ଦିଲ୍ଲୀ ରାଜନୀତିରେ ଗଂଗା ବନାମ ଯମୁନା…


ପ୍ରସାଦ ରାଓ
ଜାନୁୟାରୀ ୨୪/୨୦୨୫
ଫେବୃୟାରୀ ୦୫ ତାରିଖରେ ହେବାକୁ ଯାଉଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏଂଟ୍ରି (ପ୍ରବେଶ), ପୁଣିଥରେ ‘ବଟେଂଗେ ତୋ କଟେଂଗେ…’ ସ୍ଲୋଗାନ ଏବଂ ନିକଟରେ ନିଜ ମନ୍ତ୍ରୀ ପରିଷଦ ସହ ଗଂଗା ନଦୀରେ ଡୁବୁକି ମାରିଥିବା ଯୋଗୀ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଯମୁନା ନଦୀରେ ଡୁବୁକି ମାରି ଦେଖାଇବାକୁ ଦେଇଥିବା ଆହ୍ୱାନ ନିର୍ବାଚନ ରାଜନୀତିକୁ ସରଗରମ କରିଛି । ହରିୟାଣା ବିଧାନସଭା ନିର୍ବାଚନ ଓ ଯୁପି ବିଧାନସଭା ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଟେଂଗେ ତୋ କଟେଂଗେ…’ ସ୍ଲୋଗାନ ବିଜେପି ସପକ୍ଷରେ ହିନ୍ଦୁ ଭୋଟ ଧ୍ରୁବୀକରଣରେ ସହାୟକ ହୋଇଥିଲା । ହରିୟାଣାରେ କଂଗ୍ରେସ ଶତପ୍ରତିଶତ ଜିତିବ ବୋଲି ଯେଉଁମାନେ ଦାବି କରୁଥିଲେ ଫଳାଫଳ ଆସିବା ପରେ ସେମାନେ ଜଳକା ହୋଇଗଲେ । ୟୁପି ବିଧାନସଭା ଉପ ନିର୍ବାଚନରେ ମଧ୍ୟ ଯୋଗୀ ଜୀ ୦୯ରୁ ୦୭ରେ ବିଜୟୀ ହୋଇ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଦେଇଥିବା ସମାଜବାଦୀ ପାର୍ଟିକୁ ଲଂଠନ ଦେଖାଇ ଥିଲେ । କେବଳ ୨୦୨୪ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନ, ୟୁପି ବିଧାନସଭା ଉପ ନିର୍ବାଚନ ନୁହେଁ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମଧ୍ୟ ଯୋଗୀ ଜୀଙ୍କ ‘ବଟେଂଗେ ତୋ କଟେଂଗେ..’ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ହୋ ତୋ ସେଫ୍ ହୋ’ ସ୍ଲୋଗାନ ହିନ୍ଦୁତ୍ୱବାଦୀଙ୍କୁ ଏକାଠି ରଖିବାରେ ସହାୟକ ହୋଇଥିଲା ଏବଂ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରୁ ୨୩୫ ଆସନରେ ବିଜେପି ନେତୃତ୍ୱାଧୀନ ମହାୟୁତି (ବିଜେପି-ଶିବସେନା-ଏନସିପି) ବିଜୟୀ ହୋଇଥିଲା । ୨୦୨୪ ଲୋକସଭା ନିର୍ବାଚନ ସମୟରେ ଓ ପରେ ଅନୁଷ୍ଠିତ ବିଭିନ୍ନ ବିଧାନସଭା ନିର୍ବାଚନରେ ବିଜେପି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଯେଉଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଥିଲା ତାହା ମଧ୍ୟ ବହୁ ସଂଖ୍ୟାରେ ମହିଳା ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଆକର୍ଷିତ କରିଥିଲା । ଗୋଟିଏ ପଟେ ହିନ୍ଦୁତ୍ୱବାଦୀ ଭୋଟ ଧ୍ରୁବୀକରଣ ହେବା ଏବଂ ଅନ୍ୟପଟେ ମହିଳାଙ୍କ ପାଇଁ ମାସିକ ବା ବାର୍ଷିକ ନଗଦ ଆର୍ଥିକ ପ୍ରୋତ୍ସାହନ ଘୋଷଣା ହେବା ଦ୍ୱାରା ମତଦାନ ପାଇଁ ଅଧିକ ସଂଖ୍ୟାରେ ମହିଳା ଭୋଟ କେନ୍ଦ୍ରରେ ପହଂଚିବା ବିଜେପି ଓ ତାହାର ମିତ୍ର ଦଳଙ୍କ ପାଇଁ ଲାଭପ୍ରଦ ହୋଇଥିଲା । ଅବଶ୍ୟ, ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ‘ହିନ୍ଦୁତ୍ୱ’ କାର୍ଡ କାମ କରି ନାହିଁ । ଆଦିବାସୀ ବହୁଳ ଏହି ରାଜ୍ୟରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଲଗାତର କ୍ଷମତାକୁ ଫେରିବା ପଛରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ‘ଆଦିବାସୀ କାର୍ଡ’ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ଅନଗ୍ରସର ମହିଳାଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଘୋଷଣା ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିଥିବା ସମସ୍ତେ ସ୍ୱୀକାର କରୁଛନ୍ତି । ତେଣୁ, ହିନ୍ଦୁତ୍ୱ କାର୍ଡ ଓ ଜାତିଗତ କାର୍ଡ ସହ ଆର୍ଥିକ ଅନଗ୍ରସର ମହିଳାଙ୍କ ସଶକ୍ତୀକରଣ ନାମରେ ମାସିକିଆ ହେଉ ବା ବାର୍ଷିକ ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରିବା ଏବେ ରାଜ୍ୟମାନଙ୍କରେ ହେଉଥିବା ନିର୍ବାଚନରେ ଶତପ୍ରତିଶତ ବିଜୟ ସମ୍ଭାବନା ସୃଷ୍ଟି କରୁଛି । ତେଣୁ, ଚଳିତ ବର୍ଷର ପ୍ରଥମ ନିର୍ବାଚନ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ଶାସନରେ ଥିବା ଆମ୍ ଆଦମୀ ପାର୍ଟି (ଆପ୍)ରୁ ଆରମ୍ଭ କରି କ୍ଷମତା ଛଡାଇବା ଉଦ୍ୟମରେ ଥିବା ବିଜେପି, କଂଗ୍ରେସ ପର୍ଯ୍ୟନ୍ତ ସବୁ ରାଜନୈତିକ ଦଳ ହିନ୍ଦୁତ୍ୱ, ସଂଖ୍ୟାଲଘୁ କାର୍ଡ ସହ ମହିଳା ସଶକ୍ତୀକରଣ ନାମରେ ମାସକ ୨୧୦୦ରୁ ୨୫୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କାର୍ଡ ବିଛାଇଛନ୍ତି । ‘ଆପ୍’ କ୍ଷମତାକୁ ଫେରିଲେ ଆର୍ଥିକ ଦୁର୍ବଳ ଶ୍ରେଣୀ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛି । କଂଗ୍ରେସ ୨୫୦୦ ଟଙ୍କା ଘୋଷଣା କରିଥିବା ବେଳେ ବିଜେପି ମଧ୍ୟ ୨୫୦୦ ଟଙ୍କା ଘୋଷଣା କରିଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦୁଇ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି (ଆପ୍) ବିରୋଧରେ ପ୍ରାୟ ୨୬୦୦ କୋଟି ଟଙ୍କାର କଥିତ ଅବକାରୀ ଦୁର୍ନୀତି ସହ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ସରକାରୀ ବାସଭବନ ନବୀକରଣ କରିବାରେ ୪୦ କୋଟି ଟଙ୍କାରୁ ଅଧିକ ଟଙ୍କା (ସିଏଜି ରିପୋର୍ଟ ମୁତାବକ) ଖର୍ଚ୍ଚ କରିଥିବା ଅଭିଯୋଗକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି । କେଜରୀୱାଲ ସରକାରୀ ରାଜସ୍ୱରେ ଦିଲ୍ଲୀରେ ନିଜ ପାଇଁଏକ ବିଳାଶମୟ ଭବନ ବା ‘ଶୀଶ୍ ମହଲ..’ ନିର୍ମାଣ କରାଇଥିବା ବେଳେ ସେ (ପ୍ରଧାନମନ୍ତ୍ରୀ) ହଜାର ହଜାର ସଂଖ୍ୟାରେ ବାସଗୃହ ନିର୍ମାଣ କରାଇ ବାସହୀନଙ୍କୁ ଯୋଗାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବିଭିନ୍ନ ନିର୍ବାଚନ ସଭାରେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ‘ଆପ୍’ ନେତାମାନେ ତାହାର ଉତ୍ତରରେ ଦିଲ୍ଲୀରେ ଥିବା ପ୍ରଧାନମନ୍ତ୍ରୀଙ୍କ ବହୁକୋଟି ମୂଲ୍ୟର ସରକାରୀ ବଂଗଳା, ପ୍ରଧାନମନ୍ତ୍ରୀ ଦ୍ୱାରା ବ୍ୟବହାର ହେଉଥିବା ଉଡାଜାହାଜ ଏବଂ ତାଙ୍କ ମୂଲ୍ୟବାନ ପୋଷାକ ଓ ଅନ୍ୟାନ୍ୟ ପରିଧାନକୁ ଟାର୍ଗେଟ୍ କରୁଛନ୍ତି । ବିଜେପି ନେତାଙ୍କ ଅଭିଯୋଗ ହେଉଛି, ‘ଆପ୍’ ମୁଖ୍ୟ କେଜରୀୱାଲ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ରାଜନୀତିକୁ ଆସିଥିଲେ । ୨୦୧୩ରେ ପ୍ରଥମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ସମୟରେ ସେ ନିଜକୁ ଜଣେ ସାଧାରଣ ଜନପ୍ରତିନିଧି ଘୋଷଣା କରି ସରକାରଙ୍କ ପକ୍ଷରୁ ମିଳୁଥିବା ଘର ଓ ଅନ୍ୟ ସୁବିଧା ସୁଯୋଗ ନେବେ ନାହିଁ ବୋଲି ଘୋଷଣା କରିଥିଲେ । ସ୍ୱଳ୍ପ ଦିନର ଏହି ସରକାର ପରେ ୨୦୧୫ରୁ ଦିଲ୍ଲୀରେ ଦଶ ବର୍ଷ ହେଲା ତାଙ୍କ ସରକାର ରହିଛି । ଇତିମଧ୍ୟରେ ସେ ଅନ୍ୟ ରାଜନୈତିକ ଦଳଙ୍କ ଭଳି ସରକାରୀ ଘର, ଗାଡି ଓ ଅନ୍ୟ ସମସ୍ତ ସରକାରୀ ସୁବିଧା ସୁଯୋଗ ଉପଭୋଗ କରିଛନ୍ତି ଏବଂ ନିଜ ସରକାରୀ ବଂଗଳାକୁ ସଜାଇବାକୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କାର ଅପବ୍ୟୟ କରିଛନ୍ତି । ଦୁର୍ନୀତି-ବିରୋଧୀ ଆନ୍ଦୋଳନରୁ ସେ ରାଜନୀତିକୁ ଆସିଥିଲେ ମଧ୍ୟ ଗଲା ଦଶ ବର୍ଷର ଶାସନରେ ସେ ଓ ତାଙ୍କ ସରକାର ଦୁର୍ନୀତିରେ ଉବୁଟୁବୁ ହେଉଥିବା ବିଭିନ୍ନ ସିଏଜି ରିପୋର୍ଟରୁ ସ୍ପଷ୍ଟ ହେଉଛି । ଅପରପକ୍ଷରେ ‘ଆପ୍’ ଦାବି କରିଛି, କେଜରୀୱାଲଙ୍କ ଶାସନରେ ହିଁ ଦିଲ୍ଲୀବାସୀଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ, ମାଗଣା ସ୍ୱାସ୍ଥ୍ୟ ସେବା, ମାଗଣାରେ ପାଣି ଏବଂ ଆନ୍ତର୍ଜାତିକସ୍ତରର ଶିକ୍ଷା ଭିତ୍ତିଭୂମି ମିଳିଛି । ‘ଆପ୍’ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଫେରିଲେ ଦିଲ୍ଲୀବାସୀଙ୍କୁ ଆହୁରି ଅନେକ ସୁବିଧା ଦେଇ ପାରିବ । ବିଶେଷକରି, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ପାଇଁ ‘ଆପ୍’ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କୁ ଅଡୁଆରେ ପକାଇଛି । ଇତିମଧ୍ୟରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀରେ ପ୍ରଚାର ମଇଦାନକୁ ଆସି କିଛି ଦିନ ପରେ ମଇଦାନରୁ ଉଭେଇ ଯିବା କଂଗ୍ରେସର ଅଡୁଆ ବଢାଇ ଥିବା ବେଳେ ବିଜେପି ତାହାର ଅମୋଘ ଅସ୍ତ୍ର କୁହାଯାଉଥିବା ‘ହିନ୍ଦୁତ୍ୱ’ ଅସ୍ତ୍ରକୁ ଗତକାଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜରିଆରେ ଦିଲ୍ଲୀରେ ପ୍ରୟୋଗ କରିଛି । ଜାନୁୟାରୀ ୧୩ ତାରିଖରୁ ୟୁପିର ପ୍ରୟାଗରାଜରେ ମହାକୁମ୍ଭ ଚାଲିଛି । କୋଟି କୋଟି ସଂଖ୍ୟାରେ ସାଧୁ, ସନ୍ଥଙ୍କ ସହ ସାଧାରଣ ଜନତା ମହାକୁମ୍ଭରେ ବୁଡ ପକାଉଥିବାର ଦୃଶ୍ୟ ଜାତୀୟ, ଆନ୍ତର୍ଜାତିକ ଗଣମାଧ୍ୟମରେ ଛାଇ ଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ସହ ଗାଂଗାରେ ବୁଡ ପକାଉ ଥିବା ଦୃଶ୍ୟ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହେଉଛି । ଯୋଗୀ ମହାଶୟ ଗୁରୁବାର (୨୩ ତାରିଖ) ଦିନ ଦିଲ୍ଲୀରେ ବିଜେପିର ଏକାଧିକ ନିର୍ବାଚନ ସଭାରେ ଭାଷଣ ଦେଇଥିଲେ । ସଭା ମଂଚରେ ଠିଆ ହୋଇ ଭାଷଣ ଦେବା ଦୃଶ୍ୟ ସହ ଗଂଗା ନଦୀରେ ସେ ବୁଡ ପକାଉ ଥିବା ଦୃଶ୍ୟର ଅଂଶ ମଧ୍ୟ ସମାନ୍ତରାଳ ଭାବେ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହେଉଥିଲା । ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ନିଜ ଦଳର ନେତା ଓ ମନ୍ତ୍ରୀମାନଙ୍କ ସହ ଯମୁନା ନଦୀରେ ଏଭଳି ବୁଡ ପକାଇ ଦେଖାନ୍ତୁ (!) ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଦିଲ୍ଲୀରେ ଆହ୍ୱାନ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଶ ବର୍ଷର ଶାସନରେ ‘ନମାମୀ ଗଂଗା’ ପ୍ରକଳ୍ପ କେତେ ସଫଳ ହୋଇଛି (?) ବୋଲି ‘ଆପ୍’ ପ୍ରଶ୍ନ କରିଛି । ଗଂଗା ନଦୀ ଜଳକୁ ସ୍ୱଚ୍ଛ କରିବା କାର୍ଯ୍ୟ ୨୦୧୪ରୁ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ର ସରକାର ତାହାର ଦାୟିତ୍ୱ ନେଇଛନ୍ତି । ସେହିଭଳି, ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀ ଜଳକୁ ପ୍ରଦୂଷଣ ମୁକ୍ତ କରିବା ଦାୟିତ୍ୱ ଦିଲ୍ଲୀ ସରକାରଙ୍କ ହୋଇଥିବା ବେଳେ ଗଲା ଦଶ ବର୍ଷରେ ଯମୁନା ନଦୀ ଅଧିକ ପ୍ରଦୂଷିତ ହୋଇଥିବା ଦିଲ୍ଲୀ ସରକାର ସ୍ୱୀକାର କରୁଛନ୍ତି । ଏଭଳି ସ୍ଥିତିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଜୀ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଯମୁନାରେ ଡୁବକି ମାରି ଦେଖାଇବାକୁ ଆହ୍ୱାନ ଦେବା ରାଜନୀତି ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ରଖୁଛି । ବିଜେପି ଦ୍ୱାରା ପ୍ରେତ୍ସାହିତ ଜାତୀୟ ଗଣମାଧ୍ୟମ ସବୁ ଯୋଗୀଙ୍କ ଆହ୍ୱାନକୁ ବେଶ୍ ଗୁରୁତ୍ୱ ଦେଇ ପ୍ରସାରିତ କରିବା ସହ ଏହାକୁ ନେଇ ବିତର୍କ କାର୍ଯ୍ୟକ୍ରମ ମଧ୍ୟ ଚଳାଇଛନ୍ତି । ଯୋଗୀଙ୍କ ସଭା ମଂଚରେ ‘ବଟେଂଗେ ତୋ କଟେଂଗେ, ଏକ୍ ରହେଂଗେ ତୋ ନେକ୍ ରହେଂଗେ’ ସ୍ଲୋଗାନ ଲେଖାଥିବା ବ୍ୟାନର ଏବଂ କେଜରୀୱାଲଙ୍କୁ ଯୋଗୀଙ୍କ ସିଧାସଳଖ ରାଜନୈତିକ ଆକ୍ରମଣ ଦିଲ୍ଲୀ ବିଧାନସଭା ନିର୍ବାଚନକୁ କେତେମାତ୍ରାରେ ପ୍ରଭାବିତ କରିବ, ତାହା ବଡ ପ୍ରଶ୍ନ ହୋଇଛି । ତେବେ, ଦିଲ୍ଲୀବାସୀ ଏଭଳି ଧାର୍ମିକ ସ୍ଲୋଗାନରେ ମୋଟେ ପ୍ରଭାବିତ ହେବେ ନାହିଁ, କାମ କରିଥିବା ଓ କରୁଥିବା ଦଳକୁ ହିଁ ପୁନର୍ବାର କ୍ଷମତାକୁ ଆଣିବେ ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ଆଶା ବ୍ୟକ୍ତ କରିଛି । ଦିଲ୍ଲୀ ନିର୍ବାଚନକୁ ଅତି ନିକଟରୁ ଅନୁଧ୍ୟାନ କରୁଥିବା ରାଜନୈତିକ ବିଶ୍ଲେଷକମାନେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ‘ଆପ୍’ ଓ ବିଜେପି ମଧ୍ୟରେ ହେଉଥିବା ଏବଂ କଂଗ୍ରେସ ଉଭୟ ବିଜେପି ଓ ‘ଆପ୍’କୁ କ୍ଷତି ପହଂଚାଉ ଥିବା ଦାବି କରିବା ସହ ୨୦୨୫ ନିର୍ବାଚନରେ ‘ଆପ୍’ ପୂର୍ବାପେକ୍ଷା କମ୍ ଆସନ ପାଇଲେ ମଧ୍ୟ ଲଗାତର ତୃତୀୟ ଥର ପାଇଁ ସରକାର କରିବ ବୋଲି ଆକଳନ କରୁଛନ୍ତି । ସେମାନଙ୍କ ଆକଳନ କେତେଦୂର ସତ ହେବ ତାହା ଫେବୃୟାରୀ ୦୮ ତାରିଖରେ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS