ଦିଲ୍ଲୀ ନିର୍ବାଚନ ପରେ ରାଜନୈତିକ ସମୀକରଣ ବଦଳିବ ?


ପ୍ରସାଦ ରାଓ
ଜାନୁୟାରୀ ୧୬/୨୦୨୫
ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ରାଜନୈତିକ ସମୀକରଣ ବଦଳିବା ସମ୍ଭାବନା ଦେଖା ଦେଇଛି । ବିଶେଷକରି, ବିରୋଧୀ ‘ଇଣ୍ଡି’ ମେଂଟରେ । ଏହି ମେଂଟରେ ଥିବା କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ ରାଜନୈତିକ ଦଳ ହୋଇଥିବା ବେଳେ ଅନ୍ୟମାନେ ହେଉଛନ୍ତି ଆଂଚଳିକ ଦଳ । ୨୦୨୩ ମଧ୍ୟଭାଗରେ ‘ଇଣ୍ଡି’ ମେଂଟ ଗଠନ ସମୟରେ ମେଂଟର ପ୍ରମୁଖ ଉଦ୍ଦେଶ୍ୟ ଥିଲା ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା । ତେବେ, ଆଂଚଳିକସ୍ତରରେ ହେଉଥିବା ନିର୍ବାଚନରେ ବିରୋଧୀ ମେଂଟରେ ସାମିଲ ଥିବା ଦଳମାନେ ଯେଉଁ ରାଜ୍ୟରେ ଯିଏ (ଆଂଚଳିକ ଦଳ) ବିଜେପିକୁ ହରାଇବା କ୍ଷମତା ରଖିଥିବ ସେହି ଦଳକୁ ଅନ୍ୟମାନେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ମେଂଟ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏକୁ ହରାଇବାରେ ସକ୍ଷମ ହୋଇନଥିଲେ ମଧ୍ୟ ବିଜେପିକୁ ଲୋକସଭାରେ ୨୪୦ ଆସନରେ ସୀମିତ କରିବାରେ ସଫଳ ହୋଇଛି ଏବଂ ବିରୋଧୀ ମେଂଟର ଏହି ସଫଳତା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ବିଜେପି ଏକାକୀ ସରକାର ଗଠନ କରିବାରୁ ବଂଚିତ ହୋଇଛି । ସରକାର ଗଠନ ପାଇଁ ବିଜେପିର ସଂଖ୍ୟା ନଥିବାରୁ କେନ୍ଦ୍ରରେ ଜେଡିୟୁ ଓ ଟିଡିପି ସମର୍ଥନରେ ମୋଦୀ ଏନଡିଏ ସରକାରର ନେତୃତ୍ୱ ନେଇଛନ୍ତି । ଲୋକସଭା ନିର୍ବାଚନରେ ମିଳିଥିବା ସଫଳତା ବିରୋଧୀ ମେଂଟର ମନୋବଳ ବଢାଇ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ହୋଇଥିବା ବିଧାନସଭା ନିର୍ବାଚନଗୁଡିକରେ କଂଗ୍ରେସର ଆତ୍ମଗର୍ବ ଓ ମେଂଟ ସହଯାଗୀଙ୍କ ଭିତରେ ତାଳମେଳର ଅଭାବରୁ ବିରୋଧୀ ମେଂଟ ଲୋକସଭା ନିର୍ବାଚନର ସଫଳତାକୁ ଦୋହରାଇ ପାରିନାହିଁ । ବିଶେଷକରି, ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଂଟର ବିପର୍ଯ୍ୟୟ ‘ଇଣ୍ଡି’ ମେଂଟରେ ବିଭେଦର କାରଣ ହୋଇଛି । ହରିୟାଣା ବିପର୍ଯ୍ୟୟ ପାଇଁ ବିରୋଧୀ ମେଂଟ ସଂପୂର୍ଣ୍ଣ ଭାବେ କଂଗ୍ରେସର ମାତ୍ରାଧିକ ଆତ୍ମବିଶ୍ୱାସକୁ ଦାୟି କରୁଥିବା ବେଳେ ମହାରାଷ୍ଟ୍ରରେ ବିରୋଧୀ ମେଂଟର ପରାଜୟ ପାଇଁ ଆସନ ବୁଝାମଣାରେ ବିଳମ୍ବକୁ ଦାୟି କରାଯାଉଛି । ମହାରାଷ୍ଟ୍ରରେ କଂଗ୍ରେସ ନେତୃତ୍ୱ ନେଉଥିବା ମହା ବିକାଶ ଅଘାଡି (ଏମଭିଏ) ଓ ବିଜେପି ନେତୃତ୍ୱ ନେଉଥିବା ‘ମହାୟୁତି’ ମଧ୍ୟରେ ଲଢେଇ ହୋଇଥିଲା । ୨୦୨୪ ଶେଷ ଭାଗରେ ହୋଇଥିବା ଜମ୍ମୁ-କଶ୍ମୀର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଯଥାକ୍ରମେ ଫାରୁକ ଅବଦୁଲ୍ଲାଙ୍କ ଜେକେଏନସି ଓ ହେମନ୍ତ ସୋରେନଙ୍କ ଜେଏମଏମର ବିଜୟ ହୋଇଥିଲେ ମଧ୍ୟ ଦୁଇ ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ନିରୁତ୍ସାହଜନକ ଥିଲା । ଏହାକୁ ନେଇ କଂଗ୍ରେସ ବିରୋଧୀ ମେଂଟରେ ଏକପ୍ରକାର କୋଣଠେସା ହୋଇ ରହିଥିବା ବେଳେ ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନରେ (ଫେବୃୟାରୀ ୦୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି) ‘ଇଣ୍ଡି’ ମେଂଟର ଦୁଇ ପ୍ରମୁଖ ସହଯୋଗୀ ‘ଆପ୍’ (ଆମ୍ ଆଦମୀ ପାର୍ଟି) ଓ କଂଗ୍ରେସ ମୁହାଁମୁହିଁ ରହିଥିବା ବିଜେପିକୁ ଆଶ୍ୱସ୍ତ କଲା ଭଳି ହୋଇଛି । ୨୦୨୩ରେ ‘ଇଣ୍ଡି’ ମେଂଟ ଗଠନ ସମୟରେ ମେଂଟରେ ଥିବା ଆଂଚଳିକ ଦଳଙ୍କୁ ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ତାହାକୁ ଉଲଂଘନ କରି ନିର୍ବାଚନ ମଇଦାନରେ ଥିବାରୁ ମେଂଟରେ ଥିବା ଅନ୍ୟ ସଦସ୍ୟ ରାଜନୈତିକ ଦଳମାନେ କ୍ଷୁବ୍ଧ । ଇତିମଧ୍ୟରେ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି, ମହାରାଷ୍ଟ୍ରର ବରିଷ୍ଟ ରାଜନେତା ଶରଦଚନ୍ଦ୍ର ପାୱାରଙ୍କ ଏନସିପି (ଏସପି), ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି), ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱାଧୀନ ଆରଜେଡି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ଡିଏମକେ, ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନ୍ୟାସନାଲ କନ୍ଫରେନ୍ସ (ଜେକେଏନସି) ପ୍ରଭୃତି ଦଳ (ବିରୋଧି ‘ଇଣ୍ଡି’ ମେଂଟ ସଦସ୍ୟ) ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଭୂମିକାକୁ ନାପସନ୍ଦ କରିବା ସହ ‘ଆପ୍’ ଓ ତାହାର ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କୁ ସମର୍ଥନ ଜଣାଇଛନ୍ତି । ଗଲା ଦଶ ବର୍ଷ ହେଲା ଦିଲ୍ଲୀରେ ଶାସନରେ ଥିବା କେଜରୀୱାଲଙ୍କ ‘ଆପ୍’ ହିଁ ବିଜେପିକୁ ପରାଜିତ କରିବା କ୍ଷମତା ରଖିଛି । କଂଗ୍ରେସ ଦିଲ୍ଲୀ ନିର୍ବାଚନରେ ‘ଆପ୍’କୁ ସମର୍ଥନ ଦେବା ବଦଳରେ ‘ଆପ୍’ ବିରୋଧରେ ଲଢୁଥିବା ୨୦୨୩ରେ ବିରୋଧୀ ମେଂଟ ଗଠନର ଉଦ୍ଦେଶ୍ୟକୁ ପ୍ରତିହତ କଲା ଭଳି ହୋଇଛି । ତେଣୁ, ବିରୋଧୀ ମେଂଟର ଅନ୍ୟ ସହଯୋଗୀ ଦଳାନେ ‘ଆପ୍’କୁ ଖୋଲା ସମର୍ଥନ ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ନିକଟରେ ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ଗଣମାଧ୍ୟମରେ ବୟାନ ଦେଇଛନ୍ତି । ‘ଆପ୍’ ମୁଖ୍ୟ କେଜରୀୱାଲ ମଧ୍ୟ ସେମାନଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ବିରୋଧୀ ମେଂଟର ଅନ୍ୟତମ ସହଯୋଗୀ ଥିବା ଜମ୍ମୁ-କଶ୍ମୀରର ନ୍ୟାସନାଲ କନ୍ଫରେନ୍ସ (ଜେକେଏନସି) ଦଳ ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଭୂମିକାକୁ ସମାଲୋଚନା କରିଥିଲେ ମଧ୍ୟ ଏହାର ମୁଖ୍ୟ ଡକ୍ଟର ଫାରୁକ ଅବଦୁଲ୍ଲା କହିଛନ୍ତି, ୨୦୨୩ରେ ଗଠିତ ‘ଇଣ୍ଡି’ ମେଂଟ ଆଗକୁ ମଧ୍ୟ ରହିବ । ଦିଲ୍ଲୀ ବିଧାନସଭା ନିର୍ବାଚନ ମେଂଟକୁ କୌଣସି ପ୍ରକାର ପ୍ରଭାବିତ କରିବ ନାହିଁ । ତେବେ, ତାଙ୍କ ପୁତ୍ର ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ‘ଆପ୍’ ବିରୋଧରେ ଲଢୁଥିବା କଥାକୁ ଗ୍ରହଣ କରିପାରୁନଥିବା ତାଙ୍କ ବୟାନରୁ ସ୍ପଷ୍ଟ ହେଉଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ପରାଜିତ କରିବା ଲକ୍ଷ୍ୟ ନେଇ ଯେଉଁ ବିରୋଧୀ ‘ଇଣ୍ଡି’ ମେଂଟ ଗଠନ ହୋଇଥିଲା ତାହାର ଅବଧି କଣ ୨୦୨୪ ଲୋକସଭା ନିର୍ବାଚନରେ ସୀମିତ ଥିଲା (?) ବୋଲି ଓମାର ପ୍ରଶ୍ନ କରିବା ସହ ଯଦି ନିର୍ଦ୍ଧିଷ୍ଟ ସମୟ ସୀମା ପାଇଁ ଏହି ମେଂଟ ଗଠନ ହୋଇଥିଲା ତେବେ ତାହା ରହିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଓମାର ଏଭଳି ମତ ରଖିବାର ଦିନକ ପରେ ଜମ୍ମୁ-କଶ୍ମୀରରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କାର୍ଯ୍ୟକ୍ରମରେ ସେ ପ୍ରଧାନମନ୍ତ୍ରୀଙ୍କୁ ବିକାଶ ପୁରୁଷ ବୋଲି ଭୁରିଭୁରି ପ୍ରଶଂସା କରିବା ଆଗାମୀ ଦିନରେ ଦେଶରେ ଏକ ନୂତନ ରାଜନୈତିକ ସମୀକରଣ ଘଟିବାର ସମ୍ଭାବନା ସୃଷ୍ଟି କରିଛି । ଏସବୁ ସତ୍ତ୍ୱେ କଂଗ୍ରେସ ନେତୃତ୍ୱ ଅବିଚଳିତ ଭାବେ ଦିଲ୍ଲୀ ନିର୍ବାଚନରେ ‘ଆପ୍’ ଓ କେଜରୀୱାଲଙ୍କ ବିରୋଧରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି । ବିଜେପି ଓ କଂଗ୍ରେସର ପ୍ରଚାର ଆକ୍ରମଣାତ୍ମକ ଥିବା ବେଳେ ‘ଆପ୍’ ମଧ୍ୟ ତାହାର ଜବାବ ଦେଉଛି । କେଜରୀୱାଲ ଜଣେ ଦୁର୍ନୀତିଗ୍ରସ୍ତ ନେତା ବୋଲି କଂଗ୍ରେସ ଓ ବିଜେପି କହୁଥିବା ବେଳେ ‘ଆପ୍’ ତାହାକୁ ଅପପ୍ରଚାର କହି ଦୁଇ ଦଳଙ୍କୁ ପାଲଟା ଆକ୍ରମଣ କରୁଛି । ଦିଲ୍ଲୀରେ ଚାଲିଥିବା ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଓ ପରସ୍ପର ପ୍ରତି ଆକ୍ଷେପ, ପ୍ରତ୍ୟାକ୍ଷେପ ଚରମରେ ପହଂଚିଲାଣି । କେବଳ ଦିଲ୍ଲୀ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ବିରୋଧୀ ମେଂଟ ସଦସ୍ୟମାନେ ଆଗକୁ ହେବାକୁ ଥିବା ରାଜ୍ୟ ଓ ପୌର ନିର୍ବାଚନଗୁଡିକରେ ପରସ୍ପର ବିରୋଧରେ ଲଢିବାକୁ ଘୋଷଣା କଲେଣି । ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ପରିଚାଳିତ ‘ମହାୟୁତି’ ଓ କଂଗ୍ରେସ ସାମିଲ ଥିବା ‘ମହା ବିକାଶ ଅଘାଡି’ ମୁହାଁମୁହିଁ ହୋଇଥିଲେ ଏବଂ ‘ମହାୟୁତି’କୁ ଆଶାତୀତ ସଫଳତା ମିଳିଥିଲା । ମହାରାଷ୍ଟ୍ରରେ ଆଗକୁ ହେବାକୁ ଥିବା ମହାନଗର, ପୌର ଓ ପଂଚାୟତ ନିର୍ବାଚନରେ ଉଭୟ ମହା ବିକାଶ ଅଘାଡି ଓ ମହାୟୁତିରେ ସାମିଲ ଥିବା ରାଜନୈତିକ ଦଳମାନେ ଭିନ୍ନ ଭିନ୍ନ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କଲେଣି । ଶିବସେନା (ୟୁବିଟି) ପକ୍ଷରୁ ରାଜ୍ୟସଭା ସାଂସଦ ସଂଜୟ ରାଉତ ନିକଟରେ ନାଗପୁରରେ ଏଭଳି ଘୋଷଣା କରିଥିବା ବେଳେ ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ମହାନଗର, ପୌର ଓ ପଂଚାୟତ ନିର୍ବାଚନରେ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛନ୍ତି । ସେମାନଙ୍କ ଯୁକ୍ତି ହେଉଛି, ଏକାକୀ ନିର୍ବାଚନ ଲଢିଲେ ସେମାନେ ଅଧିକରୁ ଅଧିକ ସଂଖ୍ୟକ ଦଳୀୟ ଆଶାୟୀଙ୍କୁ ପ୍ରାର୍ଥୀ କରି ସନ୍ତୁଷ୍ଟ କରି ପାରିବେ ଏବଂ ସେମାନଙ୍କ ପ୍ରତି ଜନସାଧାରଣରେ ଥିବା ଆସ୍ଥାକୁ ମଧ୍ୟ ଆକଳନ କରିବା ସମ୍ଭବ ହେବ । ନିର୍ବାଚନ ଫଳାଫଳ ଆସିବା ପରେ ସେମାନେ ଚାହିଁଲେ ପୁଣି ଥରେ ମେଂଟ କରିବାରେ କିଛି ଅସୁବିଧା ନାହିଁ । ସେହିପରି, ମହାରାଷ୍ଟ୍ର ମହାୟୁତିରେ ଥିବା ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିବା ରାଜନୈତିକ ମହଲକୁ ବିସ୍ମିତ କରିଛି । ସେ ଏନଡିଏରେ ଥାଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଲଢିବ ବୋଲି କେମିତି ଘୋଷଣା କଲେ (!) ବୋଲି ପ୍ରଶ୍ନ ହେଉଛି । ଦିଲ୍ଲୀ ନିର୍ବାଚନ ପାଇଁ ନାମାଂକର ଦାଖଲ ଶେଷ ପର୍ଯ୍ୟାୟରେ ପହଂଚି ଥିବାରୁ ୧୭ ତାରିଖ ପରେ ସବୁ କିଛି ଅଧିକ ସ୍ପଷ୍ଟ ହୋଇଯିବ । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୧-୧୨ରେ ଆନ୍ନା ହଜାରେଙ୍କ ଦୁର୍ନୀତି-ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ଗଲା ଦଶ ବର୍ଷର ଶାସନରେ ଏକଧିକ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ସଂଘର୍ଷ କରୁଥିବା ବେଳେ ୧୯୯୮ରୁ ଦିଲ୍ଲୀରେ କ୍ଷମତାରେ ନଥିବା ବିଜେପି ୨୦୨୪ରେ କ୍ଷମତା ଦଖଲ ନିମନ୍ତେ ସମସ୍ତ ଶକ୍ତି ଲଗାଇଛି । କଂଗ୍ରେସ ମଧ୍ୟ ୨୦୧୩ରୁ କ୍ଷମତାରେ ନାହିଁ । ତେଣୁ, ଦିଲ୍ଲୀରେ କ୍ଷମତା ଦଖଲ ପାଇଁ ଦଳ ବିରୋଧୀ ମେଂଟ ଗଠନର ଉଦ୍ଦେଶ୍ୟକୁ ମଧ୍ୟ ବଳୀ ଚଢାଇ ଦେଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳ ପାଇଁ ପ୍ରଚାରର ମଂଗ ଧରି ସିଧାସଳଖ ଆପ୍ ମୁଖ୍ୟ କେଜରୀୱାଲଙ୍କୁ ‘ଦୁର୍ନୀତିଖୋର’ ବୋଲି ଆକ୍ଷେପ କରିବାକୁ ପଛାଉ ନାହାନ୍ତି । ଦିଲ୍ଲୀରେ କଂଗ୍ରେସ ବିଜେପିର ‘ବି’ ଟିମ୍ ଭଳି କାର୍ଯ୍ୟ କରୁଥିବା ‘ଆପ୍’ ମୁଖ୍ୟ କେଜରୀୱାଲ ଅଭିଯୋଗ କରୁଛନ୍ତି । ଏଭଳି ସ୍ଥିତିରେ ଫେବୃୟାରୀ ୦୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୦୮ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ବିରୋଧୀ ମେଂଟ ନିର୍ବାଚନ ଫଳାଫଳ ଅପେକ୍ଷାରେ ଅଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ରହିଛି । ତାହା ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ମେଂଟରେ ସମୀକରଣ ବଦଳିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ରାଜନୈତିକ ବିଶ୍ଲେଷକମାନେ ବିଶ୍ୱାସ କରୁଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS