ଦୁଷ୍କର୍ମ ଓ ହତ୍ୟା ପାଇଁ ଦୋଷୀ ସଂଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ


ପ୍ରସାଦ ରାଓ
ଜାନୁୟାରୀ ୨୦/୨୦୨୫
କୋଲକାତାର ସରକାରୀ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଗତ ବର୍ଷ ଅଗଷ୍ଟ ମାସରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ସଂଜୟ ରାୟକୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କାରାଦଣ୍ଡ ସହ ତାଙ୍କୁ ୫୦ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି । ୨୦୨୪ ଅଗଷ୍ଟ ୦୮ ତାରିଖ ବିଳମ୍ବିତ ରାତ୍ରୀରେ ହସ୍ପିଟାଲରେ ରାତ୍ରୀ ଡ୍ୟୁଟିରେ ଥିବା ଜଣେ ଶିକ୍ଷାନବିସ (ଟ୍ରେନି) ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ୦୯ ତାରିଖ ସକାଳେ ସଂପୃକ୍ତ ଡାକ୍ତରଙ୍କ ମୃତଦେହ ହସ୍ପିଟାଲ ପରିସରରୁ ଉଦ୍ଧାର ହେବା ପରେ କୋଲକାତା ପୁଲିସ ମାମଲାର ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ ଆଧାରରେ ସଂଜୟ ରାୟ ନାମକ ଜଣେ ନାଗରିକ ପୁଲିସ ସ୍ୱେଚ୍ଛାସେବୀଙ୍କୁ ଗିରଫ କରିଥିଲେ । ସଂଜୟ ରାୟଙ୍କ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଅବାଧ ପ୍ରବେଶ ରହିଥିଲା ଏବଂ ଦୁଷ୍କର୍ମ ଓ ହତ୍ୟା ଘଟଣା ରାତିରେ ମଧ୍ୟ ସେ ମହିଳା ଟ୍ରେନି ଡାକ୍ତର ଜଣକ ବିଶ୍ରାମ ନେଉଥିବା ମେଡିକାଲ ପରିସରରେ ପ୍ରବେଶ କରିଥିବା ସିସିଟିଭିରେ କଏଦ ହୋଇଥିଲା । ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାରେ କେବଳ ସଂଜୟ ରାୟ ନୁହେଁ, ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ପୀଡିତାଙ୍କ ପରିବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ସନ୍ଦେହ ବ୍ୟକ୍ତ କରିବା ସହ କୋଲକାତା ପୁଲିସର ତଦନ୍ତ ଉପରେ ସନ୍ଦେହ ବ୍ୟକ୍ତ କରି ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦିଆଯିବାକୁ କୋଲକାତା ହାଇକୋର୍ଟରେ ଅବେଦନ କରିଥିଲେ । କୋଲକାତା ହାଇକୋର୍ଟ ମଧ୍ୟ ସେମାନଙ୍କ ଆବେଦନକୁ ତୁରନ୍ତ ବିଚରକୁ ନେଇ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ । ୨୦୨୪ ଅଗଷ୍ଟ ୧୩ ତାରିଖ ଦିନ ସିବିଆଇ ଆର.ଜି.କର ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ହାତକୁ ନେଇଥିଲେ । କୋଲକାତା ପୁଲିସ ୧୩ ତାରିଖ ସୁଦ୍ଧା କରିଥିବା ତଦନ୍ତର ସମସ୍ତ କାଗଜପତ୍ର ଓ ଗିରଫ ସଂଜୟ ରାୟକୁ ନିଜ ହେପାଜତକୁ ନେବା ସହ ନିଜ ଆଡୁ ତଦନ୍ତକୁ ଆଗେଇ ନେଇଥିଲେ । ଏକାଧିକ ବ୍ୟକ୍ତି ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଂପୃକ୍ତ ଥିବା ପୀଡିତାଙ୍କ ପରିବାର ଅଭିଯୋଗ କରିଥିବା ବେଳେ ସିବିଆଇ ସଂଜୟ ରାୟ ଏକୁଟିଆ ଏହି ଘଟଣା ଘଟାଇ ଥିବା ନିଷ୍କର୍ଷରେ ପହଂଚି ଅଦାଲତରେ ଅଭିଯୋଗପତ୍ର ଦାଖଲ କରିଥିଲେ । ସିଆଲଦାସ୍ଥିତ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟରେ ମାମଲାର ବିଚାରଣା ଚାଲିଥିଲା । ବିଚାରପତି ଅନିର୍ବାଣ ଦାସ ଗତ ୧୮ ତାରିଖ ଦିନ ଏହି ମାମଲାର ରାୟ ଦେଇ ଅଭିଯୁକ୍ତ ସଂଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜି ଦଣ୍ଡ ଘୋଷଣା କରିଛନ୍ତି । ସଂଜୟ ରାୟଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାକୁ ସିବିଆଇ ଅଦାଲତରେ ଅପିଲ କରିଥିଲେ ମଧ୍ୟ ଏହା ମୃତ୍ୟୁଦଣ୍ଡ ଦେବା ଭଳି ଏକ ଅସାମାନ୍ୟ ଅପରାଧ ଘଟଣା ନଥିବା ଦର୍ଶାଇ ବିଚାରପତି ଦାସ ଦୋଷୀ ସଂଜୟ ରାୟକୁ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ତେବେ, ସଂଜୟ ରାୟ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ବୋଲି ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ କରିଥିବା ସୂଚନା ମିଳିଛି । ତେବେ, ତଳ କୋର୍ଟଙ୍କ ରାୟକୁ ସିବିଆଇ ବା ପୀଡିତାଙ୍କ ପରିବାର କୋଲକାତା ହାଇକୋର୍ଟରେ ଚ୍ୟାଲେଂଜ କରିବାର ସୁଯୋଗ ରହିଛି । ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସେମାନେ ଉପର କୋର୍ଟରେ ଆବେଦନ କରିପାରନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ସଂଜୟ ରାୟ ମଧ୍ୟ ତଳ କୋର୍ଟର ରାୟକୁ ଉପର କୋର୍ଟରେ ଚ୍ୟାଲେଂଜ କରିପାରନ୍ତି ବୋଲି ଆଇନ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଗତ ବର୍ଷ ଅଗଷ୍ଟ ମାସରେ ଘଟିଥିବା ଏହି ଦୁଷ୍କର୍ମ ଓ ହତ୍ୟା ଘଟଣା ୨୦୧୨ରେ ଦିଲ୍ଲୀରେ ଘଟିଥିବା ‘ନିର୍ଭୟା’ ଘଟଣା ପରି ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା । କୋଲକାତା ଘଟଣାରେ ପୀଡିତାଙ୍କୁ ‘ଅଭୟା’ ନାମରେ ନାମିତ କରାଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS