ସିଂହଙ୍କ ଚିତାଭଷ୍ମ ଯମୁନା ଘାଟରେ ବସର୍ଜିତ, ତଥାପି ରାଜନୀତି ଥମୁନି !
ପ୍ରସାଦ ରାଓ
ଡିସେମ୍ବର ୨୯
ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଚିତାଭଷ୍ମ ଆଜି ଦିଲ୍ଲୀର ମଜନୁ କା ତିଲା ସାହେବ ଗୁରୁଦ୍ୱାର ନିକଟରେ ଯମୁନା ଘାଟରେ ବସର୍ଜିତ ହୋଇଛି । ସକାଳେ ଡକ୍ଟର ସିଂହଙ୍କ ଚିତାଭଷ୍ମ ଏହି ଗୁରୁଦ୍ୱାରରେ ରଖାଯାଇ ଶିଖ୍ ପରଂପରା ମୁତାବକ ସବଦକିର୍ତ୍ତନ (ସଂଗୀତ ମାଧ୍ୟମରେ ଗୁରୁ ଗ୍ରନ୍ଥ ସାହିବ ପରିବେଷଣ), ପାଠ (ଗୁରୁବାଣୀ ପାଠ) ଓ ଅର୍ଦ୍ଦାଶ ଭଳି ପାରଂପରିକ ରିତିନୀତିରେ ସମାପନ କରାଯାଇଥିଲା । ପରେ ସିଂହଙ୍କ ପତ୍ନୀ ଗୁରଶରଣ କୌର ଓ ପରିବାର ସଦସ୍ୟମାନେ ଗୁରୁଦ୍ୱାର ନିକଟ ଯମୁନା ଘାଟରେ ଚିତାଭଷ୍ମ ବିସର୍ଜନ କରିଛନ୍ତି । ଡକ୍ଟର ସିଂହ ୧୯୯୧ରୁ ୧୯୯୬ ଦେଶର ଅର୍ଥମନ୍ତ୍ରୀ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କ ଆମନ୍ତ୍ରଣକ୍ରମେ ସେ ଅର୍ଥମନ୍ତ୍ରୀ ଭାବେ ସରକାରରେ ଯୋଗଦେଇ ଦେଶର ଅର୍ଥନୀତିକୁ ବାଟକୁ ଆଣିଥିଲେ । ଭାରତ ସମେତ ସମଗ୍ର ବିଶ୍ୱ ତାଙ୍କୁ ଏହି କାର୍ଯ୍ୟ ପାଇଁ ଶ୍ରେୟ ଦେଇଆସୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରେ ଡକ୍ଟର ସିଂହ ଦେଶର ୧୩ତମ ପ୍ରଧାନମନ୍ତ୍ରୀ ଥିଲେ । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଂଟର ନେତୃତ୍ୱ ନେଇ ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦୀର୍ଘ ଦଶ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ଗତ ୨୬ ତାରିଖ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଦିଲ୍ଲୀ ‘ଏମସ୍’ରେ ଭର୍ତ୍ତି କରାଯାଇଥିଲା ଏବଂ ସେଦିନ ରାତି ୯ଟା ୫୧ ମିନିଟରେ ସିଂହଙ୍କ ଦେହାନ୍ତ ଘଟିଥିଲା । ୨୮ ତାରିଖ ଦିନ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦିଲ୍ଲୀର କଶ୍ମେରେ ଗେଟ୍ ନିକଟସ୍ଥ ନିଗମବୋଧ ଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସମେତ ବହୁ ରାଜନେତା, କେନ୍ଦ୍ର କ୍ୟାବିନେଟର ସଦସ୍ୟ ଏବଂ ବିଶିଷ୍ଟ ବ୍ୟକ୍ତି ଏହି ଶେଷକୃତ୍ୟରେ ଯୋଗଦେଇ ଦିବଂଗତ ନେତାଙ୍କୁ ଶେଷ ବିଦାୟ ଦେଇଥିଲେ । କଂଗ୍ରେସରୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଦିବଂଗତ ନେତାଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ । ନିଗମମୋଧ ଘାଟରେ ଶେଷକୃତ୍ୟ ସଂପନ୍ନ ହେବା ପୂର୍ବରୁ ଡକ୍ଟର ସିଂହଙ୍କ ମରଶରୀରକୁ ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ରଖା ଯାଇ ଶେଷ ଦର୍ଶନ ଓ ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଥିଲା । କେନ୍ଦ୍ର ସରକାର ଦିବଂଗତ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁରେ ସାତଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିବାରୁ ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି । କଂଗ୍ରେସ ଦଳ ମଧ୍ୟ ଜାନୁୟାରୀ ୦୩ ତାରିଖ ପର୍ଯ୍ୟନ୍ତ ତାହାର ସମସ୍ତ ଦଳୀୟ କାର୍ଯ୍ୟକ୍ରମ ବାତିଲ ଘୋଷଣା କରିଛି । ସିଂହଙ୍କ ମୃତ୍ୟୁରେ ସମଗ୍ର ଦେଶରେ ଦୁଃଖର ବାତାବରଣ ରହିଥିବା ବେଳେ କଂଗ୍ରେସ-ବିଜେପି ରାଜନୀତି ମଧ୍ୟ ଯୋର ଧରିଛି । ଡକ୍ଟର ସିଂହଙ୍କ ଶେଷକୃତ୍ୟ ପାଇଁ କେନ୍ଦ୍ର ସରକାର ନିଗମବୋଧ ଘାଟକୁ ବାଛିବା ଏବଂ ଶେଷକୃତ୍ୟ ସଂପନ୍ନ କରାଯିବା ସମୟରେ ସିଂହଙ୍କ ପରିବାର ସଦସ୍ୟଙ୍କ ପାଇଁ ମାତ୍ର ତିନିଟିର ବ୍ୟବସ୍ଥା ରହିବା ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜଣେ ଶିଖ୍ ନେତାଙ୍କ ପ୍ରତି ଘୋର ‘ଅପମାନଜନକ’ ବୋଲି କଂଗ୍ରେସ ଅଭିଯୋଗ କରିଥିବା ବେଳେ ବିଜେପି ଏହାକୁ ‘ଶସ୍ତା ରାଜନୀତି’ କହି ଟାଳି ଦେଇଛି । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀହରଦୀପ ସିଂହ ପୁରୀ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହଙ୍କ ଦେହାନ୍ତ ଖବର ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ କେନ୍ଦ୍ର କ୍ୟାବନେଟ ବୈଠକ ଡାକି ଥିଲେ ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସିଂହଙ୍କ ଶେଷକୃତ୍ୟ ସଂପନ୍ନ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀରେ ଡକ୍ଟର ସିଂହଙ୍କ ସ୍ମାରକୀ ପ୍ରତିଷ୍ଠା ପାଇଁ ଏଆଇସିସି ମୁଖ୍ୟ ଖାର୍ଗେଙ୍କ ଲିଖିତ ଅନୁରୋଧକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଗ୍ରହଣ କରିଥିଲେ । ଦେଶର ପୂର୍ବତନ ଦିବଂଗତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ ପ୍ରତିଷ୍ଠା ପାଇଁ ଦିଲ୍ଲୀରେ ଥିବା ‘ଏକତା ସ୍ଥଳ’ରେ ନଅଟି ସ୍ଥାନ ଥିବା ବେଳେ ସାତଟି ସ୍ଥାନ ପୂରଣ ହୋଇ ସାରିଛି । ସେଠାରେ ଚାରି ଜଣ ପୂର୍ବ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ, ଶଙ୍କର ଦୟାଲ ଶର୍ମା, କେ.ଆର.ନାରାୟଣ ଓ ଆର.ଭେଂକଟ ରମଣ ଏବଂ ତିନି ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର, ଆଇ.କେ.ଗୁଜରାଲ ଓ ପି.ଭି.ନରସିଂହ ରାଓଙ୍କ ସ୍ମାରକୀ ରହିଛି । ସେଠାରେ ଦୁଇଟି ସ୍ଥାନ ଖାଲି ରହିଛି । ତେବେ, କଂଗ୍ରେସ ଦଳ ଅଧିକ କିଛି ଚାହୁଁଥିବା ଦଳର ଆବେଦନରୁ ସୂଚନା କିଳୁଛି । ତାହା ମଧ୍ୟ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପୁରୀ କହିଛନ୍ତି । ଏହାସତ୍ତ୍ୱେ ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ଶସ୍ତା ରାଜନୀତି । ନବେ ଦଶକରେ ଭାରତୀୟ ଅର୍ଥନୀତିରେ ସଂସ୍କାର ଆଣିବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ମଧ୍ୟ ଡକ୍ଟର ସିଂହଙ୍କ ସହ ସମାନ ଭାବେ ସମ୍ମାନର ହକଦାର । ତଥାପି, ୨୦୦୪ ଡିସେମ୍ବର ୨୩ ତାରିଖରେ ରାଓଙ୍କ ମୃତ୍ୟୁ ପରେ କଂଗ୍ରେସ ନେତୃତ୍ୱ ତାଙ୍କ ମରଶରୀରକୁ ଦିଲ୍ଲୀସ୍ଥିତି କଂଗ୍ରେସ ମୁଖ୍ୟାଳୟରେ ପ୍ରବେଶ ଅନୁମତି ଦେଇନଥିଲେ । ହାଇଦ୍ରାବାଦରେ ରାଓଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ହିଁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଓଙ୍କ ସ୍ମାରକୀ ପ୍ରତିଷ୍ଠା ପାଇଁ ଦିଲ୍ଲୀରେ ସ୍ଥାନ ଯୋଗାଇ ଦିଆଯାଇଥିଲା । ଯେଉଁମାନେ ଆଜି ଶିଖ୍ ନେତାଙ୍କ ପ୍ରତି ଅସମ୍ମାନ ହୋଇଥିବା କହୁଛନ୍ତି ୧୯୮୪ ଶିଖ୍-ବିରୋଧୀ ଦଂଗା ସମୟରେ ସେମାନେ କଣ କରୁଥିଲେ (?) ବୋଲି କେନ୍ଦ୍ର ମନ୍ତ୍ରୀ ପୁରୀ କଂଗ୍ରେସ ନେତୃତ୍ୱକୁ ପ୍ରଶ୍ନ କରିଛନ୍ତି । ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହଙ୍କ ଚିତାଭିଷ୍ମ ଦିଲ୍ଲୀ ଯମୁନା ଘାଟରେ ବିସର୍ଜନ ସମୟରେ ଗାନ୍ଧୀ ପରିବାରରୁ କେହି ଜଣେ ହେଲେ ସେଠାରେ ଉପସ୍ଥିତ ନଥିଲେ । ଜଣେ ହେଲେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସେଠାରେ ଦେଖିବାକୁ ମିଳି ନଥିଲା ବୋଲି କେନ୍ଦ୍ର ମନ୍ତ୍ରୀ ପୁରୀ କ୍ଷୋଭର ସହ କରିଛନ୍ତି । ଏହାର ଉତ୍ତରରେ କଂଗ୍ରେସ କହିଛି, ଆଜିର କାର୍ଯ୍ୟକ୍ରମ ସଂପୂର୍ଣ୍ଣ ପାରିବାରିକ ବୋଲି ଡକ୍ଟର ସିଂହଙ୍କ ପରିବାର ସୂଚିତ କରିଥିଲେ । ତେଣୁ, କଂଗ୍ରେସର କେହି ବରିଷ୍ଠ ନେତା ସେଠାରେ ଉପସ୍ଥିତ ନଥିଲେ । ବିଜେପି ଏହି ଯୁକ୍ତିକୁ ଗ୍ରହଣ କରିବା ସ୍ଥିତିରେ ନାହିଁ । ଡକ୍ଟର ସିଂହଙ୍କ ପରିବାର ଆଜିର କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ପାରିବାରିକ କହିଥିଲେ ମଧ୍ୟ ଡକ୍ଟର ସିଂହ ଥିଲେ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କହି ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ଶୋଭାଯାତ୍ରାରେ ସମୟର ଚିତ୍ର ଉପସ୍ଥାପନ କରିଛି । ଦଳ କେତେଦୂର କଣ କରିବାକୁ ଚାହୁଁଛି ତାହା ଦଳର ନେତୃତ୍ୱ ଉପରେ ନିର୍ଭର କରୁଛି ବୋଲି ବିଜେପି କଂଗ୍ରେସକୁ ଛିଗୁଲାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS