ଫେବୃୟାରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ, ରାଜନୀତି ସରଗରମ !
ପ୍ରସାଦ ରାଓ
ଜାନୁୟାରୀ ୦୭/୨୦୨୫
ଫେବୃୟାରୀ ୦୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ୦୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ ବୋଲି ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର (ଇସିଆଇ) ରାଜୀବ କୁମାର ଓ ନିର୍ବାଚନ କମିଶନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଫେବୃୟାରୀ ୨୩ରେ ଚଳିତ ବିଧାନସଭାର କାର୍ଯ୍ୟକାଳ ସରୁଛି । ନିର୍ବାଚନ ତାରିଖ ଘୋଷଣା ଦେବା ପୂର୍ବରୁ ଦିଲ୍ଲୀ ରାଜନୀତି ସରଗରମ ଥିଲା । ତାରିଖ ଘୋଷଣା ପରେ ତାହା ଅଧିକ ସରଗରମ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ମଂଗ ଧରି ପ୍ରଚାରକୁ ଆସି ସାରିଛନ୍ତି । ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରୀୱାଲ ମଧ୍ୟ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ଆକ୍ଷେପର ମୁହଁତୋଡ ଜବାବ ଦେଉଛନ୍ତି । ଜାତୀୟସ୍ତରରେ କଂଗ୍ରେସ ବିରୋଧୀ ‘ଇଣ୍ଡି’ ମେଂଟରେ ଥାଇ ସୁଦ୍ଧା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ନିର୍ବାଚନ ଲଢୁବାକୁ ଅଂଟା ଭିଡିଛି । କଂଗ୍ରେସ ନେତାମାନେ ଉଭୟ ବିଜେପି ଓ ‘ଆପ୍’କୁ ଟାର୍ଗେଟ କରୁଛନ୍ତି ।
୨୦୧୫ରୁ ଦିଲ୍ଲୀରେ ‘ଆପ୍’ର ସରକାର ଥିବା ବେଳେ ଦେଶର ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ଦୀର୍ଘ ବର୍ଷ ପରେ କ୍ଷମତାକୁ ଫେରିବା ଆଶା ବାନ୍ଧିଛନ୍ତି । ଫଳରେ, ତିନି ରାଜନୈତିକ ଦଳ ପକ୍ଷରୁ ପରସ୍ପର ବିରୋଧୀ ଆକ୍ରମଣ ଜୋରଦାର ହୋଇଛି । ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ଦିଲ୍ଲୀରେ ବିଜେପି ସରକାର ଥିଲା ଏବଂ ଦିଲ୍ଲୀବାସୀ ମଦନ ଲାଲ ଖୁରାନା, ସାହିବ ସିଂହ ବର୍ମା ଓ ସୁଷମା ସ୍ୱରାଜଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇଥିଲେ । ୧୯୯୮ରେ ଅନୁଷ୍ଠିତ ଦ୍ୱିତୀୟ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପି ହାତରୁ କ୍ଷମତା ଛଡାଇ ନେଇ ୨୦୧୩ ପର୍ଯ୍ୟନ୍ତ କ୍ଷମତାରେ ଥିଲା । କଂଗ୍ରେସର ଦିବଂଗତ ନେତ୍ରୀ ଶୀଲା ଦିକ୍ଷୀତ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୧୩ ନିର୍ବାଚନରେ ବିଜେପି ଓ କଂଗ୍ରେସକୁ ମାତ୍ ଦେଇ ‘ଆମ୍ ଆଦମୀ ପାଟି’ର୍ (ଆପ୍) କ୍ଷମତାକୁ ଆସି ଥିଲା ଏବଂ ଅରବିନ୍ଦ କେଜରୀୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ, ବିଧାନସଭାରେ ‘ଆପ୍’ର ସଂଖ୍ୟାଗରିଷ୍ଠତା ନଥିବାରୁ ସରକାର ଅଳ୍ପ ଦିନରେ ଭାଂଗି ଥିଲା । ୨୦୧୫ରେ ହୋଇଥିବା ଷଷ୍ଠ ବିଧାନସଭା ନିର୍ବାଚନରେ କେଜରୀୱାଲଙ୍କ ‘ଆପ୍’ ଆଶାତୀତ ସଂଖ୍ୟା ପାଇ କ୍ଷମତାକୁ ଫେରିଥିଲା ଓ କେଜରୀୱାଲ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଷଷ୍ଠ ବିଧାନସଭା ନିର୍ବାଚନରେ ‘ଆପ୍’କୁ ୭୦ରୁ ୬୭ ଆସନ ମିଳିଥିବା ବେଳେ ୨୦୨୦ରେ ସପ୍ତମ ବିଧାନସଭା ନିର୍ବାଚନରେ ୬୨ ଆସନ ମିଳିଛି । ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିବା କେଜରୀୱାଲ ଦିର୍ନୀତି ଅଭିଯୋଗରେ ଫସି ଜେଲ ଯିବା ପରେ ୨୦୨୪ ସେପ୍ଟେମ୍ବର ୧୭ରେ ସୁପ୍ରିମ କୋର୍ଟରୁ ଜାମିନରେ ଆସି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂତାଙ୍କ ସ୍ଥାନରେ ‘ଆପ୍’ ନେତ୍ରୀ ଆତିଶୀ ମାର୍ଲିନା ସିଂହ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏହା ହେଉଛି ଦିଲ୍ଲୀ ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି । ‘ଆପ୍’ ସରକାର ଗତ ଦଶ ବର୍ଷ ମଧ୍ୟରେ ବିଭିନ୍ନ ସାମ୍ବିଧାନିକ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ସହ ରାଜନୈତିକ ଲଢେଇରେ ବ୍ୟସ୍ତ ରହିଥିବା ବେଳେ ବିଜେପି ସହ ‘ଆପ୍’ର ସଂପର୍କ ମଧ୍ୟ ତୀକ୍ତ ରହିଛି । ଦିଲ୍ଲୀ କେନ୍ଦ୍ର ଶାସିତ ରାଜ୍ୟ ହୋଇଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପ୍ରଶାସନ ପାଇଁ ପାଇଁ ଜଣେ ଉପ ରାଜ୍ୟପାଳ (ଏଲଜି)ଙ୍କୁ ନିଯୁକ୍ତି ଦେଇ ତାଙ୍କ ମାଧ୍ୟମରେ ସରକାରଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିବାରୁ ବିଜେପି ଓ ‘ଆପ୍’ ମଧ୍ୟରେ ସଂପର୍କ ତୀକ୍ତ ହୋଇଛି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟର ଅଭାବରୁ ଦିଲ୍ଲୀରେ ବିକାଶ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳ (ଏଲଜି) ଦିଲ୍ଲୀ ସରକାରଙ୍କ ଉପରେ ନିଜର କ୍ଷମତା ଜାହିର କରୁଥିବାରୁ ବିକାଶ ବାଧାପ୍ରାପ୍ତ ହେଉଥିବା କେଜରୀୱାଲ ସରକାର ବାରମ୍ବାର ଅଭିଯୋଗ କରିବା ସହ ଉପ ରାଜ୍ୟପାଳଙ୍କ ହସ୍ତକ୍ଷେପ ବିରୋଧରେ ବାରମ୍ବାର ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁପ୍ରିମ କୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଆବେଦନର ବିଚାର କରି ଦିଲ୍ଲୀର ନିର୍ବାଚିତ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳଙ୍କ କ୍ଷମତା ମଧ୍ୟ ସ୍ପଷ୍ଟ କରି ଦେଇଥିଲେ । ତେବେ, କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସପକ୍ଷରେ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ଅଚଳ କରିବା ସକାଶେ ସଂସଦରେ ବିଲ୍ ଗୃହୀତ କରାଇ ତାହା ଆଇନରେ ପରିଣତ କରିଥିଲେ । ଏହି ଆଇନ ବଳରେ ଦିଲ୍ଲୀ ଉପ ରାଜ୍ୟପାଳ ଅଧିକ ଶକ୍ତିମାନ ହୋଇଛନ୍ତି । ଦିଲ୍ଲୀବାସୀ ଗଲା ଦଶ ବର୍ଷ ହେଲା ଏହି ନାଟକ ଦେଖୁଛନ୍ତି ।
୨୦୧୪ରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠା ପରେ ଦିଲ୍ଲୀର ନିର୍ବାଚିତ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସଂପର୍କ ଅଧିକ ତୀକ୍ତ ରହିଛି । ନିର୍ବାଚିତ ସରକାରଙ୍କୁ ଅସ୍ଥିର କରିବା ପାଇଁ କେନ୍ଦ୍ର ପକ୍ଷରୁ ବିଭିନ୍ନ ମାଧ୍ୟମର ବ୍ୟବହାର କରାଯାଉଥିବା ଏବଂ ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ରାଜ୍ୟ ସରକାରଙ୍କ ବିରୋଧରେ ଅପବ୍ୟବହାର କରାଯାଉଥିବା ‘ଆପ୍’ ସରକାରଙ୍କ ଆଡୁ ଅଭିଯୋଗ ହୋଇଆସୁଛି । କେଜରୀୱାଲ ସରକାରର ଏକାଧିକ ମନ୍ତ୍ରୀ, ବିଧାୟକ ଓ ନେତା ବିଭିନ୍ନ ଗୁରୁତର ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ ମଧ୍ୟ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଥାଇ ‘ଆପ୍’ ମୁଖ୍ୟ କେଜରୀୱାଲ ମଧ୍ୟ ଏଥିରୁ ବାଦ୍ ପଡି ନାହାନ୍ତି । ଗଲା ଦଶ ବର୍ଷ ମଧ୍ୟରେ ସିବିଆଇ ଓ ଇଡି (କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ) ଏସବୁ ଗିରଫଦାରୀ କରିଥିବା ବେଳେ ବାସ୍ତବରେ ସରକାର ଦୁର୍ନୀତିଗ୍ରସ୍ତ ନା ଏହା ଶାସକ ବିଜେପିର ରାଜନୈତିକ ଷଡଯନ୍ତ୍ର (?) – ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ତଥାପି, ମୁଖ୍ୟମନ୍ତ୍ରୀଙ୍କ ସମେତ ‘ଆପ୍’ର ମନ୍ତ୍ରୀ, ସାଂସଦ ଓ ନିଜେ ମୁଖ୍ୟମନ୍ତ୍ରୀ ସଂଗୀନ ଦୁର୍ନୀତି ଅଭିଯୋଗରେ ଜେଲ୍ ଯିବା ସରକାରଙ୍କ ଭାବମୂର୍ତ୍ତୀକୁ କ୍ଷୁର୍ଣ୍ଣ କରିଛି । ଦିଲ୍ଲୀ ସରକାରଙ୍କ ବିରୋଧରେ ସବୁଠାରୁ ଗୁରୁତର ଅଭିଯୋଗ ରହିଛି, କେଜରୀୱାଲ ସରକାରର ତୃତୀୟ ପାଳିରେ ୨୦୨୧-୨୨ରେ ହୋଇଥିବା ନୂତନ ଅବକାରୀ ନୀତିର କାର୍ଯ୍ୟକାରିତାରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଅନିୟମିତା ଅଭିଯୋଗ । ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ.ସାକ୍ସେନା ତାହାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବା ପରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତ କରୁଛନ୍ତି । ସିବିଆଇ ତଦନ୍ତ ସୁପାରିଶ ପରେ ଦିଲ୍ଲୀ ସରକାର ନୂତନ ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଇଥିଲେ ସୁଦ୍ଧା ଆପରାଧିକ ତଦନ୍ତରୁ ବର୍ତ୍ତି ନାହାନ୍ତି । ପ୍ରଥମେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ଥାଇ ‘ଆପ୍’ ନେତା ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ ହେଲେ । ଦୀର୍ଘ ଦିନ ତିହାର ଜେଲରେ ରହି ଜାମିନରେ ମୁକୁଳିଛନ୍ତି । ଗିରଫ ପରେ ସେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
ସିସୋଦିଆଙ୍କ ପରେ ‘ଆପ୍’ର ରାଜ୍ୟସଭା ସାଂସଦ ସଂଜୟ ସିଂହ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଛଅ ମାସ ଜେଲରେ ରହି ଜାମିନରେ ବାହାରେ ଅଛନ୍ତି । ଅରବିନ୍ଦ କେଜରୀୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥାଇ ୨୦୨୪ ମାର୍ଚ୍ଚ ୨୧ ତାରିଖରେ ଏହି ମାମଲାରେ ଇଡି ଜେରା ପରେ ଗିରଫ ହୋଇଥିଲେ । ତିହାର ଜେଲରେ ଥିବା ଅବସ୍ଥାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ସୁପ୍ରିମ କୋର୍ଟରୁ ଜାମିନ ପାଇ ୨୦୨୪ ସେପ୍ଟେମ୍ବର ୧୭ରେ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ସ୍ଥାନରେ ଆତିଶୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରାୟ ୧୦୦ କୋଟି ଟଙ୍କାର ଅବକାରୀ ଦୁର୍ନୀତିରୁ ପାଖାପାଖି ୪୦ କୋଟି ଟଙ୍କା କେଜରୀୱାଲ ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଥିବା ଆଦାଲତରେ ଦାଖଲ ଇଡିର ଅଭିଯୋଗପତ୍ରରେ ଅଭିଯୋଗ ହୋଇଛି । ଇଡି ଶାସକ ଆମ୍ ଆଦମୀ ପାର୍ଟି (ଆପ୍)କୁ ମଧ୍ୟ ଅଭିଯୁକ୍ତ ତାଲିକାରେ ରଖିଛି । ଅବକାରୀ ଦୁର୍ନୀତିର ତଦନ୍ତ ଏପର୍ଯ୍ୟନ୍ତ ସରିନି । ତେବେ, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଅଭିଯୋଗପତ୍ର ଆଧାରରେ କେଜରୀୱାଲ ସରକାର ‘ଦୁର୍ନୀତିଗସ୍ତ’ ବୋଲି ବିଜେପି ଆଡୁ ସମାଲୋଚନାର ଶରବ୍ୟ ହୋଇଛନ୍ତି ।
ଏବେ ବିଜେପିକୁ ଆଉ ଏକ ଅସ୍ତ୍ର ଭାବେ ମିଳିଛି ନୂଆଦିଲ୍ଲୀ ୬, ଫ୍ଲାଗ ଷ୍ଟାଫ ରୋଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ହୋଇଥିବା ନବୀକରଣ କାର୍ଯ୍ୟ । ଏଥିରେ ବିପୁଳ ଅପବ୍ୟୟ ହୋଇଥିବା ଅଡିଟ ରିପୋର୍ଟରେ ଅଭିଯୋଗ ହୋଇଛି । କେଜରୀୱାଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ସରକାରୀ ବାସଭବନରେ ରହୁଥିଲେ । ୨୦୨୦ରେ ଦେଶ କୋଭିଡ଼-୧୯ ମହାମାରୀର ମୁକାବିଲା କରୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ ବାସଭବନର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ ଆରମ୍ଭ କରିଥିଲେ । ନବୀକରଣରେ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରଥମେ କୁହାଯାଇ ଆପ୍ କୁ ସମାଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହାକୁ ‘କେଜରୀୱାଲଙ୍କ ଶୀଶ୍ ମହଲ’ କହି ସମାଲୋଚନା ଆରମ୍ଭ କରିବା ପରେ ଅନ୍ୟ ବିଜେପି ନେତାମାନେପାଳି ଧରିଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ‘ଶୀଶ୍ ମହଲ’କୁ ନେଇ ପ୍ରଚାର ଅସ୍ତ୍ର କରି ସାରିଛି । ଏବେ, କଂଗ୍ରେସ ମଧ୍ୟ ବିଜେପି ସହ ସେଥିରେ ମାତିଛି ।
ଦେଶର ପୂର୍ବତନ ସିଏଜି (କଂପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ) ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଡିଟ ରିପୋର୍ଟକୁ ଆଧାର କରି ବିଜେପି ଓ କଂଗ୍ରେସ କେଜରୀୱାଲଙ୍କ ‘ଶୀଶ୍ ମହଲ’କୁ ଟାର୍ଗେଟ୍ କରିଥିବା ବେଳେ ନବୀକରଣରେ ପୂର୍ତ୍ତ ବିଭାଗ ୩୩.୬୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ଏବେ ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମିଳିଥିବା ଅଶଂପୂର୍ଣ୍ଣ ତଥ୍ୟ ଆଧାରରେ ସିଏଜି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ୨୦୨୦ ଅଗଷ୍ଟ ୮ ତାରିଖରେ ସିଏଜି ଭାବେ ନିଯୁକ୍ତି ପାଇଥିବା ଗିରିଶ ଚନ୍ଦ୍ର ମୁର୍ମୁ ୨୦୨୪ ନଭେମ୍ବର ୨୦ ତାରିଖରେ ସିଏଜି ପଦରୁ ବିଦାୟ ନେବାର କିଛି ସପ୍ତାହ ପୂର୍ବରୁ ଏହି ଅଡିଟ ରିପୋର୍ଟରେ ଦସ୍ତଖତ କରିଛନ୍ତି । ଅଡିଟ ରିପୋର୍ଟରେ ୬, ଫ୍ଲାଗ ଷ୍ଟାଫ ରୋଡସ୍ଥିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ନବୀକରଣରେ ପ୍ରାୟ ୧୯ କୋଟି ଟଙ୍କାର ଅପବ୍ୟୟ ହୋଇଥିବା ଅଭିଯୋଗ ରହିଛି । ପୂର୍ତ୍ତ ବିଭାଗ ଏହି ନବୀକରଣ କାର୍ଯ୍ୟ ପାଇଁ ୭.୯୧ କୋଟି ଟଙ୍କାର ପ୍ରାଥମିକ ବ୍ୟୟ ଅଟକଳ ପ୍ରସ୍ତୁତ କରିଥିଲେ ମଧ୍ୟ ୨୦୨୦ରେ ୮.୬୨ କୋଟି ଟଙ୍କାର କାର୍ଯ୍ୟାଦେଶ ଦେଇଥିଲା । ୨୦୨୨ରେ ନବୀକରଣ ସରିଥିଲା ଏବଂ ମୋଟ ୩୩.୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ।
ମୂଲ୍ୟବାନ ଟିଭି, ଆସବାବପତ୍ର, ଟାଇଲ୍, କାର୍ପେଟ, ମିନି ବାର୍, ଜିମ୍ ପ୍ରଭୃତି ନବୀକରଣ କାର୍ଯ୍ୟରେ ହୋଇଥିବା ଅନିୟମିତତା ମଧ୍ୟରେ ସ୍ଥାନ ପାଇଛି । ନବୀକରଣ ପାଇଁ ଅଟକଳ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ବ୍ୟୁଲ୍ଟ-ଅପ୍ ଏରିଆ ୧୩୯୭ ବର୍ଗ ମିଟର ଥିଲା । କାର୍ଯ୍ୟ ସରିବା ବେଳକୁ ତାହା ୧୯୦୫ ବର୍ଗ ମିଟରକୁ ବଢିଯିବା ଅଡିଟ ରିପୋର୍ଟରେ ଦର୍ଶାଯାଇଛି । ଦିଲ୍ଲୀ ବିଧାନସଭାରେ ଉପସ୍ଥାପନ ପୂର୍ବରୁ ଅଡିଟ ରିପୋର୍ଟ ୨୦୨୩ ମେ’ରେ ବାହାରକୁ ଆସିବା ଏବଂ ଏହାକୁ ନେଇ ବିଜେପି ନେତୃତ୍ୱ ‘ଆପ୍’ ମୁଖ୍ୟଙ୍କୁ ଘେରିବା ପଛରେ ‘ରାଜନୈତିକ ଷଡଯନ୍ତ୍ର’ ଥିବା ‘ଆପ୍’ ଅଭିଯୋଗ କରୁଥିବା ବେଳେ ଦିଲ୍ଲୀ ଭିଜିଲାନ୍ସ ଡିରେକ୍ଟୋରେଟ ଗତ ମାସରେ ନବୀକରଣ କାର୍ଯ୍ୟର ତଦନ୍ତ ହାତକୁ ନେଇଥିବା ଏବଂ ୨୦୨୩ ସେପ୍ଟେମ୍ବରରେ ସିବିଆଇ ଏନେଇ ଏକ ପ୍ରାଥମିକ ଏତଲା ରୁଜୁ କରିଥିବା ସୂଚନା ମିଳିଛି । ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଭିଜେନ୍ଦ୍ର ଗୁପ୍ତା ଗତ ନଭେମ୍ବର ମାସର କରିଥିବା ଅଭିଯୋଗ ଆଧାରରେ ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ.ସାକ୍ସେନା ଗତ ଡିସେମ୍ବର ୦୬ ତାରିଖରେ କଥିତ ଅନିୟମିତତାର ତଦନ୍ତ ନିର୍ଦେଶ ଦେଇଥିବା ଜଣାପଡିଛି ।
କେଜରୀୱାଲ ମୁଖ୍ୟମନ୍ତ୍ରୀ ଥିବା ଅବସ୍ଥାରେ ଏହି ସରକାରୀ ବାସଭବନରେ ଅବସ୍ଥାନ କରୁଥିଲେ । ସେପ୍ଟେମ୍ବର ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ୨୦୨୪ ଅକ୍ଟୋବର ୨୪ ତାରିଖରେ ଦିଲ୍ଲୀ ସରକାରୀ ବାସଭବନ ଛାଡି ଥିଲେ । ତାଙ୍କ ସ୍ଥାନରେ ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଛନ୍ତି । ତେବେ, ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନକୁ ଆବଂଟନ କରାଯାଇନାହିଁ । ଏଭଳି ସ୍ଥିତିର ‘କେଜରୀୱାଲଙ୍କ ଶୀଶ୍ ମହଲ’ କହି ପ୍ରଧାନମନ୍ତ୍ରୀଙ୍କ ସମତେ ବିଜେପି ଓ କଂଗ୍ରେସ ନେତା ଆପ୍ ମୁଖ୍ୟଙ୍କୁ ସମାଲୋଚନା କରିବା ରାଜନୀତି ଛଡା କଣ କୁହାଯିବ ? ୨୦୨୦ ସେପ୍ଟେମ୍ବର ୦୧ ତାରିଖରେ ଏହି ନବୀକରଣ କାର୍ଯ୍ୟାର କାର୍ଯ୍ୟାଦେଶ ଦେବା ‘କେତେ ଜରୁରୀ ଥିଲା ?’ ବୋଲି ବିଜେପି ପ୍ରଶ୍ନ କରି ‘ଆପ୍’ ସରକାରଙ୍କୁ କାଠଗଡାରେ ଠିଆ କରିଥିବା ବେଳେ ପୂର୍ତ୍ତ ବିଭାଗ ଏହାର ଉତ୍ତରଦାୟୀ ରହିବା ଆବଶ୍ୟକ । ତେବେ, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପି ଏହାକୁ ‘କେଜରୀୱାଲଙ୍କ ଶୀଶ୍ ମହଲ’ କହି ପ୍ରଚାର ଆରମ୍ଭ କରିଥିବା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ‘ଆପ୍’ ସରକାରକୁ ‘ଆପଦା’ କହି ଆସନ୍ତା ନିର୍ବାଚନରେ ବିଜେପିକୁ କ୍ଷମତାକୁ ଆଣି ଦିଲ୍ଲୀବାସୀ ଏହି ‘ଆପଦା’ରୁ (ବିପତ୍ତି) ମୁକ୍ତ ହେବାକୁ ଆହ୍ୱାନ ଦେବା ରାଜନୀତି ହିଁ କୁହାଯିବ ।
ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଇ ‘ଆପ୍’ ମୁଖ୍ୟ କେଜରୀୱାଲ ୨୭୦୦ କୋଟି ଟଙ୍କାର ବାସଭବନ, ୮,୪୦୦ କୋଟି ଟଙ୍କାର ବିମାନ ଓ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁଟ୍ କଥା ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ଗାଳି ଦେଇ ଦିଲ୍ଲୀବାସୀଙ୍କୁ ଭୋଟ ମାଗୁଛନ୍ତି । ଦଶ ବର୍ଷରେ କେନ୍ଦ୍ର ସରକାର କଣ କରିଛି କହୁ ନାହାନ୍ତି । ତେବେ, ସେ ନିଜ କାମ ଆଧାରରେ ଦିଲ୍ଲୀବାସୀଙ୍କୁ ଭୋଟ ମାଗୁଛନ୍ତି ବୋଲି କେଜରୀୱାଲ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗର ଉତ୍ତରରେ କହିଛନ୍ତି । ଦିଲ୍ଲୀରେ ବିଜେପି ଓ ‘ଆପ୍’ ପରସ୍ପର ବିରୋଧୀ ଆକ୍ରମଣ ଓ ଅପପ୍ରଚାରରେ ମାତିଥିବା ବେଳେ କଂଗ୍ରେସ ମଧ୍ୟ ବିଜେପି ସହ ମାତିଛି । ତେବେ, ‘ପ୍ୟାରୀ ବହେନା’ ଯୋଜନା ମାଧ୍ୟମରେ ମହିଳା ମତଦାତାଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଯୋଜନା କରିଥିବା ଘୋଣୋ କରି ‘ଆପ୍’କୁ କାଉଂଟର କରିଛି । କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଖାତାକୁ ୨୫୦୦ ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ଦେବ କହି ନିର୍ବାଚନ ମଇଦାନକୁ ଉତୁରିଛି । ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡି.କେ.ଶବ କୁମାର ଗତକାଲି (ସୋମବାର) ଦିଲ୍ଲୀରେ ଏହା ଘୋଷଣା କରିଛନ୍ତି । ଇତିମଧ୍ୟରେ, ବିଏସପି ନେତ୍ରୀ ମାୟାବତୀ ମଧ୍ୟ ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିବାରୁ ନିର୍ବାଚନ ତାରିଖ ଘୋଷଣା ସହ ଦିଲ୍ଲୀ ରାଜନୀତି ଅଧିକ ସରଗରମ ହେବା ନିଶ୍ଚିତ କରିଦେଇଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS