ଦିଲ୍ଲୀରେ ବିଜେପିର ବଡ ବିଜୟ, ୭୦ରୁ ୪୮


ପ୍ରସାଦ ରାଓ
ଫେବୃୟାରୀ ୦୮/୨୦୨୫
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ୨୭ ବର୍ଷ ପରେ ଦଳ ରାଜଧାନୀ ଦିଲ୍ଲୀରେ ଆକର୍ଷଣୀୟ ବିଜୟ ହାସଲ କରିଛି । ବିଧାନସଭାର ୭୦ ଆସନରୁ ବିଜେପି ୪୮ ଆସନରେ ବିଜୟୀ ହୋଇଥିବା ବେଳେ ଗତ ୧୧ ବର୍ଷ ଧରି ଏହି କେନ୍ଦ୍ର ଶାସିତ ରାଜ୍ୟରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି (ଆପ୍) ୨୨ ଆସନରେ ସୀମିତ ରହି ଯାଇଛି । ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଏହି ତଥ୍ୟ ଦେଇଛନ୍ତି । ଦିଲ୍ଲୀରେ ସରକାର ଗଠନ ପାଇଁ ୩୬ ବିଧାୟକ ଆବଶ୍ୟକ ଥିବା ବେଳେ ବିଜେପି ୪୮ ଆସନରେ ବିଜୟୀ ହେବା ଉତ୍ତମ ଶାସନ ଓ ବିକାଶ ପ୍ରତି ଜନସମର୍ଥନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ ଲେଖିଛନ୍ତି । ଦିଲ୍ଲୀ ଦଖଲ ପାଇଁ ବିଜେପି ତାହାର ସମସ୍ତ ଶକ୍ତି ଲଗାଇ ଦେଇଥିଲା । ଦିଲ୍ଲୀ ଦଖଲ ଉଭୟ ବିଜେପି ଓ ‘ଆପ୍’ ପାଇଁ ସମ୍ମାନର ପ୍ରଶ୍ନ ଥିଲା । ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ଦୌଡରେ ଥିଲା । ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଥିଲେ ଶୀଲା ଦିକ୍ଷିତ ଓ କଂଗ୍ରେସର ଶାସନ ରହିଥିଲା । ତେବେ, ୨୦୧୩ରେ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀରେ ଏକ ଦୁର୍ନୀତି-ମୁକ୍ତ ଶାସନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ଏବଂ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ପାଇନଥିଲେ ମଧ୍ୟ କଂଗ୍ରେସ ଦଳର ସମର୍ଥନରେ ଦିଲ୍ଲୀରେ ସରକାର କରିଥିଲେ । ତେବେ, ଯେଉଁ ଜନଲୋକପାଳ ବିଲ୍ ଗୃହୀତ କରାଇବା ଉଦ୍ଦେଶ୍ୟରେ ସେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିଲେ କଂଗ୍ରେସ ଦଳ ତାହାକୁ ସମର୍ଥନ ନ କରିବାରୁ କେଜରୀୱାଲ ମାତ୍ର ୪୫ ଦିନ ଶାସନ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ସରକାର ଭାଂଗି ଯାଇଥିଲା । ତେବେ, କେଜରୀୱାଲଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ୨୦୧୫ ବିଧାନସଭା ନିର୍ବାଚନରେ ‘ଆପ୍’କୁ ବିପୁଳ ବିଜୟ ଦେଇଥିଲା । ୨୦୧୫ରେ ସେ ୭୦ରୁ ୬୭ ଓ ୨୦୨୦ ବିଧାନସଭା ନିର୍ବାଚନରେ ୭୦ରୁ ୬୨ ଆସନରେ ବିଜୟୀ ହୋଇ ଲଗାତର ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । କେଜରୀୱାଲ ତିନି ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ପରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ଲକ୍ଷ୍ୟ ନେଇ ୨୦୨୫ ବିଧାନସଭା ନିର୍ବାଚନରେ ଉପନୀତି ହୋଇଥିଲେ । ତେବେ, ୨୦୨୦ରେ କ୍ଷମତାକୁ ଆସିବା ପରେ କେଜରୀୱାଲ ସରକାର ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଏକାଧିକ ଦୁର୍ନୀତି ଅଭିଯୋଗରେ ଫସି ନିଜର ଦୁର୍ନୀତି-ବିରୋଧୀ ଚେହେରାକୁ କଳଂକିତ କରିଥିଲେ । ୨୦୨୧-୨୨ରେ ଦିଲ୍ଲୀ ସରକାର ରାଜ୍ୟରେ ଯେଉଁ ନୂତନ ଅବକାରୀ ଆଇନ ଆଣି ମଦ ଭେଣ୍ଡର ନିଯୁକ୍ତି ଦେଲେ ସେଥିରେ ଶତାଧିକ କୋଟି ଟଙ୍କାର ଲାଂଚ କାରବାର ହୋଇଥିବା ଦିଲ୍ଲୀ ଉପରାଜ୍ୟପାଳ ଅଭିଯୋଗ କରିବା ସହ ତାହାର ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ । ସିବିଆଇ ଓ ପରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଅବକାରୀ ଦୁର୍ନୀତିର ତଦନ୍ତ କରି ପ୍ରଥମେ ରାଜ୍ୟ ଅବକାରୀ ମନ୍ତ୍ରୀ ଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲେ । ସିସୋଦିଆଙ୍କ ପରେ ‘ଆପ୍’ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହ ସେହି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଛଅ ମାସ ତିହାର ଜେଲରେ ରହିବା ପରେ ସୁପ୍ରିମ କୋର୍ଟରୁ ଜାମିନରେ ଅଛନ୍ତି । ସିସୋଦିଆ ମଧ୍ୟ ଏକ ବର୍ଷରୁ ଅଧିକ ସମୟ ତିହାର ଜେଲରେ ରହିବା ପରେ ସୁପ୍ରିମ କୋର୍ଟରୁ ଜାମିନରେ ଆସିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥାଇ କେଜରୀୱାଲ ମଧ୍ୟ ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମେ ଇଡି ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ପରେ, ଜେଲରେ ଥିବା ଅବସ୍ଥାରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ୨୦୨୪ ଲୋକସଭା ନିର୍ବାଚନ ସମୟରେ କେଜରୀୱାଲ ତିହା ଜେଲରେ ଥିଲେ ଏବଂ ସୁପ୍ରିମ କୋର୍ଟରୁ ୨୧ ଦିନ ପାଇଁ ଅନ୍ତରୀଣ ଜାମିନରେ ଆସି ନିର୍ବାଚନ ପ୍ରଚାରରେ ସାମିଲ ହେବା ପରେ ପୁନର୍ବାର ଜେଲ ଫେରି ଯାଇଥିଲେ । ତେବେ, ପରେ ସୁପ୍ରିମ କୋର୍ଟ ତାଙ୍କୁ ସ୍ଥାୟୀ ଜାମିନ ଦେଇଛନ୍ତି । କିନ୍ତୁ, ସେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟାଳୟକୁ ଯାଇପାରିବ ନାହିଁ ବା କୌଣସି ଗୁରୁତ୍ୱପୂର୍ଣ୍ଣ ଫାଇଲରେ ଦସ୍ତଖତ କରିପାରିବ ନାହିଁ ବୋଲି ସୁପ୍ରିମ କୋର୍ଟଙ୍କ ସର୍ତ୍ତ ରହିବାରୁ କେଜରୀୱାଲ ତିହାର ଜେଲରୁ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ତାଙ୍କ ଘନିଷ୍ଟ ସହଯୋଗୀ ତଥା ମନ୍ତ୍ରୀ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ । ୨୦୨୫ ଫେବୃୟାରୀ ଦିଲ୍ଲୀ ବିଧାନସଭା ନିର୍ବାଚନର ଅଳ୍ପ କିଛି ମାସ ପୂର୍ବରୁ ଆତିଶୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଦିଲ୍ଲୀବାସୀଙ୍କଠାରୁ କ୍ଲିନ୍ ଚିଟ୍ ପାଇବା ପରେ ହିଁ ସେ ମୁଖ୍ୟମନ୍ତ୍ରୀ ଓ ମନୀଷ ସିସୋଦିଆ ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି କେଜରୀୱାଲଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ଅବକାରୀ ଦୁର୍ନୀତି ମାମଲାରେ ଏହି ତିନି ନେତା ଜେଲ ଯିବା ପୂର୍ବରୁ ‘ଆପ୍’ର ଅନ୍ୟତମ ବରିଷ୍ଠ ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଅନ୍ୟ ଏକ ମାମଲାରେ ସିବିଆଇ ଓ ଇଡି ଦ୍ୱାରା ଗିରଫ ହୋଇ ଦୀର୍ଘ ଦିନ ତିହାର ଜେଲରେ ବିତାଇ ଥିଲେ । ସେ ମଧ୍ୟ ସୁପ୍ରିମ କୋର୍ଟ ଜାମିନରେ ଅଛନ୍ତି । ଏସବୁ ଘଟଣାବଳୀ ‘ଆପ୍’ର ‘ଦୁର୍ନୀତି-ବିରୋଧୀ’ ଚେହେରାକୁ ମଳିନ କରି ସାରିଥିଲା । ଅବକାରୀ ଦୁର୍ନୀତି ମାମଲାରେ କେବଳ ‘ଆପ୍’ ନେତା ନୁହନ୍ତି, ରାଜନୈତିକ ଦଳ ‘ଆପ୍’ ମଧ୍ୟ ସଂପୃକ୍ତ ବୋଲି ଇଡି ପକ୍ଷରୁ ଅଦାଲତରେ ଦାକଲ ହୋଇଥିବା ଚାର୍ଜସଟ୍ ରେ ଅଭିଯୋଗ ହୋଇଥିବା ବୋଧହୁଏ ଭାରତୀୟ ରାଜନୈତିକ ଇତିହାସରେ ପ୍ରଥମ ଘଟଣା । ସିବିଆଇ ତଦନ୍ତ ଆରମ୍ଭ ହେବା ପରେ ଦିଲ୍ଲୀ ସରକାର ନୂତନ ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ସେହି ନିଆଁରୁ ବର୍ତ୍ତି ପାରି ନାହାନ୍ତି । ୨୦୨୫ ବିଧାନସଭା ନିର୍ବାଚନରେ ଆଉ ଏକ ବଡ ପ୍ରସଙ୍ଗ ଥିଲା ଗତ ୧୧ ବର୍ଷର ‘ଆପ୍’ ଶାସନରେ ଯମୁନା ନଦୀ ପ୍ରଦୂଷଣ ମୁକ୍ତ ନ ହେବା । ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ‘ଆପ୍’ ମୁଖ୍ୟ କେଜରୀୱାଲଙ୍କୁ ଘେରିଥିବା ବେଳେ କେଜରୀୱାଲ ହରିୟାଣାର ବିଜେପି ସରକାର ଜାଣିଶୁଣି ଯମୁନା ନଦୀ ଜଳକୁ ବିଷାକ୍ତ କରୁଥିବା ଅଭିଯୋଗ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ନିର୍ବାଚନ ପ୍ରଚାର ଶେଷ ଆଡକୁ ରାଜନୀତି ଏତେମାତ୍ରାରେ ପ୍ରଦୂଷିତ ହୋଇସାରିଥିଲା ଯେ ବିଜେପି-ଆପ୍ ପରସ୍ପରକୁ ଗାଳିଗୁଲଜ କରିବା ସ୍ଥିତିକୁ ଚାଲି ଆସିଥିଲେ । ବିଜେପି ଗୁଣ୍ଡାରାଜ ଚଳାଇ ଥିବା ବେଳେ ଦିଲ୍ଲୀ ପୁଲିସ ଓ ନିର୍ବାଚନ କମିଶନ ପକ୍ଷଭୁକ୍ତ ରହି କାର୍ଯ୍ୟ କରୁଥିବା ‘ଆପ୍’ର ସବୁଠାରୁ ବଡ ଅଭିଯୋଗ ଥିଲା । ତେବେ, ପରାଜୟ ସୁନିଶ୍ଚିତ ଜାଣି ‘ଆପ୍’ ମୁଖ୍ୟ କେଜରୀୱାଲ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ହରିୟାଣା ସରକାର, ଦିଲ୍ଲୀ ପୁଲିସ ଓ ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ବିବାଦ ଘେରକୁ ଟାଣୁଛନ୍ତି ବୋଲି ବିଜେପି ଖୋଲାଖୋଲି ଅଭିଯୋଗ କରୁଥିଲା । ନିର୍ବାଚନ ସମୟକୁ ଏଗାର ବର୍ଷର ‘ଆପ୍’ ସରକାରଙ୍କ ପୂର୍ବ ଭାଉ ନଥିବା ବେଳେ କେନ୍ଦ୍ର ସରକାର ଭୋଟର କିଛି ଦିନ ପୂର୍ବରୁ ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରି ଆୟକର ଛାଡ ସୀମା ୧୨ ଲକ୍ଷକୁ ବୃଦ୍ଧି କରିବା ମାଧ୍ୟରେ ମଧ୍ୟବିତ୍ତ ଶ୍ରେଣୀକୁ ସନ୍ତୁଷ୍ଟ କରିଛନ୍ତି । ଆଜି ହୋଇଥିବା ଭୋଟ ଗଣତି ଓ ପ୍ରକାଶ ପାଇଥିବା ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି । ୨୦୨୫ ବିଧାନସଭା ନିର୍ବାଚନ (ପେବୃୟାରୀ ୦୫ ତାରିଖ)ରେ ହୋଇଥିବା ଦିଲ୍ଲୀ ମହାସମରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପିର ବହୁ ତୁଂଗ ନେତା ପ୍ରଚାରର ମଂଗ ଧରିଥିବା ବେଳେ ‘ଆପ୍’ର ମଂଗ ଧରିଥିଲେ କେଜରୀୱାଲ, ସିସୋଦିଆ, ସଂଜୟ ସିଂହ ଓ ଅନ୍ୟ ନେତାମାନେ । ସେହିଭଳି, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ତାଙ୍କ ସାଂସଦ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ପ୍ରଚାର ଦାୟିତ୍ୱ ନେଇଥିଲେ । ତ୍ରିମୁଖୀ ପ୍ରଚାର ଶେଷ ପର୍ଯ୍ୟନ୍ତ ସରଗରମ ଥିଲା । ତେବେ, ବିଜେପି ଓ ‘ଆପ୍’ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସୀମିତ ଥିଲା । ହାଇପ୍ରୋଫାଇଲ ନିର୍ବାଚନ ପ୍ରଚାର ସତ୍ତ୍ୱେ କଂଗ୍ରେସ ୨୦୧୫, ୨୦୨୦ ଭଳି ୨୦୨୫ରେ ମଧ୍ୟ ବିଧାନସଭାରେ ଖାତା ଖୋଲି ପାରି ନାହିଁ । ବିଜେପି ୨୦୧୩ ବିଧାନସଭା ନିର୍ବାଚନରେ ଦୁଇ ଅଂକ ସଂଖ୍ୟାରେ ଜିତିଥିଲେ ମଧ୍ୟ ୨୦୧୫ରେ ମାତ୍ର ୦୩ ଓ ୨୦୨୦ରେ ୦୮ ଆସନରେ ସନ୍ତୁଷ୍ଟ ଥିଲା । ୨୦୨୫ରେ ଦଳ ୪୮ ଆସନ ପାଇଛି ଏବଂ ‘ଆପ୍’ ୨୨କୁ ଖସି ଯାଇଛି । କେଜରୀୱାଲ, ସିସୋଦିଆ ନିର୍ବାଚନରେ ହାରିଥିବା ବେଳେ ମୁଖ୍ୟମନ୍ତ୍ରୀ ଥାଇ ନିର୍ବାଚନ ଲଢୁଥିବା ଆତିଶୀ ମାର୍ଲିନା ଅତି କମ୍ ଭୋଟ ବ୍ୟବଧାନରେ କାଲକାଜୀ ଆସନରୁ ବିଜୟୀ ହୋଇଥିବା ଚୂଡାନ୍ତ ଫଳାଫଳରୁ ଜଣାପଡିଛି । ‘ଆପ୍’ ମୁଖ୍ୟ କେଜରୀୱାଲ ବିଧାନସଭା ନିର୍ବାଚନରେ ଦିଲ୍ଲୀବାସୀଙ୍କ ରାୟକୁ ଗ୍ରହଣ କରି ନେବା ସହ ବିଜେପିକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇ ‘ଏକ୍ସ’ରେ ଏକ ପୋଷ୍ଟ୍ କରିଛନ୍ତି । ଏବେ, ଦିଲ୍ଲୀରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ, ତାହା ଉପରେ ସମସ୍ତଙ୍କ ନଜର ରହିବ । ୨୦୨୪ ଲୋକସଭା ନିର୍ବାଚନ ପରେ ଅନୁଷ୍ଠିତ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବଡ ବିଜୟ ପରେ ଦିଲ୍ଲୀରେ ଆଜିର ବିଜୟ ବିଜେପିର ମନୋବାଳକୁ ଅଧିକ ଦୃଢ କରିଛି – ଏଥିରେ କିଛି ସନ୍ଦେହ ନାହିଁ । ଝାଡଖଣ୍ଡ ଓ ଜମ୍ମୁ-କଶ୍ମୀରରେ ମଧ୍ୟ ସରକାର କରିବାକୁ ବିଜେପି ସମସ୍ତ ଶକ୍ତି ଲଗାଇ ଥିଲା । କିନ୍ତୁ, ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମ ଲଗାତର ଦ୍ୱିତୀୟ ଥର ପାଇଁ ସରକାର କରିଥିବା ବେଳେ ଜମ୍ମୁ-କଶ୍ମୀରରେ ଡକ୍ଟର ଫାରୁକ ଅବଦୁଲ୍ଲାଙ୍କ ଦଳ ଜାତୀୟ କନ୍ଫରେନ୍ସ (ଏନସି) ବିଜୟୀ ହୋଇଛି ଓ ପୁଅ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ଦୁଇ ଦଳ ବିରୋଧୀ ‘ଇଣ୍ଡି’ ମେଂଟରେ ଅଛନ୍ତି । ଦିଲ୍ଲୀ ନିର୍ବାଚନରେ ‘ଇଣ୍ଡି’ ମେଂଟର ଦୁଇ ସହଯୋଗୀ ଦଳ କଂଗ୍ରେସ ଓ ‘ଆପ୍’ ପରସ୍ପର ବିରୋଧରେ ଲଢୁଥିଲେ ଏବଂ ରାହୁଲ ଗାନ୍ଧୀ ଓ କେଜରୀୱାଲ ପରସ୍ପରକୁ କଟୁ ସମାଲୋଚନା କରୁଥିଲେ । କଂଗ୍ରେସ ବ୍ୟତୀତ ‘ଇଣ୍ଡି’ ମେଂଟର ଅନ୍ୟ ସହଯୋଗୀ ଦଳମାନେ ଦିଲ୍ଲୀରେ ‘ଆପ୍’କୁ ସମର୍ଥନ କରିଥିଲେ । ବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ସେଠାରେ ଜେଡିୟୁ ନେତା ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଚାଲିଛି । ବିହାରରେ ପୁଣିଥରେ ଏନଡିଏ ଓ ‘ଇଣ୍ଡି’ ମେଂଟ ମୁହାଁମୁହିଁ ହେବାକୁ ଥିବାରୁ ସେତେବେଳକୁ ‘ଇଣ୍ଡି’ ସ୍ଥିତି କଣ ଥିବ ଏବଂ କଂଗ୍ରେସର ଭୂମିକା କଣ ରହିବ (?) – ତାହା ଉପରେ ଆଲୋଚନା ଆରମ୍ଭ ହୋଇସାରିଛି । କଂଗ୍ରେସ ଏବଂ ‘ଇଣ୍ଡି’ ମେଂଟ ଦିଲ୍ଲୀ ପରାଜୟ ପରେ ନିଜକୁ ନ ସୁଧାରିଲେ ବିହାରରେ ବିଜେପି ନେତୃତ୍ୱାଧୀନ ଏନଡିଏର ମୁକାବିଲା କରିବା କାଠିକର ପାଠ ହେବ । ତେଣୁ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଦଳ ଦିଲ୍ଲୀ ନିର୍ବାଚନରୁ ଶିକ୍ଷାଲାଭ କରି ବିହାରରେ ସେହି ଭୁଲ ଆଉ ଦୋହରାଇବେ ନାହିଁ ବୋଲି ରାଜନୈତିକ ବିଶ୍ଲେଷକମାନେ ଆଶା କରୁଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS