ନିର୍ବାଚନ କୋଳାହଳ ଭିତରେ ବର୍ଷ ସରିଗଲା …
ପ୍ରସାଦ ରାଓ
ଡିସେମ୍ବର ୩୧
୨୦୨୪ ଥିଲା ଦେଶ ପାଇଁ ନିର୍ବାଚନର ବର୍ଷ । ବର୍ଷ ଆରମ୍ଭରୁ ଆରମ୍ଭ ହୋଇଯାଇଥିଲା ଅଷ୍ଟାଦଶତମ ସାଧାରଣ ନିର୍ବାଚନର ପ୍ରସ୍ତୁତି । ଓଡ଼ିଶା, ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ସହ ଲୋକସଭା ନିର୍ବାଚନ । ଏପ୍ରିଲ ୧୯ରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିଲା ନିର୍ବାଚନ କୋଳାହଳ । ଗୋଟିଏ ପରେ ଗୋଟିଏ ନିର୍ବାଚନ, ଭାରତୀୟ ରାଜନୀତିକୁ ସରଗରମ କରିଥିଲା । ଜନସାଧାରଣରେ ମଧ୍ୟ ଥିଲା ବେଶ ଉତ୍କଂଠା । ୨୦୨୪ରେ ହେଲା ନିର୍ବାଚନ ଲୋକସଭା ନିର୍ବାଚନ ଏବଂ ଆଠଟି ରାଜ୍ୟ – ଅରୁଣାଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଜମ୍ମୁ-କଶ୍ମୀର, ହରିୟାଣା, ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ୨୦୨୩ରେ ଗଠିତ ବିରୋଧୀ ‘ଇଣ୍ଡି’ ମେଂଟ ସହ ବିଜେପି ନେତୃତ୍ୱାଧୀନ ଶାସକ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ)ର ଲଢେଇ ରୋଚକ ଥିଲା । କଂଗ୍ରେସ ଦଳ ସାମିଲ ଥିବା ‘ଇଣ୍ଡି’ ମେଂଟ ନେତାମାନେ କେନ୍ଦ୍ରରେ ଦୀର୍ଘ ଦର୍ଶ ବର୍ଷ ହେଲା ଶାସନ କରୁଥିବା ବିଜେପି ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଭାରତୀୟ ସମ୍ବିଧାନକୁ ଆଶ୍ରା କରିଥିବା ବେଳେ ବିଜେପି ଓ ତାହାର ସହଯୋଗୀ ଦଳମାନେ ବିରୋଧୀ ମେଂଟ ନେତାଙ୍କ ମଧ୍ୟରେ ଥିବା ବିରୋଧାଭାସକୁ ପାରୁପର୍ଯ୍ୟନ୍ତ ଆକ୍ରମଣ କରି ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ସମସ୍ତ ଶକ୍ତି ଲଗାଇ ଥିଲେ । ବିଜେପି ଏକାକୀ ୩୦୦ରୁ ଅଧିକ ଆଶସନ ଏବଂ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବା ଲକ୍ଷ୍ୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପରିଚାଳନା କରିଥିବା ବେଳେ ଏଥିରେ ସଫଳ ହେଲେ ବିଜେପି ଦେଶର ସମ୍ବିଧାନକୁ ବଦଳାଇ ଦେବ ଏବଂ ସଂଖ୍ୟାଲଘୁ ଜାତି, ଜନଜାତି ଓ ସମାଜର ଦୁର୍ବଳ ଶ୍ରେଣୀ ପାଇଁ ଥିବା ଆରକ୍ଷଣ ବ୍ୟବସ୍ଥା ଲୋପ କରିଦେବ ବୋଲି ବିରୋଧୀ ମେଂଟର ପ୍ରଚାର ଲୋକସଭା ନିର୍ବାଚନରେ ତାହାର ରଂଗ ଦେଖାଇଲା । ବିରୋଧୀଙ୍କ ପ୍ରଚାର ବିଜେପିକୁ ଲୋକସଭାରେ ୨୪୦ ଆସନରେ ସୀମିତ କରିଦେଇଥିଲେ ମଧ୍ୟ ଏନଡିଏ ସଂଖ୍ୟାଗରିଷ୍ଠ ମେଂଟ ଭାବେ ଉଭା ହେଲା ଏବଂ ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଲେ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଲୋକସଭାରେ ତାହାର ଆସନ ଦ୍ୱିଗୁଣିତ କରି ୯୯ରେ ପହଂଚି ଥିବା ବେଳେ ବିରୋଧୀ ମେଂଟ ତାହାର ଲୋକସଭା ଆସନ ସଂଖ୍ୟା ୨୩୪ରେ ପହଂଚାଇବାକୁ ସଫଳ ହେଲା । କେନ୍ଦ୍ରରେ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ସରକାର ଫେରିଲା ସତ, କିନ୍ତୁ ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସକୁ ଦଶ ବର୍ଷ ପରେ ସ୍ୱୀକୃତି ମିଳିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ହେଲେ ଲୋକସଭାରେ ବିରୋଧୀ ଦଳ ନେତା । ଲୋକସଭା ନିର୍ବାଚନ ସହ ଗତ ମେ’-ଜୁନରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ ଦୁଇ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି । ୨୪ ବର୍ଷ ଧରି ଓଡ଼ିଶାରେ ଶାସନ ଗାଦିରେ ବସିଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ୨୦୨୪ ବିଧାନସଭା ନିର୍ବାଚନରେ ପ୍ରଥମ କରି ବିଜେପି ନିକଟରୁ ପରାଜିତ ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ପାଂଚ ବର୍ଷର ୱାଇଏସଆରସିପି ସରକାରକୁ କ୍ଷମତାରୁ ହଟାଇ ଟିଡିପି (ତେଲୁଗୁ ଦେଶମ ପାର୍ଟି) କ୍ଷମତାକୁ ଫେରିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓଡ଼ିଶାରେ ୨୦୦୦ ମସିହାରୁ ସରକାରରେ ରହିଥିଲା । ନବୀନଙ୍କ ନାମରେ ରାଜ୍ୟରେ ଭୋଟ ହେଉଥିଲା ଏବଂ ଜଣେ ଜନପ୍ରିୟ ଓ ଅପରାଜିତ ନେତା ଭାବେ ସେ ସମଗ୍ର ଦେଶରେ ଜଣାଶୁଣା ଥିଲେ । ତଥାପି, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ନିଜ ଗଡ ରକ୍ଷା କରିପାରି ନାହିଁ । ୨୪ ବର୍ଷ ପରେ ଓଡ଼ିଶାରେ ବିଜେଡି ଶାସନର ପତନ ଘଟିଥିବା ବେଳେ ଲୋକସଭାରେ ଦଳର ସ୍ଥିତି ଶୂନ ହୋଇଯାଇଛି । ରାଜ୍ୟସଭାରେ ମଧ୍ୟ ଦୁଇ ଜଣ ବିଜେଡି ସାଂସଦ ବିଜେପିକୁ ଚାଲି ଯିବାରୁ ଦଳର ସାଂସଦ ସଂଖ୍ୟ ୦୭କୁ କମି ଯାଇଛି । ୨୦୨୪ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ଦଳ ବିଜେପି ତୁଳନାରେ ଅଧିକ ଭୋଟ ପାଇଛି । ଯାହାକି ବିରୋଧୀ ଦଳ ନେତା ନବୀନଙ୍କ ପ୍ରତି ଏବେ ମଧ୍ୟ ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଅତୁଟ ଥିବା ସ୍ପଷ୍ଟ କରୁଛି । ବିଧାନସଭା ସଭାରେ ଆସନ ସଂଖ୍ୟା ଦୃଷ୍ଟିରୁ ବିଜେଡି (୫୧) ବିଜେପିଠାରୁ ମାତ୍ର ୨୭ ଆସନ କମ ପାଇଛି । ଶେଷ ପାଂଚ ବର୍ଷରେ ନବୀନ ସରକାରଙ୍କ କୁଶାସନ ଓ ଅହଂକାର ଯୋଗୁଁ ଏଭଳି ବିପର୍ଯ୍ୟୟ ଘଟି ଥିବା ସମାଲୋଚକମାନେ କହୁଥିବା ବେଳେ ପରାଜୟର ଛଅ ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ବିଜେପି ନେତାଙ୍କ ଅପପ୍ରଚାରକୁ ମୁକାବିଲା କରିବାରେ ବିଜେଡି ବିଫଳ ହେବାରୁ ପରାଜୟର ସମ୍ମୁଖୀନ ହେଲା ବୋଲି ନବୀନ ଦଳର ପ୍ରତିଷ୍ଠା ଦିବସରେ ସଫେଇ ଦେଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଓ ରାଜ୍ୟସ୍ତର ନେତାମାନେ ନିର୍ବାଚନ ସମୟରେ ଏଭଳି ଅପପ୍ରଚାରର ଆଶ୍ରୟ ନେଲେ ଯେ ସେମାନଙ୍କ ମିଛକୁ ବିଜେଡିର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ନେତାମାନେ ମୁକାବିଲା କରିପାରିଲେ ନାହିଁ । ତେଣୁ, ୨୪ ବର୍ଷ ପରେ ଦଳ ପରାଜୟକୁ ସାମ୍ନା କଲା ବୋଲି ନବୀନଙ୍କ ସଫେଇ ୨୦୨୪ ନିର୍ବାଚନରେ ବିଜେଡିର ମଂଗ ଧରି ଥିବା ପୂର୍ବତନ ପ୍ରଶାସକ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ପ୍ରତି ଉଦ୍ଦିଷ୍ଟ ନୁହେଁ ତ (?) ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଛି । ଅପରପକ୍ଷରେ, ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ହେବାକୁ ବହୁ ନେତା ଆଶାବାନ୍ଧି ଥିବା ବେଳେ ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ଜଣେ ଅନାମଧେୟ ଆଦିବାସୀ ନେତା (କେଉଁଝର ବିଧାୟକ) ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ସମସ୍ତଙ୍କୁ ଚକିତ କରିଥିଲା । ମାଝୀ ପୂର୍ବରୁ ବିରୋଧୀ ବିଧାୟକ ଥିଲେ ମଧ୍ୟ ରାଜ୍ୟ ଶାସନରେ ଅଭ୍ୟସ୍ତ ନୁହଁନ୍ତି । ନାମ ଘୋଷଣା ପୂର୍ବରୁ ସେ ମଧ୍ୟ ଆଶା କରିନଥିଲେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯାଉଛିି ବୋଲି । ଜୁନ ୧୧ ତାରିଖରେ ବିଜେପିର ନେତୃତ୍ୱ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଲେ ଏବଂ ୧୨ ତାରିଖ ଦିନ ନୂତନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ ଭବ୍ୟ ସମାରୋହରେ ଶପଥ ପାଠ କଲେ । ସାତ ମାସ ହେଲା ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ଓଡ଼ିଶାରେ ନିଜକୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ପରିଚିତ କରିବାକୁ ସଂଘର୍ଷ କରୁଛନ୍ତି । ଅପରପକ୍ଷରେ, ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ ଶାସନ ବଦଳିବା ନିଶ୍ଚିତ ଥିଲା । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନମୋହନ ରେଡ୍ଡୀ (୨୦୧୯ରୁ ୨୦୨୪) ବିଭିନ୍ନ କାରଣରୁ ରାଜ୍ୟ ରାଜନୀତିରେ ବିବାଦୀୟ ରହିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ସଂଗୀନ ଦୁର୍ନୀତି ଅଭିଯୋଗରେ ଗିରଫ କରାଇ ଜେଲରେ ପୁରାଇବା ରେଡ୍ଡୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ନାଇଡୁଙ୍କୁ ଗିରଫ କରି ୱାଇଏସଆରସିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ରେଡ୍ଡୀ ପ୍ରତିଶୋଧମୂଳକ ରାଜନୀତି କରୁଛନ୍ତି ବୋଲି ରାଜ୍ୟରେ ଯେଉଁ ଧାରଣା ସୃଷ୍ଟି ହୋଇଥିଲା ତାହା ନିର୍ବାଚନ ସମୟରେ ଅଧିକ ଗଭୀର ହୋଇ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା । ଚନ୍ଦ୍ରବାବୁ ଜାମିନରେ ମୁକୁଳିବା ପରେ ସିଧାସଲଖ ବିଜେପି କେନ୍ଦ୍ରୀୟ ନେତାଙ୍କ ଶରଣକୁ ଯାଇଥିଲେ ଏବଂ ଟିଡିପିକୁ ଏନଡିଏ ମେଂଟରେ ସାମିଲ କରିଥିଲେ । ନାଇଡୁଙ୍କ ସହ ଆନ୍ଧ୍ରର ଲୋକପ୍ରିୟ ତେଲୁଗୁ ଚଳଚ୍ଚିତ୍ର ଅଭିନେତା (ଜନ ସେନା ପାର୍ଟି) ମୁଖ୍ୟ ପବନ କଲ୍ୟାଣ ଯୋଡି ହୋଇ ମେଂଟ କରିଥିଲେ । ଟିଡିପି-ଜନସେନା ପାର୍ଟି ଓ ବିଜେପି ମିଳିତ ଭାବେ ଜଗନମୋହନ ରେଡ୍ଡୀଙ୍କୁ କ୍ଷମତାରୁ ହଟାଇବାକୁ ଲାଗି ପଡିଥିଲେ । ମୁଖ୍ୟମନ୍ତ୍ରୀ ଥିବା ଜଗନମୋହନ ରେଡ୍ଡୀ ତାଙ୍କ ପାଂଚ ବର୍ଷର କାର୍ଯ୍ୟକାଳରେ ଏନଡିଏରେ ନଥିଲେ ମଧ୍ୟ ସଂସଦରେ ମୋଦୀ ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅକୁଂଠ ସମର୍ଥନ ଦେଇଥିବାରୁ ୨୦୨୪ ନିର୍ବାଚରେ ବିଜେପି ଆଡୁ ସହଯୋଗର ଆଶା ରଖିଥିଲେ । ତେବେ, ବିଜେପି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ସମର୍ଥନ ଦେଇ ଜଗନ ରେଡ୍ଡୀଙ୍କୁ ପାଖରେ ପୁରାଇ ନଥିଲା । ନିର୍ବାଚନ ପୂର୍ବରୁ ରେଡ୍ଡୀ ବିଜେପି ନେତୃତ୍ୱର ନିକଟତର ହେବାକୁ ଉଦ୍ୟମ କରି ଅସଫଳ ହୋଇଥିଲେ । ୨୦୨୪ ଜୁନରେ ଆନ୍ଧ୍ରରେ ଯେଉଁ ମେଂଟ ସରକାର ପ୍ରତିଷ୍ଠା ହୋଇଛି ସେଥିରେ ଟିଡିପି-ଜେଏସପି ଥିବା ବେଳେ ସରକାରକୁ ବିଜେପିର ସମର୍ଥନ ରହିଛି । ଚନ୍ଦ୍ରବାବୁ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଜେଏସପି ମୁଖ୍ୟ ପବନ କଲ୍ୟାଣ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଓଡ଼ିଶା, ଆନ୍ଧ୍ର ପ୍ରଦେଶ ପରେ ଜମ୍ମୁ-କଶ୍ମୀର, ହରିୟାଣା, ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହୋଇଥିଲା । ସେସବୁ ନିର୍ବାଚନ ଅଧିକ ରୋଚକ ଥିଲା । ଲୋକସଭା ନିର୍ବାଚନରେ ଶକ୍ତ ଆଘାତ ପାଇଥିବା ବିଜେପି ହିନ୍ଦୁତ୍ୱକୁ ଅସ୍ତ୍ର କରି ନିର୍ବାଚନ ଲଢିଥିଲା । ଜମ୍ମୁ-କଶ୍ମୀରରେ ୨୦୧୪ରେ ହୋଇଥିଲା ଶେଷ ବିଧାନସଭା ନିର୍ବାଚନ । ରାଜ୍ୟରେ ବିଜେପି ଓ ପିଡିପିର ମେଂଟ ସରକାର ପ୍ରତିଷ୍ଠା ହୋଇଥିଲା ଏବଂ ଦୁଇ ବର୍ଷ ପରେ ବିଜେପି ସରକାରରୁ ଓହରି ଯିବାରୁ ସରକାର ଭାଂଗି ଯାଇଥିଲା । ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରଆସିବା ପରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ବିଭାଜନ ଘଟାଇ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରିଥିଲେ । ରାଜ୍ୟ ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳ (ଏଲଜି)ଙ୍କ ଶାସନାଧୀନ ଥିଲା । କେନ୍ଦ୍ର ଶାସିତ ରାଜ୍ୟ ହେବା ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ବିଧାନସଭା ନିର୍ବାଚନ ଗତ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୦୧ ତାରିଖ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ହୋଇଥିଲା । ବିଜେପି ଆଶା କରିଥିଲା, ୨୦୧୯ରେ ରାଜ୍ୟରୁ ୩୭୦ ଧାରା ଉଚ୍ଛେଦ ଓ ରାଜ୍ୟ ପୁନର୍ଗଠନ ପରେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଜମ୍ମୁ-କଶ୍ମୀରରେ ଶାନ୍ତି ଫେରିଛି ଓ ବିକାଶ କାର୍ଯ୍ୟ ହୋଇଛି । ତେଣୁ, ରାଜ୍ୟବାସୀ ବିଜେପିକୁ ଭୋଟ ଦେବେ । କିନ୍ତୁ, ନିର୍ବାଚନ ଫଳାଫଳ ଜମ୍ମୁ-କଶ୍ମୀର ନ୍ୟାସନାଲ କନ୍ଫରେନ୍ସ (ଜେକେଏନସି) ସପକ୍ଷରେ ଯାଇଛି । ଏନସି-କଂଗ୍ରେସ ମେଂଟ ସର୍ବାଧିକ ସଂଖ୍ୟକ ବିଧାନସଭା ଆସନ ଜିତି ସରକାର କରିଛନ୍ତି । ତେବେ, କଂଗ୍ରେସ ପ୍ରତ୍ୟକ୍ଷ ଭାବେ ସରକାରରେ ସାମିଲ ହୋଇନାହିଁ । ମୁସଲମାନ ବହୁଳ ଶ୍ରୀନଗର ଘାଟି ଅଂଚଳରେ ଏନସି ଭଲ ପ୍ରଦର୍ଶନ କରିଥିବା ବେଳେ ହିନ୍ଦୁ ବହୁଳ ଜମ୍ମୁ ଅଂଚଳରେ ବିଜେପି ଭଲ ପ୍ରଦର୍ଶନ କରିଛି । ଜେକେଏନସି ନେତା ଓମାର ଅବଦୁଲ୍ଲା ଦ୍ୱିତୀୟ ଥର ପାଇଁ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଜମ୍ମୁ ଅଂଚଳରେ ଜେକେଏନସି କଂଗ୍ରେସଠାରୁ ଯେଭଳି ପ୍ରଦର୍ଶନ ଆଶା କରିଥିଲା ସେଭଳି ହୋଇନଥିବାରୁ ନିରାଶ । ଅପରପକ୍ଷରେ, ଅକ୍ଟୋବର ୦୫ରେ ଅନୁଷ୍ଠି ହରିୟାଣା ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରି ବିଜେପିକୁ ଲଗାତର ତୃତୀୟ ଥର ପାଇଁ ସରକାର କରିବାକୁ ସୁଯୋଗ ଦେଇଛି । ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଲଗାତର ଦ୍ୱିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଜମ୍ମୁ-କଶ୍ମୀର ଓ ହରିୟାଣାରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ବିରୋଧୀ ‘ଇଣ୍ଡି’ ମେଂଟକୁ କ୍ଷୁବ୍ଧ କରିଛି । କଂଗ୍ରେସ ବିରୋଧୀ ମେଂଟରେ ତାହାର ଗୁରୁତ୍ୱ ହରାଇଛି । ନଭେମ୍ବର ୧୩ରୁ ୨୦ ପର୍ଯ୍ୟନ୍ତ ଝାଡଖଣ୍ଡ ଓ ୨୦ ତାରିଖରେ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ର ଶେଷ ଦୁଇ ନିର୍ବାଚନ ହୋଇଥିବା ବେଳେ ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ବିଜେପି-ଶିବସେନା-ଏନସିପି ମେଂଟ (ମହାୟୁତି) ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛି । ଝାଡଖଣ୍ଡରେ କଂଗ୍ରେସ ଜେଏମଏମର ସହଯୋଗୀ ଦଳ ଥିଲା ଓ ରହିଛି । ଅନ୍ୟପକ୍ଷରେ, ମହାରାଷ୍ଟ୍ରରେ ଦୁଇ ଫାଳ ହୋଇ ରହିଥିବା ଶିବସେନା ଓ ଏନସିପି ଉପରେ ସମସ୍ତଙ୍କ ନଜର ଥିଲା । ଶିବସେନାର ଗୋଟିଏ ଫାଳ (ଏକନାଥ ସିନ୍ଧେ ଗୋଷ୍ଠୀ) ଓ ଏନସିପିର ଗୋଟିଏ ଫାଳ (ଅଜିତ ପାୱାର ଗୋଷ୍ଠୀ) ମହାରାଷ୍ଟ୍ର ମହାୟୂତି ସରକାରରେ ଥିବା ବେଳେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଓ ଏନସିପି (ଶରଦଚନ୍ଦ୍ର ପାୱାର) ଗୋଷ୍ଠୀ କଂଗ୍ରେସ ଥିବା ମହା ବିକାଶ ଅଘାଡି (ଏମଭିଏ)ରେ ଅଛନ୍ତି । ୨୦୧୯ରୁ ୨୦୨୪ ମହାରାଷ୍ଟ୍ର ତିନି ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛି । ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମାତ୍ର ତିନି ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଅବିଭକ୍ତ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଢେଇ ବର୍ଷ ଧରି ଏମଭିଏରୁ ମୁଖ୍ୟମନ୍ତ୍ରୀ ଥିଲେ । ପରେ ଶିବସେନାରେ ବିଭାଜନ ଘଟି ବିଭାଜିତ ଗୋଷ୍ଠୀ ମୁଖ୍ୟ ଏକନାଥ ସିନ୍ଧେ ବିଜେପି ସହ ମେଂଟରେ ନୂତ ସରକାର ଗଠନ ପର୍ଯ୍ୟନ୍ତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୂତିର ଚିତ୍ତାକର୍ଷକ ବିଜୟ ପରେ ବିଜେପି ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ବିରୋଧୀ ମେଂଟ ମହା ବିକାଶ ଅଘାଡି (ଏମଭିଏ) ଏବେ ପରିଚୟ ସଂକଟରେ ପଡିଛି । ୨୦୨୪ରେ ଏପ୍ରିଲ ୧୯ ତାରିଖରେ ଉତ୍ତର ପୂର୍ବାଂଚଳ ରାଜ୍ୟ ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ମଧ୍ୟ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ଅରୁଣାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଙ୍କ ବିଜେପି ସରକାର ଓ ସିକ୍କିମରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଂଗଙ୍କ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ) ସରକାର ପୁନଃ କ୍ଷମତାସୀନ ହୋଇଛନ୍ତି । ମହାରାଷ୍ଟ୍ରରେ ଏମଭିଏର ପରାଜୟ ପରେ ବିରୋଧୀ ‘ଇଣ୍ଡି’ ମେଂଟରେ କଂଗ୍ରେସ-ବିରୋଧୀ ସ୍ୱର ତେଜିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମେଂଟ ନେତାମାନେ ହରିୟାଣା, ମହାରାଷ୍ଟ୍ର ପରାଜୟ ପାଇଁ ଦାୟି କରିବା ସହ ତାଙ୍କ ନେତୃତ୍ୱ ଆଉ ଗ୍ରହଣୀୟ ନୁହେଁ ବୋଲି କହିଲେଣି । ଟିଏମସି ମୁଖ୍ୟ (ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ) ମମତା ବାନାର୍ଜୀ ଏବେ ନିଜ ଆଡୁ କହିଲେଣି ସେ ବିରୋଧୀ ମେଂଟର ନେତୃତ୍ୱ ନେବାକୁ ପ୍ରସ୍ତୁତ । ଶରଦ ପାୱାର (ଏନସିପି), ଲାଲୁପ୍ରସାଦ ଯାଦବ (ଆରଜେଡି), ଅରବିନ୍ଦ କେଜରୀୱାଲ (ଆପ୍), ଫାରୁକ ଅବଦୁଲ୍ଲା (ଏନସି)ଙ୍କ ଭଳି ବରିଷ୍ଠ ବିରୋଧୀ ନେତାମାନେ ମମତାଙ୍କୁ ନେତୃତ୍ୱ ନେବାକୁ ସ୍ୱାଗତ କଲେଣି । ଏହା ସହ ବର୍ଷ ଶେଷକୁ କଂଗ୍ରେସର ଅଡୁଆ ବଢିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ୨୦୨୪ର ମହାଲଢେଇ ସରିଛି । ୨୦୨୫ ଫେବୃୟାରୀ ୨୩ ପୂର୍ବରୁ ଦିଲ୍ଲୀ ଏବଂ ଅକ୍ଟାବର-ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏବେ ଶାସକ ଓ ବିରୋଧୀଙ୍କ ଫୋକସ୍ ଏହି ଦୁଇ ରାଜ୍ୟ ଉପରେ ରହିଛି । ଦିଲ୍ଲୀରେ ଦୀର୍ଘ ୧୫ ବର୍ଷ ହେଲା ଆମ୍ ଆଦମୀ ପାର୍ଟି (ଆପ୍) ସରକାର ରହିଛି । ତେବେ, ଦଳର ମୁଖ୍ୟ ଅରବିନ୍ଦ କେଜରୀୱାଲ ଦୁର୍ନୀତି ଅଭିଯୋଗରେ ଫସି ଘାଟି ହେଉଥିବା ବେଳେ ବିଜେପି ଓ କଂଗ୍ରେସ କ୍ଷମତା ଦଖଲ ପ୍ରୟାସରେ ରହିଛନ୍ତି । ଫେବୃୟାରୀରେ ବା ତାହା ପୂର୍ବରୁ ରାଜ୍ୟରେ ବିଧାନସଭା ହେବ । ‘ଆପ୍’ ଜାତୀୟ ରାଜନୀତିରେ ବିରୋଧୀ ‘ଇଣ୍ଡି’ ମେଂଟର ସହଯୋଗୀ ଦଳ ଥିଲେ ମଧ୍ୟ ଦିଲ୍ଲୀ ନିର୍ବାଚନରେ ଏକାକୀ ଲଢିବ ବୋଲି ଘୋଷଣା କରି ସାରିଛି । ତେଣୁ, ରାଜ୍ୟରେ କଂଗ୍ରେସ, ବିଜେପି ଓ ‘ଆପ୍’ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ନିଶ୍ଚିତ । ୨୦୨୫ ଶେଷ ଆଡକୁ ବିହାରରେ ନିର୍ବାଚନ ହେବ । ରାଜ୍ୟରେ ବିଜେପି-ଜେଡିୟୁ ନେତୃତ୍ୱାଧୀନ ଏନଡିଏ ସରକାର ରହିଛି ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଅଛନ୍ତି । ରଂଗ ବଦଳାଇବାରେ ନୀତୀଶ ମାହିର । ତେଣୁ, ନିର୍ବାଚନ ବେଳକୁ ରାଜନୈତିକ ପରିସ୍ଥିତି କଣ ଥିବ, ତାହା ଆଜିଠାରୁ କହିବା କଷ୍ଟକର ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS