ଜଣେ ବାଂଲାଦେଶୀ ଗିରଫ, ତଥାପି ରହସ୍ୟ ଖୋଲିନି ?


ପ୍ରସାଦ ରାଓ
ଜାନୁୟାରୀ ୧୯/୨୦୨୫
ଗଲା ବୁଧବାର ମଧ୍ୟରାତ୍ରୀରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ବହୁ ମହଲା ବିଶିଷ୍ଟ ‘ସଦଗୁରୁ ସରଣ’ରେ ଅନୁପ୍ରବେଶ କରି ବାରତମ ମହଲାରେ ରହୁଥିବା ବଲିଉଡ ଅଭିନେତା ସୈଫ୍ ଅଲ୍ଲି ଖାଁଙ୍କୁ ଛୁରୀରେ ଘାତକ ଆକ୍ରମଣ କରିବା ସହ ଖସି ପଳାଇ ଥିବା ସନ୍ଦିଗ୍ଧ ଅନୁପ୍ରବେଶକାରୀକୁ ବାନ୍ଦ୍ରା ପୁଲିସ ଆଜି ଥାନେ ଅଂଚଳରୁ ଠାବ କରି ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣେ ବାଲାଂଦେଶୀ ନାଗରିକ । ଗଲା କିଛି ମାସ ହେଲା ସେ ବେଆଇନ ଭାବେ ଦେଶରେ ପ୍ରବେଶ କରି ମୁମ୍ବାଇ ଅଂଚଳରେ ରହୁଥିଲା ବୋଲି ପୁଲିସ ଆଜି କହିଛନ୍ତି । ପୁଲିସ କହିବା ଅନୁଯାୟୀ, ଅଭିଯୁକ୍ତ ଜଣକର ଅସଲି ନାମ ହେଉଛି ସରିଫୁଲ ଇସଲାମ ସେହଜାଦ । ସେ ନାଁ ବଦଳାଇ ବିଜୟ ଦାସ ନାମରେ ମୁମ୍ବାଇରେ ରହୁଥିଲା । ସରିଫୁଲକୁ ପୁଲିସ ସ୍ଥାନୀୟ ଏକ ଅଦାଲତରେ ହାଜର କରି କୋର୍ଟରୁ ପାଂଚ ଦିନ ପାଇଁ ରିମାଣ୍ଡରେ ନେଇଛନ୍ତି । ସୈଫଙ୍କ ଫ୍ଲାଟରୁ ମିଳିଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ଗୁରୁବାରରୁ ଅିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଥିଲେ । ଚୋରୀ କରିବା ଉଦ୍ଦେଶ୍ୟରେ ସରିଫୁଲ ବୁଧବାର ମଧ୍ୟରାତ୍ରୀରେ ଅଭିନେତା ସୈଫ୍ ଅଲ୍ଲି ଖାଁଙ୍କ ଫ୍ଲାଟରେ ପ୍ରବେଶ କରିଥିଲା । ସୈଫଙ୍କ ସାନ ପୁଅ ଜେହାଙ୍ଗୀର (୪), ଜେହୋଙ୍ଗୀରଙ୍କ ଯତ୍ନ ନେଉଥିବା ଘରୋଇ ପରିଚାରିକା ଓ ଅନ୍ୟ କିଛି କର୍ମଚାରୀ ସେହି ଫ୍ଲାଟରେ ରହୁଥିଲେ । ଅନୁପ୍ରବେଶକାରୀ ଜଣକ ଫ୍ଲାଟରେ ପ୍ରବେଶ କରି ବାଥରୁମ୍ ଲୁଚି ରହିଥିଲା ଓ ଜେହାଙ୍ଗୀରଙ୍କ କୋଠରୀ ଆଡକୁ ଯିବା ସମୟରେ ଘରୋଇ ପରିଚାରିକା ଜଣକ ଦେଖି ନେଇ ପାଟିତୁଣ୍ଡ କରିବାରୁ ସୈଫ୍ ଓ ତାଙ୍କ ପତ୍ନୀ (ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାଁ) ଅନ୍ୟ କିଛି କର୍ମଚାରୀଙ୍କ ସହ ସେହି ଫ୍ଲାଟରେ ପହଂଚି ଯାଇଥିଲେ । ଅନୁପ୍ରବେଶକାରୀ ଜଣକ ହାତରେ ଛୁରୀ ଥିବା ଦେଖି ସୈଫ୍ ତାଙ୍କୁ କାବୁ କରିବାକୁ ଉଦ୍ୟମ କରିବାରୁ ହାତାହାତି ହୋଇଥିଲା ଏବଂ ଅନୁପ୍ରବେଶକାରୀ ଜଣକ ସୈଫଙ୍କ ଉପରେ ଛଅ ଥର ଛୁରିକାଘାତ କରି ସେଠାରୁ ଖସି ପଳାଇ ଥିଲା । କରିନାଙ୍କ ଆଖି ସାମ୍ନାରେ ଏହି ଘଟଣା ଘଟିଥିଲା । ସୈଫଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି କରିନା ଓ ସୈଫଙ୍କ ଷ୍ଟାଫ୍ ପ୍ରଥମେ ତାଙ୍କ ଉପଚାର କଥା ଚିନ୍ତା କରିବା ଭିତରେ ଅନୁପ୍ରବେଶକାରୀ ସେଠାରୁ ସିଡି ଦେ ଖସି ପଳାଇ ଥିଲା । ଘରୋଇ ପରିଚାରିକା ଜଣକ କହିବା ମୁତାବକ ସୈଫଙ୍କ ପ୍ରାୟ ୪ ବର୍ଷର ପୁଅ ଜେହାଙ୍ଗୀର ରହୁଥିବା କକ୍ଷ ଆଡକୁ ଅନୁପ୍ରବେଶକାରୀ ଜଣକ ଯିବା ସମୟରେ ସେ ପାଟିତୁଣ୍ଡ କରିଥିଲେ ଓ ସେ କଣ ଚାହୁଁଛି ବୋଲି ଅନୁପ୍ରବେଶକାରୀକୁ ପ୍ରଶ୍ନ କରିଥିଲେ । ଅନୁପ୍ରବେଶକାରୀ କୋଟିଏ ଟଙ୍କା ଦାବି କରିଥିଲା ବୋଲି ସେ ପୁଲିସକୁ ବୟାନ ଦେଇଛନ୍ତି । ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଅନୁପ୍ରବେଶକାରୀକୁ ଚିହ୍ନଟ କରିବା ସହ ଗୁରୁବାର ସକାଳୁ ତାଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । କିଛି ସନ୍ଦିଗ୍ଧଙ୍କୁ ବାନ୍ଦ୍ରା ରେଳ ଷ୍ଟେସନ ଡ ଅନ୍ୟ ସ୍ଥାନରୁ ଉଠାଇ ଅଣାଯାଇ ଜେରା କରାଯାଇଥିଲା । ଗତକାଲି ଛତିଶଗଡର ଦୂର୍ଗ ରେଳ ଷ୍ଟେସନରେ ମଧ୍ୟ ଜଣେ ସନ୍ଦିଗ୍ଧକୁ ରେଳବାଇ ପୁଲିସ ଅଟକ ରଖି ଜେରା କରିଥିଲେ । ତେବେ, ଆଜି ସରିଫୁଲକୁ ମୁମ୍ବାଇର ଥାନେ ଅଂଚଳରୁ ଗିରଫ କରାଯାଇଥିବା ପୁଲିସ କହିଛନ୍ତି । ସରିଫୁଲଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ବାନ୍ଦ୍ରା ପୁଲିସ ଚାହିଁଥିଲେ ମଧ୍ୟ କୋର୍ଟ ପାଂଚ ଦିନ ପାଇଁ ରିମାଣ୍ଡ ମଂଜୁର କରିଛନ୍ତି । ଅଭିଯୁକ୍ତ ଜଣକ ଆକମ୍ରଣରେ ଯେଉଁ ଛୁରୀ ବ୍ୟବହାର କରିଛି ତାହା ତିନି ଖଣ୍ଡ ହୋଇଯାଇଛି । ସେଥିରୁ ଗୋଟିଏ ଖଣ୍ଡ ସୈଫଙ୍କ ଅସ୍ତ୍ରୋପଚାର ବେଳେ ମେରୁଦଣ୍ଡ ନିକଟରୁ ବାହାର କରାଯାଇଛି । ଛୁରୀର ତୃତୀୟ ଖଣ୍ଡ ଏପର୍ଯ୍ୟନ୍ତ ମିଳି ନାହିଁ । ପୁଲିସ କହିଛି, ସୈଫଙ୍କୁ ଛୁରୀ ମାଡ କରିଥିବା ଅନୁପ୍ରବେଶକାରୀ ଏହି ଘଟଣା ଘଟାଇବା ପରେ ରକ୍ତ ଲାଗିଥିବା ତା’ର ଲୁଗାପଟା ମଧ୍ୟ କେଉଁଠି ଲୁଚାଇ ଦେଇଛି । ତାହା ମଧ୍ୟ ଖୋଜି ବାହାର କରାଯିବା ସହ ରକ୍ତ ନମୂନା ସହ ମ୍ୟାଚ୍ କରାଇବାକୁ ପଡିବ । ଜଣେ ସେଲିବ୍ରିଟିଙ୍କ ଉପରେ ଆକ୍ରମଣ ହୋଇଥିବାରୁ ପୁଲିସ ତାଙ୍କ ମହକିଲ (ସଇଫୁଲ)କୁ ମିଛରେ ଫସାଇବା ଉଦ୍ୟମ କରିଛି ବୋଲି ସଇଫୁଲର ଓକିଲ ଆଜି କୋର୍ଟରେ ଯୁକ୍ତି ବାଢିଥିଲେ ମଧ୍ୟ କୋର୍ଟ ତାହାକୁ ଗ୍ରହଣ ନକରି ସୁଇଫୁଲକୁ ପାଂଚ ଦିନ ପାଇଁ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଛନ୍ତି । ଗତ ବୁଧବାର ମଧ୍ୟରାତ୍ରୀ ବାନ୍ଦ୍ରାର ଏକ ଅତ୍ୟନ୍ତ ସୁରକ୍ଷିତ ଭିଭିଆଇପି ଅଂଚଳରେ ଏହି ଘଟଣା ଘଟିବା ଏବଂ ବଲିଉଡ ଅଭିନେତା ସୈଫ୍ ଅଲ୍ଲି ଖାଁଙ୍କୁ ଟାର୍ଗେଟ କରାଯିବା ସାଧାରଣ ଏକ ‘ଚୋରୀ ଉଦ୍ୟମ’ ନା ତାହା ପଛରେ କୌଣସି ଗ୍ୟାଙ୍ଗର ଷଡଯନ୍ତ୍ର ରହିଛି ଜାଣିବାକୁ ବିଭିନ୍ନ ମହଲରେ ଉତ୍ସୁକତା ରହିଥିବା ବେଳେ ପୁଲିସ ଏହାକୁ ଏକ ‘ଚୋରୀ ଉଦ୍ୟମ’ ବୋଲି ଅଡି ରହିଛନ୍ତି । ସଇଫୁଲକୁ ପୁଲିସ ରିମାଣ୍ଡରେ ନେଇ ଥିବାରୁ ଜେରା ପରେ ଅଧିକ ତଥ୍ୟ ମିଳିବା ଆଶା କରାଯାଉଛି । ଏହି ଘଟଣାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS