ଭୋପାଳ: ଜବତ ୫୨ କେଜି ସୁନା, ନଗଦ ୧୧ କୋଟି ଟଙ୍କାର ମାଲିକ କିଏ ?


ପ୍ରସାଦ ରାଓ
ଫେବୃୟାରୀ ୦୫/୨୦୨୫
ମଧ୍ୟ ପ୍ରଦେଶର ଭୋପାଳରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗର ଜଣେ ପୂର୍ବତନ କନେଷ୍ଟବଳ ସୌରଭ ଶର୍ମାଙ୍କ ବିରୋଧରେ ଆୟବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାଙ୍କ ପକ୍ଷରୁ ତଦନ୍ତ ଚାଲିଛି । ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ), ଆୟକର ବିଭାଗ, ଡିଆରଆଇ (ଡିରେକ୍ଟୋରେଟ ଅଫ୍ ରେଭିନ୍ୟୁ ଇଂଟେଲିଜେନ୍ସ) ଓ ଲୋକୟୁକ୍ତ ପୁଲିସ ଭିଳି ଏକାଧୀକ ତଦନ୍ତକରୀ ସଂସ୍ଥା ଏହି ତଦନ୍ତ କରୁଛନ୍ତି । ଗତ ବର୍ଷ ଡିସେମ୍ବର ମାସରେ ଶର୍ମାଙ୍କ ଘରେ ଚଢାଉ ହୋଇଥିଲା ଏବଂ ତାଙ୍କ ନିକଟରୁ ପାଖାପାଖି ୮ କୋଟି ଟଙ୍କା ମୂଲ୍ୟର ସଂପତ୍ ତି ଜବତ ହୋଇଥିଲା । ସେଥିରେ ନଗଦ ଟଙ୍କା, ସୁନା ଗହଣା ଓ ମୂଲ୍ୟବାନ ସଂପତ୍ତିର କାଗଜପତ୍ର ରହିଥିଲା । ତେବେ, ଭୋପାଳ ନିକଟସ୍ଥ ମେଣ୍ଡୋରି ଜଂଗଲରୁ ଅବହେଳିତ ଅବସ୍ଥାରେ ପଡି ରହିଥିବା ଏକ କାରୁ ମିଳିଥିଲା, ଯେଉଁଥିରେ କି ୫୨ କେଜି ସୁନା ଓ ୧୧ କୋଟି ନଗଦ ରାଶି ରହିଥିଲା । ତେବେ, ଏହି ଧଳା ଟୟୋଟା କାରରେ ଥିବା ନଗର ରାଶି ଓ ସୁନାର କେହି ଦାବିଦାର ଏପର୍ଯ୍ୟନ୍ତ ସାମ୍ନାକୁ ଆସିନଥିବା ତଦନ୍ତକାରୀ ସଂସ୍ଥାଙ୍କୁ ବିସ୍ମିତ କରିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ମଧ୍ୟ ପ୍ରଦେଶରେ ଜଣେ ସାଧାରଣ ସରକାରୀ କର୍ମଚାରୀଙ୍କ ଆୟବହିର୍ଭୁତ ସଂପତ୍ତିକୁ ନେଇ ତଦନ୍ତ କରାଯିବା ସମୟରେ ଏଥିରେ ଏକ ବଡ ର୍ୟାକେଟର ସଂପୃକ୍ତି ଥିବା ଏବଂ ସେଥିରେ ବହୁ ବରିଷ୍ଠ ସରକାରୀ ଅଧିକାରୀ ଓ ରିଏଲ ଇଷ୍ଟଟ୍ କାର୍ପଟଦାରଙ୍କ ସଂପୃକ୍ତି ଥିବାର ସନ୍ଦେହ କରାଯାଉଛି । ବିଭିନ୍ନ ତଦନ୍ତକାରୀ ସଂସ୍ଥାଙ୍କ ଦ୍ୱାରା ଅଦାଲତରେ ଉପସ୍ଥାପିତ ଜବତ ସଂପର୍କିତ ଡକୁମେଂଟରେ ତାଳମେଳ ରହୁନଥିବା ମଧ୍ୟ ତଦନ୍ତକୁ ରହସ୍ୟମୟ କରିଛି । ଲୋକୟୁକ୍ତ ପୁଲିସ ଦ୍ୱାରା ହୋଇଥିବା ତଦନ୍ତକୁ ନେଇ କୋର୍ଟରେ ଉପସ୍ଥାପିତ କାଗଜପତ୍ରରେ ପ୍ରଥମେ ୭.୯୮ କୋଟି ନଗଦ ଟଙ୍କା ଜବତ ହୋଇଥିବା କୁହାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଜଣେ ଡିଏପସିସ୍ତରୀୟ ଅଧିକାରୀ ଉପସ୍ଥାପିତ କରିଥିବା ରିପୋର୍ଟରେ ୫୫ ଲକ୍ଷ ଟଙ୍କା ଓ ସୁନା, ରୁପା ଜବତ ହୋଇଥିବା ଦର୍ଶାଇଛନ୍ତି । ଏହା ତଦନ୍ତ ଜନିତ ଅବହେଳା ନା ଜାଣିଶୁଣି ଭୁଲ ତଥ୍ୟ ଉପସ୍ଥାପନ କରାଯାଇଛି, ତାହା ଏବେ ବଡ ପ୍ରଶ୍ନ ହୋଇଛି । ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଏବେ ପ୍ରଭେନ୍ସନ୍ ଅଫ୍ ମନି ଲଂଡରି ଆକ୍ଟ (ପିଏମଏଲଏ)ର ବ୍ୟାପକ ଉଲଂଘନ ହୋଇଥିବା ଦିଗକୁ ନେଇ ତଦନ୍ତ କରୁଛି । ଏକାଧିକ ଦୁର୍ନୀତି ନିବାରଣ ସଂସ୍ଥାଙ୍କ ଦ୍ୱାରା ମଧ୍ୟ ପ୍ରଦେଶ ପରିବହନ ବିଭାଗର ପୂର୍ବତନ କନେଷ୍ଟବଳ ଶର୍ମାଙ୍କ ଦୁର୍ନୀତିର ତଦନ୍ତ ଚାଲି ବେଳେ ଭୋପାଳ ନିକଟସ୍ଥ ଜଂଗଲରୁ ଜବତ ହୋଇଥିବା କାରରୁ ମିଳିଥିବା ୫୨ କେଜି ସୁନା ଓ ୧୧ କୋଟି ନଗଦ ଟଙ୍କା କାହାର, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଟଙ୍କା ଓ ସୁନାର କେହି ଦାବିଦାର ତଦନ୍ତକାରୀ ସଂସ୍ଥାଙ୍କ ସାମ୍ନାକୁ ଆସୁ ନାହାନ୍ତି । ତେବେ, ଜବତ ଧଳା ଇନୋଭା ଟୟୋଟା କାର ଶର୍ମାଙ୍କ ଜଣେ ଘନିଷ୍ଟ ସହଯୋଗୀ ଚେତନ ସିଂହ ଗୌରଙ୍କ ନାମରେ ପଂଜୀକୃତ ଥିବା ଜଣାପଡିଛି । ତେବେ, ଗୌର ଏଥିରେ ତାଙ୍କର କୌଣସି ସଂପୃକ୍ତି ଥିବା କଥାକୁ ଅଗ୍ରହ୍ୟ କରିଛନ୍ତି ଏବଂ ସେ ଜଣେ ଡ୍ରାଇଭରଙ୍କୁ କାରଟି ଭଡା ସୂତ୍ରରେ ଦେଇଥିଲେ ବୋଲି କହିଛନ୍ତି । ସଂପୃକ୍ତ ଡ୍ରାଇଭରଙ୍କ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନି । ତେବେ, ଶର୍ମାଙ୍କ ଘରେ ଚଢାଉ ରାତିରେ ସଂପୃକ୍ତ ଧଳା ଇନୋଭା ଟୟୋଟା ଗାଡିଟି ତାଙ୍କ ବାସଭବନ ପରିସରରେ ଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି । ଏଥିରୁ, ଲୋକୟୁକ୍ତ ପୁଲିସ ଚଢାଉ କରିବା ସମୟରେ ଏହି କାରକୁ ଯାଂଚ କରି ନଥିବା ଏବଂ ତାହା ପରେ ଭୋପାଳ ନିକଟସ୍ଥ ଜଂଗଲକୁ ସ୍ଥାନାନ୍ତର କରିବାକୁ ସୁଯୋଗ ଦିଆଯାଇଥିବା ଅନୁମାନ କରାଯାଉଛି । ଶର୍ମାଙ୍କ ଆଥିର୍କ କାରବାର ଦୁବାଇ, ଅଷ୍ଟ୍ରେଲିଆ, ସ୍ୱିଜରାଲଣ୍ଡକୁ ପରିବ୍ୟାପ୍ତ ଥିବା ତଦନ୍ତରୁ ଜଣାପଡିଥିବାରୁ ଏବେ ସମ୍ଭାବ୍ୟ ସୁନା ଚୋରା କାରବାର ସହ ଶର୍ମାଙ୍କ ସଂପୃକ୍ତି ସନ୍ଦେହରେ ତଦନ୍ତକାରୀ ସଂସ୍ଥାମାନେ ସେମାନଙ୍କ ତଦନ୍ତକୁ ମଧ୍ୟ ପ୍ରଦେଶ ବାହାରକୁ ବ୍ୟାପୃତ କରିଥିବା ଜଣାପଡିଛି । ଇତିମଧ୍ୟରେ, ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ମହାଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ଦାବି କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଏକାଧିକ ତଦନ୍ତକାରୀ ସଂସ୍ଥାଙ୍କ ଦ୍ୱାରା ଏହି ମହାଦୁର୍ନୀତିର ତଦନ୍ତ କରାଯାଉଥିବା କଥାକୁ ସମାଲୋଚନା କରିଛନ୍ତି ଏବଂ କେବଳ ଇଡି ଓ ଆୟକର ବିଭାଗ ନିୟନ୍ତ୍ରଣରେ ଏହାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି । ଅପରପକ୍ଷରେ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରଶାସନକୁ ସୁରକ୍ଷା ଦେବାକୁ ଯାଇ କହିଛନ୍ତି, ତାଙ୍କ ସରକାର ସର୍ବଦା ଦୁର୍ନୀତି ବିରୋଧରେ ଲଢି ଆସିଛି ଏବଂ ପ୍ରତ୍ୟେକ ସ୍ତରରେ ଦୁର୍ନୀତିକୁ ରୋକିବା ପାଇଁ ସଂକଳ୍ପବଦ୍ଧ । ଏଠାର ସୂଚନାଯୋଗ୍ୟ, ମଧ୍ୟ ପ୍ରଦେଶରେ ବିଜେପିର ସରକାର ରହିଛି । ବିର୍ତ୍ତମାନ ସୁଦ୍ଧା ଏହି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଥିବା ସୌରଭ ଶର୍ମା, ତାଙ୍କ ଘନିଷ୍ଟ ସହଯୋଗୀ ଚେତନ ଗୌର ଓ ଶରଦ ଜେୟସ୍ୱାଲ ଜେଲରେ ଥିବା ବେଳେ ଧଳା ଟୟୋଟା ଇନୋଭା ଗାଡିରୁ ଜବତ ୫୨ କୋଟି ଟଙ୍କାର ସୁନା ଏବଂ ନଗଦ ୧୧ କୋଟି ଟଙ୍କାର ମାଲିକ କିଏ (?) – ତାହା ତଦନ୍ତରୁ ସ୍ପଷ୍ଟ ହୋଇନାହିଁ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS