ମୁମ୍ବାଇ ୨୬/୧୧ ଆତଙ୍କୀ ତାହାଉର ରାଣାର ଭାରତ ପ୍ରତ୍ୟାର୍ପଣ ବାଟ ଖୋଲିଲା !


ପ୍ରସାଦ ରାଓ
ଜାନୁୟାରୀ ୨୫/୨୦୨୫
ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ ତାରିଖ (୨୬/୧୧)ରେ ହୋଇଥିବା ପାକ୍ ପ୍ରୟୋଜିତ ଆତଙ୍କୀ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ତାହାଉର ରାଣାକୁ ଆମେରିକାରୁ ଭାରତକୁ ପ୍ରତ୍ୟାର୍ପଣ କରିବା ପଥ ପରିଷ୍କାର ହୋଇଯାଇଛି । ଶନିବାର ଦିନ ଆମେରିକା ସୁପ୍ରିମ କୋର୍ଟ ପ୍ରତ୍ୟାର୍ପଣକୁ ବିରୋଧ କରି ତାହାଉର ରାଣା ପକ୍ଷରୁ ହୋଇଥିବା ଆବେଦନକୁ ବିଚାର ପାଇଁ ଗ୍ରହଣ ନକରି ଖାରଜ କରି ଦେବା ପରେ ତାହାଉର ଭାରତ ପ୍ରତ୍ୟାର୍ପିତ ହେଉଥିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଆତଙ୍କବାଦୀ ତାହାଉର ରାଣା ହେଉଛି କାନାଡାରେ ବସବାସ କରୁଥିବା ଜଣେ ପାକିସ୍ତାନୀ ବଂଶୋଦ୍ଭବ । ମୁମ୍ବାଇ ୨୬/୧୧ ଆତଙ୍କୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ତାହାଉର ରାଣାକୁ ଭାରତକୁ ପ୍ରତ୍ୟାର୍ପଣ କରି ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ଦୀର୍ଘ ଦିନ ହେଲା ଆମେରିକାରେ ଅଦାଲତି ଲଢେଇ ଚାଲିଥିଲା । ତାହାଉର ରାଣା ଭାରତର ପ୍ରତ୍ୟାର୍ପଣ ଆବେଦନକୁ ବିରୋଧ କରି ଆମେରିକାର ବିଭିନ୍ନ ନିମ୍ନ ଅଦାଲତରେ ଯେଉଁ ଆଇନଗତ ଲଢେଇ ଲଢୁଥିଲା ସେଥିରେ ବିଫଳ ହେବା ପରେ ପ୍ରତ୍ୟାର୍ପଣ ଆବେଦନକୁ ଖାରଜ କରାଯିବାକୁ ଆମେରିକା ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗତ ଜାନୁୟାରୀ ୨୦ ତାରିଖ ଦିନ ଡୋନାଲ୍ଡ ଟ୍ରଂପ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ୨୧ ତାରିଖ ଦିନ ଆମେରିକାର ସୁପ୍ରିମ କୋର୍ଟ ଆତଙ୍କବାଦୀ ତାହାଉର ରାଣାର ଆବେଦନକୁ ଖାରଜ କରିଥିବା ଏକ ସଂଯୋଗ କୁହାଯାଇପାରେ । ରାଣାଙ୍କୁ ଆମେରିକା ଅଦାଲତରେ ଆଇନଗତ ସୁରକ୍ଷା ପାଇବା ପାଇଁ ଏହା ଶେଷ ସୁଯୋଗ ଥିଲା । ରାଣା ୨୦୦୮ ନଭେମ୍ବର ୨୬ ତାରିଖରେ (୨୬/୧୧) ତାରିଖରେ ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବାଇ ସହରରେ ହୋଇଥିବା ୬୦ ଘଂଟାର ଆତଙ୍କୀ ଆକ୍ରମଣ ଘଟଣାର ପ୍ରମୁଖ ଷଡଯନ୍ତ୍ରକାରୀ ଥିଲା । ପାକିସ୍ତାନ-ଆମେରିକାନ ଲସ୍କର-ଇ-ତୋଏବା (ଏଲଇଟି) ପକ୍ଷରୁ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ଆତଙ୍କବାଦୀ ଡେଭିଡ କୋଲମେନ ହେଡଲେ ଏହାର ମୁଖ୍ୟ ଷଡଯନ୍ତ୍ରକାରୀ ଥିବା ବେଳେ ତାହାଉର ରାଣା ଅନ୍ୟତମ ଷଡଯନ୍ତ୍ରକାରୀ ଥିଲା । ଆମେରିକୀୟ ଅଦାଲତ ତାହାଉରକୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଭାରତ ସହ ଆମେରିକାର ଥିବା ପ୍ରତ୍ୟାର୍ପଣ ଚୁକ୍ତି ମୁତାବକ ଭାରତ ତାହାଉରକୁ ଭାରତ ପ୍ରତ୍ୟାର୍ପଣ କରିବାକୁ ଆମେରିକା ଅଦାଲତରେ ଆଇନଗତ ଲଢେଇ ଲଢୁଛି । ୨୬/୧୧ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୦ରୁ ଅଧିକ ପାକ୍ ସମର୍ଥିତ ଆତଙ୍କବାଦୀ ସାମିଲ ଥିଲେ ଏବଂ ସେମାନେ ମୁମ୍ବାଇ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଂଚଳକୁ ୬୦ ଘଂଟା ଧରି ନିଜ କବ୍ଚାରେ ରଖିବା ସହ ବ୍ୟାପକ ସଂହାରଲୀଳା ଚଳାଇଥିଲେ । ଏହି ଆତଙ୍କୀ ଆକ୍ରମଣରେ ୦୬ ଜଣ ଆମେରିକୀୟ ନାଗରିକଙ୍କ ସମତେ ମୋଟ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା । ତାହାଉର ରାଣା ଆମେରିକାର ବିଭିନ୍ନ ନିମ୍ନ ଅଦାଲତରେ ଭାରତର ପ୍ରତ୍ୟାର୍ପଣ ଅନୁରୋଧ ବିରୋଧରେ ଆବେଦନ କରି ବିଫଳ ହେବା ପରେ ସୁପ୍ରମି କୋର୍ଟରେ ଆବେଦନ କରିଥିଲା । ତେବେ, ରାଣାର ଆବେଦନ ଖାରଜ କରିବାକୁ ଆମେରିକା ସରକାରଙ୍କ ସଲିସିଟର ଜେନେରାଲ ଏଲିଜାବେଥ ବି ପ୍ରେଲୋଗର ଗତ ବର୍ଷ ଡିସେମ୍ବର ୧୬ ତାରିଖରେ ସୁପ୍ରିମ କୋର୍ଟଙ୍କୁ ସୁପାରିଶ କରିଥିଲେ । ତାହାଉରଙ୍କ ଓକିଲ ଜୋସୁଆ ଏଲ ଡ୍ରାଟେଲ ଗତ ଡିସେମ୍ବର ୨୩ ତାରିଖ ଦିନ ଆମେରିକା ସରକାରଙ୍କ ସୁପାରିଶକୁ ଚ୍ୟାଲଂଜ କରିବା ସହ ତାହାଉରଙ୍କ ଆବେଦନ ବିଚାର ପାଇଁ ଗ୍ରହଣ କରାଯିବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ତେବେ, ଆମେରିକା ସୁପ୍ରିମ କୋର୍ଟ ଏହି ଆବେଦନ ଖାରଜ କରିଛନ୍ତି । ତାହାଉର ରାଣାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରି ଅଣାଯିବା ରାସ୍ତା ପରିଷ୍କାର ହୋଇଯିବା ପରେ ଦେଶରେ ରାଜନୀତି ସରଗରମ ହୋଇଛି । ତାହାଉର ରାଣା ଭଳି ଦାଉଦ ଇବ୍ରାହିମ, ନୀରବ ମୋଦୀ ମଧ୍ୟ ଭାରତରେ ବିଭିନ୍ନ ଆପରାଧିକ କାର୍ଯ୍ୟରେ ସଂପୃକ୍ତ ଥାଇ ବିଦେଶ ପଳାଇଛନ୍ତି । ସେମାନଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିବାକୁ ବିରୋଧୀ ଦାବି କରିଛନ୍ତି । ଶିବସେନା (ୟୁବିଟି) ନେତା ସଂଜୟ ରାଉତ ଆଜି ମୁମ୍ବାଇରେ ଏକ ବିବୃତି ଦେଇ ପାକିସ୍ତାନରେ ଦୀର୍ଘ ବର୍ଷ ହେଲା ଲୁଚି ରହିଥିବା ଗ୍ୟାଂଗଷ୍ଟର ଦାଉଦ ଇବ୍ରାହିମ, ଟାଇଗର ମେମନ୍ ଭଳି ଅପରାଧୀଙ୍କୁ ମଧ୍ୟ ଭାରତକୁ ଅଣାଯିବା ଉଦ୍ୟମ ହେଉ ବୋଲି କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ଆମେରିକା ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ସିପିଆଇ (ଏମ) ପଲିଟିବ୍ୟୁରୋ ସଦସ୍ୟ ହାନାନ୍ ମୋଲ୍ଲା ସ୍ୱାଗତ କରିଥିବା ବେଳେ ଏହା ଭାରତର ବଡ ସଫଳତା ବୋଲି ବରିଷ୍ଠ ଆଇନଜୀବୀ ଉଜ୍ୱଳ ନିକମ କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS