କାହାକୁ ଆମେ ଦାୟି କରିବା ?
ପ୍ରସାଦ ରାଓ
ଜାନୁୟାରୀ ୦୯/୨୦୨୫
ଆନ୍ଧ୍ର ପ୍ରଦେଶର ତିରୁପତି ଭେଂକଟେଶ୍ୱର ମନ୍ଦିରରେ ବୁଧବାର ରାତିରେ ଘଟିଥିବା ଦଳାଚକଟା ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି । ୧୦ ତାରିଖରୁ ଏହି ମନ୍ଦିରରେ ଦଶ ଦିନିଆ ବୈକୁଣ୍ଠ ଦ୍ୱାର ଦର୍ଶନ ଆରମ୍ଭ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଭକ୍ତ ଦର୍ଶନ ଟିକଟ ସଂଗ୍ରହ କରିବା ସକାଶେ ମନ୍ଦିର ପରିସରରେ ଖୋଲା ଯାଇଥିବା କାଉଂଟରମାନଙ୍କରେ ଭିଡ କରିଥିଲେ । ଦର୍ଶନ ଟିକଟ ପାଇବାକୁ ଭକ୍ତଙ୍କ ମଧ୍ୟରେ ଦଳାଚକଟା ହେବାରୁ ୦୮ ତାରିଖ ରାତିରେ ଛଅଟି ଜୀବନଦୀପ ଲିଭି ଯାଇଛି ଓ ବହୁ ଭକ୍ତ ଆତ ହୋଇଛନ୍ତି । ଆଜି ଅପରାହ୍ନ ସୁଦ୍ଧା ଜଣକ ଶବକୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ମୃତକଙ୍କ ଶବ ଚିହ୍ନଟ ହେବାକୁ ବାକି ଥିବା ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଅଧ୍ୟକ୍ଷ ବି.ଆର.ନାଇଡୁ ଆଜି ସୂଚନା ଦେଇଛନ୍ତି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଟେଲିକନ୍ଫରେନ୍ସ ମାଧ୍ୟମରେ ନାଇଡୁ ଟିଟିଡିର ଭକ୍ତ-ପରିଚାଳନାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ଘଟେ ସେଥିପାଇଁ ଟିଟିଡି ମ୍ୟାନେଜମେଂଟକୁ ଚେତାବନୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନାଇଡୁ ଆଜି ପୂର୍ବାହ୍ନରେ ମୃତକଙ୍କ ପରିବାରକୁ ଭେଟି ସହାନୁଭୂତି ଜଣାଇଥିବା ସୂଚନା ମିଳିଛି । ଦଳାଚକଟାରେ ଶତାଧିକ ଆହତ ହୋଇଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ତିରୁପତିରେ ଥିବା ଶ୍ରୀ ଭେଂକଟେଶ୍ୱର ରାମନାରାୟଣ ରୁଇଆ ସରକାରୀ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦଳାଚକଟାରେ ମୃତ୍ୟୁବରଣ କରିଥିବା ମଲ୍ଲିକା ନାମକ ଜଣେ ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ, ତାଙ୍କ ପତ୍ନୀ ଓ ଅନ୍ୟମାନେ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟିକଟ ସଂଗ୍ରହ କରିବା ସମୟରେ ଦଳାଚକଟା ହୋଇଥିଲା ଓ ସେଥିରେ ମଲ୍ଲିକାଙ୍କ ମୃତ୍ୟୁ ଘଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାତିରେ ତିରୁମାଲା ତିରୁପତି ମନ୍ଦିରରେ ଘଟିଥିବା ଅଭାବନୀୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ‘ଏକ୍ସ’ ପୋଷ୍ଟରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନାଇଡୁ ଆନ୍ଧ୍ର ପ୍ରଦେଶ ଡିଜିପି, ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ, ସଂପୃକ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । କାଲିଠାରୁ ଆରମ୍ଭ ହେଉଥିବା ଶ୍ରୀ ଭେଂକଟେଶ୍ୱରଙ୍କ ସ୍ୱତନ୍ତ୍ର ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟିକଟ ପାଇବା ସକାଶେ ତିରୁପତି ବାଲାଜୀ ମନ୍ଦିରରେ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ଭିଡ ଲାଗି ରହିଥିବା ବେଳେ ପ୍ରଶାସନ ଭିଡ ନିୟନ୍ତ୍ରଣ ଦିଗରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିବା ଜଣାପଡିଛି । ଏଭଳି ଏକ ସ୍ପର୍ଶକାତର ପରିସ୍ଥିତିର ମୁକାବିଲା ପାଇଁ ଯଥେଷ୍ଟ ପଦକ୍ଷେପ କାହିଁକି ଗ୍ରହଣ କରାଯାଇନଥିଲା ବୋଲି ସେ ପ୍ରଶ୍ନ କରିଥିବା ଜଣାପଡିଛି । ଟିଟିଡି ପ୍ରଶାସନ ସ୍ଥିତିର ପୁନଃ ସମୀକ୍ଷା କରି ଦର୍ଶନ ଟିକଟ ବିତରଣ କରୁଥିବା କାଉଂଟରଗୁଡିକୁ ପୁନଃବ୍ୟବସ୍ଥିତ କରିବାକୁ ଏବଂ ଯଥେଷ୍ଟ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆଡୁ ନିର୍ଦେଶ ଦିଆଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ‘ଏକ୍ସ’ରେ ଏକ ପୋଷ୍ଟ କରି ଗତକାଲି ତିରୁପତି ବାଲାଜୀ ମନ୍ଦିରରେ ଘଟିଥିବା ଦଳଚକଟା ଘଟଣାରେ ଛଅ ଜଣଙ୍କ ମୃତ୍ୟୁ ଘଟିଥିବା ଓ ବହୁ ଭକ୍ତ ଆହତ ହୋଇଥିବା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି । ଆନ୍ଧ୍ର ପ୍ରଦେଶର କଂଗ୍ରେସ ନେତା ଓ କର୍ମୀମାନେ ଏଭଳି ଏକ ସଂକଟ ସମୟରେ ମୃତାହତଙ୍କ ପରିବାରକୁ ଯଥାସମ୍ଭବ ସାହାଯ୍ୟ, ସହଯୋଗ କରିବାକୁ ରାହୁଲ ଅନୁରୋଧ କରିଛନ୍ତି । ଟିଟିଡି ଅଧ୍ୟକ୍ଷ ଦେଇଥିବା ସୂଚନା ଅନୁଯାୟୀ, ତିରୁପତି ଶ୍ରୀ ଭେଂକଟେଶ୍ୱର ସ୍ୱାମୀ ମନ୍ଦିରରେ ଆସନ୍ତା କାଲିଠାରୁ ଦଶ ଦିନିଆ ବୈକୁଣ୍ଠ ଏକଦଶୀ ଉତ୍ସବ ଆରମ୍ଭ ହେଉଥିବାରୁ ଭକ୍ତଙ୍କୁ ମାଗଣାରେ ଦର୍ଶନ ଟିକଟ ଯୋଗାଇ ଦେବାକୁ ତିରୁମଲା ତିରୁପତି ଦେବସ୍ଥାନମ (ଟିଟିଡି)ରେ ତିରୁପତିର ଆଠଟି ସ୍ଥାନରେ ୯୦ଟି କାଉଂଟର ଖୋଲା ଯାଇଛି । ଟିକଟ ବଂଟନ ବେଳେ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି । ତେବେ, ଗତକାଲି ବିଳମ୍ବିତ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଭକ୍ତ ଦର୍ଶନ ଟିକଟ ପାଇବାକୁ କାଉଂଟରଗୁଡିକରେ ଭିଡ ଜମାଇବାରୁ ଠେଲାପେଲା ବା ଦଳାଚକଟାରେ ଛଅ ଜଣଙ୍କ ମୃତ୍ୟୁ ଘଟିଛି । ଆସନ୍ତା କାଲି ଭୋର ସାଢେ ୪ଟାରେ ଭିଭିଆଇପି ଦର୍ଶନ ଓ ସକାଳ ୦୮ଟାରୁ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ରହିଛି । ବୈକୁଣ୍ଠ ଏକାଦଶୀ ପାଇଁ ତିରୁପତି ମନ୍ଦିରରେ ୧୦ ଦିନିଆ ସ୍ୱତନ୍ତ୍ର ବୈକୁଣ୍ଠ ଦର୍ଶନ ଆୟୋଜନ ହୋଇଥିବାରୁ ଏହି ଦଶ ଦିନ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଛୋଟ ଛୁଆଙ୍କ ସହ ପରିବାର ଏବଂ ଏନଆରଆଇଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର ଦର୍ଶନ ବାତିଲ କରାଯାଇଥିବା ଟିଟିଡି ଅଧ୍ୟକ୍ଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ଦଶ ଦିନ ପାଇଁ ତିରୁପତିର ତିରୁମାଲାରେ ବ୍ୟାପକ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । ପ୍ରାୟ ତିନି ହଜାର ପୁଲିସ କର୍ମଚାରୀ ଓ ଟିଟିଡିର ୧୫୫୦ ଜଣ କର୍ମଚାରୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି । କାଲିଠାରୁ ଦଶ ଦିନ ବୈକୁଣ୍ଠ ଦ୍ୱାର ସର୍ଶନକୁ ଆସୁଥିବା ଭକ୍ତଙ୍କୁ ସକାଳ ୦୬ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ପିଇବା ପାଣି ଓ ଅନ୍ନପ୍ରସାଦମ୍ ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି । ତେବେ, ଦର୍ଶନ ଟୋକନ୍ ବା ଟିକଟ ପାଇଥିବା ଭକ୍ତଙ୍କୁ ହିଁ ଦର୍ଶନ ପାଇଁ ଧାଡିରେ ଠିଆ ହେବାକୁ ଅନୁମତି ମିଳିବ । ଭକ୍ତମାନେ ସେମାନଙ୍କୁ ମିଳିଥିବା ଟୋକେନରେ ଉଲ୍ଲେଖ ଥିବା ତାରିଖ ଏବଂ ସମୟରେ ହିଁ ତିରୁପତି ତିରୁମାଲା ମନ୍ଦିରକୁ ଆସିବା ଆବଶ୍ୟକ । ନିଜର ସୁରକ୍ଷା ପାଇଁ ଭକ୍ତମାନେ ମନ୍ଦିର ପରିସରରେ ମାସ୍କ୍ ପରିଧାନ କରିବାକୁ ଟିଟିଡି ଅଧ୍ୟକ୍ଷ ନାଇଡୁ ଅନୁରୋଧ କରିଛନ୍ତି । କେବଳ ଟୋକେନ୍ ପାଇଥିବା ଭକ୍ତଙ୍କୁ ହିଁ ବୈକୁଣ୍ଠ ଏକଦଶୀ ଅବସରରେ ବାଲାଜୀଙ୍କ ଦର୍ଶନ ସୁଯୋଗ ମିଳିବ ବୋଲି ଟିଟିଡି ଘୋଷଣା କରିଥିବାରୁ ଗତକାଲି ଏହି ଅଭାବନୀୟ ଘଟଣା ଘଟିଥିଲା । ମାଗଣା ଦର୍ଶନ ଟୋକେନ ପାଇବା ନିମନ୍ତେ ତିରୁପତିର ବିଷ୍ଣୁ ନିବାସମ୍ ମନ୍ଦିର ନିକଟରେ ଥିବା ବୈରାଗିପାଟ୍ଟେଡା ଏମଜିଏମ ହାଇସ୍କୁଲରେ ହଜାର ହଜାର ସଂଖ୍ୟକ ଭକ୍ତ ଉମୁଡି ପଡିବାରୁ ଦଳାଚକଟା ହୋଇ ବିଳମ୍ବିତ ସନ୍ଧ୍ୟାରେ ଛଅ ଜଣଙ୍କ ମୃତ୍ୟୁ ଘଟିଥିଲା । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତିରୁପତି ଶ୍ରୀ ଭେଂକଟଟେଶ୍ୱର ମନ୍ଦିରରେ ଥିବା ବ୍ୟବସ୍ଥା ଅନ୍ୟ ପ୍ରମୁଖ ମନ୍ଦିରଗୁଡିକ ପାଇଁ ଉଦାହରଣ ହୋଇଥିବା ବେଳେ ଗତକାଲି ତିରୁପତିରେ ଯାହା ଘଟିଲା ତାହା ଟିଟିଡିର ସୁନାମରେ ଦାଗ ଲଗାଇଛି । ୨୦୨୪ ବର୍ଷ ଶେଷ ଏବଂ ୨୦୨୫ ପ୍ରାରମ୍ଭରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇ ଏଭଳି ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଅବଶ୍ୟ, ତିରୁମାଲା ତିରୁପତି ଦେବସ୍ଥାନମ୍ ରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଟିଟିଡି ଯେଉଁ ବ୍ୟବସ୍ଥା କରିଛି ପୁରୀ ଶ୍ରୀମନ୍ଦିରରେ ଆଜି ସୁଦ୍ଧା ସେହି ବ୍ୟବସ୍ଥା ସମ୍ଭବ ହୋଇନାହିଁ । ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ମନ୍ଦିର ବାହାରେ ଭକ୍ତଙ୍କ ପାଇଁ ଧାଡି ବ୍ୟବସ୍ଥା କରିଥିଲେ ମଧ୍ୟ ମନ୍ଦିର ଭିତରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦର୍ଶନ ଶୃଙ୍ଖଳିତ ହୋଇପାରିନି । ଫଳରେ, ପୁରୀରେ ବର୍ଷ ସାରା ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ କୋଟି କୋଟି ଭକ୍ତଙ୍କ ଅସମ୍ଭବ ଭିଡ ହେଉଥିବା ବେଳେ ଠାକୁରମାନଙ୍କୁ ନିକଟରୁ ଦର୍ଶନ କରିବା ଏକପ୍ରକାର ଅସମ୍ଭବ ହୋଇପଡିଛି । ଦଳାଚକଟା ଏକ ନିତିଦିନିଆ ଘଟଣା ହେଲାଣି । ଏଥିପାଇଁ ଅନେକ ଭକ୍ତଙ୍କୁ ଦାୟି କରୁଛନ୍ତି । ପୁରୀରେ ସପ୍ତାହାନ୍ତ, ପାର୍ବଣ ଦିନ ଓ ଅନ୍ୟ ସମୟରେ ଅସମ୍ଭବ ଭିଡ ହେଉଥିବା ଜାଣି ସୁଦ୍ଧା ଭକ୍ତ ପିଲା, ପରିବାର ଧରି କାହିଁକି ଉମୁଡି ପଡୁଛନ୍ତି (?) ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ତେବେ, ଭକ୍ତଙ୍କ ଭାବନାକୁ କିଏ ବା ରୋକି ପାରିବ ? ଓଡ଼ିଶା ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ଗତକାଲି ରାତିରେ ତିରୁପତିରେ ଘଟିଥିବା ଘଟଣାରୁ ସବକ୍ ନେଇ ପୁରୀରେ ତୁରନ୍ତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଆବଶ୍ୟକ । ନହେଲେ, ଓଡ଼ିଶା ମଧ୍ୟ ଆଗକୁ ଏଭଳି ଦଳାଚକଟା ଓ ସମ୍ଭାବ୍ୟ ମୃତ୍ୟୁକୁ ନେଇ ଦେଶରେ ଖବରରେ ରହିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS