ବୁଧବାର ଭୋଟ, କାହାକୁ ଭରସା କରିବେ ଦିଲ୍ଲୀ ମତଦାତା ?


ପ୍ରସାଦ ରାଓ
ଜାନୁୟାରୀ ୩୦/୨୦୨୫
ଗୋଟିଏ ପଟେ ଜୁନାୟାରୀ୧୩ ତାରିଖ ମକର ସଂକ୍ରାନ୍ତିରୁ ୟୁପିର ପ୍ରୟାଗରାଜଠାରେ ମହାକୁମ୍ଭ ମେଳା ଚାଲିଛି । କୋଟି କୋଟି ସଂଖ୍ୟାରେ ସାଧୁ, ସନ୍ଥ ଓ ସନାତନୀ ଭକ୍ତମାନେ ମହାକୁମ୍ଭ ମେଳାରେ ପହଂଚି ଗଂଗା, ଯମୁନା ଓ ସରସ୍ୱତୀ ନଦୀର ସଂଗମ ସ୍ଥଳରେ ଅମୃତ ସ୍ନାନ କରିବା ସହ ବାର ବର୍ଷରେ ଥରେ ହେଉଥିବା ଏହି ମହାକୁମ୍ଭର ଆନନ୍ଦ ନେଉଛନ୍ତି । ଅନ୍ୟପଟେ, ଯମୁନା ନଦୀ ଜଳକୁ ନେଇ ଦିଲ୍ଲୀ ରାଜନୀତିରେ ହଟ୍ଟଚମଟ ଚାଲିଛି । ହରିୟାଣାରୁ ଦିଲ୍ଲୀରେ ପହଂଚୁ ଥିବା ଯମୁନା ଜଳ ମାତ୍ରାଧିକ ପରିମାଣରେ ଦୂଷିତ ଓ ‘ବିଷାକ୍ତ’ ବୋଲି ନିକଟରେ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରୀୱାଲ ଯେଉଁ ଅଭିଯୋଗ କରିଛନ୍ତି ଓ ଏହି ବିଷାକ୍ତୀକରଣ ପାଇଁ ହରିୟାଣାର ବିଜେପି ସରକାରକୁ ଯେଭଳି ଭାବେ ଦାୟି କରିଛନ୍ତି ତାହା କେବଳ ଦିଲ୍ଲୀ ନୁହେଁ, ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛି । କେଜରୀୱାଲଙ୍କ ଅଭିଯୋଗ ପରେ ହରିୟାଣା ମୁଖ୍ୟମନ୍ତ୍ରୀ ସାହେବ ସିଂହ ସୈନି ପ୍ରତିକ୍ରିୟାଶୀଳ ହୋଇ ‘ଆପ୍’ ମୁଖ୍ୟ କ୍ଷମା ମାଗନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । କେଜରୀୱାଲ କ୍ଷମା ନ ମାଗିଲେ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବାକୁ ମଧ୍ୟ ଧମକ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆପ୍’କୁ ‘ଆପଦା’ କହିବା ସହ ଫେବୃୟାରୀ ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଆପ୍’ ଯମୁନା ନଦୀରେ ଡୁବି ଯିବ ବୋଲି କଟାକ୍ଷ ମଧ୍ୟ କରିଛନ୍ତି । କେବଳ ବିଜେପି ନୁହେଁ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଇଣ୍ଡି’ ମେଂଟରୁ ଦୂରେଇ ଯାଇ ‘ଆପ୍’ ବିରୋଧରେ ନିର୍ବାଚନ ଲଢୁଥିବା କଂଗ୍ରେସ ମଧ୍ୟ ‘ଆପ୍’ ମୁଖ୍ୟ କେଜରୀୱାଲଙ୍କୁ ‘ମିଛୁଆ’ ବୋଲି କଟାକ୍ଷ କରି ଦିଲ୍ଲୀବାସୀଙ୍କୁ ପାନୀୟ ଜଳ ଭାବେ ଯୋଗାଣ ହେଉଥିବା ଯମୁନା ନଦୀ ଜଳରେ ‘ବିଷ’ ମିଶିଛି ବୋଲି କେଜରୀୱାଲ ଅପପ୍ରଚାର କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ନିକଟରେ ଦାବି ଉପସ୍ଥାପନ କରିଛି । ଦିଲ୍ଲୀରେ ଯମୁନା ନଦୀ ଜଳକୁ ଉପଯୁକ୍ତ ଭାବେ ବିଶୋଧନ କରାଯାଇ ଦିଲ୍ଲୀବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଉଭୟ ‘ଆପ୍’ ଓ ବିଜେପି ବର୍ଷ ବର୍ଷ ଧରି ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ନଦୀ ଜଳକୁ ପ୍ରଦୂଷଣ-ମୁକ୍ତ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଦିଲ୍ଲୀବାସୀ ଏଥର କଂଗ୍ରେସକୁ ଭୋଟ ଦେଇ କ୍ଷମତାକୁ ଆଣିଲେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ପ୍ରତିଶ୍ରୁତି ଦେଇଛି । ଦିଲ୍ଲୀରେ ପହଂଚୁ ଥିବା ଯମୁନା ନଦୀ ଜଳରେ ହରିୟାଣାର ବିଜେପି ସରକାର ‘ବିଷ’ ମିଶାଇଛନ୍ତି ବୋଲି ‘ଆପ୍’ ମୁଖ୍ୟ କେଜରୀୱାଲ ଅଭିଯୋଗ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ତାଙ୍କ ଶିଷ୍ୟ ଆତିଶୀ ମିର୍ଲିନା ମଧ୍ୟ ତାହାକୁ ଦୋହରାଇ ଏହା ବିଜେପିର ‘ଜଳ ଆତଙ୍କରାଜ’ ବୋଲି ଅଭିଯୋଗ କରିଥିଲେ । ଦିଲ୍ଲୀରେ ପହଂଚୁ ଥିବା ଯମୁନା ନଦୀ ଜଳରେ ଆମୋନିଆ ପରିମାଣ ୭୦୦ ଗୁଣ ଅଧିକ ରହୁଥିବା ଆତିଶୀ ଅଭିଯୋଗ କରିବା ସହ ହରିୟାଣାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ସଂସ୍ଥାରୁ ନିର୍ଗତଦୂଷିତ ଜଳ ସିଧାସଳଖ ଯମୁନା ନଦୀକୁ ଛଡା ଯାଉଥିବାରୁ ଦିଲ୍ଲୀରେ ପହଂଚୁ ଥିବା ଜଳ (ବିଶୋଧନ ପୂର୍ବରୁ) ମାତ୍ରାଧିକ ବିଷାକ୍ତ ରହୁଛି ବୋଲି ନିର୍ବାଚନ କମିଶନ ଓ ଦିଲ୍ଲୀ ଉପ ରାଜ୍ୟପାଳ (ଏଲଜି)ଙ୍କୁ ଚିଠି ମାଧ୍ୟମରେ ଅବଗତ କରିବା ସହ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତେବେ, ଦିଲ୍ଲୀବାସୀଙ୍କୁ ପାନୀୟ ଜଳ ଯୋଗାଉଥିବା ଦିଲ୍ଲୀ ଜଳ ବୋର୍ଡ ରାଜ୍ୟ ସରକାରଙ୍କ ଅଭିଯୋଗକୁ ଅସତ୍ୟ ବୋଲି କହିଛି ଏବଂ ଅଭିଯୋଗକୁ ପ୍ରମାଣିତ କଲା ଭଳି ତଥ୍ୟ ସରକାରଙ୍କ ନିକଟରେ ନଥିବା ଦାବି କରିଛି । ବିଜେପି ମଧ୍ୟ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ବତ୍ ର୍ତମାନର ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନାଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ମିଥ୍ୟା ଏବଂ ‘ନିର୍ବାଚନରେ ପରାଜୟ ଭୟ’ରେ ଆପ୍ ମୁଖ୍ୟ ଏଭଳି ଅବାନ୍ତର ଅଭିଯୋଗ କରି ଦିଲ୍ଲୀରେ ଅସ୍ଥିର ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ନିର୍ବାଚନ କମିଶନଙ୍କ ନିକଟରେଅଭିଯୋଗ କରିଛି ଏଂ କେଜାରୀୱାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛି । ଇସିଆଇ ‘ଆପ୍’ ମୁଖ୍ୟ କେଜରିୱାଲଙ୍କୁ ୨୮ ତାରିଖ ଦିନ ନୋଟିସ ଜାରି କରି ବୁଧବାର (୨୯ ତାରିଖ) ରାତି ଆଠଟା ନଦୀ ଜଳରେ ବିଷକୁ ନେଇ ତାଙ୍କ ଅଭିଯୋଗର ପ୍ରମାଣ ଉପସ୍ଥାନ କରିବାକୁ ନିର୍ଦେଶ ଦେଇଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରମାଣ ଉପସ୍ଥାପନ ନକଲେ କାର୍ଯ୍ୟାନୁଷ୍ଠାନ କରାଯିବା ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା । କେଜରୀୱାଲ ୨୯ ତାରିଖ ରାତି ଆଠଟା ସୁଦ୍ଧା ଇସିଆଇ ନିକଟରେ ତାଙ୍କ ୧୪ପୃଷ୍ଠାର ଉତ୍ତର ଦାଖଲ କରିଛନ୍ତି । ଦିଲ୍ଲୀକୁ ଯୋଗାଣ ହେଉଥିବା ଜଳ ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇଥିବାରୁ ସେ ଜରୁରୀ ଭିତ୍ତିରେ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଯମୁନା ନଦୀ ଜଳରେ ହରିୟାଣା ‘ବିଷ’ ମିଶାଉ ଥିବା କହିଛନ୍ତି । ନିକଟରେ ଦିଲ୍ଲୀରେ ଯେଉଁ ଅଶୋଧିତ ଜଳ ପହଂଚିଛି ତାହା ମାତ୍ରାଧିକ ଭାବେ ଅପମିଶ୍ରିତ ଏବଂ ବିଷାକ୍ତ ବୋଲି କେଜରୀୱାଲ ସଫେଇ ଦେବା ସହ ସାମାଜିକ ଗଣମାଧ୍ୟମରେ ଦିଲ୍ଲୀ ଜଳ ବୋର୍ଡ ଦ୍ୱାରା ଉପସ୍ଥାପିତ ତଥ୍ୟ ସମ୍ବଳିତ ଏକ ରିପୋର୍ଟ ଦାଖଲ କରିଛନ୍ତି । ଯେଉଁଥିରେ କି ଦିଲ୍ଲୀକୁ ଯୋଗାଣ ହେଉଥିବା ନଦୀ ଜଳରେ ମାତ୍ରାଧିକ ପରିମାଣର ଆମୋନିଆ ରହିଥିବା ଏବଂ ତାହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବୋଲି ଦିଲ୍ଲୀ ଜଳ ବୋର୍ଡ ଦର୍ଶାଇଛି । ତେବେ, ନିର୍ବାଚନ କମିଶନ କେଜରୀୱାଲଙ୍କ ସଫେଇକୁ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି । ନଦୀ ଜଳରେ ‘ବିଷ’ ଥିବା ସେ ଯାହା ଅଭିଯୋଗ କରିଛନ୍ତି ତାହା କି ପ୍ରକାର ‘ବିଷ’, ପ୍ରଥମେ କିଏ ତାହାକୁ ଚିହ୍ନଟ କରିଥିଲା ଏବଂ ହରିୟାଣା ସରକାର ‘ଗଣହତ୍ୟା’ ଉଦ୍ଦେଶ୍ୟରେ ନଦୀ ଜଳରେ ବିଷ ମିଶାଇଛନ୍ତି ବୋଲି ସେ ଯେଉଁ ଅଭିଯୋଗ କରିଛନ୍ତି ତାହାର ପ୍ରମାଣ ଶୁକ୍ରବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଉପସ୍ଥାପନ କରିବାକୁ ନିର୍ବାଚନ କମିଶନ କେଜରୀୱାଲଙ୍କୁ ନିର୍ଦେଶ ଦେଇଛନ୍ତି । ନିର୍ବାଚନ କମିଶନଙ୍କ ଏଭଳି ଅଭିମୁଖ୍ୟ କେଜରୀୱାଙ୍କୁ କ୍ଷୁବ୍ଧ କରିଛି । ଆମେ ଚାରିଟି ପ୍ଲାଷ୍ଟିକ ବୋତଲରେ ଯମୁନା ନଦୀ ଜଳ ଭରିକି ରଖିଛୁ । ନିର୍ବାଚନ କମିଶନଙ୍କ ନିକଟକୁ ତାହା ପଠାଇବୁ । ସତ୍ ସାହାସ ଥିଲେ ପିଇକି ଦେଖ ବୋଲି ଚ୍ୟାଲେଂଜ କରିବୁ ବୋଲି କେଜରୀୱାଲ ଦିଲ୍ଲୀରେ ଗଣାମଧ୍ୟମକୁ କହିଛନ୍ତି । ଗତକାଲି ରାତିରେ କେଜରୀୱାଲଙ୍କ ଉତ୍ତର ମିଳିଛି । ଯମୁନା ନଦୀ ଜଳରେ ମାତ୍ରାଧିକ ପରିମାଣର ହାନୀକାରକ ଆମୋନିଆ ରହୁଥିବା ଜଳ ବୋର୍ଡ ରିପୋର୍ଟରୁ ଜଣାପଡୁଛି । ତେବେ, ହରିୟାଣା ସରକାର ଜାଣିଶୁଣି ଯମୁନା ନଦୀ ଜଳରେ ‘ବିଷ’ ମିଶାଇ ଗଣହତ୍ୟାର ଷଡଯନ୍ତ୍ର କରିଛନ୍ତି ବୋଲି କେଜରୀୱାଲ ପ୍ରାଥମିକ ଭାବେ ଯେଉଁ ଅଭିଯୋଗ କରିଥିଲେ ତାହାର ସାମାନ୍ୟତମ ପ୍ରମାଣ ଉପସ୍ଥାପନ କରି ନାହାନ୍ତି ବୋଲି ନିର୍ବାଚନ କମିଶନ ଆଜି କହିଛନ୍ତି । ଦିଲ୍ଲୀରେ ଆସନ୍ତା ବୁଧବାର (ଫେବୃୟାରୀ ୦୫ ତାରିଖ) ବିଧାନସଭା ଭୋଟ ହେବାକୁ ଥିବା ବେଳେ ଯମୁନା ନଦୀର ଜଳକୁ ନେଇ ଯେଉଁ ବିବାଦୀୟ ବାତାବରଣ ସୃଷ୍ଟି ହୋଇଛି ତାହା ‘ଆପ୍’କୁ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଫେରିବାରେ କେତଦୂର ସହାୟକ ହେବ, ଏବେ କହିବା ସମ୍ଭବ ନୁହେଁ । ତେବେ, ଏହି ବିବାଦ ‘ଆପ୍’କୁ ଘେରିବା ପାଇଁ ବିଜେପି ଓ କଂଗ୍ରେସକୁ ସମାନ ଭାବେ ସୁଯୋଗ ଦେଇଛି । ୧୯୯୮ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିନି । କଂଗ୍ରେସ ୨୦୧୩ ପର୍ଯ୍ୟନ୍ତ ୧୪ ବର୍ଷ କ୍ଷମତାରେ ଥିଲା । ଏହା ପରେ ଆମ୍ ଆଦମୀ ପାର୍ଟି (ଆପ୍) ଗଲା ୧୧ ବର୍ଷଧରି କ୍ଷମତାରେ ରହିଛି । ୨୦୨୫ ନିର୍ବାଚନରେ ଦିଲ୍ଲୀ ଦଖଲ ପାଇଁ ବିଜେପି ଓ କଂଗ୍ରେସ ସମସ୍ତ ଶକ୍ତି ଲଗାଇଥିବା ବେଳେ ‘ଆପ୍’ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ଆଶା ରଖିଛି । ତିନିଟି ଯାକ ଦଳ ଦିଲ୍ଲୀବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ସବୁ ପ୍ରକାର ମାଗଣା ସ୍କିମ୍ ର ସହାୟତା ନେଇଛନ୍ତି । ମାଗଣା ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ବେକାରଙ୍କୁ ଭତ୍ତା, ଚାଷୀଙ୍କୁ ସହାୟତା ସହ ମହିଳାଙ୍କ ପାଇଁ ମାସିକ ଆର୍ଥିକ ପ୍ରୋତ୍ସାହନ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ଥିଲା । ଏବେ, ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ଯମୁନା ନଦୀ ଜଳକୁ ନେଇ ‘ଆପ୍’ ମୁଖ୍ୟଙ୍କ ବିବାଦୀୟ ବୟାନ ନିର୍ବାଚନ ପ୍ରଚାରର ମୋଡ ବଦଳାଇ ଦେଇଛି । ଦିଲ୍ଲୀରେ ପହଂଚୁ ଥିବା ଯମୁନା ନଦୀ ଜଳକୁ ହରିୟାଣା ସରକାର ବିଷାକ୍ତ କରି ଛାଡୁଛନ୍ତି ବୋଲି କେଜରୀୱାଲଙ୍କ ଅଭିଯୋଗ ତାଙ୍କ ପାଇଁ ବୁମେରାଂ ହେବ ନାହିଁ ତ (?) – ଏହା ଆଜି ଦିନରେ ବଡ ପ୍ରଶ୍ନ ହୋଇଛି । କେଜରୀୱାଲ ବିଜେପିର ବିରୁଡି ବସାରେ ହାତମାରି କେବଳ ହରିୟାଣା ମୁଖ୍ୟମନ୍ତ୍ରୀ ସୈନିଙ୍କୁ ନୁହଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ କ୍ଷୁବ୍ଧ କରିଛନ୍ତି । ଦିଲ୍ଲୀରେ ରହୁଥିବା ହରିୟାଣୀ ଭୋଟର ‘ଆପ୍’କୁ ଏହାର ଉଚିତ ଜବାବ ଦେବେ ବୋଲି ବିଜେପି କହୁଥିବା ବେଳେ କଂଗ୍ରେସ ମଧ୍ୟ ହରିୟାଣୀଙ୍କୁ ସନ୍ତୁଷ୍ଟ କରିବା ଭଳି ବୟାନବାଜୀ ଚଳାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଆପ୍’ ମୁଖ୍ୟ କେଜରୀୱାଲଙ୍କୁ ଏବେ ଦିଲ୍ଲୀରେ ତାଙ୍କ ପ୍ରମୁଖ ଟାର୍ଗେଟ୍ କରିଛନ୍ତି । ନଦୀ ଜଳରେ ବିଷ ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନ ମଧ୍ୟ ‘ଆପ୍’କୁ ସୁରକ୍ଷା ଦେବା ଭଳି ଲାଗନି । ଏଭଳି ସ୍ଥିତିରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଫେବୃୟାରୀ ୦୫ରେ ଭୋଟ ହେବାକୁ ଯାଉଛି । ‘ଆପ୍’ ୨୦୧୫ରେ ୭୦ରୁ ୬୭ ଓ ୨୦୨୦ରେ ୭୦ରୁ ୬୨ ଆସନରେ ବିଜୟୀ ହୋଇ ଏଥର ହ୍ୟାଟ୍ରିକ କରିବା ସକାଶେ ସମସ୍ତ ଶକ୍ତି ଲଗାଇ ଥିବା ବେଳେ ବିଜେପି ୟୁପିର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାର ହାଇଟେକ୍ ପ୍ରଚାର କରାଇ ଦିଲ୍ଲୀ ଦଖଲ ଉଦ୍ୟମରେ ଥିଲା । ଏବେ, ଯମୁନା ନଦୀ ଜଳକୁ ନେଇ ବିବାଦକୁ ସେଥିରେ ଯୋଡିଛି । ଦେଶବ୍ୟାପୀ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସ ଏଗାର ବର୍ଷପରେ ଦିଲ୍ଲୀ ବିଧାନସଭାକୁ ଦଖଲ କରିବାକୁ ଏକାକୀ ଶକ୍ତି ପରୀକ୍ଷା କରୁଛି । ଏଥିସକାଶେ ବିରୋଧୀ ମେଂଟ ଧର୍ମକୁ ଜଳାଂଜଳୀ ଦେବାକୁ ମଧ୍ୟ ଦଳ ପଛାଇ ନାହିଁ । ତେବେ, ଦିଲ୍ଲୀବାସୀ ଏମାନଙ୍କ ମଧ୍ୟରୁ କାହାକୁ ଭରସା କରିବେ ଓ କାହା ସପକ୍ଷରେ ଭୋଟ ଦେଇ କ୍ଷମତାକୁ ଆଣିବେ, ତାହା ୦୮ ତାରିଖ ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହେବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS