ରେଳ ବଜେଟରେ ଓଡ଼ିଶାକୁ ମାତ୍ର ୧୩ କୋଟି ଟଙ୍କା ଅଧିକ ମିଳିଛି


ପ୍ରସାଦ ରାଓ
ଫେବୃୟାରୀ ୦୪/୨୦୨୫
ଫେବୃୟାରୀ ୦୧ ତାରିଖରେ ସଂସଦରେ ଉପସ୍ଥାପିତ ୨୦୨୫-୨୬ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୧୦,୫୯୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହାକି ପୂର୍ବ ଆର୍ଥିକ ବର୍ଷରେ ମଂଜୁର ହୋଇଥିବା ଅର୍ଥଠାରୁ ମାତ୍ର ୧୩ କୋଟି ଟଙ୍କା ଅଧିକ । ତଥାପି, ଓଡ଼ିଶା ସରକାର ଏହାକୁ ଯୁଗାନ୍ତକାରୀ ବଜେଟ କହୁଛନ୍ତି । କେନ୍ଦ୍ର ସରକାର ମଧ୍ୟ ଡବଲ ଇଂଜିନ କଥା କହି ବାହାବାହା ନେବାକୁ ଉଦ୍ୟମ କରୁଛନ୍ତି । ତେବେ, ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାରେ ରେଳର ବିକାଶ ପାଇଁ କେନ୍ଦ୍ରୀୟ ବଜେଟରେ ୧୦,୫୮୬ କୋଟି ଏବଂ ତା’ ପୂର୍ବ ବର୍ଷ (୨୦୨୩-୨୪) ବଜେଟରେ ୧୦,୦୧୨ କୋଟି ଟଙ୍କା ମଂଜୁରୀ ମିଳି ଥିଲା । ୨୦୨୫-୨୬ ବର୍ଷ ପାଇଁ ରାଜ୍ୟକୁ ରେଳ ବଜେଟରେ ସର୍ବାଧିକ ପରିମାଣର ଅର୍ଥ ଦିଆଯାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିବା ବେଳେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ମାତ୍ର ୧୩ କୋଟି ଟଙ୍କା ଅଧିକ ମଂଜୁର ହୋଇଥିବାରୁ ବିରୋଧୀଙ୍କ ଆଡୁ ସମାଲୋଚନା ହେଉଛି । ଲୋକସଭାରେ ଥିବା ଓଡ଼ିଶାର ୨୧ ଆସନରୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୨୦ଟିରେ ବିଜୟୀ ହୋଇଛି । ଏକମାତ୍ର କୋରାପୁଟ ଲୋକସଭା ଆସନ କଂଗ୍ରେସକୁ ଯାଇଥିବା ବେଳେ ବିଜେଡିର ଘର ‘ଶୂନ’ ରହିଛି । ରାଜ୍ୟସଭାରେ ବିଜେପିର (ଓଡ଼ିଶାରୁ) ଏକମାତ୍ର ସାଂସଦ ଥିଲେ କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ । ପ୍ରଥମେ ୨୦୧୯ରେ ଓ ପରେ ୨୦୨୪ରେ ସେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେବେ, ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ରାଜ୍ୟସଭାରେ ଥିବା ବିଜେଡିର ୦୯ ସାଂସଦଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବିଜେପି ନିଜ ଦଳରେ ସାମିଲ କରି ସଂଖ୍ୟା ୦୩କୁ ବୃଦ୍ଧି କରିଛି । ଓଡ଼ିଶାରେ ବିଜେପିର ଡବଲ ଇଂଜିନ ସରକାର ସହ ରାଜ୍ୟସଭାରେ ଦଳର ୦୩ ଓ ଲୋକସଭାରେ ୨୦ ସାଂସଦ ଥିବାରୁ ୨୦୨୫-୨୬ ବର୍ଷର ବଜେଟରେ ଓଡ଼ିଶାକୁ ଆଖିଦୃଶିଆ ଆର୍ଥିକ ଅନୁଦାନ ମିଳିବ ଏବଂ ଓଡ଼ିଶା ପାଇଁ ନୂଆ ନୂଆ ପ୍ରକଳ୍ପ ଘୋଷଣା ହେବ ବୋଲି ରାଜ୍ୟବାସୀ ଆଶା କରିଥିଲେ । ତେବେ, ସାଧାରଣ ବଜେଟରେ ପୂର୍ବ ବର୍ଷ ମିଳି ଥିବା ରାଶିରୁ ମାତ୍ର ୯,୧୭୬ କୋଟି ଟଙ୍କା ମିଳିଥିବା ବେଳେ ରେଳ ବଜେଟରେ ମାତ୍ର ୧୩ କୋଟି ଟଙ୍କା ଅଧିକ ମିଳିଛି । ତେବେ, ରେଳ ମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ରେଳବାଇର ବିକାଶ ପାଇଁ ଲଗାତର ତିନିଟି ଆଥିର୍କ ବର୍ଷରେ ଦଶ ହଜାର କୋଟି ଟଙ୍କା ଲେଖାଏଁ ଅନୁଦାନ ମିଳିବା ଉଲ୍ଲେଖନୀୟ । କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିବା ବେଳେ ଓଡ଼ିଶାକୁ ରେଳର ବିକାଶ ପାଇଁ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ହାରାହାରି ବାର୍ଷିକ ୮୩୮ କୋଟି ଟଭ୍କା ମିଳିଥିଲା । ଗତ ଦଷ ବର୍ଷରେ ରାଜ୍ୟରେ ୨,୦୪୬ କିମି ରେଳପଥ ନିର୍ବାଣ କରାଯାଇଛି । ରାଜ୍ୟ ସରକାରଙ୍କ ସହଯୋଗରୁ କେନ୍ଦ୍ର ସରକାର ଓଡ଼ିଶାରେ ରେଳପଥର ବିକାଶ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ସହ ବିଭିନ୍ନ ପ୍ରକଳ୍ପ ବାବଦରେ ଓଡ଼ିଶାରେ ୭୮ ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି । ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି । କୋଲକାତା-ଚେନ୍ନାଇ ମୁଖ୍ୟ ରେଳ ଲାଇନକୁ ଚାରି ଲେନ ବିଶିଷ୍ଟ କରାଯିବ ଏବଂ ରାଜ୍ୟର ୫୯ଟି ରେଳ ଷ୍ଟେସନର ପୁନଃବିକାଶ କରାଯିବ । ଓଡ଼ିଶାକୁ ଛଅଟି ବନେ୍ଦ ଭାରତ ଏକ୍ସପ୍ରେସ୍ ମିଳିଥିବା ବେଳେ ରାଜ୍ୟରୁ ଅଧିକ ଟ୍ରେନ୍ ଚାଲିବା ବ୍ୟବସ୍ଥା ହେଉଛି । ରେଳ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ଯେଉଁ ‘କବଚ’ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସେଥିରେ ଓଡ଼ିଶାର ୧୯୦୦ କିମି ରଳପଥ ଅନୁର୍ଭୁକ୍ତ ରହିଛି । ୧୦ ହଜାର ରେଳ ଇଂଜିନରେ ‘କବଚ’ ଲାଗିବା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ରେଳମନ୍ତ୍ରୀ ସୋମବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି । ଓଡ଼ିଶାରେ ରେଳର ବିକାଶ ପାଇଁ କେନ୍ଦ୍ରୀୟ ବଜେଟରେ ୨୦୨୦-୨୧ ଆଥିର୍କ ବର୍ଷରେ ୪,୩୭୩ କୋଟି ଟଙ୍କା, ୨୦୨୧-୨୨ ବର୍ଷରେ ୬୯୯୫.୫ କୋଟି ଟଙ୍କା ଓ ୨୦୨୨-୨୩ ଆଥିକ ବର୍ଷରେ ୯,୭୩୪ କୋଟି ଟଙ୍କା ମିଳିଥିବା ବେଳେ ୨୦୨୩-୨୪ରୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ମିଳି ଆସୁଛି । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାରେ ରେଳର ବିସ୍ତାର କାର୍ଯ୍ୟ ଆଗଉ ଥିବା କେନ୍ଦ୍ର ରେଳମନ୍ତ୍ରୀ କହିଥିବାରୁ ତାହା ପୂର୍ବ ବିଜେଡି ସରକାରଙ୍କୁ ରେଳମନ୍ତ୍ରୀଙ୍କ ପ୍ରଶଂସା ହିଁ କୁହାଯିବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS