ବୁଧବାର ଭୋଟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପୁଲିସର ମାମଲା !


ପ୍ରସାଦ ରାଓ
ଫେବୃୟାରୀ ୦୪/୨୦୨୫
ବୁଧବାର (୦୫ ତାରିଖ) ଦିଲ୍ଲୀ ବିଧାନସଭା ପାଇଁ ଭୋଟ ହେବାକୁ ଥିବା ବେଳେ ମଂଗଳବାର ଦିନ ଦିଲ୍ଲୀ ପୁଲିସ କାଲକାଜୀ ବିଧାନସଭା ଆସନରୁ ପ୍ରାର୍ଥୀ ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନାଙ୍କ ବିରୋଧରେ ଗୋବିନ୍ଦପୁରୀ ପୁଲିସ ଥାନାରେ ବିଏନଏସର ୨୨୩ ଧାରାରେ ଏକ ମାମଲା ରୁଜୁ କରିଛନ୍ତି । ଆତିଶୀ ନିର୍ବାଚନର ଆଦର୍ଶ ଆଚରଣ ବିଧିକୁ ଉଲଂଘନ କରି ୫୦ରୁ ୭୦ ସମର୍ଥକ ଓ ୧୦ଟି ଗାଡି ସହ ଫତେସିଂହ ମାର୍ଗରେ ଠିଆ ହୋଇଥିବା ବେଳେ ପୁଲିସ ସେଠାରୁ ଚାଲି ଯିବାକୁ ସେମାନଙ୍କୁ କହିଥିଲେ । ତେବେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ସମର୍ଥକମାନେ ତାହାକୁ ଅମାନ୍ୟ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପଟୁଆରର ଭିଡ଼ିଓ କରୁଥିବା ପୁଲିସ କର୍ମଚାରୀଙ୍କୁ ଜଣେ ‘ଆପ୍’ ସମର୍ଥକ ଚାପୁଡା ମାରିଥିବା ପୁଲିସ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ପୁଲିସ ଏତଲା ରୁଜୁ କରିଥିବା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛି । ତେବେ, ‘ଆପ୍’ର ଅଭିଯୋଗ ହେଉଛି, ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଓ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ କରୁଥିବା ଦିଲ୍ଲୀ ପୁଲିସ ବିଜେପିର ବୋଲକରା ଭଳି କାର୍ଯ୍ୟ କରୁଛନ୍ତି । କାଲକାଜୀ ଆସନରୁ ବିଜେପି ପ୍ରାର୍ଥୀ ଥିବା ପୂର୍ବତନ ସାଂସଦ ରମେଶ ବିଧୁରୀ ନିଜ ପରିବାର ସହ ଅବାଧରେ ବିଚରଣ କରୁଥିବା ‘ଆପ୍’ ପକ୍ଷରୁ ଦିଲ୍ଲୀ ପୁଲିସ ଓ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ମଧ୍ୟ ବିଧୁରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ‘ଆପ୍’ର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କ ଅଭିଯୋଗ ହେଉଛି, ଦିଲ୍ଲୀ ପୁଲିସ ଓ ନିର୍ବାଚନ କମିଶନ ଏବେ ଖୋଲାଖୋଲି ବିଜେପିର ଗୁଣ୍ଡାଗିରିକୁ ସମର୍ଥନ କରୁଛନ୍ତି । ବିଜେପି ଗୁଣ୍ଡାମାନେ ଗୁଣ୍ଡାଗର୍ଦ୍ଦି ସହ ମଦ ଓ ଟଙ୍କା ବାଂଟୁଛନ୍ତି । କେହି ସେମାନଙ୍କୁ ରୋକିବାକୁ ଉଦ୍ୟମ କଲେ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ପୁଲିସ ମାମଲା ହେଉଛି । ତେବେ, ପୁଲିସ ସୂତ୍ରରୁ ସୂଚନା ମିଳିଛି, ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ନିର୍ବାଚନ ପ୍ରଚାର ସରିଛି ଏବଂ ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧି ଅନୁଯାୟୀ ପ୍ରଚାର ବନ୍ଦ ହୋଇଛି । ତେବେ, ଦିଲ୍ଲୀର କାଲକାଜୀ ଆସନରୁ ପ୍ରାର୍ଥୀ ଥିବା ମୁଖ୍ୟମନ୍ତ୍ରୀ ଆତିଶୀ ଆଜି ନିର୍ବାଚନ ଆଚରଣ ବିଧି ଉଲଂଘନ କରି ନିଜ ସମର୍ଥକଙ୍କ ସହ ଗୋବିନ୍ଦପୁରୀ ଅଂଚଳରେ ବୁଲୁଥିବା ଫ୍ଲାଇଂ ସ୍କ୍ୱାଡ୍ ଦେଖିଥିଲେ ଏବଂ ତୁରନ୍ତ ସେଠାରୁ ଚାଲି ଯିବାକୁ କହିଥିଲେ । ତେବେ, ମୁଖ୍ୟମନ୍ତ୍ରୀ ଆତିଶୀ ଫ୍ଲାଇଂ ସ୍କ୍ୱାଡର ନେତୃତ୍ୱ ନେଉଥିବା ମାଜିଷ୍ଟ୍ରଟଙ୍କ ସହ ଯୁକ୍ତିତର୍କ କରିଥିଲେ ବୋଲି ପୁଲିସ କହିଛି । ଏଠାରେ ସୂଚନାଯୋଗ୍ୟ କି, ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରାରମ୍ଭରୁ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ ପୁଲିସ ଓ ନିର୍ବାଚନ କମିଶନ ବିଜେପି ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରି ଆସୁଛି । ଦିଲ୍ଲୀର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି କର୍ମୀଙ୍କ ଆଡୁ ‘ଆପ୍’ କର୍ମୀଙ୍କ ଉପରେ ଆକ୍ରମଣ ହେଉଥିବା ନେଇ ଦଳ ନିର୍ବାଚନ କମିଶନ ଓ ଦିଲ୍ଲୀ ପୁଲିସ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବିଜେପିର ଗୁଣ୍ଡାମୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ଅପରପକ୍ଷରେ, ନିର୍ବାଚନ କମିଶନ ଓ ଦିଲ୍ଲୀ ପୁଲିସ ‘ଆପ୍’କୁ ଟାର୍ଗେଟ କରୁଛନ୍ତି । ଯମୁନା ନଦୀ ପାଣିରେ ‘ବିଷ’କୁ ନେଇ ‘ଆପ୍’ ମୁଖ୍ୟଙ୍କ ଅଭିଯୋଗ ପରେ ନିର୍ବାଚନ କମିଶନ ହରିୟାଣା ସରକାର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରି ‘ଆପ୍’ ମୁଖ୍ୟଙ୍କୁ ଏକାଧିକ ନୋଟିସ ପଠାଇବା କଥାକୁ ମଧ୍ୟ ‘ଆପ୍’ ସହଜରେ ହଜମ କରିପାରୁନାହିଁ । ‘ଆପ୍’ ମୁଖ୍ୟ କେଜରୀୱାଲ ନିର୍ବାଚନ କମିଶନଙ୍କ ନୋଟିସର ଉତ୍ତର ଦେବା ପରେ ମଧ୍ୟ କମିଶନ ସେଥିରେ ସନ୍ତୁଷ୍ଟ ନଥିବା କହୁଥିବାରୁ କେଜରୀୱାଲ ସିଧାସଳଖ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଟାର୍ଗେଟ୍ କରି ଚଳିତ ମାସରେ ସେ (ସିଇସି) ଅବସର ଗ୍ରହଣ କରିବାକୁ ଯାଉଥିବାରୁ ନୂଆ କିଛି ପଦପଦବୀ ପାଇବାକୁ କେନ୍ଦ୍ରର ବିଜେପି ସରକାରଙ୍କ ନିକଟରେ ଲବି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ, ନିର୍ବାଚନ କମିଶନ ଆଜି କହିଛନ୍ତି, ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ କମିଶନ ଉପରେ ଅନୈତିକ ଚାପ ସୃଷ୍ଟି ଉଦ୍ୟମ ହେଉଛି । ସେଥିରେ କମିଶନ ବିଚଳିତ ନୁହନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜେନ÷ତିକ ଦଳ ପକ୍ଷରୁ ଯେଉଁ ସବୁ ପ୍ରସଙ୍ଗ ଉତଥାପନ କରାଯାଇଛି ତାହା ଉପରେ ତଦନ୍ତ କରି ନିରପେକ୍ଷ ଭାବେ ପଦକ୍ଷେପ ନେବାକୁ କମିଶନ ଦ୍ୱାରା ନିୟୋଜିତ ଦେଢ ଲକ୍ଷରୁ ଅଧିକ ଅଧିକାରୀ ଆଇନର ପରିଧୀ ଭିତରେ କାର୍ଯ୍ୟ କରୁଛନ୍ତି । ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ‘ଆପ୍’ ମୁଖ୍ୟ କେଜରୀୱାଲ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ପ୍ରଶ୍ନ ଉଠାଇବାରେ ପରେ ଇସିଆଇ ପକ୍ଷରୁ ଆଜି ଏହି ପ୍ରତିକ୍ରିୟା ଆସିଛି । ତେବେ, କାଲକାଜୀରୁ ବିଜେପି ପ୍ରାର୍ଥୀ ଥିବା ପୂର୍ବତନ ବିଜେପି ସାଂସଦ ରମେଶ ବିଧୁରୀ ସେ ନିର୍ବାଚିତ ହେଲେ ନିର୍ବାଚନମଣ୍ଡଳୀ ରାସ୍ତାକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଗାଲ ଭଳି ଚିକ୍କଣ କରି ଦେବେ ବୋଲି ଯେଉଁ ଅଭଦ୍ର ଟିପ୍ପଣୀ ଦେଇଥିଲେ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପିତାଙ୍କ ସାଂଗିଆକୁ ନେଇ ଯେଉଁ ପ୍ରଶ୍ନ ଉଠାଇ ଥିଲେ ତାହା ଉପରେ ନିର୍ବାଚନ କମିଶନରେ ଅଭିଯୋଗ ହୋଇଥିଲେ ମଧ୍ୟ କମିଶନ ଆଡୁ ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ‘ଆପ୍’କୁ କ୍ଷୁବ୍ଧ କରିଛି । ରମେଶ ବିଧୁରୀଙ୍କ ପରିବାର କାଲକାଜୀ କ୍ଷେତ୍ରରେ ଅବାଧରେ ବୁଲୁଥିବା ବେଳେ ନିର୍ବାଚନ କମିଶନ ନିରବଦ୍ରଷ୍ଟା ରହି ସେ ଅଭିଯୋଗ କରିବା ପରେ ତାଙ୍କ ବିରୋଧରେ ପୁଲିସରେ ମାମଲା ହୋଇଥିବା ନିର୍ବାଚନ କମିଶନ ଓ ଦିଲ୍ଲୀ ପୁଲିସର ନିରପେକ୍ଷତାରେ ପ୍ରଶ୍ନଚିହ୍ନ ଲଗାଇଛି ବୋଳି ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS