ଆୟକର ରିହାତି ଘୋଷଣା ଦିଲ୍ଲୀ ଭୋଟକୁ କେତେଦୂର ପ୍ରଭାବିତ କରିବ ?


ପ୍ରସାଦ ରାଓ
ଫେବୃୟାରୀ ୦୨/୨୦୨୫
ଫେବୃୟାରୀ ୦୫ ତାରିଖରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହେବାକୁ ଥିବା ସମୟରେ ଠିକ୍ ପାଂଚ ଦିନ ପୂର୍ବରୁ, ଅର୍ଥାତ ଜାନୁୟାରୀ ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ଓ ଫେବୃୟାରୀ ୦୧ ତାରିଖରେ ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀଥାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରି ଦେଶର ମଧ୍ୟବିତ୍ତ ଶ୍ରେଣୀକୁ ପ୍ରଲୋଭିତ କଲଶ ଭଳି ଟିକସ ସଂସ୍କାର ପ୍ରସ୍ତାବମାନ ଘୋଷଣା କରିବା କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଶାସକ ଏନଡିଏ ମେଂଟର ରାଜନୈତିକ ଉଦ୍ଦେଶ୍ୟ ସ୍ପଷ୍ଟ କରୁଛି । ଦିଲ୍ଲୀରେ ବିଗତ ୧୧ ବର୍ଷ ଧରି ଆମ୍ ଆଦମୀ ପାର୍ଟି (ଆପ୍) ସରକାର ରହିଛି । ତା’ ପୂର୍ବ ୧୪ ବର୍ଷ କଂଗ୍ରେସ ଶାସନରେ ଥିଲା । ୧୯୯୮ ପରରୁ ବିଜେପି ଦିଲ୍ଲୀରେ କ୍ଷମତାରେ ନାହିଁ । ତେଣୁ, ୨୦୨୫ ନିର୍ବାଚନରେ ଦିଲ୍ଲୀକୁ ଦଖଲ କରିବା ବିଜେପିର ପ୍ରାଥମିକତା ହୋଇଯାଇଛି । ଦିଲ୍ଲୀ ଦଖଲ ପାଇଁ ବିଜେପି ଓ କଂଗ୍ରେସ ଭୋଟରଙ୍କୁ ପ୍ରଭାବିତ କଲା ଭଳି ବହୁ ଘୋଷଣା କରିଥିବା ବେଳେ ‘ଆପ୍’ ନିଜର ଅସ୍ତିତ୍ୱ ବଜାୟ ରଖିବାକୁ ବିଭିନ୍ନ ମାଗଣା ଯୋଜନା ସହ କଂଗ୍ରେସ ଓ ବିଜେପି ସହ ଛାୟାଯୁଦ୍ଧରେ ମାତିଛି । ଏଭଳି ସ୍ଥିତିରେ ମଧ୍ୟବିତ୍ତ ଶ୍ରେଣୀଙ୍କ ସମର୍ଥନ ଉପରେ ସମସ୍ତଙ୍କ ନଜର ରହିଛି । ‘ଆପ୍’ ମଧ୍ୟବିତ୍ତ ଶ୍ରେଣୀ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବିଭିନ୍ନ ରିହାତି ଓ ସୁବିଧା ସୁଯୋଗ ଦାବି କରି ସେମାନଙ୍କ ସୁନଜରରେ ରହିବାକୁ ଉଦ୍ୟମ କରିଥିବା ବେଳେ କଂଗ୍ରେସ ମଧ୍ୟ କ୍ଷମତାକୁ ଆସିଲେ ଏହି ଶ୍ରେଣୀ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି । ଏତିକି ବେଳେ ବିଜେପି କେନ୍ଦ୍ରୀୟ ବଜେଟ ମାଧ୍ୟମରେ ମଧ୍ୟବିତ୍ତଙ୍କ ଭୋଟ ହାସଲ କରିବାକୁ ଅମୋଘ ଅସ୍ତ୍ର ପ୍ରୟୋଗ କରିଛି । ଦିଲ୍ଲୀ ବିଧାନସଭା ପାଇଁ ଭୋଟ ପୂର୍ବରୁ କେନ୍ଦ୍ର ସରକାର ସଂସଦର ବଜେଟ ଅଧିବେଶନ ଆରମ୍ଭ କରି ୨୦୨୫-୨୬ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ଆୟକର ଛାଡ ସୀମା ବାର୍ଷିକ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏକ ଲୋଭନୀୟ ଘୋଷଣା ହୋଇଛି । ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଆୟକାରୀଙ୍କୁ ଏବେ ଆଉ ଆୟକର ଦେବାକୁ ପଡିବ ନାହିଁ । ସେହିଭଳି, ବେତନଭୋଗୀ କର୍ମଚାରୀଙ୍କୁ ୧୨ ଲକ୍ଷ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ ଘୋଷଣା ହୋଇଛି । ଏଥିରେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଷ୍ଟାଣ୍ଡାର୍ଡ ଡିଡକ୍ସନ ରହିଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀଥାରମଣଙ୍କ ୨୦୨୫-୨୬ ବର୍ଷ ବଜେଟରେ ଅନ୍ୟ ଯାହା ସବୁ ଘୋଷଣା ହୋଇଛି ସେସବୁ ଦେଶର ଅର୍ଥନୀତିଜ୍ଞଙ୍କ ପାଇଁ ତର୍ଜମାର ବିଷୟ ହୋଇଥିବା ବେଳେ ଆୟକର ଛାଡ ସୀମା ବାର୍ଷିକ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି ସାଧାରଣ ଆୟକାରୀ ବର୍ଗଙ୍କୁ ପ୍ରଲୁବ୍ଧ କରିବାକୁ ଯଥେଷ୍ଟ, ଏଥିରେ କିଛି ସନ୍ଦେହ ନାହିଁ । ଗତକାଲି ସଂସଦରେ ବଜେଟ ଉପସ୍ଥାପନ ପରେ ଆୟକର ଛାଡ ସୀମା ବୃଦ୍ଧି ପ୍ରସ୍ତାବକୁ ଜାତୀୟ ଗଣମାଧ୍ୟମ ଜୋର ଦେଇ ପ୍ରଚାର କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ ୨୦୨୫-୨୬ ଆର୍ଥିକ ବଜେଟକୁ ‘ସାଧାରଣ ଲୋକଙ୍କ ବଜେଟ’ କହି ଦିଲ୍ଲୀରେ ନିର୍ବାଚନ ପ୍ରଚାରକୁ ଶାଣିତ କରିଛନ୍ତି । ଆଜି ଦକ୍ଷିଣ ଦିଲ୍ଲୀର ଆର.କେ.ପୁରମରେ ଆୟୋଜିତ ଏକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ୨୦୨୫ ବଜେଟ ‘ଲୋକଙ୍କ ବଜେଟ’ ଏବଂ ଏହି ବଜେଟ ମଧ୍ୟବତ୍ତ ଶ୍ରେଣୀଙ୍କ ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଛି ବୋଲି ମତ ଦେଇ ପୂର୍ବ କଂଗ୍ରେସ ସରକାରଙ୍କୁ କଡା ଆକ୍ରମଣ କରିଛନ୍ତି । ବିଜେପି ଦେଶକୁ ଅର୍ଥନୈତିକ ଅଭିବୃଦ୍ଧି ଆଡକୁ ଆଗେଇ ନେଉଥିବା ପ୍ରଦାନମନ୍ତ୍ରୀ କହିଛନ୍ତି । ପୂର୍ବରୁ କେନ୍ଦ୍ରରେ କଂଗ୍ରେସର ଶାସନ ଥିବା ସମୟରେ ବ୍ୟାପକ ଦୁର୍ନୀତି ଏବଂ ଜନତାଙ୍କ କଷ୍ଟାର୍ଜିତ ଧନର ଆତ୍ମସାତ ହେଉଥିଲା । ବିଜେପି ଶାସନକୁ ଆସିବା ପରେ ସାଧୁତାର ସହ ସବୁ ଶ୍ରେଣୀର ବିକାଶ ଦିଗରେ କାର୍ଯ୍ୟ କରୁଛି । ଦେଶର ଗରୀବ, ମଧ୍ୟବିତ୍ତ, ଗ୍ରାମାଂଚଳ ଓ ସହରାଂଚଳ ଜନତା ସମାନ ଭାବେ ବିଜେପି ଶାସନରେ ଉପକୃତ ହେଉଛନ୍ତି । ପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଶାସନରେ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଉପରେ ଏକ ଚତୁର୍ଥାଂଶ ଓ ଇନ୍ଦିରା ଗାନ୍ଧୀଙ୍କ ଶାସନରେ ୧୨ ଲକ୍ଷ ଟଙ୍କା ଆୟ ଉପରେ ୧୦ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିଥା’ନ୍ତା । କିନ୍ତୁ, ବିଜେପି ଶାସନରେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ‘ଶୂନ୍ୟ’ ଟିକସ ଦେବାକୁ ପଡିବ । ବେତନଭୋଗୀ ସରକାରୀ କର୍ମଚାରୀଙ୍କ ପାଇଁ କେବଳ ଆୟକର ରହାତି ନୁହେଁ, ବେତନ ବୃଦ୍ଧି ପାଇଁ ଅଷ୍ଟମ ବେତନ କମିଶନ, ପେନସନ୍ ବ୍ୟବସ୍ଥାରେ ସୁଧାର ହେଉଛି । ବଜେଟରେ ଯେଉଁ ବ୍ୟବସ୍ଥା ହୋଇଛି ସେଥିରେ ବରିଷ୍ଟ ନାଗରିକ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମଧ୍ୟ ଉପକୃତ ହେବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଆର.କେ.ପୁରମ ସଭାରେ କହିଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ୨୦୨୫-୨୬ ବଜେଟରେ ବିହାର ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ହୋଇଛି । ଦିଲ୍ଲୀରେ ବସବାସ କରୁଥିବା ପୂର୍ବାଂଚଳୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାଂଚଳବାସୀ ତାଙ୍କୁ ସଂସଦକୁ ନିର୍ବାଚିତ କରିଥିବା କହିଥିଲେ । କଂଗ୍ରେସ ଶାସନରେ ପୂର୍ବାଂଚଳବାସୀ, ବିଶେଷକରି ବିହାରବାସୀ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ଥିଲେ । ତେବେ, ବିଜେପି ସରକାର ସେମାନଙ୍କୁ ଯଥେଷ୍ଟ ସମ୍ମାନ ଦେଉଛନ୍ତି ଏବଂ ୨୦୨୫-୨୬ ବଜେଟରେ ବିହାର ପାଇଁ ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ‘ଆପ-ଦା’ (ଆପ୍) ଓ କଂଗ୍ରେସକୁ ଭୋଟ ଦେଇ ସେମାନେ ସେମାନଙ୍କ ମୂଲ୍ୟବାନ ଭୋଟ ନଷ୍ଟ ନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେବା ସହ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି । ଦିଲ୍ଲୀ ବିଧାନସଭା ଭୋଟର ଠିକ୍ ପୂର୍ବରୁ ‘ଆପ୍’ର ଛଅ ଜଣ ବିଧାୟକ ‘ଆପ୍’ରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ବିଷୟ ଉଲ୍ଳେଖ କରି ନିର୍ବାଚନ ‘ଆପ୍’ର ନିର୍ବାଚନ ଚିହ୍ନ ‘ଝାଡୁ’ ଭାଂଗିରୁଜି ଗଲାଣି ବୋଲି ପ୍ରଧାନମନ୍ତ୍ରୀ କଟାକ୍ଷ କରିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀଥାରମଣ ମଧ୍ୟ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ୨୦୨୫-୨୬ ବଜେଟ ସାଧାରଣ ଜନତା ପାଇଁ ଉଦ୍ଦିଷ୍ଟ ଥିବା ଏବଂ ୨୦୪୭ରେ ‘ବିକଶିତ ଭାରତ’ ଗଠନ ଦିଗରେ ପଦକ୍ଷେପ ବୋଲି ସୂଚନା ଦେଇଛନ୍ତି । ବିହାର ଭୋଟ ପାଇଁ ଯଥେଷ୍ଟ ସମୟ ରହିଛି । ତେବେ, ଦିଲ୍ଲୀରେ ତୁରନ୍ତ ଭୋଟ ହେବାକୁ ଯାଉଛି । ଠିକ୍ ଦିଲ୍ଲୀ ଭୋଟ ପୂର୍ବରୁ କେନ୍ଦ୍ର ସରକାର ସଂସଦରେ ଘୋଷଣା କରିଥିବା ଆୟକର ରିହାତି ମଧ୍ୟବିତ୍ତ ଶ୍ରେଣୀ ଓ ସରକାରୀ କର୍ମଚାରୀଙ୍କ ଭୋଟ ହାସଲ ଦିଗରେ ବିଜେପି ପାଇଁ କେତେଦୂର ସହାୟକ ହେଉଛି ତାହା ଫେବୃୟାରୀ ୦୮ ତାରିଖରେ ଫଳାଫଳ ଆସିଲେ ସ୍ପଷ୍ଟ ହୋଇଯିବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS