କିଏ ମିଛ କହୁଛି ? ବିଜେପି ନା ‘ଆପ୍’ ?
ପ୍ରସାଦ ରାଓ
ଜାନୁୟାରୀ ୦୮/୨୦୨୫
ଫେବୃୟାରୀ ୦୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ ବୋଲି ଗତକାଲି ଦେଶର ମୁଖ୍ୟ ନିର୍ବାଚନ କମିଶନର ଗଣମାଧ୍ୟମରେ ଘୋଷଣା କରିବା ପରେ ଏବେ ‘ଶୀଶ୍ ମହଲ’କୁ ନେଇ ରାଜନୀତି ତୀବ୍ରତର ହୋଇଛି । ଦିଲ୍ଲୀ ସିଭିଲ ଲାଇନରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ବା ବଂଗଳାର ନବୀକରଣରେ ପୂର୍ତ୍ତ ବିଭାଗ ହାତଖୋଲା ଖର୍ଚ୍ଚ କରିଥିବାରୁ ବିଜେପି ଏହି ସରକାରୀ ବଂଗଳାକୁ ‘କେଜରୀୱାଲଙ୍କ ଶୀଶ୍ ମହଲ’ ବୋଲି କଟାକ୍ଷ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନ୍ୟ ସମସ୍ତ ବରିଷ୍ଠ ନେତା ଦିଲ୍ଲୀରେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଂଗଳାକୁ ‘କେଜରୀୱାଲଙ୍କ ଶିଶ୍ ମହଲ’ କହି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କୁ ସିଧାସଳଖ ସମାଲୋଚନା କରୁଥିବା ବେଳେ ବିଜେପି ନେତାଙ୍କ ଅଭିଯୋଗ ‘କଂଚା ମିଛ’ ବୋଲି ପ୍ରମାଣିତ କରିବାକୁ ଦିଲ୍ଲୀ ସରକାରର ବରିଷ୍ଠ ମନ୍ତ୍ରୀ ସୌରଭ ଭରଧ୍ୱଜ ଓ ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧରି ଆଜି ୬, ଫ୍ଲାଗଷ୍ଟାଫ୍ ରୋଡରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଂଗଳା ଅଭମୁଖେ ଯାଉଥିବା ବେଳେ ଦିଲ୍ଲୀ ପୁଲିସ ସେମାନଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ବାହାନା ଦେଖାଇ ବାଟରେ ରୋକି ଦେଇଥିଲେ । ଫଳରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଂଗଳା ନିକଟରେ ଏକ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ‘ଆପ୍’ ନେତାଙ୍କ କହିବା ଅନୁସାରେ ସେମାନେ ବିଜେପିର ଅଭିଯୋଗ ମିଛ ପ୍ରମାଣ କରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଂଗଳା ଓ ସେଠାରୁ ୦୭, ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯିବା କାର୍ଯ୍ୟକ୍ରମ ରଖିଥିଲେ । ତେବେ, ପୁଲିସ ବାଟରେ ସେମାନଙ୍କୁ ରୋକି ଦେଇଥିଲେ । ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ଜଣେ ରାଜ୍ୟସଭା ସାଂସଦ ଓ ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସ୍ୱାଧୀକାର ଭଂଗ କରୁଛି ବୋଲି ରାଜ୍ୟସଭା ସାଂସଦ ସିଂହ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଜଣାଇ ଥିବା ବେଳେ ତାଙ୍କ ଉପରେ କେବଳ ଦିଲ୍ଲୀ ଉପ ରାଜ୍ୟପାଳ (ଏଲଜି), ତାଙ୍କୁ ରୋକିବାକୁ ପୁଲିସକୁ କିଏ ଅନୁମତି ଦେଲା (?) ବୋଲି ମନ୍ତ୍ରୀ ସୌରଭ ଭରଧ୍ୱଜ ପ୍ରଶ୍ନ କରିଛନ୍ତି । କେଜରୀୱାଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ସରକାରୀ ବଂଗଳାର ନବୀକରଣ କରାଇ ଅତ୍ୟନ୍ତ ମୂଲ୍ୟବାନ ସୌଖୀନ ସାମଗ୍ରୀ ସବୁ ଲଗାଇଛନ୍ତି । ଘର ଭିତରେ ଗୋଲଡେନ ଟଏଲେଟ, ସନ୍ତରଣାଗାର, ମିନି ବାର୍ ପ୍ରଭୃତି ରହିଛି ବୋଲି ବିଜେପି ଅପପ୍ରଚାର କରୁଛି । ଏସବୁ କେଉଁଠି ଲାଗିଛି ତାହା ଆମକୁ ଓ ଗଣମାଧ୍ୟମକୁ ବିଜେପି ଦେଖାଉ ବୋଲି ‘ଆପ୍’ ସାଂସଦ ସିଂହ ଦାବି କରିବା ସହ ଗଣମାଧ୍ୟମକୁ ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବଂଗଳାକୁ ଯାଉଥିବା ବେଳେ ରୋକାଗଲା କାହିଁକି (?) ବୋଲି ପ୍ରଶ୍ନ କରିଛନ୍ତି । ଉଭୟ ସିଂହ ଓ ଭରଧ୍ୱଜ ଅଭିଯୋଗ କରିଛନ୍ତି, ବିଜେପିର ମିଛ ପଦାରେ ପଡିଯିବା ଭୟରେ ଦିଲ୍ଲୀ ପୁଲିସ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ବଂଗଳାରେ ପ୍ରବେଶ କରିବାକୁ ଅନୁମତି ଦେଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଂଗଳା ବାହାରେ ଦୁଇ ‘ଆପ୍’ ନେତା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ରୋକିବା ସକାଶେ ୱାଟର କ୍ୟାନନ୍ ପ୍ରସ୍ତୁତ ରଖାଯିବା ଓ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯିବା ବିଜେପିର ମିଛକୁ ପଦାରେ ପକାଇଛି ବୋଲି ‘ଆପ୍’ ନେତାମାନେ କହିଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଂଗଳା ନିକଟରେ ଦଶ ମିନିଟ ଅପେକ୍ଷା କରି ଭିତରକୁ ଯିବାକୁ ଅନୁମତି ନ ମିଳିବାରୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଅଭିମୁଖେ ବାହାରି ଥିଲେ । ତେବେ, ବାଟରେ ପୁଲିସ ସେମାନଙ୍କୁ ରୋକି ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରୀୱାଲ ଦିଲ୍ଲୀ ସରକାରଙ୍କ ବିରୋଧରେ ହୋଇଥିବା ଅବକାରୀ ଦୁର୍ନୀତି ମାମଲାରେ ଗତ ବର୍ଷ ଏପ୍ରିଲ ମାସରେ ଇଡି ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ସେପ୍ଟେମ୍ବର ୧୭ ତାରିଖରେ ସୁପ୍ରିମ କୋର୍ଟ ଜାମିନରେ ବାହାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଅକ୍ଟୋବର ୨୪ ତାରିଖରେ ଏହି ସରକାରୀ ବଂଗଳାକୁ ଖାଲି କରି ଦେଇଥିଲେ । ତାଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିବା ଆତିଶୀ ମାର୍ଲିନାଙ୍କୁ ଏହି ବଂଗଳା ଦିଆଯାଇନି । ଅକ୍ଟୋବର ୨୪ ପରରୁ ବଂଗଳା ଖାଲି ପଡିଛି । ୨୦୨୦ରେ ଦିଲ୍ଲୀବାସୀ କୋଭିଡ଼-୧୯ ମହାମାରୀ ସହ ଜୁଝୁଥିବା ବେଳେ ମୁଖ୍ୟମନ୍ତ୍ରୀ ଥିବା କେଜରୀୱାଲ ନିଜ ‘ଶୀଶ୍ ମହଲ’ର ନବୀକରଣ କାର୍ଯ୍ୟ ଆରମ୍ଭ କରି ସେଥିରେ କୋଟି କୋଟି ଟଙ୍କା ଅପବ୍ୟୟ କରିଛନ୍ତି ବୋଲି ବିଜେପି ନେତୃତ୍ୱ ଅଭିଯୋଗ କରୁଛି ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଫାଇଦା ନେବା ଉଦ୍ୟମରେ ରହିଛି । ତେଣୁ, ବାଜି ପଲଟାଇବା ପାଇଁ ଆଜି ‘ଆପ୍’ ଉଦ୍ୟମ କରିଛି । ବିଜେପି ପକ୍ଷରୁ ଚାଲିଥିବା ଅପପ୍ରଚାର ବିଭ୍ରାନ୍ତିକର ଏବଂ ଅସତ୍ୟ – ତାହା ପ୍ରମାଣ କରିବା ପାଇଁ ଦିଲ୍ଲୀ ସରକାରର ମନ୍ତ୍ରୀ ଭରଧ୍ୱଜ ଓ ‘ଆପ୍’ ସାଂସଦ ସିଂହ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଂଗରେ ନେଇ ସେଠାକୁ (ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଂଗଳାକୁ) ଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ରାସ୍ତା ରୋକି ଦେଇଥିଲେ । ଅପରପକ୍ଷରେ, ବିଜେପି କହିଛି, କେଜରୀୱାଲ ରାଜନୀତିକୁ ଆସିବା ସମୟରେ ସରକାରୀ ବଂଗଳା, ଗାଡିଘୋଡା ଓ ଭିଭିଆଇପି ସୁବିଧା ସୁଯୋଗ ନେବେ ନାହିଁ ବୋଲି ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କ୍ଷମତାକୁ ଆସିବା ପରେ କୋଟି କୋଟି ଟଙ୍କା ଅପବ୍ୟୟ କରି ସେ ରହୁଥିବା ସରକାରୀ ବଂଗଳାର ନବୀକରଣ କରିଛନ୍ତି । ଏହା ଦିଲ୍ଲୀବାସୀଙ୍କୁ ଠକିବା ଭଳି ହୋଇଛି । ସରକାରୀ ବଂଗଳା ନବୀକରଣରେ କେଜରୀୱାଲ ୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ବିଜେପି ନେତା ପ୍ରଦୀପ ଭଣ୍ଡାରୀ ଅଭିଯୋଗ କରିବା ସହ ରାଜ୍ୟସଭା ସାଂସଦ ସିଂହ ଆଜି ଯାହା କରିଛନ୍ତି ତାହା କେବଳ ‘ମେଲୋଡ୍ରାମା’ ବୋଲି ଆକ୍ଷେପ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ମାସ ୨୦ ତାରିଖରେ ଅବସର ନେଇଥିବା ସିଏଜି (କଂପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ) ଗିରିଶ ଚନ୍ଦ୍ର ମୁର୍ମୁ ପଦରୁ ବିଦାୟ ନେବାର କିଛି ସପ୍ତାହ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ନବୀକରଣ ହୋଇଥିବା ଖର୍ଚ୍ଚକୁ ନେଇ ଅଡିଟ ରିପୋର୍ଟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବଂଗଳା ନବୀକରଣ ପାଇଁ ପୂର୍ତ୍ତ ବିଭାଗ ୨୦୨୦ରେ ଯେଉଁ ପ୍ରାଥମିକ ବ୍ୟୟ ଅଟକଳ ଦାଖଲ କରିଥିଲେ ୨୦୨୨ରେ ନବୀକରଣ ସରିବା ବେଳେକୁ ତାହାର ବହୁଗୁଣ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିବା ଜଣାପଡିଛି ବୋଲି ମୁର୍ମୁଙ୍କ ଦସ୍ତଖତରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଂଗଳାରେ ବହୁ ବିଳାଶ ସାମଗ୍ରୀ ଲାଗିଥିବା ରିପୋର୍ଟରେ କୁହାଯାଇଛି । ତାହାକୁ ଆଧାର କରି ବିଜେପି ଦିଲ୍ଲର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଂଗଳାକୁ ‘କେଜରୀୱାଲଙ୍କ ଶୀଶ୍ ମହଲ’ କହି ସମାଲୋଚନା କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଏହି ସମାଲୋଚନା ଆରମ୍ଭ କରିବା ପରେ ବିଜେପିର ଅନ୍ୟ ନେତାମାନେ ତାହାକୁ ଦୋହରାଇ ଦଶ ବର୍ଷ ହେଲା କ୍ଷମତାରେ ଥିବା ‘ଆପ୍’ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଉଦ୍ୟମରେ ଅଛନ୍ତି । ଦିଲ୍ଲୀ ନିର୍ବାଚନରେ ବିଜେପିର ଏହା ପ୍ରମୁଖ ପ୍ରସଙ୍ଗ ଥିବାରୁ ‘ଆପ୍’ ବିଜେପିର ଅଭିଯୋଗକୁ ‘ଅପପ୍ରଚାର’ କହି କ୍ଷତିଭରଣା ଉଦ୍ୟମ କରୁଛି । କେଜରୀୱାଲଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ କୋଟି କୋଟି ଟଙ୍କା ବ୍ୟୟରେ ବିଳାଶ ମହଲ ବା ‘ଶୀଶ୍ ମହଲ’ରେ ପରିଣତ କରାଯାଇଛି, ଏହା ବିଜେପିର ଅପପ୍ରଚାର ବୋଲି ଯୁକ୍ତି ଦର୍ଶାଉ ଥିବା ‘ଆପ୍’ ମନ୍ତ୍ରୀ, ସାଂସଦଙ୍କୁ ଆଜି ଗଣମାଧ୍ୟମ ସହ ସେଠାକୁ ଯିବାରେ କିଏ କାହିଁକି ରୋକିଲା (?) – ତାହା ଆଜିର ଘଟଣା ପରେ ବଡ ପ୍ରଶ୍ନ ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS