ଡକ୍ଟର ମନମୋହନ ସିଂହଙ୍କ ଶେଷକୃତ୍ୟ କାଲି…
ପ୍ରସାଦ ରାଓ
ଡିସେମ୍ବର ୨୭
ଗତକାଲି ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଶେଷକୃତ୍ୟ ଆସନ୍ତା କାଲି ସଂପନ୍ନ ହେବ ବୋଲି ସୂଚନା ମିଳିଛି । ୯୨ ବର୍ଷ ବୟସରେ ଡକ୍ଟର ସିଂହ ୨୬ ତାରିଖ ରାତି ୯ଟା ୧୫ ମିନିଟରେ ଦିଲ୍ଲୀ ‘ଏମସ୍’ରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ବିଶ୍ୱନେତା ଡକ୍ଟର ସିଂହଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡକ୍ଟର ସିଂହଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ଶୋକ ପ୍ରସ୍ତାବ ଗୃହୀତ କରାଯାଇଛି । ଗତକାଲି ରାତିରେ ଡକ୍ଟର ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ରାତି ୮ଟା ୦୬ ମିନିଟରେ ତାଙ୍କୁ ‘ଏମସ୍’ରେ ଜରୁରୀକାଳୀନ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା । ରାତି ୯ଟା ୧୫ ମିନିଟ ସମୟରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ଆଜି କଂଗ୍ରେସ ଦଳର ପୂର୍ବତନ ସଭାପତି ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳମତ ନିର୍ବିଶେଷରେ ସବୁ ଦଳର ନେତା ଡକ୍ଟର ସିଂହଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ନୂଆଦିଲ୍ଲୀରେ ଥିବା ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି । ଡକ୍ଟର ସିଂହଙ୍କ ମୃତ୍ୟୁରେ ଦେଶବ୍ୟାପୀ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି । ଆସନ୍ତା କାଲି ସକାଳେ ନୂଆଦିଲ୍ଲୀସ୍ଥିତ ଏଆଇସିସି (ନିଖିଳ ଭାରତ କଂଗ୍ରେସ କମିଟି) ମୁଖ୍ୟାଳୟରୁ ଡକ୍ଟର ସିଂହଙ୍କ ପାର୍ଥିବ ଶରୀରର ଶେଷଯାତ୍ରା ଆରମ୍ଭ ହେବା ଆଜି ସୂଚନା ମିଳିଛି । ୧୯୨୪ ମସିହାରେ କର୍ଣ୍ଣାଟକର ବେଲଗାଭିଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏଆଇସିସି ଅଧିବେଶନ ହୋଇଥିଲା । ତାହାର ଶତବାର୍ଷିକୀ ପାଳନ ପାଇଁ କଂଗ୍ରେସ ଦଳ ପକ୍ଷରୁ ବେଲଗାଭିରେ ଏକ ମେଗା ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ଗତକାଲି ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ଗୁରୁବାର ଦିନ ବେଲଗାଭି ସମ୍ମିଳନୀ ଅବସରରେ ପରିବର୍ଦ୍ଧିତ କଂଗ୍ରେସ କାର୍ଯ୍ୟକାରୀଣୀ (ସିଡବ୍ଲୁସି)ର ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଥିଲା । ଏଆସିସି ସଭାପତି ଖାର୍ଗେ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ସମତେ କଂଗ୍ରେସ ଦଳର ଅଧିକାଂଶ ବରିଷ୍ଠ ନେତା ଏହି ସିଡବ୍ଲୁସି ଅଧିବେଶନରେ ଭାଗ ନେଇ ଉଦ୍ବୋଧନ ଦେଇଥିଲେ । ଆଜି ସେମାନେ ସମ୍ମିଳନୀ ସ୍ଥଳରେ ଆୟୋଜିତ ‘ଜୟ ବାପୁ-ଜୟ ଭୀମ-ଜୟ ସମ୍ବିଧାନ’ ମେଗା ସମାବେଶରେ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହଙ୍କ ଦେହାନ୍ତ ଖବର ମିଳିବାରୁ ବେଲଗାଭି ଅଧିବେଶନକୁ ବାତିଲ କରି ସମସ୍ତ ନେତା ଦିଲ୍ଲୀ ଫେରି ଆସିଛନ୍ତି । ପ୍ରଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ସିଂହ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କ ସରକାରରେ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଦେଶ ସେତେବେଳେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିଲା ଏବଂ ଡକ୍ଟର ସିଂହ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ଦେଶରେ ଆର୍ଥକ କଟକଣା ଯୁଗର ଅନ୍ତଃ ଘଟାଇ ଉଦାରୀକରଣ ଅର୍ଥନୀତିକୁ ଆପଣାଇବା ସହ ବ୍ୟାପକ ଆର୍ଥିକ ସଂସ୍କାର ଆଣିଥିଲେ, ଯାହାର ସୁଫଳ ଦେଶକୁ ମିଳିଛି । ଡକ୍ଟର ସିଂହ ଦୁଇ ପର୍ଯ୍ୟାୟରେ ୨୦୦୪ରୁ ୨୦୦୯ ଓ ୨୦୦୯ରୁ ୨୦୧୪ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ୟୁପିଏ-୧ ଓ ୟୁପିଏ-୨ ସରକାରରେ ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ମନରେଗା, ସୂଚନା ଅଧିକାର ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ଆଇନ କାର୍ଯ୍ୟକାରୀ କରିଛନ୍ତି । ଦେଶର ଗ୍ରାମାଂଚଳ ଜନତାଙ୍କୁ ବର୍ଷକୁ ଶହେ ଦିନ କର୍ମସଂସ୍ଥାନ ବା ରୋଜଗାର ଯୋଗାଇ ଦେବାକୁ ଡକ୍ଟର ସିଂହ ୨୦୦୫ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଂଟ (ମନରେଗା) ଯୋଜନା କାର୍ଯ୍ୟକାରୀ କରିଥିଲେ । ସେହି ବର୍ଷ ଦେଶରେ ସୂଚନା ଅଧିକାର ଆଇନ (ଆରଟିଆଇ) ମଧ୍ୟ ଗୃହୀତ କରାଯାଇଥିଲା । ଡକ୍ଟର ସିଂହ ଦେଶର ପ୍ରଧାନମନ୍ତ୍ରୀଥିବା ସମୟରେ ଐତିହାସିକ ଭାରତ-ଆମେରିକା ବେସାମରିକ ଆଣବିକ ରାଜିନାମା ସ୍ୱାକ୍ଷର ହୋଇଥିଲା । ଡକ୍ଟର ସିଂହ ଓ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁଶ ଏହି ରାଜିନାମା ସ୍ୱାକ୍ଷର କରିଥିଲେ । ପ୍ରଧାନମନ୍ତ୍ରୀ ଥିବା ସମୟରେ ଡକ୍ଟର ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ଓ ଅଟଳ ବିହାରୀ ବାଜପେୟୀଙ୍କ ବିଦେଶ ନୀତିକୁ କାଏମ ରଖି ପଡୋଶୀ ରାଷ୍ଟ୍ରଙ୍କ ସହ ସୁସଂପର୍କ ବଜାୟ ରଖିଥିଲେ ଏବଂ ତାହାକୁ ଆଗକୁ ନେଇଥିଲେ । ପ୍ରଧାନମନ୍ତ୍ରୀ ଡକ୍ଟର ସିଂହଙ୍କ ଦେଶ ପ୍ରତି ଏତେସବୁ ଅବଦାନ ଥାଇ ସୁଦ୍ଧା ଜୀବିତାବସ୍ଥାରେ ତାଙ୍କୁ ‘ରିମୋଟ’ରେ ପରିଚାଳିତ ପ୍ରଧାନମନ୍ତ୍ରୀ ବା ଜଣେ ‘ଦୁର୍ବଳ ପ୍ରଧାନମନ୍ତ୍ରୀ’ ଭାବେ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା । ୨୦୦୪ରୁ ୨୦୧୪ ଦଶ ବର୍ଷ ଧରି ସେ କଂଗ୍ରେସ ନେତୃତ୍ୱରେ ପରିଚାଳିତ ୟୁପିଏ ସରକାରର ନେତୃତ୍ୱ ନେଇଥିଲେ ଏବଂ ଅଧିକାଂଶ କ୍ଷେତ୍ରରେ ମେଂଟ ଧର୍ମ ରକ୍ଷା କରିବାକୁ ଯାଇ ଶାସନରେ କୋହଳ ମନୋଭାବ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ । ତାହା ହିଁ ଥିଲା ତାଙ୍କ ଦୁର୍ବଳତା । ପ୍ରଧାନମନ୍ତ୍ରୀ ଥାଇ ସେ ତତ୍କାଳୀନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଦ୍ୱାରା ପରିଚାଳିତା ହେବା ମଧ୍ୟ ଥିଲା ଆଉ ଏକ ଦୁର୍ବଳତା । ବିରୋଧୀ ତାଙ୍କୁ ରିମୋଟରେ ପରିଚାଳିତ ପ୍ରଧାନମନ୍ତ୍ରୀ କହି ଆକ୍ଷେପ କରୁଥିଲେ । ୟୁପିଏ-୨ ସରକାର ବିରୋଧରେ ତତ୍କାଳୀନ ସିଏଜିଙ୍କ ଦ୍ୱାରା ହୋଇଥିବା ଗୁରୁତର ଦୁର୍ନୀତି ଅଭିଯୋଗ ଦେଶରେ ତୀବ୍ର ଅସନ୍ତୋଷ ସୃଷ୍ଠି କରିଥିଲା । ପ୍ରଧାନମନ୍ତ୍ରୀ ଭାବେ ଡକ୍ଟର ସିଂହ ବିରୋଧୀଙ୍କ ପ୍ରଚାରର ସଫଳ ମୁକାବିଲା କରିବାରେ ବିଫଳ ହୋଇଥିଲେ । ଫଳରେ, ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୨ ସରକାରର ପତନ ଘଟିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାକୁ ଆସିଥିଲା । କ୍ଷମତାରୁ ଯିବା ପରେ ମଧ୍ୟ ଡକ୍ଟର ସିଂହ ବିଶ୍ୱବାସୀଙ୍କ ଆଖିରେ ଜଣେ ସମ୍ମାନସ୍ପଦ ରାଜନେତା ଓ ଅର୍ଥନୀତି ବିଶାରଦ ରହିଛନ୍ତି । ତାଙ୍କୁ ଦୁର୍ବଳ ପ୍ରଧାନମନ୍ତ୍ରୀ କହି ଆକ୍ଷେପ କରି ଆସୁଥିବା ବିରୋଧୀ ମଧ୍ୟ ତାଙ୍କ ନିର୍ବିବାଦୀୟ ଓ ସରଳ ବ୍ୟକ୍ତିତ୍ୱକୁ ସମ୍ମାନ ଦେବାକୁ ବାଧ୍ୟ ହୋଇଛନ୍ତି । ଏହାଠାରୁ ବଡ ଉପଲବ୍ଧୀ ଆଉ କଣ ହୋଇପାରେ ?
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS