ପାରୋଲ – ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ !


ପ୍ରସାଦ ରାଓ
ଜାନୁୟାରୀ ୨୮/୨୦୨୫
୨୦୨୦ ଦିଲ୍ଲୀ ଦଂଗାରେ ସଂପୃକ୍ତ ଥିବା ଅଭିଯୋଗରେ ତିହାର ଜେଲରେ ଅଟକ ଥିବା ଏଆଇଏମଆଇଏମ ନେତା ତାହିର ହୁସେନ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଉତ୍ତର-ପୂର୍ବ ଦିଲ୍ଲୀର ମୁସ୍ତାଫାବାଦ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବାରୁ ନିଜ ନିର୍ବାଚନ ପ୍ରଚାର କରିବାକୁ ସୁପ୍ରିମ କୋର୍ଟରେ ପାରୋଲ ଆବେଦନ କରିଥିଲେ । ତାଙ୍କୁ ଆଜି ସୁପ୍ରିମ କୋର୍ଟ ଛଅ ଦିନିଆ କଷ୍ଟୋଡି ପାରୋଲ ମଂଜୁର କରିଛନ୍ତି । କଷ୍ଟୋଡି ପାରୋଲର ଅର୍ଥ ହେଉଛି, ଅଭିଯୁକ୍ତ ତାହିର ହୁସେନ ଜାନୁୟାରୀ ୨୯ରୁ ଫେବୃୟାରୀ ୦୩ ତାରିଖ ପର୍ଯ୍ୟନ୍ତ ଜେଲରୁ ବାହାରକୁ ଯାଇ ନିଜର ନିର୍ବାଚନ ପ୍ରଚାର କରି ପାରିବେ । ତେବେ, ତାହା ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ସୀମିତ । ଅଭିଯୁକ୍ତଙ୍କୁ ସୂର୍ଯ୍ୟୋଦୟ ପରେ ଜେଲରୁ ବାହାରକୁ ଛଡାଯିବ ଏବଂ ସନ୍ଧ୍ୟାରେ ତିହାର ଜେଲକୁ ଫେରାଇ ଅଣାଯିବ । ଏହି ଛଅ ଦିନ ପାରୋଲରେ ଥାଇ ସେ ବାହାରକୁ ଯାଇଥିବା ସମୟରେ ବାହାରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଗ୍ରିମ ଆକାରରେ ଦିନକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଜମା କରିବାକୁ ପଡିବ । ଏଆଇଏମଆଇଏମ ପ୍ରାର୍ଥୀ ତାହିର ହୁସେନ ହେଉଛନ୍ତି ‘ଆପ୍’ର ଜଣେ ପୂର୍ବତନ କାଉନସିଲର । ଉତ୍ତର-ପୂର୍ବ ଦିଲ୍ଲୀରେ ୨୦୨୦ ଦଂଗା ସମୟରେ ଅଂକିତ ଶର୍ମା ନାମକ ଜଣେ ଆଇବି (ଗୁଇନ୍ଦା ବ୍ୟୁରୋ) ଅଧିକାରୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତମାନଙ୍କ ମଧ୍ୟରେ ସେ ଅଛନ୍ତି । ଏହାଛଡା ଅନ୍ୟାନ୍ୟ ଅପରାଧ ଓ ଆପରାଧିକ ଷଡଯନ୍ତ୍ର ମାମଲାରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ରହିଛି । ଆମ୍ ଆଦମୀ ପାର୍ଟି (ଆପ୍)ରୁ ବିତାଡିତ ହେବା ପରେ ସେ ଗତ ବର୍ଷ ଅସାଉଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମରେ ଯୋଗ ଦେଇ ଫେବୃୟାରୀ ୦୫ ତାରିଖରେ ହେଉଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁସ୍ତାଫାବାଦ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସଂଜୟ କାରୋଲ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଅଭିଯୁକ୍ତ ତାହିର ହୁସେନଙ୍କ ପାରୋଲ ମଂଜୁର କରିବା ସମୟରେ ସର୍ତ୍ତ ରଖିଛନ୍ତି, ପାରୋଲରେ ଜେଲ ବାହାରେ ଥିବା ସମୟରେ ତାହିର ହୁସେନ ତାଙ୍କ କରୱାଲ ନଗରସ୍ଥିତ ଘରକୁ ଯାଇ ପାରିବେ ନାହିଁ ବା ତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ନେଇ କୌଣସି ବୟାନ ଦେଇ ପାରିବେ ନାହିଁ । କେବଳ ସେ ଏଆଇଏମଆଇଏମ ପାର୍ଟି ଅଫିସକୁ ଯାଇ ପାରିବେ । ତାହିର ହୁସେନକୁ କୋର୍ଟ ଦେଇଥିବା ରିଲିଫକୁ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ସ୍ପଷ୍ଟ କରି ଦେଇଛନ୍ତି । ତାହିର ହୁସେନଙ୍କୁ ନିର୍ବାଚନ ପ୍ରଚାର ପାଇଁ ପାରୋଲ ଦିଆଗଲେ ଅନ୍ୟ ବନ୍ଦୀମାନେ ଏହାକୁ ଉଦାହରଣ ଭାବେ ଦେଖାଇ ନିର୍ବାଚନରେ ପ୍ରାର୍ଥୀ ହୋଇ ନିର୍ବାଚନ ପ୍ରଚାର ନାଁରେ ଜେଲ ବାହାରକୁ ଯିବାକୁ ଚାହିଁବେ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି.ରାଜୁ ତିନି ଜଣିଆ ଖଣ୍ଡପୀଠ ନିକଟରେ ଯୁକ୍ତି ରଖିବା ସହ ପାରୋଲ ଆବେଦନକୁ ବିରୋଧ କରିଥିଲେ । ତେବେ, ଖଣ୍ଡପୀଠ ତାହିର ହୁସେନଙ୍କୁ ସର୍ତ୍ତମୂଳକ ପାରୋଲ ମଂଜୁର କରିଛନ୍ତି । ଏଠାରେ ସୂଚନାଯୋଗ୍ୟ, ତାହିର ହୁସେନଙ୍କ ପାରୋଲ ଆବେଦନ ଉପରେ ପୂର୍ବରୁ ଏକ ଦୁଇ ଜଣିଆ ଖଣ୍ଡପୀଠରେ ଶୁଣାଣି ହୋଇଥିଲା ଏବଂ ଦୁଇ ବିଚାରପତି ପରସ୍ପର ବିରୋଧୀ ରାୟ ଦେଇଥିଲେ । ତେଣୁ, ମାମଲା ଏକ ତିନି ଜଣିଆ ଖଣ୍ଡପୀଠକୁ ବିଚାର ପାଇଁ ଯାଇଥିଲା । ୨୦୨୦ ବିଧାନସଭା ନିର୍ବାଚନରେ ‘ଆପ୍’ର ହାଜି ୟୁନୁସ ଉତ୍ତର- ପୂର୍ବ ଦିଲ୍ଲୀର ମୁସ୍ତାଫାବାଦ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ୨୦୨୫ ଫେବୃୟାରୀ ୦୫ରେ ହେଉଥିବା ନିର୍ବାଚନରେ ଏହି ଆସନରୁ ‘ଆପ୍’ର ଆଦିଲ ଅହମ୍ମଦ ଖାନ, ବିଜେପିର ମୋହନ ସିଂହ ବିଷ୍ଟ ଓ କଂଗ୍ରେସର ଆଲି ମହନ୍ଦି ପ୍ରାର୍ଥୀ ଥିବା ବେଳେ ଏଆଇଏମଆଇଏମରୁ ତାହିର ହୁସେନ ପ୍ରାର୍ଥୀ ଅଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS