ସଂସଦର ବଜେଟ ଅଧିବେଶନ ଆରମ୍ଭରୁ ଝୁଂଟିଲାଣି !


ପ୍ରସାଦ ରାଓ
ଜାନୁୟାରୀ ୩୧/୨୦୨୫
ଆଜିଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ସଦନର ମିଳିତ ଅଧିବେଶନରେ ଭାଷଣ ଦେଇ ବଜେଟ ଅଧିବେଶନ ଆରମ୍ଭ କରିଛନ୍ତି । ତେବେ, ଅଧିବେଶନ ଆରମ୍ଭରୁ ରାଷ୍ଟ୍ରପତିଙ୍କ ଭାଷଣକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ଅବସ୍ଥାକୁ ଆସି ଯାଇଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣରେ କିଛି ନୂତନତ୍ୱ ନଥିଲା, କିଛି କଥାକୁ ସେ ବାରମ୍ବାର ଦୋହରାଉ ଥିଲେ ଏବଂ ଭାଷଣର ଶେଷ ଆଡକୁ ରାଷ୍ଟ୍ରପତି କ୍ଲାନ୍ତ ହୋଇପଡିଥିବା ମନେ ହେଉଥିଲେ, ବିଚରା… ବୋଲି ପୂର୍ବତନ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ପାର୍ଲାମେଂଟ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ଯାହାକି ୬୬ ବର୍ଷ ବୟସ୍କା ରାଷ୍ଟ୍ରପତି ତଥା ଦେଶର ଜଣେ ଆଦିବାସୀ ନେତ୍ରୀଙ୍କୁ ଅପମାନିତ କଲା ଭଳି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି ଏବଂ କଂଗ୍ରେସ ଏଥିପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରିଛି । ସଂସଦୀୟ ପରଂପରା ଅନୁଯାୟୀ ରାଷ୍ଟ୍ରପତି ମୁର୍ମୁ ବଜେଟ ଅଧିବେଶନ ପ୍ରାରମ୍ଭରେ ଆଜି ସଦନର ଉଭୟ ଗୃହର ମିଳିତ ଅଧିବେଶନରେ ଭାଷଣ ରଖି ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ସଫଳତା ଓ ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ରାଷ୍ଟ୍ରପତିଙ୍କ ଭାଷଣ ପରେ ପାର୍ଲାମେଂଟ ବାହାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ । ସୋନିଆ ତାଙ୍କ ପ୍ରତିକ୍ରିୟାରେ ରାଷ୍ଟ୍ରପତି ଭାଷଣର ଶେଷ ଆଡକୁ ଅତ୍ୟନ୍ତ କ୍ଲାନ୍ତ ମନେ ହେଉଥିଲେ,କିଛି କହିବା ଭଳି ସ୍ଥିତିରେ ନଥିଲେ ‘ବିଚରା’ ବୋଲି ମନ୍ତବ୍ୟ ଦେଇଛନ୍ତି । ସୋନିଆ ଗଣମାଧ୍ୟମରେ ବକ୍ତବ୍ୟ ରଖିବା ସମୟରେ ସାଥିରେ ତାଙ୍କ ସାଂସଦ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ଥିଲେ । ରାହୁଲ ରାଷ୍ଟ୍ରପତିଙ୍କ ଭାଷଣକୁ ଅତ୍ୟନ୍ତ ବିରକ୍ତିକର, ବାରମ୍ବାର ଗୋଟିଏ କଥାକୁ ଦୋହରା ଯାଇଛି ବୋଲି କହିବା ସହ ଆଉ ଅଧିକ କିଛି କହିବାର ନାହିଁ ବୋଲି ମନ୍ତବ୍ୟ ଦେଉଥିବା ଶୁଣିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆଙ୍କ ପ୍ରତିକ୍ରିୟା ଆସିବା ପରେ ବିଜେପି ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇଛି । ଦଳର ରାଷ୍ଟ୍ରୀୟ ମୁଖ୍ୟ ଜେ.ପି.ନଡ୍ଡା ସୋନିଆଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ବିରୋଧୀଙ୍କ ସାମାନ୍ୟତମ ସମ୍ମାନ ନଥିବା ଏଥିରୁ ସ୍ପଷ୍ଟ ବୋଲି ସେ କହିଛନ୍ତି । ସୋନିଆଙ୍କ ଟିପ୍ପଣୀ ଅପମାନସୂଚକ । ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଦେଶରେ ହୋଇଥିବା ପ୍ରଗତି କଥା କୁହାଯାଇଛି । ପଛୁଆ ବର୍ଗ ମହିଳାଙ୍କ ସଶକ୍ତୀକରଣ କଥାକୁ ଗୁରୁତ୍ୱ ଦିଆଯାଇଛି । ବିରୋଧୀ ତାହାକୁ ନେଇ ପ୍ରତିକୂଳ ମନ୍ତବ୍ୟ ରଖିବା ସେମାନଙ୍କ ସାମନ୍ତବାଦୀ ଚିନ୍ତାଧାରାକୁ ପ୍ରତିଫଳିତ କରୁଛି ବୋଲି ନଡ୍ଡା ଅଭିଯୋଗ କରିବା ସହ ସୋନିଆଙ୍କ ବକ୍ତବ୍ୟରେ ଯେଉଁ ‘ବିଚରା’ ଶବ୍ଦ ବ୍ୟବହାର କରାଯାଇଛି ତାହା କଂଗ୍ରେସର ଗରୀବ-ବିରୋଧୀ ଓ ଆଦିବାସୀ-ବିରୋଧୀ ମନୋଭାବକୁ ପ୍ରତିଫଳିତ କରୁଛି, ଏଥିପାଇଁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଉ ବୋଲି ଦାବି କରିଛନ୍ତି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ମଧ୍ୟ ସୋନିଆ ଓ ଅନ୍ୟ ବିରୋଧି ଦଳ ନେତାଙ୍କ ଟିପ୍ପଣୀକୁ ନିନ୍ଦା କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ହେଉଛନ୍ତି ଜଣେ ଆଦିବାସୀ ମହିଳା । ଦେଶ ଓ ସମାଜ ପାଇଁ ସେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ସେ ଜଣେ ଦୁର୍ବଳ ମହିଳା ନୁହନ୍ତି ବୋଲି ରିଜ୍ଜୁ ମନ୍ତବ୍ୟ ଦେବା ସହ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ରାଷ୍ଟ୍ରପତି ମୁର୍ମୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସାଂସଦ ସୁକାନ୍ତ ମଜୁମଦାର ପ୍ରମୁଖ ସୋନିଆଙ୍କ ଟିପ୍ପଣୀକୁ ନିନ୍ଦ କରିବା ସହ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବାକୁ ଆହ୍ୱାନ ଦେଇଛନ୍ତି । ରାଷ୍ଟ୍ରପତି ମୁର୍ମୁ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଦେଶରେ ହୋଇଥିବା ଅର୍ଥନୈତିକ ବିକାଶକୁ ଗୁରୁତ୍ୱ ଦେଇଛନ୍ତି । ମୋଦୀ ତାଙ୍କ ତୃତୀୟ ପାଳି ଶାସନରେ ପୂର୍ବ ଦୁଇ ପାଳି ଅପେକ୍ଷା ଅଧିକ ଦୃତ ବେଗରେ ବିକାଶକୁ ଆଗେଇ ନେବେ ବୋଲି ରାଷ୍ଟ୍ରପତି ଦୃଢୋକ୍ତି ପ୍ରକାଶ କରିଛନ୍ତି । କୋଭିଡ-୧୯ ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସରକାର ଦେଶର ଅର୍ଥନୀତିରେ ଲଗାମ ଲାଗିବାକୁ ଦେଇନଥିଲା ବୋଲି ଦର୍ଶାଇ ଦେଶରେ ବେସାମରିକ ବିମାନ ଚଳାଚଳ ଏବଂ ରେଳବାଇ କ୍ଷେତ୍ରରେ ଦୃତ ପ୍ରଗତିକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । କୃଷି କ୍ଷେତ୍ରର ଆଧୁନିକୀକରଣ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ତାଙ୍କ ସରକାର ଦେଶକୁ ସବୁ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ଅଗ୍ରସର ହେଉଛନ୍ତି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS