ସୈଫଙ୍କ ଆକ୍ରମଣକାରୀ ମେଘାଳୟ ଦେଇ ଭାରତକୁ ଆସିଛି !


ପ୍ରସାଦ ରାଓ
ଜାନୁୟାରୀ ୨୧/୨୦୨୫
ବଲିଉଡ ଅଭିନେତା ସୈଫ୍ ଅଲ୍ଲି ଖାଁଙ୍କ ଆକ୍ରମଣକାରୀ ବାଂଲାଦେଶୀ ୟୁବକ ସରିଫୁଲ ଇସଲାମ ସେହଜାଦ ମହମ୍ମଦ ରୋହିଲା ଅମିନ ଫକିର ପ୍ରାୟ ସାତ ମାସ ତଳେ ମେଘାଳୟର ଦାୱକି ନଦୀକୁ ଅତିକ୍ରମ କରି ବାଂଲାଦେଶରୁ ଭାରତରେ ପ୍ରବେଶ କରିଥିଲା । ପଶ୍ଚିମ ବଂଗର ଜଣେ ବାସିନ୍ଦାଙ୍କ ଆଧାର କାର୍ଡ ବ୍ୟବହାର କରି ମୋବାଇଲ ସିମ୍ କିଣିଥିଲା । କିଛି ଦିନ କୋଲକାତାରେ ରହିବା ପରେ ମୁମ୍ବାଇ ଚାଲି ଆସି ବିଜୟ ଦାସ ନାମରେ ରହୁଥିଲା । ୩୦ ବର୍ଷ ବୟସ୍କ ସରିଫୁଲକୁ ବାନ୍ଦ୍ର ପୁଲିସ ଗିରଫ କରିବା ପରେ ହୋଇଥିବା ଜେରାରୁ ଏହି ସୂଚନା ମିଳିଛି । ସରିଫୁଲ ଯେଉଁ ସିମ୍ କାର୍ଡ ବ୍ୟବହାର କରୁଛି ତାହା ପଶ୍ଚିମ ବଂଗର ବାସିନ୍ଦା ଖୁକୁମଣି ଜାହାଙ୍ଗୀର ଶେଖଙ୍କ ନାମରେ ପଂଜୀକୃତ ହୋଇଥିବାରୁ ସେ ଖୁକୁମଣିଙ୍କ ଆଧାର କାର୍ଡ ବ୍ୟବହାର କରି ଏହି ସିମ୍ ହାସଲ କରିଥିବା ପୁଲିସ ନିଷ୍କର୍ଷରେ ପହଂଚିଛନ୍ତି । ସରିଫୁଲ ପଶ୍ଚିମ ବଂଗରେ ଥିବା ସମୟରେ ନିଜ ନାମରେ ଆଧାର କାର୍ଡ କରାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ପଶ୍ଚିମ ବଂଗରେ କିଛି ସପ୍ତାହ ଘୁରି ବୁଲିବା ପରେ କାମଧନ୍ଦା ନ ମିଳିବାରୁ ମୁମ୍ବାଇ ଚାଲି ଆସିଥିଲା ଏବଂ ତା’ ପାଖରେ କୌଣସି ବୈଧ ଡକୁମେଂଟ ନଥିବାରୁ ବିନା ଡକୁମେଂଟରେ କେଉଁଠି କାମ ମିଳିବ ସନ୍ଧାନରେ ଥିଲା । ଅମିତ ପାଣ୍ଡେ ନାମକ ଜଣେ ଲେବର କଂଟ୍ରାକ୍ଟର ସରିଫୁଲକୁ ଥାନେ ଏବଂ ୱର୍ଲି ଅଂଚଳରେ ଥିବା ପବ୍ ଓ ହୋଟେଲରେ ହାଇସକିପିଂ କାମ ଯୋଗାଇବାରେ ସହାୟକ ହୋଇଥିଲା । ଗତ ୧୫ ତାରିଖ (ବୁଧବାର) ମଧ୍ୟରାତ୍ରୀରେ ଅଭିଯୁକ୍ତ ସରିଫୁଲ ଇସଲାମ ସେହଜାଦ ମୁମ୍ବାଇର ବାନ୍ଦ୍ରାସ୍ଥିତ ଭିଭିଆଇପି ଇଲାକାରେ ଥିବା ‘ସଦଗୁରୁ ଶରଣ’ ଆପାର୍ଟମେଂଟରେ ପ୍ରବେଶ କରି ଫାୟାର ଏସକେପ୍ ଦେଇ ଦ୍ୱାଦଶତମ ମହଲାରେ ଥିବା ବଲିଉଡ ଅଭିନେତା ସୈଫ୍ ଅଲ୍ଲି ଖାଁଙ୍କ ଫ୍ଲାଟରେ ପ୍ରବେଶ କରିଥିଲା । ସେହି ଫ୍ଲାଟରେ ସୈଫଙ୍କ ପିଲମାନେ ରହୁଥିଲେ ଏବଂ ସେମାନଙ୍କ ଦେଖାଶୁଣା ପାଇଁ ଜଣେ ପରିଚାରିକା ଓ ଅନ୍ୟ କର୍ମଚାରୀ ରହୁଥିଲେ । ସରିଫୁଲ ବାଥରୁମ ଝରକା ଦେଇ ଘରେ ପ୍ରବେଶ କରିବା ପରେ ଛପି ରହିଥିଲା । ବାଥରୁମ୍ ଲାଇଟ ଜଳୁଥିବା ଦେଖି ସୈଫଙ୍କ ପିଲାମାନଙ୍କ ଯତ୍ନ ନେଉଥିବା ପରିଚାରିକା ଜଣକ ପ୍ରଥମ ସନ୍ଦେହ କରିନଥିଲେ ମଧ୍ୟ ପରେ ଅଭିଯୁକ୍ତ ସୈଫଙ୍କ ସାନ ପୁଅ ଜେହ୍ (ଜେହାଙ୍ଗୀର)ଙ୍କ ପ୍ରକୋଷ୍ଠ ଆଡେ ଯାଉଥିବା ଦେଖି ଚିକ୍ରାର କରିଥିଲେ । ସୈଫ୍ ଓ ପତ୍ନୀ କରିନା କପୁର ଖାଁ (ବଲିଉଡ ଅଭିନେତ୍ରୀ) ପରିଚାରିକାଙ୍କ ପାଟି ଶୁଣି କିଛି ଘରୋଇ କର୍ମଚାରୀଙ୍କ ସହ ଜେହ୍ ରହୁଥିବା ଫ୍ଲାଟରେ ପହଂଚି ଯାଇଥିଲେ । ହାତରେ ଛୁରୀ ଥିବା ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଫ୍ଲାଟରେ ଦେଖିବା ପରେ ଅଭିନେତା ସୈଫ୍ ଅଲ୍ଲି ଖାଁ ଅଭିଯୁକ୍ତକୁ କାବୁ କରିବାକୁ ଉଦ୍ୟମ କରିଥିଲେ । ଫଳରେ, ସେମାନଙ୍କ ମଧ୍ୟରେ ଧସ୍ତଧସ୍ତି ହୋଇଥିଲା । ସୈଫ୍ ଅଭିଯୁକ୍ତକୁ ଜାବୁଡି ଧରିଥିବା ବେଳେ ଅଭିଯୁକ୍ତ ସରିଫୁଲ ଖସିବାକୁ ବାଟ ନପାଇ ତାଙ୍କ ପିଠି ପଟେ ଛଅ ଥର ଛୁରିକାଘାତ କରିଥିଲା । ପରେ, ସୈଫ୍ ଅଭିଯୁକ୍ତକୁ ବାଥରୁମରେ ବନ୍ଦ କରି ବଡ ପୁଅ ତେମୁର ସହ ଲିଳାବତୀ ହସପିଟାଲକୁ ପଳାଇ ଥିଲେ । ଅଭିଯୁକ୍ତ ସରିଫୁଲ ବାଥରୁମର ଯେଉଁ ଝରକା ଦେଇ ସୈଫଙ୍କ ଫ୍ଲାଟରେ ପ୍ରବେଶ କରିଥିଲା ସେହି ଝରକା ଦେଇ ଖସି ପଳାଇ ଥିବା ଧରାପଡିବା ପରେ ପୁଲିସ ନିକଟରେ ସ୍ୱୀକାର କରିଥିବା ଜଣାପଡିଛି । ପ୍ରଥମେ ସରିଫୁଲ ବାନ୍ଦ୍ରା ପୁଲିସକୁ ଭୁଆଁ ବୁଲାଇବାକୁ ତା’ ଘର କୋଲକାତାରେ ବୋଲି କହିଥିଲା । ତେବେ, ପୁଲିସ ତା’ କଲ୍ ରେକର୍ଡ ଯାଂଚ କରିବାରୁ ସେ ବାଂଲାଦେଶୀ ନାଗରିକ ବୋଲି ସ୍ପଷ୍ଟ ହୋଇଥିଲା । ସରିଫୁଲ ପରେ ସେ ବାଂଲାଦେଶୀ ନାଗରିକ ଏବଂ ବାଂଲାଦେଶରେ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢିଛି ବୋଲି ସ୍ୱୀକାର କରିଛି । ବାଂଲାଦେଶରେ ରହୁଥିବା ପରିବାରର ସଦସ୍ୟଙ୍କ ମଧ୍ୟରୁ କାହାରିକୁ ଫୋନରେ ଯୋଗାଯୋଗ କରିବାକୁ ପୁଲିସ ନିର୍ଦେଶ ଦେବାରୁ ସରିଫୁଲ ନିଜ ଭାଇ ସହ ଫୋନରେ ଯୋଗଯୋଗ କରି ଦ୍ୱାଦଶ ଶ୍ରେଶୀ ସ୍କୁଲ ଲିଭିଂ ସାର୍ଟିଫିକେଟ କହିଥିଲା ଏବଂ ତା’ ଭାଇ ମୋବାଇଲରେ ଏହି ସାର୍ଟିଫିକେଟ ପଠାଇ ଥିଲା । ସରିଫୁଲ ବାଂଲାଦେଶୀ ନାଗରିକ ବୋଲି ପୁଲିସ ହାତରେ ଏହି ବଳିଷ୍ଠ ପ୍ରମାଣ ଲାଗିଛି । ଅଭିଯୁକ୍ତ ସରିଫୁଲ ଇସଲାମ ସେହେଜାଦ ‘ସଦଗୁରୁ ଶରଣ’ ଆପାଟମେଂଟର ଦ୍ୱାଦଶତମ ମହଲାରେ ଥିବା ସୈଫ୍ ଅଲ୍ଲି ଖାଁଙ୍କ ଫ୍ଲାଟରେ ପ୍ରବେଶ କରିବା ପୂର୍ବରୁ ପାଖରେ ଥିବା ଅନ୍ୟ ଏକ ବଂଗଳାରେ ରହୁଥିବା ଜଣେ ବଲିଉଡ ଅଭିନେତାଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲା । ତେବେ, ପ୍ରବେଶ ଉଦ୍ୟମ ବେଳେ କୁକୁରଗୁଡିକ ଭୋକିବାରୁ ସେ ସଂପୃକ୍ତ ବଂଗଳାରେ ପ୍ରବେଶ ନ କରି ‘ସଦଗୁରୁ ଶରଣ’ ଆପାର୍ଟମେଂଟରେ ପ୍ରବେଶ କରିଥିଲା । ସୈଫ୍ ଙ୍କୁ ଛୁରୀରେ ଆକ୍ରମଣ କରିବା ରକ୍ତାକ୍ତ କରିବା ପରେ ସରିଫୁଲ ସେଠାରୁ ଖସି ଆସି ଦୁଇ ଘଂଟା ଧରି ଆପାର୍ଟମେଂଟ ବଗିଚାରେ ଲୁଚି ରହିଥିଲା ବୋଲି ପୁଲିସକୁ କହିଥିବା ଜଣାପଡିଛି । ପୁଲିସ ‘ସଦଗୁରୁ ଶରଣ’ ଆପାର୍ଟମେଂଟରୁ ଓ ଅନ୍ୟତ୍ର ମିଳିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରି ତିନି ଦିନ ପରେ ସଫଳତା ପାଇଥିଲେ । ସରିଫୁଲକୁ କାମ ଯୋଗାଇ ଥିବା ଲେବର କଂଟ୍ରାକ୍ଟରକୁ ପୁଲିସ ବ୍ୟବହାର କରିଥିଲେ । ଖାଇବା ମଗାଇବାକୁ ସରିଫୁଲ ୟୁପିଆଇ ଜରିଆରେ ଟଙ୍କା ପୈଠ କରିଥିବାରୁ ସେ ଥାନେ ଅଂଚଳରେ ଥିବା ଜଣାପଡିଥିଲା । ବାନ୍ଦ୍ରା ପୁଲିସ ଥାନେରୁ ସରିଫୁଲକୁ ଗିରଫ କରିଥିଲେ । ଇତିମଧ୍ୟରେ, ବାନ୍ଦ୍ରାରେ ଥିବା ଲିଳାବତୀ ହସ୍ପିଟାଲରେ ଛଅ ଦିନ ହେଲା ଚିକିତ୍ସିତ ହେଉଥିବା ଅଭିନେତା ସୈଫ୍ ଅଲ୍ଲି ଖାଁକୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି । ସୈଫଙ୍କ ପିଠିରେ ଅସ୍ତ୍ରୋପଚାର କରାଯାଇ ମେରୁଦଣ୍ଡ ପାଖାପାଖି ଛୁରୀରୁ ଖଣ୍ଡେ ଉଦ୍ଧାର କରାଯାଇଛି । ଛୁରୀ ମେରୁଦଣ୍ଡ ଛୁଇଁଥିଲେ ପରିସ୍ଥିତି ଅଧିକଂ ସଂଗୀନ ହୋଇଥା’ନ୍ତା ବୋଲି ଲିଳାବତୀ ହସ୍ପିଟାଲ ଚିକିତ୍ସକମାନେ କହିଛନ୍ତି । ଅଭିଯୁକ୍ତ ସରିଫୁଲ ଇସଲାମ ସେହଜାଦ ବାଂଲାଦେଶରୁ ପଶ୍ଚିମ ବଂଗ ଦେଇ ଭାରତରେ ଅନୁପ୍ରବେଶ କରିଥିବା ପ୍ରଥମେ ସନ୍ଦେହ କରାଯିବା ସହ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରାଗଲା । ଫଳରେ, ରାଜନୀତି ସରଗରମ ହେବାକୁ ଲାଗିଲା । ମହାରାଷ୍ଟ୍ରରେ ଓ କେନ୍ଦ୍ରରେ ବିଜେପିର ସରକାର ରହିଛି । ମୁମ୍ବାଇର ଥାନେରୁ ଗିରଫ ହୋଇଥିବା ସୈଫଙ୍କ ଆକ୍ରମଣକାରୀ ବାଂଲାଦେଶୀ ନାଗରିକ ବୋଲି ସ୍ପଷ୍ଟ ହେବା ପରେ ବିଜେପି କେବଳ ମମତାଙ୍କୁ ନୁହେଁ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ମଧ୍ୟ ଟାର୍ଗେଟ କରିଛି । ଫେବୃୟାରୀ ୦୫ ତାରିଖରେ ହେଉଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହୋଇଛି । ଏଭଳି ସ୍ଥିତିରେ, ସରିଫୁଲ ଇସଲାମ ସେହଜାଦ ଜଳପଥରେ ମେଘାୟଳ ଦେଇ ଭାରତରେ ଅନୁପ୍ରବେଶ କରିଥିବା ପୁଲିସ ନିକଟରେ ସ୍ୱୀକାର କରିବା ପରେ ବିରୋଧୀ ଏବେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିବା ଆରମ୍ଭ କରିଛନ୍ତି । ମହାରାଷ୍ଟ୍ରରେ ବିରୋଧୀ ଶିବସେନା (ୟୁବିଟି) ନେତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସିଧାସଲଖ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଆକ୍ରମଣ କରିଛନ୍ତି । ଭାରତ-ବାଂଲାଦେଶର ମେଘାଳୟ ସୀମାନ୍ତକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାରେ ବିଫଳ ହୋଇଥିବା ଏହି ଅନୁପ୍ରବେଶ ଘଟଣାରୁ ସ୍ପଷ୍ଟ ହେଉଛି ବୋଲି ଚତୁର୍ବେଦୀ କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS