ଦିଲ୍ଲୀରେ ଚନ୍ଦ୍ରବାବୁ, ବଜେଟକୁ ନେଇ ଖୁସି !


ପ୍ରସାଦ ରାଓ
ଫେବୃୟାରୀ ୦୩/୨୦୨୫
ଶନିବାର ଦିନ (ଫେବୃୟାରୀ ୦୧) କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଉପସ୍ଥାପନ ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବିହାରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ କେନ୍ଦ୍ରର ଏନଡିଏ ସରକାରରେ ଅନ୍ୟତମ ପ୍ରମୁଖ ଅଂଶୀଦାର ଥିବା ଆନ୍ଧ୍ର ପ୍ରଦେଶକୁ ସଂପୂର୍ଣ୍ଣ ଭାବେ ଉପେକ୍ଷା କରାଯାଇଛି ବୋଲି କଂଗ୍ରେସ ଓ ଆନ୍ଧ୍ରର ମୁଖ୍ୟ ବିରୋଧୀ ଦଳ ୱାଇଏସଆର କଂଗ୍ରେସ ପାର୍ଟି ସମାଲୋଚନା କରୁଥିବା ବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ କିନ୍ତୁ ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଅଭିମୁଖ୍ୟକୁ ନେଇ ଏହି ବଜେଟ ପ୍ରସ୍ତୁତ ହୋଇଛି ଏବଂ ଏଥିରେ ଅଭିବୃଦ୍ଧିକୁ ନେଇ ତାଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦ୍ୱାରା ଧାର୍ଯ୍ୟ ୧୦ଟି ନୀତି ସାମିଲ ଅଛି ବୋଲି ନାଇଡୁ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିନୀ କରି କହିଛନ୍ତି । ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ୦୫ ତାରିଖ ଭୋଟ ହେବାକୁ ଥିବା ବେଳେ ଆଜି ପ୍ରଚାରର ଶେଷ ଦିବସରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନାଇଡୁ ଦିଲ୍ଲୀର ତେଲୁଗୁ ଭାଷୀ ଅଧ୍ୟୁଷିତ ସାହାଦରା ଅଂଚଳରେ ଏକ ରାଲି କରି ତେଲୁଗୁ ଭାଷାରେ ଭାଷଣ ଦେଇଥିଲେ ଏବଂ ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ । ଆଜିର ଦିନରେ ବିଜେପିର ବିଜୟ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଦିଲ୍ଲୀରେ ଗତ ୧୧ ବର୍ଷ ହେଲା କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି (ଆପ୍) ସରକାରଙ୍କୁ ‘ହାଫ-ଇଂଜିନ’ ସରକାର ବୋଲି ଦର୍ଶାଇ ଦିଲ୍ଲୀ ପାଇଁ ଏକ ଡବଲ-ଇଂଜିନ ସରକାରର ଆବଶ୍ୟକତା ରହିଛି ବୋଲି ନାଇଡୁ କହିଛନ୍ତି । ସେ କହିଛନ୍ତି, ରାଜନେତାମାନେ ସର୍ବଦା ଆଜି, କାଲି ଓ ଭବିଷ୍ୟତ କଥା ଚିନ୍ତା କରିବା ଆବଶ୍ୟକ । ଯେଉଁ ସରକାରଙ୍କ ଭଲ କଲ୍ୟାଣକାରୀ ନୀତି ରହିବ ସେହି ସରକାର ହିଁ ସମାଜରେ ପରିବର୍ତ୍ତନ ଆଣି ପାରିବେ । ଲୋକମାନେ ଏବେ ଦିଲ୍ଲୀରେ ରହିବାକୁ ଭୟ କରୁଛନ୍ତି । ଏହାର କାରଣ ହେଉଛି ‘ପରିବେଶ ଓ ରାଜନୈତିକ ପ୍ରଦୂଷଣ’ । ଆଜିର ଦିନରେ ‘ଆଦର୍ଶ’ ଅପେକ୍ଷା କାମ କରୁଥିବା ସରକାର ଓ ଉନ୍ନତ ମାନର ଜୀବନଶୈଳୀ ବେଶ୍ ଗୁରୁତ୍ୱ ରଖୁଛି । ଦିଲ୍ଲୀରେ ବସବାସ କରୁଥିବା ଗରିବ ଲୋକ ସେହି ଝୁପୁଡି ଘରେ ପଡି ରହିବାକୁ ଚାହୁଁଛ କି (?) ବୋଲି ନାଇଡୁ ସେମାନଙ୍କୁ ପ୍ରଶ୍ନ କରିଛନ୍ତି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) କେନ୍ଦ୍ର ସରକାରରେ ଏକ ପ୍ରମୁଖ ଅଂଶୀଦାର ରହିଛି । ଲୋକସଭାରେ ଦଳର ୧୬ ଜଣ ସାଂସଦ ରହିଛନ୍ତି । ଲୋକସଭାରେ ୧୨ ଜଣ ସାଂସଦ ଥିବା ବିହାରର ଜନତା ଦଳ (ୟୁନାଇଟେଡ) ୨୦୨୫-୨୬ ବଜେଟରେ ସର୍ବାଧିକ ପରିବାଣର ଅନୁଦାନ ପାଇଥିବା ବେଳେ ୧୬ ସାଂସଦ ଥାଇ ଆନ୍ଧ୍ରର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଉପେକ୍ଷାର ଶିକାର ହେବା କେତେଦୂର ଗ୍ରହଣୀୟ ବୋଲି କଂଗ୍ରେସ ଦଳର ବରିଷ୍ଟ ନେତା ଜୟରାମ ରମେଶ ଓ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ୱାଇଏସଆର କଂଗ୍ରେସ ପାର୍ଟି ମୁଖ୍ୟ ୱାଇ.ଏସ.ଜଗନମୋହନ ରେଡ୍ଡୀ ପ୍ରଶ୍ନ କରିଥିବା ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନାଇଡୁ ଆଜି ଦିଲ୍ଲୀରୁ ସେମାନଙ୍କୁ ଏହି ଉତ୍ତର ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନ ଜିତବ ବୋଲି ବାହାସ୍ପୋଟ ମାରିଥିବା ବେଳେ ଏକାକୀ ୨୪୦ ଆସନ ଜିତି ସରକାର କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦବାବୁ ନାଇଡୁଙ୍କ ସାହାରା ନେଇଥିଲା । କେନ୍ଦ୍ରରେ ମୋଦୀ-୦୩ ସରକାର ପ୍ରତିଷ୍ଠା ପରେ ଗତ ବର୍ଷ ସଂସଦରେ ଉପସ୍ଥାପିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବଜେଟରେ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶକୁ ସର୍ବାଧିକ ଗୁରୁତ୍ୱ ଦେଇ ଅନୁଦାନର ବର୍ଷା କରିଥିଲେ । ଆନ୍ଧ୍ର ପ୍ରଦେଶର ରାଜଧାନୀ ସହର ଅମରାବତୀର ବିକାଶ ପାଇଁ ଯଥେଷ୍ଟ ପରିମାଣର କେନ୍ଦ୍ରୀୟ ସହାୟତା ରାଜ୍ୟକୁ ମଂଜୁର ହୋଇଥିଲା । ବିବାଦୀୟ ପୋଲାଭରମ ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ମଧ୍ୟ ଆନ୍ଧ୍ର ସରକାର ହଜାର ହଜାର କୋଟି ଟଙ୍କା ଅନୁଦାନ ଆକାରରେ ପାଇଥିଲେ । ଶନିବାର ଦିନ ଉପସ୍ଥାପିତ ୨୦୨୫-୨୬ ପୂର୍ଣ୍ଣାଂଗ ବଜେଟରେ ବିହାର ସ୍ପଷ୍ଟ୍ ଲାଇଟରେ ରହିଛି । ବିହାର ପାଇଁ କେନ୍ଦ୍ର ସରକାର ପ୍ରକଳ୍ପ ଓ ଅର୍ଥର ବର୍ଷ କରିଥିବା ବେଳେ ଅନ୍ୟ ରାଜ୍ୟମାନେ ଇର୍ଷା କରିବା ଛଡା ଆଉ କିଛି ପାଇ ନାହାନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପିର ସରକାର ପ୍ରତିଷ୍ଠା ହୋଇଥିବା ବେଳେ ଲୋକସଭାରେ ଥିବା ରାଜ୍ୟର ୨୧ ଆସନରୁ ୨୦ ଆସନ ବିଜେପିକୁ ଯାଇଛି । ତେବେ, ୨୦୨୫-୨୬ ଆର୍ଥିକ ବର୍ଷ ବଜେଟରେ ଓଡ଼ିଶା ପାଇଁ ସେଭଳି କିଛି ସ୍ୱତନ୍ତ୍ର ପ୍ରକଳ୍ପ ଘୋଷଣା ହୋଇ ନାହିଁ ବା ଆର୍ଥିକ ଅନୁଦାନ ମିଳି ନାହିଁ । ତଥାପି, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି । ୨୦୨୪-୨୫ ବର୍ଷ କେନ୍ଦ୍ର ଟିକସରୁ ରାଜ୍ୟ ଅଂଶ ଭାବେ ଓଡ଼ିଶାକୁ ୫୫,୨୩୨ କୋଟି ଟଙ୍କା ମିଳିଥିବା ବେଳେ ୨୦୨୫-୨୬ ବର୍ଷ ବଜେଟରେ ଏହି ରାଶି ୬୪,୪୦୮ କୋଟି ଟଙ୍କା ବୃଦ୍ଧି ହୋଇଛି, ଯାହାକି ପୂର୍ବ ବର୍ଷ ମିଳିଥିବା ରାଶିରୁ ୯୧୭୬ କୋଟି ଟଙ୍କା ଅଧିକ । ଏହି ବର୍ଦ୍ଧିତ ରାଶିକୁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ଲଗାଇବେ । ବିଭିନ୍ନ କେନ୍ଦ୍ରୀୟ ଯୋଜନାରୁ ମଧ୍ୟ ଓଡ଼ିଶା ଉପକୃତ ହେବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ସଫେଇ ଦେଇଛନ୍ତି । ସବୁଠାରୁ ମଜା କଥା ହେଉଛି, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ ବଜେଟରେ ବିହାରକୁ ସର୍ବାଧିକ ପରିମାଣର ପ୍ରକଳ୍ପ ଓ ଆର୍ଥିକ ପ୍ରୋତ୍ସାହନ ମଂଜୁର ହୋଇଥିବାରୁ ଦେଶବ୍ୟାପୀ ଯେଉଁ ସମାଲୋଚନା ଆରମ୍ଭ ହୋଇଛି ତାହାକୁ ‘ବିହାର-ବିରୋଧୀ’ କହି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ରାଜନୈତିକ ଫାଇଦା ଉଠାଇବା ଉଦ୍ୟମ ଆରମ୍ଭ କରିଛି । ଚଳିତ ବର୍ଷ ପ୍ରାରମ୍ଭରେ ଦିଲ୍ଲୀ ଓ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବଜେଟ ଦୁଇ ନିର୍ବାଚନକୁ ଆଖିରେ ରଖି ପ୍ରସ୍ତୁତ ହୋଇଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ବାସ୍ତବିକତାକୁ ଜାଣନ୍ତି । ତେଣୁ, ୨୦୨୫-୨୬ ପୂର୍ଣ୍ଣାଂଗ ବଜେଟରେ ଆନ୍ଧ୍ର ପ୍ରଦେଶକୁ ଉପେକ୍ଷା କରାଯାଇଥିବା ସେ ଜାଣୁଥିଲେ ମଧ୍ୟ ଏହାକୁ ୨୦୪୬ ସୁଦ୍ଧା ଏକ ବିକଶିତ ଭାରତ ଗଠନ ପାଇଁ ଏକ ଦୂରଦୃଷ୍ଟି ସଂପନ୍ନ ବଜେଟ କହି ପ୍ରଶଂସା କରିବାକୁ ବାଧ୍ୟ ହୋଇଛନ୍ତି । ନାଇଡୁ ଏକ ଆଂଚଳିକ ରାଜନୈତିକ ଦଳ (ଟିଡିପି)ର ନେତୃତ୍ୱ ନେଉଥିଲେ ମଧ୍ୟ ରାଜନୈତିକ ବାଧ୍ୟବାଧକତାରୁ ଦିଲ୍ଲୀରେ ଆଂଚଳିକ ରାଜନୈତିକ ଦଳ ‘ଆପ୍’ ବିରୋଧରେ ପ୍ରଚାର ପାଇଁ ବାଧ୍ୟ ହୋଇଛନ୍ତି । ଦିଲ୍ଲୀ ମଡେଲ ସରକାର (ଆପ୍ ସରକାର) ‘ବିଫଳ’ ହୋଇଥିବାରୁ ଦିଲ୍ଲୀବାସୀ ସମନ୍ୱିତ ବିକାଶ ପାଇଁ ୦୫ ତାରିଖ ଦିନ ବିଜେପି ସପକ୍ଷରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି । ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ବ୍ୟତୀତ ବିରୋଧୀ ‘ଇଣ୍ଡି’ ମେଂଟର ଅନ୍ୟ ସମସ୍ତ ସହଯୋଗୀ ଦଳ ‘ଆପ୍’କୁ ସମର୍ଥନ ଦେଉଥିବା ବେଳେ କଂଗ୍ରେସ ଓ ବିଜେପି ‘ଆପ୍’କୁ ଷଣ୍ଢୁଆସୀ ଆକ୍ରମଣ ଜାରି ରଖି ଥିବାରୁ ଦିଲ୍ଲୀବାସୀଙ୍କ ନିଷ୍ପତ୍ତି କାହା ସପକ୍ଷରେ ଯାଉଛି ତାହା ୦୫ ତାରିଖ ମତଦାନ ପରେ ଏକପ୍ରକାର ସ୍ପଷ୍ଟ ହୋଇଯିବା ଆଶା କରାଯାଉଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS