ସୈଫଙ୍କୁ ଆକ୍ରମଣ – କେବଳ ଲୁଟିବା ଉଦ୍ୟମ ନା ଆଉ କିଛି ଅଛି ?


ପ୍ରସାଦ ରାଓ
ଜାନୁୟାରୀ ୧୭/୨୦୨୫
ଗୁରୁବାର ପାହାନ୍ତାରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ଛୁରା ମାଡ କରି ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଘଟଣାର ୩୬ ଘଂଟା ପରେ ମଧ୍ୟ ମୁମ୍ବାଇ ପୁଲିସ ଗିରଫ କରିବାରେ ସକ୍ଷମ ହୋଇନି । ଗତକାଲି ଏହି ଘଟଣା ଘଟିବା ପରେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ବୋଲି ବାନ୍ଦ୍ରା ପୁଲିସ ଗଣମାଧ୍ୟମକୁ କହିଥିଲେ । ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଦଶଟି ଟିମ୍ ଗଠନ କରିଥିବା ମଧ୍ୟ କୁହାଯାଇଥିଲା । ତେବେ, ଆଜି ଟିମ୍ ସଂଖ୍ୟା ୨୦କୁ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି । ଆଜି ବାନ୍ଦ୍ରା ପୁଲିସ ରେଳ ଷ୍ଟେସନ ନିକଟରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରି ଥାନାକୁ ଆଣିବା ପରେ ସୈଫଙ୍କ ଆକ୍ରମଣକାରୀ ଧରା ପଡିଥିବା ପ୍ରଚାର ହୋଇଥିଲା । ତେବେ, ଥାନାରେ ଅଟକ ଥିବା ବ୍ୟକ୍ତିଙ୍କ ସୈଫ୍ ଅଲ୍ଲି ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ସହ କିଛି ସଂପର୍କ ନାହିଁ ବୋଲି ବାନ୍ଦ୍ରା ପୁଲିସର ଜଣେ ବରିଷ୍ଠ ଅଧିକାରୀ ପରେ ସ୍ପଷ୍ଟ କରିଥିଲେ । ବାନ୍ଦ୍ରା ଥାନା ପୁଲିସ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଲୁଟ୍ (ରବରି), ବେଆଇନ ଅନୁପ୍ରବେଶ ଏବଂ ଘାତକ ଆକ୍ରମଣ ଅଭିଯୋଗରେ ମାମଲା ପଂଜୀକୃତ କରି ଅଭିଯୁକ୍ତକୁ ଧରିବା ଉଦ୍ୟମ ଜାରି ରଖିଛନ୍ତି । ଇତିମଧ୍ୟରେ, ଗୁରୁବାର ଭୋର ଛୁରା ମାଡରେ ଗମ୍ଭୀର ଭାବେ ଆହତ ହୋଇଥିବା ଅଭିନେତା ସୈଫ୍ ଅଲ୍ଲି ଖାନଙ୍କ ବାନ୍ଦ୍ରାର ଲୀଳାବତି ହସ୍ପିଟାଲରେ ଅସ୍ତ୍ରୋପଚାର କରାଯିବା ପରେ ସେ ସୁସ୍ଥ ଥିବା ଓ ଚଳାବୁଲା କରିବାକୁ ସକ୍ଷମ ଥିବା ମେଡିକାଲ ବୁଲଟିନରୁ ଜଣାପଡିଛି । ସୈଫଙ୍କୁ ହସ୍ପିଟାଲର ଆଇସିୟୁରୁ ଏକ ସ୍ୱତନ୍ତ୍ର କୋଠରୀକୁ ସ୍ଥାନାନ୍ତର କରାଯାଇଛି । ଅନୁପ୍ରବେଶକାରୀ ତାଙ୍କ ବେକ, ଛାତି ଓ ଦେହର ବିଭିନ୍ନ ସ୍ଥାନରେ ଛଅ ଥର ଛୁରା ମାଡ କରିଛି । ଦୀର୍ଘ ପାଂଚ ଘଂଟା ଧରି ସୈଫଙ୍କ ଅସ୍ତ୍ରୋପଚାର ହୋଇଥିଲା । ସୈଫଙ୍କ ମେରୁଦଣ୍ଡ ନିକଟରେ ଫସି ରହିଥିବା ଛୁରୀର ଅଗ୍ରଭାଗ (୨.୫ ଇଂଚ ଲମ୍ବ) ଅସ୍ତ୍ରୋପଚାର କରି ବାହାର କରାଯାଇଛି । ଲୀଳାବତି ହସ୍ପିଟାଲରେ ସୈଫଙ୍କ ଚିକିତ୍ସା କରୁଥିବା ଡାକ୍ତର ନୀତିନ ନାରାୟଣ ଡାଙ୍ଗେ କହିଛନ୍ତି, ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇଥିବା ସୈଫଙ୍କୁ ଚଲା ଯାଇଥିଲା । ସେ ଚାଲିବାକୁ ସକ୍ଷମ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି । ପକ୍ଷାଘାତ ହେବାର କୌଣସି ଆଶଙ୍କା ନାହିଁ । ତେବେ, ମେରୁଦଣ୍ଡ ନିକଟରେ କ୍ଷତ ହୋଇଥିବାରୁ ସଂକ୍ରମଣ ସମ୍ଭାବନାକୁ ରହିଛି । ତେଣୁ ସଂକ୍ରମଣକୁ ଏଡାଇବା ପାଇଁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସୈଫଙ୍କୁ ବାହାର ଲୋକ ଭୋଟିବା ନିଷିଦ୍ଧ କରାଯାଇଛି । ସୈଫ୍ ଅତ୍ୟନ୍ତ ଭାଗ୍ୟବାନ । ଆଉ ଦୁଇ ମିମି ଭିତରକୁ ଛୁରୀ ପଶିଥିଲେ ଅବସ୍ଥା ସାଂଘାତିକ ହୋଇଥାନ୍ତା ବୋଲି ଡାକ୍ତରମାନେ କହିଛନ୍ତି । ଗୁରୁବାର ଭୋର ସାଢେ ଦୁଇଟା ସମୟରେ ଅଭିନେତା ସୈଫ୍ ଅଲ୍ଲି ଖାନଙ୍କ ଉପରେ ଏହି ଘାତକ ଆକ୍ରମଣ ହୋଇଥିଲା । ବାନ୍ଦ୍ରାର ଅତ୍ୟନ୍ତ ସୁରକ୍ଷିତ ଅଂଚଳରେ ଥିବା ୧୩ ମହଲା ବିଶିଷ୍ଟ ‘ସତଗୁରୁ ସରଣ’ର ସବା ଉପର ଚାରିଟି ଫ୍ଲୋର (୧୦ରୁ ୧୩) ସୈଫ୍ ଓ ତାଙ୍କ ପରିବାରର ମିଲାକାନାରେ ରହିଛି । ସୈଫ୍ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ କରିନା କପୁର ଖାନ, ୦୮ ବର୍ଷର ପୁଅ ତୈମୁର ଓ ପାଖାପାଖି ୦୪ ବର୍ଷର ପୁଅ ଜେହାଙ୍ଗୀର ସହ ସେହି ଚାରିଟି ଫ୍ଲୋରରେ ରୁହନ୍ତି । ଏହାଛଡା, ଘରେ କାମ କରୁଥିବା ସାତ ଜଣ କର୍ମଚାରୀ ମଧ୍ୟ ସେଠାରେ ରହୁଥିବା ଜଣାପଡିଛି । ବଲିଉଡର ବହୁ ତାରକା କଳାକାରମାନେ ରହୁଥିବା ବାନ୍ଦ୍ରା ଅଂଚଳ ସୁରକ୍ଷା ବଳୟରେ ସର୍ବଦା ରହୁଥିବା କୁହାଯାଉଛି । ସୈଫ୍ ଅଲ୍ଲୀ ଖାନ ପରିବାର ସହ ରହୁଥିବା ‘ସତଗୁରୁ ସରଣ’ ବଂଗଳାରେ ମଧ୍ୟ ବିଶେଷ ସୁରକ୍ଷା ବ୍ୟସ୍ଥା ରହିଛି । ଏହାସତ୍ତ୍ୱେ, ଅନୁପ୍ରବେଶକାରୀ (ଜଣେ ବା ଏକାଧିକ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ) କେମିତି କାହାରି ନଜରକୁ ନଆସି ସେହି ବଂଗଳାରେ ପ୍ରବେଶ କଲା ଓ ୧୦ରୁ ୧୩ତମ ଫ୍ଲୋରରେ ରହୁଥିବା ସୈଫଙ୍କ ଘରେ ପହଂଚି ଯାଇ ଏଳି ଏକ କାଣ୍ଡ ଘଟାଇଲା (?) – ତାହା ଏଯାବତ୍ ରହସ୍ୟ ହୋଇ ରହିଛି । ଅନୁପ୍ରବେଶକାରୀ ଜଣକ ରାତି ୦୨ଟାରୁ ସାଢେ ୦୨ଟା ମଧ୍ୟରେ ବାଥରୁମରେ ଲୁଛି ଥିବା ଅବସ୍ଥାରେ ସୈଫଙ୍କ ଘରୋଇ ସହାୟିକା ଏଲିୟାମ୍ମା ଫିଲିପ (୫୬)ଙ୍କ ନଜରକୁ ଆସିଥିଲା । ୧୧ ନମ୍ବର ଫ୍ଲୋରର ବାଥରୁମ ଲାଇଟ ଜଳୁଥିବା ଦେଖି ଏଲିୟାମ୍ମା ପ୍ରଥମେ ଭାବିଥିଲେ କରିନା କପୁର ପିଲାମାନଙ୍କୁ ଦେଖିବାକୁ ବୋଧହୁଏ ତଳକୁ ଆସିଛନ୍ତି । ପରେ, ସେ ଅନୁପ୍ରବେଶକାରୀ ସୈଫଙ୍କ ସାନ ପୁଅ ଜେହାଙ୍ଗୀରର କକ୍ଷ ଆଡକୁ ଯାଉଥିବା ଦେଖି ଏଲିୟାମ୍ମା ଚିକ୍ରାର କରିଥିଲେ । ଜେହାଙ୍ଗୀର ମଧ୍ୟ ଚିକ୍ରାର କରିବାରୁ ସୈଫ୍, କରିନା ଓ ଘରେ ରହୁଥିବା କିଛି ଘରୋଇ କର୍ମଚାରୀ ତଳ ମହଲାରେ ପହଂଚି ଥିଲେ । ସୈଫ୍ ଅନୁପ୍ରବେଶକାରୀ ଜଣକୁ ଧରିବାକୁ ଉଦ୍ୟମ କରିବାରୁ ହାତାହାତି ହୋଇଥିଲା ଏବଂ ଅନୁପ୍ରବେଶକାରୀ ଜଣକ ସୈଫଙ୍କୁ ଏକାଧିକବାର ଛୁରାରେ ଆଘାତ କରି ରକ୍ତାକ୍ତ କରି ଦେଇଥିଲା । ସୈଫଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ପରିବାର ସଦସ୍ୟ ଓ କର୍ମଚାରୀମାନେ ତାଙ୍କ ଆଡକୁ ଧ୍ୟାନ ଦେବା ବେଳେ ଅନୁପ୍ରବେଶକାରୀ ଜଣକ କେଉଁଠି ଲୁଚି ଯାଇଥିଲା । ସୈଫଙ୍କ ବଡ ପୁଅ ଅଟୋରିକ୍ସା ଡାକି ରକ୍ତାକ୍ତ ବାପାଙ୍କୁ ଲୀଳାବତି ହସ୍ପିଟାଲକୁ ନେବା ପରେ ବୋଧହୁଏ ଅନୁପ୍ରବେଶକାରୀ ଜଣକ ପାହାଚ ବାଟ ଦେଇ ତଳକୁ ଓହ୍ଲାଇ ଖସି ପଳାଇଛି । ସେ ପାହାଚ ଦେଇ ତଳକୁ ଯିବା ସମୟରେ ସିସିଟିଭିରେ କଏଦ ହୋଇଛି ଏବଂ ସେହି ଫୁଟେଜ ଆଧାରରେ ଅପରାଧୀକୁ ଚିହ୍ନଟ କରାଯାଇଥିବା ପୁଲିସ ଦାବି କରିବା ସହ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସୈଫଙ୍କ ବାସଭବନରେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିବା ଏଲିୟାମ୍ମାଙ୍କ ଏତଲା ଆଧାରରେ ବାନ୍ଦ୍ରା ପୁଲିସ ସୈଫଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ମାମଲା ରୁଜୁ କରିଛନ୍ତି । ଅନୁପ୍ରବେଶକାରୀ ଜଣକ ତାଙ୍କୁ ମଧ୍ୟ ଆଘାତ ଦେଇଥିଲା ଏବଂ ଜେହାଙ୍ଗୀରଙ୍କ କକ୍ଷ ଆଡକୁ ଯିବା ସମୟରେ କୋଟିଏ ଟଙ୍କା ଦାବି କରିଥିଲା ବୋଲି ଏଲିୟାମ୍ମା ପୁଲିସକୁ କହିଥିବା ଜଣାପଡିଛି । ଅତ୍ୟନ୍ତ ସୁରକ୍ଷିତ ବାଲି ଦାବି କରାଯାଉଥିବା ବାନ୍ଦ୍ରାର ଏହି ଭିଭିଆଇପି ଅଂଚଳରେ ଗୁରୁବାର ଭୋରରେ ଘଟିଥିବା ଘାତକ ଆକ୍ରମଣ ସେହି ଅଂଚଳରେ ବସବାସ କରୁଥିବା ବଲିଉଡ ତାରକାଙ୍କୁ ବିଚଳିତ କରିଥିବା ବେଳେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ହାତରେ ରାଜ୍ୟର ଗୃହ ମନ୍ତ୍ରଣାଳୟ ରହିଛି । ବିରାଧୀ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ସୁଯୋଗ ପାଇଛନ୍ତି । ମହାରାଷ୍ଟ୍ରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ସେମାନେ ଅଭିଯୋଗ କରିଛନ୍ତି । ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଲଗାତର ହତ୍ୟା ଧମକ ଦିଆଯାଉଥିବା, ତାଙ୍କ ବାସଭବନ ନିକଟରେ ଗୁଳିମାଡ କରାଯିବା, ଏବଂ ସଲମାନଙ୍କ ଘନିଷ୍ଟ ରାଜନେତା ତଥା ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଜନଗହଳି ଅଂଚଳରେ ହତ୍ୟା କରାଯିବା ଏବଂ ଏବେ ସୈଫ୍ ଅଲ୍ଲି ଖାନଙ୍କ ଉପରେ ଘାତକ ଆକ୍ରମଣ ବିଜେପି ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନାର ଶରବ୍ୟ କରିଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ଏହା ରାଜନୈତିକ ପ୍ରସଙ୍ଗ ହୋଇଛି । ସୈଫଙ୍କ ଉପରେ ଘାତକ ଆକ୍ରମଣ ଘଟଣାରେ ଦୀଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଉଭୟ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏହି ଘଟଣା ପାଇଁ ସେ ବିଜେପିର ଡବଲ ଇଂଜିନ ସରକାରକୁ ଦାୟି କରିଛନ୍ତି । ସୈଫଙ୍କ ଉପରେ ଆକ୍ରମଣ ଏକ ଆକସ୍ମିକ ଘଟଣା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି, ତାହା ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଆକ୍ରମଣକାରୀ ଧରାପଡିଲେ ହିଁ ରହସ୍ୟ ଖୋଲିବ ବୋଲି ଉଭୟ କେନ୍ଦ୍ର ଓ ମହାରାଷ୍ଟ୍ର ସରକାର କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS