ରାଷ୍ଟ୍ରପତିଙ୍କୁ ‘ବିଚରା’ କହି ହରଡଘଣାରେ କଂଗ୍ରେସ !


ପ୍ରସାଦ ରାଓ
ଫେବୃୟାରୀ ୦୧/୨୦୨୫
ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରରୁ ବିରୋଧୀ ଦଳ ନେତାଙ୍କ ଆଡୁ ବିଭିନ୍ନ ସମୟରେ ବ୍ୟଂଗାତ୍ମକ ରାଜନୈତିକ ଆକ୍ରମଣର ଶିକାର ହୋଇଆସିଛନ୍ତି । କଂଗ୍ରେସ ନେତାମାନେ କେତେବେଳେ ତାଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ବ୍ୟଂଗ କରିଛନ୍ତି ତ ଆଉ କେତେବେଳେ ‘ବିଚରା’ କହି । ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ବିଗତ ଲୋକସଭାରେ ବିରୋଧୀ ଦଳ ନେତା ଥିବା ଅଧୀର ରଂଜନ ଚୌଧୁରୀ ତାଙ୍କୁ ଗଣମାଧ୍ୟମ ସାମ୍ନାରେ ‘ରାଷ୍ଟ୍ରପତ୍ନୀ’ କହି ବ୍ୟଂଗ କରିଥିଲେ, ଯାହାକି ବ୍ୟକ୍ତିଗତ ଭାବେ ତାଙ୍କୁ ଓ ସାମଗ୍ରିକ ଭାବେ କଂଗ୍ରେସ ଦଳକୁ ଅଡୁଆରେ ପକାଇ ଥିଲା । ମୁର୍ମୁଙ୍କ ଭଳି ଜଣେ ଆଦିବାସୀ ମହିଳାଙ୍କୁ ବିଜେପି ପ୍ରଥମ କରି ଦେଶର ରାଷ୍ଟ୍ରପତି ନିର୍ବାଚିତ କରାଇବା ପରିବାରବାଦୀ ତଥା ସମାନ୍ତବାଦୀ କଂଗ୍ରେସ ନେତୃବର୍ଗଙ୍କ ସହଜରେ ହଜମ ହେଉନାହିଁ, ତେଣୁ ସେମାନେ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଅପମାନିକ କରିବାକୁ ପଛାଉ ନାହାନ୍ତି ବୋଲି ବିଜେପି ପକ୍ଷରୁ ସେତେବେଳେ କଡା ସମାଲୋଚନା କରାଯାଇଥିଲା । ରାଷ୍ଟ୍ରପତିଙ୍କ ପ୍ରତି ଅଧୀର ରଂଜନ ଚୌଧୁରୀଙ୍କ କଟାକ୍ଷ ଆଦିବାସୀ ଓ ମହିଳାଙ୍କ ପ୍ରତି ଅପମାନସୂଚକ ଏବଂ ରାଷ୍ଟ୍ରପତି ଆସନର ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି ଦର୍ଶାଇ କଂଗ୍ରେସ ନେତୃବର୍ଗ ଏଥିପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଓ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ବିଜେପି ନେତୃବର୍ଗ ଅଡି ରହିଥିଲେ । ଚୌଧୁରୀଙ୍କ କଟାକ୍ଷକୁ ନେଇ ସଂସଦରେ ମଧ୍ୟ ଶାସକ ଓ ବିରୋଧୀ ମୁହାମୁହିଁ ହୋଇଥିଲେ । ପରିସ୍ଥିତି ଜଟିଳ ହେବାରୁ ଚୌଧୁରୀ ରାଷ୍ଟ୍ରପତି ମୁର୍ମୁଙ୍କୁ କ୍ଷମା ମାଗିବାକୁ ବାଧ୍ୟ ହୋଇଥିଲେ । ହିନ୍ଦୀ ଭାଷାରେ ତାଙ୍କ ଦକ୍ଷତା ନଥିବା ଗଣମାଧ୍ୟମ ସହ ଆଲୋଚନା ସମୟରେ ଭୁଲରେ ତାଙ୍କ ପାଟିରୁ ‘ରାଷ୍ଟ୍ରପତି’ ସ୍ଥାନରେ ‘ରାଷ୍ଟ୍ରପତ୍ନୀ’ ଖସି ଯାଇଥିଲା ବୋଲି ଚୌଧୁରୀ ସଫେଇ ଦେଇଥିଲେ । ଯଦି ରାଷ୍ଟ୍ରପତିଙ୍କ ଭାବାବେଗକୁ ଏହା ଆଘାତ ଦେଇଛି ସେଥିପାଇଁ ସେ ଦୁଃଖିତ ଓ କ୍ଷମାପ୍ରାର୍ଥୀ ଦର୍ଶାଇ ଚୌଧୁରୀ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ । ତଥାପି, କଂଗ୍ରେସକୁ ଆଦିବାସୀ ଓ ମହିଳା ବିରୋଧୀ କହି ଟାର୍ଗେଟ୍ କରିବାକୁ ବିଜେପି ପଛାଇ ନଥିଲା । ପରର୍ବର୍ତ୍ତୀ ସମୟରେ, ନୂଆଦିଲ୍ଲୀରେ ନୂତନ ଭାବେ ନିର୍ମିତ ସଂସଦ ଭବନର ଉଦଘାଟନ ଏବଂ ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାନଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଏହି କାର୍ଯ୍ୟ ସଂପାଦନ କରାଯିବା ବିଜେପିକୁ ସମାଲୋଚନାର ଶରବ୍ୟ କରିଥିଲା । ରାଷ୍ଟ୍ରପତି ମୁର୍ମୁ ଜଣେ ଆଦିବାସୀ ମହିଳା ହୋଇଥିବାରୁ ନୂତନ ସଂସଦ ଭବନ ଉଦଘାଟନ ଓ ରାମଲାଲାଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ଉତ୍ସବରୁ ତାଙ୍କୁ ଦୂରେଇ ରଖାଗଲା ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ବଜେପିକୁ ସମାଲୋଚନା କରିଥିଲେ । ଏହି ଦୁଇ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ କର୍ତ୍ତା ସାଜିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଦେଶରେ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଦର୍ଶାଇବା ସହ ବିଜେପି ଆଦିବାସୀ ଓ ପଛୁଆ ବର୍ଗ ବିରୋଧୀ ବୋଲି ପ୍ରଚର କରି ବେଶ୍ ସଫଳତା ପାଇଛନ୍ତି । ଲୋକସଭାରେ ବିଜେପି ବିଗତ ଦଶ ବର୍ଷ ଧରି ଏକକ ସଂଖ୍ୟାଗରିଷ୍ଠ ଦଳ ରହିଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ନପାଇ ଏକାକୀ ସରକାର ଗଠନରୁ ବଂଚିତ ହୋଇଛି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ-ୟୁନାଇଟେଡ ବା ଜେଡିୟୁ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)ଙ୍କ ସମର୍ଥନରେ ଦେଶରେ ତୃତୀୟ ପାଳି ସରକାର କରିଛି । ଚବିଶି ନିର୍ବାଚନରେ କଂଗ୍ରେସ ବିଜେପିକୁ ସମ୍ବିଧାନ-ବିରୋଧୀ ଦର୍ଶାଇ ଏକକ ସଂଖ୍ୟାଗରିଷ୍ଠତା ହାସଲରୁ ବଂଚିତ କରିଥିବାରୁ ମୋଦୀଙ୍କ ତୃତୀୟ ପାଳି ସରକାରରେ ବିଜେପି ୧୯୭୫ ଜୁନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାରି କରିଥିବା ଏମର୍ଜେନ୍ସୀ (ଜରୁରୀ ପରିସ୍ଥିତି)କୁ କଂଗ୍ରେସ ବିରୋଧରେ ଅସ୍ତ୍ର ଭାବେ ପ୍ରୟୋଗ କରିଛି ଏବଂ ସମ୍ବିଧାନ ଉପରେ ବିତର୍କ ନାମରେ ଇନ୍ଦିରାଙ୍କ ଶାସନର ଧଜ୍ଜିଆ ଉଡାଇଛି । ରାଷ୍ଟ୍ରପତି ମୁର୍ମୁ ଦେଶର ଶାସନ ମୁଖ୍ୟ ଭାବେ ସଂସଦରେ ଏହି ବିତର୍କର ଅୟମାରମ୍ଭ କରି ନିଜର ଅଭିଭାଷଣରେ ୧୯୭୫ ଜୁନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ହୋଇଥିବା ଏମର୍ଜେନ୍ସୀ ବା ଜରୁରୀ ପରିସ୍ଥିତି ଦେଶକୁ ଏକା କାରାଗାରରେ ପରିଣତ କରିଥିଲା ଏବଂ ତାହା ଦେଶ ପାଇଁ ଏକ ଅନ୍ଧକାରର ସମୟ ଥିଲା ବୋଲି ସମାଲୋଚନା କରିଥିଲେ ଏବଂ ବିରୋଧୀ ରାଷ୍ଟ୍ରପତିଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ଗତକାଲି (ଜାନୁୟାରୀ ୩୧)ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ର ମୁଖ୍ୟ ଭାବେ ରାଷ୍ଟ୍ରପତି ମୁର୍ମୁ ସଂସଦର ଉଭୟ ଗୃହକୁ ସଂବୋଧିତ କରି ମୋଦୀ ସରକାରଙ୍କ ପ୍ରଥମ ଦୁଇ ପାଳିର ସଫଳତା ଏବଂ ତୃତୀୟ ପାଳିର ଆଭିମୁଖ୍ୟକୁ ନେଇ ଦୀର୍ଘ ଭାଷଣ ରଖିଥିଲେ । ଭାଷଣର ଶେଷ ଆଡକୁ ରାଷ୍ଟ୍ରପତି ଥକି ଯିବା ଭଳି ମନେ ହେଉଥିଲେ ବୋଲି କଂଗ୍ରେସର ପୂର୍ବତନ ସଭାପତି ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଅଭିଭାଷଣ ସରିବା ପରେ ପାର୍ଲାମେଂଟ ବାହାରେ ଗଣମାଧ୍ୟମକୁ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି । ବିଶେଷକରି, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେ ‘ବିଚରା’ ଶବ୍ଦ ପ୍ରୟୋଗ କରିବା ବିଜେପିକୁ କ୍ଷୁବ୍ଧ କରିଛି । ଏହା କଂଗ୍ରେସର ସାମନ୍ତବାଦୀ ମନୋଭାବର ପରିଚୟ ଦେଉଛି ବୋଲି ବିଜେପି ଅଭିଯୋଗ କରିବା ସହ ସୋନିଆ ଗାନ୍ଧୀ ଓ କଂଗ୍ରେସ ରାଷ୍ଟ୍ରପତିଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗିବାକୁ ଦାବି ରଖିଛି । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପିର ତଳିଆ ନେତା ପର୍ଯ୍ୟନ୍ତ ସମସ୍ତେ ‘ବିଚରା’ ଶବ୍ଦକୁ ନେଇ କଂଗ୍ରେସ ନେତୃତ୍ୱଠାରୁ କ୍ଷମା ଦାବି କରୁଥିବା ବେଳେ ଗତକାଲି ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ ରାଷ୍ଟ୍ରପତିଙ୍କ ପ୍ରେସ୍ ସେକ୍ରେଟାରୀ ଅଜୟ କୁମାର ସିଂହ ଏକ ବୟାନ ଜାରି କରି ସୋନିଆଙ୍କ ବିବୃତିକୁ ଅସତ୍ୟ ଓ ‘ନିମ୍ନ ରୁଚିର’ କହି ସମାଲୋଚନା କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ସରକାରଙ୍କ ସଫଳତାକୁ ନେଇ ଦୀର୍ଘ ଭାଷଣ ପଢିବା ବେଳେ କୌଣସି ସମୟରେ ବି କ୍ଲାନ୍ତ ଦିଶୁନଥିଲେ ବୋଲି ରାଷ୍ଟ୍ରପତି ଭବନ ସଫେଇ ଦେଇଛି । ବିଜେପି ଏହାକୁ ବିରୋଧୀଙ୍କ ମହିଳା ଓ ଆଦୀବାସୀ ବିରୋଧୀ ଚିନ୍ତାଧାରା କହି ଆକ୍ଷେପ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ସାଧାରଣ ସଭାରେ ଭାଷଣ ଦେବା ସମୟରେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ସମାଲୋଚନା କରି ଏହି କଂଗ୍ରେସ ନେତାମାନେ ନିଜକୁ ଦେଶର ମାଲିକ ଭାବୁଛନ୍ତି ବୋଲି କଟାକ୍ଷ କରିବା ସହ ସୋନିଆଙ୍କ ମନ୍ତବ୍ୟରୁ କଂଗ୍ରେସର ମନୋଭାବ ପଦାରେ ପଡି ଯାଇଛି ବୋଲି ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରପତି ମୁର୍ମୁ ଜଣେ ଓଡିଆ ଭାଷୀ ହୋଇ ମଧ୍ୟ ସଂସଦରେ ହିନ୍ଦିରେ ଦେଇଥିବା ଭାଷଣ ପ୍ରେରଣାଦାୟୀ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିବାଦ ଅଧିକ ଘନୀଭୂତ ହେବା ପରେ କଂଗ୍ରେସ ନେତ୍ରୀ ତଥା ଲୋକସଭା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ନାକୁ ଆସି ମା’ଙ୍କୁ ସୁରକ୍ଷା ଦେଇଛନ୍ତି । ରାଷ୍ଟ୍ରପତି ମୁର୍ମୁ ଏତେ ଲମ୍ବା ଭାଷଣ ପଢିଥିବାରୁ ଶେଷ ଆଡକୁ ଥକିଗଲା ଭଳି ମନେ ହେଉଥିଲା, ବିଚରା.. ବୋଲି ତାଙ୍କ ମା’ ସୋନିଆ ଗାନ୍ଧୀ ଦେଇଥିବା ହାଲକା ମତକୁ ଅପଭ୍ରଂଶ କରି ପ୍ରସାରିତ କରାଯାଇଛି । ତାଙ୍କ ମା’ଙ୍କୁ ୭୮ ବର୍ଷ ହେଲାଣି । ଭାରତର ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ପୂର୍ଣ୍ଣ ସମ୍ମାନ ରହିଛି । ଗଣମାଧ୍ୟମ ଗୋଟିଏ ହାଲୁକା ମନ୍ତବ୍ୟକୁ ବୁଲାଇ ବଂକାଇ ପ୍ରସାରିତ କରିବା ଦୁଃଖଦାୟକ ବୋଲି ପ୍ରିୟଙ୍କା କହିଛନ୍ତି । ତେବେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ହାଲକା ଭାବେ ହେଉ ପଛେ ରାଷ୍ଟ୍ରପତିଙ୍କ ପ୍ରତି ‘ବିଚରା’ ଶବ୍ଦର ବ୍ୟବହାର କରିବା, ବିଜେପି ତାହାକୁ ଗଂଠି ପକାଇ ସୋନିଆଙ୍କ ଠାରୁ କ୍ଷମା ଦାବି କରିବା ଏବଂ ରାଷ୍ଟ୍ରପତି ଭବନ ମଧ୍ୟ ଏହି ବିବାଦ ଭିତରକୁ ପଶି ଆସି ସୋନିଆଙ୍କ ମନ୍ତବ୍ୟ ‘ନିମ୍ନ ରୁଚିର’ କହି କ୍ଷୋଭ ବ୍ୟକ୍ତ କରିବା ନିଶ୍ଚିତ ଭାବେ ଆଜି ଦିନରେ ଦେଖା ଦେଇଥିବା ରାଜନୈତିକ ଅବକ୍ଷୟକୁ ସୂଚାଉଛି । ଏହି ବିବାଦ ପରେ ରାଷ୍ଟ୍ରପତିଙ୍କୁ କେହି ଘରୋଇ ଭାବେ ବି ‘ବିଚରା’ କହିବାକୁ ଆଉ ସାହାସ କରିବେ କି ନାହିଁ, ତାହା ଦେଖିବା ସମୟ ଆସୁଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS