ସବୁ ମିଳିଛି ଉତ୍ତରାଧୀକାର ସୂତ୍ରରେ ?


ପ୍ରସାଦ ରାଓ
ଜାନୁୟାରୀ ୨୭/୨୦୨୫
ଓଡ଼ିଶାରେ ବିଜେପି କ୍ଷମତାକୁ ଆସି ଆଠ ମାସ ବିତିଲାଣି, ପ୍ରତି କଥାରେ ସରକାର ନିଜେ ଉତ୍ତରଦାୟୀ ହେବା ବଦଳରେ ପୂର୍ବ ସରକାରକୁ ଦୋଷ ଦେଇ ଖସିବାକୁ ଉଦ୍ୟମ କରୁଥବା ଦେଖିବାକୁ ମିଳୁଛି । କେବଳ ମୁଖ୍ୟମନ୍ତ୍ରୀ ବା ଅନ୍ୟ ମନ୍ତ୍ରୀମାନ ନୁହନ୍ତି, ରାଜ୍ୟର ବିଜେପି ନେତା ଓ ମୁଖପାତ୍ରମାନେ ମଧ୍ୟ ଏହି ସହଜ ଉପାୟକୁ ବାଛି ନେଇଥିବା ସରକାରଙ୍କ ଅସହାୟତାକୁ ପ୍ରତିଫଳିତ କରୁଛି । ଦରଦାମରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପର୍ଯ୍ୟନ୍ତ – ସବୁ ଅପବାଦ ପୂର୍ବ ସରକାରର ଏବଂ ସମସ୍ତ ଶ୍ରେୟ ବର୍ତ୍ତମାନର ସରକାରର – ଏଭଳି ଏକ ଟ୍ରେଂଡ୍ ଏବେ ଚାଲିଛି । ହଠାତ ଆଳୁ ଦର ଆକାଶଛୁଆଁ ବଢିଲେ କୁହାଯାଉଛି ପୂର୍ବ ସରକାରଙ୍କ ଆଳୁ ମିଶନ ବିଫଳ ହେବା ଏଥିପାଇଁ ଦାୟି । ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ପନିପରିବାର ଦର ବଢିଲେ ପୂର୍ବ ସରକାରଙ୍କ କୃଷି ନୀତି ଭ୍ରମାତ୍ମକ ଥିଲା । କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ତାହା ମଧ୍ୟ ପୂର୍ବ ସରକାରଙ୍କ ଦେଣ କହି ବିଜେପି ମୁଖପାତ୍ରମାନେ ମାଝୀ ସରକାରଙ୍କୁ ଘୋଡାଇବା ଉଦ୍ୟମ କରୁଛନ୍ତି । ଗତ ୨୬ ତାରିଖ ଭୋର ସମୟରେ ରାଜଧାନୀର ଭିଭିଆଇପି ଅଂଚଳ ଭାବେ ପରିଚିତ ନୂଆପଲ୍ଲୀ ଅଂଚଳରେ ଚୋରୀ ଘଟଣାଟିଏ ଘଟିଛି । ତେବେ, ଚୋରୀ ହୋଇଛି ରାଜ୍ୟର ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଘରୁ । ଚୋର ୨୬ ତାରିଖ ଭୋର ସମୟରେ ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କ ବାସଭବନରେ ପ୍ରବେଶ କରିବା ସହ ଦ୍ୱିତୀୟ ମହଲାରେ ଥିବା ପୁଅ, ବୋହୂଙ୍କ କୋଠରୀରୁ ନଗଦ ଅଢେଇ ଲକ୍ଷ ଟଙ୍କା ଓ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛି । ରାତି ପ୍ରାୟ ୨ଟା ୪୦ ମିନିଟରେ ଚୋର ପଟ୍ଟନାୟକଙ୍କ ଘରେ ପ୍ରବେଶ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ସେହି ସମୟରେ ଘରର ଗ୍ରାଉଣ୍ଡ୍ ଫ୍ଲୋରରେ ପୂର୍ବତନ ମନ୍ତ୍ରୀଙ୍କ ଘରୋଇ ସୁରକ୍ଷା କର୍ମୀ ଥିଲେ । ପ୍ରଥମ ମହଲାରେ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଶୋଇଥିଲେ । ଚୋର ଦ୍ୱିତୀୟ ମହଲାକୁ ଯାଇ ବଡ ପୁଅ ଓ ବୋହୂଙ୍କ କୋଠରୀର ଲକର୍ ଭାଂଗି ନଗଦ ଟଙ୍କା ଓ ସୁନା ଅଳଂକାର ଲୁଟି ନେଇଛି । ଚୋରୀ ବେଳେ ପୁଅ, ବୋହୂ ଘରେ ଉପସ୍ଥିତ ନଥିଲେ । ରାଜଧାନୀରେ ଏଭଳି ଚୋରୀ ନୂଆ ନୁହେଁ । ଗଲା କିଛି ମାସ ହେଲା ଭୁବନେଶ୍ୱର ସହର ଓ ସହର ଉପକଂଠରେ ଲଗାତର ଭାବେ ଘଟୁଥିବା ଚୋରୀ ଘଟଣା ଭୁବନେଶ୍ୱର-କଟକ ଦ୍ୱୈତ ନଗରୀ ପୁଲିସକୁ ନାକେଦମ୍ କରି ରଖିଛି । ମୋହନ ମାଝୀ ସରକାର ମଧ୍ୟ ପୁଲିସିଂ ବ୍ୟବସ୍ଥାକୁ ନେଇ ଅପବାଦ ମୁଣ୍ଡାଉଛନ୍ତି । ଏଭଳି ସ୍ଥିତିରେ, ରାଜଧାନୀ ଭୁବନେଶ୍ୱର ଜନରାଜ୍ୟ ଦିବସ ଉତ୍ସବ ପାଳନ ପାଇଁ କଡା ପୁଲିସ ପହରା ମଧ୍ୟରେ ଥିବା ବେଳେ ନୂଆପଲ୍ଲୀ ଭିଭିଆଇପି ଅଂଚଳରେ ଥିବା ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଘରୁ ଭୋର ସମୟରେ ନଗଦ ଟଙ୍କା ଓ ସୁନା ଅଳଂକାର ଲୁଟି ନିଆଯିବା ପୁଲିସର ଦୁର୍ବଳତାକୁ ପଦାରେ ପକାଇଛି । ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ଚୋରୀ ସଂପର୍କରେ ସୂଚନା ଦେବା ସହ ନୂଆପଲ୍ଲୀ ଅଂଚଳରେ ବହୁ ଭିଭିଆଇପି ରହୁଥିବାରୁ ୨୬ ତାରିଖ ଭୋରରେ ଘଟିଥିବା ଏହି ଚୋରୀ ଘଟଣା ସେଠାକର ବାସିନ୍ଦାଙ୍କୁ ଆତଙ୍କିତ କରିଛି ବୋଲି କହିଛନ୍ତି । ଚୋରୀ ସମୟରେ ତାଙ୍କ ବାସଭବନର ଦ୍ୱିତୀୟ ମହଲାରେ ରହୁଥିବା ବଡ ପୁଅ, ବୋହୂ ଉପସ୍ଥିତ ନଥିଲେ । ସେମାନେ ଉପସ୍ଥିତ ଥିଲେ କଣ ଯେ ଅଘଟଣ ଘଟିଥା’ନ୍ତା ବୋଲି ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିଛନ୍ତି । ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ଏବଂ ଚୋର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଭୁବନେଶ୍ୱର-କଟକ ଦ୍ୱୈତ ନଗରୀ ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ଗଣମାଧ୍ୟମକୁ କହିଛନ୍ତି, ଚୋରୀ ଘଟଣା ରିପୋର୍ଟ ହେବା ପରେ କଟକ ଡିସିପି ଜଗ ମୋହନ ମୀନା ଓ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ପୂର୍ବତନ ମନ୍ତ୍ରୀ ପଟ୍ଟନାୟକଙ୍କ ନୂଆପଲ୍ଲୀ ବାସଭବନକୁ ଯାଇ ତଦନ୍ତ କରିଛନ୍ତି । ପୁଲିସ ପକ୍ଷରୁ ଏହି ଚୋରୀକୁ କ୍ରାକ୍ କରିବା ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି । ତଦନ୍ତ ଜାରି ରହିଛି, ଅତିଶୀଘ୍ର ଚୋର ଧରା ପଡିବ ବୋଲି ପୁଲିସ କମିଶନର ସିଂହ ଆଶ୍ୱାସନା ଦେଇଥିବା ବେଳେ ରାଜ୍ୟରେ ଡବଲ ଇଂଜିନ ସରକାର ଚାଲିଥିବା ସମୟରେ ବିଜେପି ଲୋକଙ୍କ ଧନ ଜୀବନକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଛନ୍ତି ବୋଲି ବିଜେଡି କଟାକ୍ଷ କରିଛି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ପୂର୍ବ ସରକାରରୁ ଯାହା ଉତ୍ତରାଧିକାର ସୂତ୍ରରେ ମିଳିଛି ତାହା ଏବେକାର ସରକାରରେ ପ୍ରତିଫଳିତ ହେଉଛି । ୨୪ ମାସ ପରେ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯିବ । ଓଡ଼ିଶାରେ ବିଜେପି ସରକାର କରିବାର ଆଠ ମାସ ବିତିଲାଣି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । ରାଜ୍ୟ ପୁଲିସ ଡିଜିପି ୱାଇବି ଖୁରାନିଆ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ । ଏଭଳି ସ୍ଥିତିରେ, ରାଜ୍ୟ ବିଜେପି ସରକାର ଆଇନ ଶୃଙ୍ଖଳାରେ ବିପର୍ଯ୍ୟୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଉ କେତେଦିନ ପର କାନ୍ଧରେ ମୁଣ୍ଡ ରଖି କାନ୍ଦିବେ ଏବଂ ନିଜ ଅପାରଗତାକୁ ଘୋଡାଇବେ (?) – ତାହା ଆଜି ଦିନରେ ବଡ ପ୍ରଶ୍ନ ହେଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS