୧୯ରେ କେନ୍ଦ୍ର ସରକାର ରାଜ୍ୟରେ ବିଭାଜନ କରି ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ କରିବା ପରେ ୨୦୨୪ରେ ଅନୁଷ୍ଠିତ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଜେକେଏନସି କଂଗ୍ରେସ ସହ ମେଂଟରେ ନିର୍ବାଚନ ଲଢି ବିଜୟୀ ହେବା ସହ ରାଜ୍ୟରେ ସରକାର କରିଛି । ୨୦୨୪ ଲୋକସଭା ନିର୍ବାଚନ ପରେ ହରିୟାଣା ନିର୍ବାଚନରେ କଂଗ୍ରେସ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ସାମିଲ ଥିବା ବିରୋଧୀ ମେଂଟ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ କେବଳ ଝାଡଖଣ୍ଡରେ ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚ) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଲଗାତର କ୍ଷମତାକୁ ଫେରିଛି । ଏହାପରେ, ଦିଲ୍ଲୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ନିଜେ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ବିରୋଧୀ ମେଂଟରେ ଥିବା ‘ଆପ୍’ର ଡଙ୍ଗାକୁ ବୁଡାଇ ଦେଇଛି । ତେବେ, କଂଗ୍ରେସ ନେତୃତ୍ୱ ଦିଲ୍ଲୀ ବିପର୍ଯ୍ୟୟ ପାଇଁ ଦୁଃଖି ନୁହନ୍ତି, ଦିଲ୍ଲୀରେ ‘ଆପ୍’ ଓ କେଜରୀୱାଲଙ୍କ ପତନ ଘଟିବାରୁ ଖୁସି ଥିବା ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ଦଳୀୟ ନେତା ଓ କର୍ମୀଙ୍କ ବିଜୟ ଉତ୍ସବରେ ଉଦବୋଧନ ଦେଇଥିଲେ । ବିରୋଧୀଙ୍କୁ ଧୂର୍ତ୍ତ ଓ ମୁର୍ଖ ବୋଲି ସମାଲୋଚନା କରିବା ସହ ଯିଏ ବି କଂଗ୍ରେସର ହାତ ଧରିଛନ୍ତି ଧ୍ୱଂସ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କଟାକ୍ଷ କରିଛନ୍ତି । ଏଥର ଦିଲ୍ଲୀର ବିକାଶ ସୁନିଶ୍ଚିତ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି । ଶେଷ ଥର ପାଇଁ ୧୯୯୩ରୁ ୧୯୯୮ ଦିଲ୍ଲୀରେ ବିଜେପିର ସରକାର ଥିଲା । ଏହି ପାଂଚ ବର୍ଷରେ ଦିଲ୍ଲୀ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଥିଲା । ବିଜେପିର ବରିଷ୍ଠ ନେତା ମଦନ ଲାଲ ଖୁରାନା ୧୯୯୩ରୁ ୧୯୯୫ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ । ତେବେ, ୧୯୯୫ରେ ହାୱାଲା ଦୁର୍ନୀତିରେ ତାଙ୍କ ନାମ ଆସିବାରୁ ୨୭ ମାସ ପରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବାଧ୍ୟ ହୋଇଥିଲେ । ଖୁରାନାଙ୍କ ଇସ୍ତଫା ପରେ ସାହେବ ସିଂହ ବର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ୩୧ ମାସ କ୍ଷମତାରେ ରହିଥିଲେ । ୧୯୯୮ରେ ପିଆଜର ଦର କିଲୋ ୬୦ଟଙ୍କା ହୋଇଯିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ମାତ୍ର ୫୨ ଦିନ କ୍ଷମତାରେ ଥିଲେ । ୧୯୯୮ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହୋଇଥିଲା ଓ କଂଗ୍ରେସ କ୍ଷମତାକୁ ଆସବା ସହ ଦଳର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ୨୦୧୩ ପର୍ଯ୍ୟନ୍ତ ସେ କ୍ଷମତାରେ ଥିଲେ । ୨୦୧୩ରୁ ପାଖାପାଖି ୧୨ ବର୍ଷ ଦିଲ୍ଲୀରେ ‘ଆପ୍’ ସରକାର ଚାଲିବା ପରେ ୨୦୨୫ ଫେବୃୟାରୀ ୫ ତାରିଖରେ ହୋଇଥିବା ବିଧାନସଭା ନିର୍ବାଚନରେ ‘ଆପ୍’କୁ କ୍ଷମତାଚ୍ୟୁତ କରି ବିଜେପି କ୍ଷମତାକୁ ଫେରିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS