ଦିଲ୍ଲୀ ନିର୍ବାଚନ ପୂର୍ବରୁ କଂଗ୍ରେସ-ଆପ୍ କଳି, ଫାଇଦାରେ ବିଜେପି !
ପ୍ରସାଦ ରାଓ
ଡିସେମ୍ବର ୨୬
୨୦୨୫ ଫେବୃୟାରୀ ପୂର୍ବରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିରୋଧୀ ‘ଇଣ୍ଡି’ ମେଂଟରେ କଳି ସାମ୍ନାକୁ ଆସିଛି । ଦିଲ୍ଲୀ କଂଗ୍ରେସ ନେତା ଅଜୟ ମାକାନ ଗତକାଲି ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କୁ ‘ଦେଶ ବିରୋଧୀ’ ବୋଲି ଆକ୍ଷେପ କରିଥିବାରୁ ‘ଆପ୍’ ଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ନେତୃତ୍ୱ ମାକାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କଂଗ୍ରେସକୁ ‘ଇଣ୍ଡି’ ମେଂଟରୁ ବିଦା କରାଯିବାକୁ ‘ଆପ୍’ ମେଂଟ ସଦସ୍ୟଙ୍କ ନିକଟରେ ଦାବି ରଖିବ ବୋଲି ଆଜି ‘ଆପ୍’ ନେତାମାନେ ଚେତାଇ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଓ ‘ଆପ୍’ ରାଜ୍ୟସଭା ସଦସ୍ୟ ସଂଜୟ ସିଂହ ଆଜି ଦିଲ୍ଲୀରେ ଏହି ସୂଚନା ଦେଇଛନ୍ତି । ସେମାନେ ଅଭିଯୋଗ କରଛନ୍ତି ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନ କଂଗ୍ରେସ ବିଜେପିକୁ ସୁହାଇଲା ଭଳି କାର୍ଯ୍ୟ କରୁଛି । କଂଗ୍ରେସ ନେତା ଅଜୟ ମାକାନ ବିଜେପି ମୁଖପାତ୍ର ଭଳି ବୟାନବାଜୀ କରୁଛନ୍ତି । ଗତକାଲି ମାକାନ ସବୁ ସୀମା ଟପି ଯାଇ ‘ଆପ୍’ ମୁଖ୍ୟ କେଜରୀୱାଲଙ୍କୁ ‘ଦେଶ ବିରୋଧୀ’ ବୋଲି କହିଛନ୍ତି । ସେଥିରୁ, ମାକାନ ବିଜେପି ଦ୍ୱାରା ଲିଖିତ ବିବୃତି ପଢିଲା ଭଳି ମନେ ହେଉଛି । ଅପରପକ୍ଷରେ, କଂଗ୍ରେସ ବା କଂଗ୍ରେସ ନେତା ମାକାନ ଦିଲ୍ଲୀର କୌଣସି ବିଜେପି ନେତାଙ୍କୁ କେବେ ‘ଦେଶ ବିରୋଧୀ’ ବୋଲି ଆକ୍ଷେପ କରିବା ନଜିର ନାହିଁ । ହରିୟାଣା ବିଧାନସଭା ନିର୍ବାଚନରେ ‘ଇଣ୍ଡି’ ମେଂଟର ସଦସ୍ୟ ଭାବେ ‘ଆପ୍’ କଂଗ୍ରେସ ସହ ଆସନ ବୁଝାମଣା କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ କଂଗ୍ରେସ ତାହାକୁ ପ୍ରତ୍ୟାଖାନ କରିଥିଲା । ଫଳରେ, ‘ଆପ୍’ ହରିୟାନାରେ ଏକାକୀ ନିର୍ବାଚନ ଲଢିଥିଲା । ଆଗକୁ ଥବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଆପ୍’ କଂଗ୍ରେସ ସହ କୌଣସି ପ୍ରକାର ଆସନ ବୁଝାମଣା କରିବ ନାହିଁ, ଏକାକୀ ନିର୍ବାଚନ ଲଢିବ ବୋଲି ଚଳିତ ମାସ ପ୍ରାରମ୍ଭରେ ‘ଆପ୍’ ମୁଖ୍ୟ କେଜରୀୱାଲ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତର ଦେଇ ସ୍ପଷ୍ଟ କରି ଦେଇଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି, କଂଗ୍ରେସ ଓ ‘ଆପ୍’ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ ହୋଇସାରିଥିବା ବେଳେ କଂଗ୍ରେସ ନେତାମାନେ ‘ଆପ୍’ ନେତାଙ୍କ ବିରୋଧରେ ଲଗାତର ରାଜନୈତିକ ଆକ୍ରମଣ ଚଳାଇ ଥିବାରୁ ବିଜେପିକୁ ତାହା ସୁହାଇଲା ଭଳି ହୋଇଛି । ଦିଲ୍ଲୀ କଂଗ୍ରେସ ନେତା ସନ୍ଦୀପ ଦିକ୍ଷୀତ (ଦିଲ୍ଲୀର ଦିବଂଗତ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କ ପୁଅ) ‘ଆପ୍’ ନେତୃତ୍ୱକୁ ଲଗାତର ଭାବେ ସମାଲୋଚକ କରି ଆସୁଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକାନଙ୍କ ଗତକାଲିର କେଜରୀୱାଲ-ବିରୋଧୀ ମନ୍ତବ୍ୟ ବିଜେପିକୁ ସୁହାଇଲା ଭଳି ହୋଇଛି । ଗତ ଲୋକସଭା ନିର୍ବାଚନରେ ‘ଆପ୍’ ଓ କଂଗ୍ରେସ ମିଳିତ ଭାବେ ଲଢିଥିଲେ ଏବଂ ଉଭୟ ଉଭୟଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ । ତଥାପି, ଦିଲ୍ଲୀର ସାତଟି ଯାକ ଲୋକସଭା ଆସନରେ ବିଜେପିର ବିଜୟୀ ହୋଇଥିଲା । ଲୋକସଭା ନିର୍ବାଚନ ପରେ ଏବେ ‘ଇଣ୍ଡି’ ମେଂଟର ଦୁଇ ସହଯୋଗୀ ଦଳ ମୁହାଁମୁହିଁ ଅବସ୍ଥାକୁ ଆସି ଯାଇଛନ୍ତି । ‘ଆପ୍’ ନେତା ତଥା ରାଜ୍ୟସଭା ସାଂସଦ ସିଂହ କହିଛନ୍ତି, ଦଳର ମୁଖ୍ୟ ଅରବିନ୍ଦ କେଜରୀୱାଲ ଗତ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଓ ଚଣ୍ଡିଗଡରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ସଂସଦରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ‘ଆପ୍’ କଂଗ୍ରେସକୁ ସମର୍ଥନ ଦେଇ ଆସିଛି । ହରିୟାଣା ବିଧାନସଭା ନିର୍ବାଚନରେ ‘ଆପ୍’ ପ୍ରାର୍ଥୀ ଦେଇଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ପଦଟିଏ କହିନଥିଲା । ଏବେ, କଂଗ୍ରେସ ନେତା ମାକାନ ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜରୀୱାଲଙ୍କୁ ‘ଦେଶ ବିରୋଧୀ’ କହୁଛନ୍ତି ଏବଂ ଯୁବ କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ଏତଲା ରୁଜୁ ଚାଲିଛି । କଂଗ୍ରେସ ଦଳ କେବେ ବିଜେପିର କୌଣସି ନେତାଙ୍କ ବିରୋଧରେ ଥାନାରେ ଏତଲା ଦେଇଛି କି (?) ବୋଲି ସେ ପ୍ରଶ୍ନ କରିଛନ୍ତି । ୨୪ ଘଂଟା ମଧ୍ୟରେ ଅଜୟ ମାକାନଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କଂଗ୍ରେସକୁ ‘ଇଣ୍ଡି’ ମେଂଟରୁ ବିଦାୟ କରିବାକୁ ‘ଆପ୍’ ମେଂଟର ସହଯୋଗୀ ଦଳଙ୍କୁ ଅନୁରୋଧ କରିବ ବୋଲି ସିଂହ ଚେତାବନୀ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ କହିଛନ୍ତି, ଦିଲ୍ଲୀ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାମାନେ ‘ଆପ୍’ ନେତୃତ୍ୱ ବିରୋଧରେ ଯେଭଳି ବୟାନବାଜୀ କରୁଛନ୍ତି ତାହା ଦିଲ୍ଲୀରେ କଂଗ୍ରେସ ଓ ବିଜେପି ମଧ୍ୟରେ ନିର୍ବାଚନୀ ବୁଝାମଣା ହୋଇଥିବା ସନ୍ଦେହ ସୃଷ୍ଟି କରୁଛି । ଏଠାରେ ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଖିରେ ରଖି ଦିଲ୍ଲୀ କଂଗ୍ରେସ ପକ୍ଷରୁ ଗତକାଲି ଏକ ୧୨ ଦଫା ‘ଶ୍ୱେତପତ୍ର’ ପ୍ରକାଶ ପାଇଛି, ଯେଉଁଥିରେ କି ଦିଲ୍ଲୀରେ ପ୍ରଦୂଷଣ ସମସ୍ୟାର ସମାଧାନରେ ଅବହେଳା, ଦିଲ୍ଲୀବାସୀଙ୍କୁ ମୌଳିକ ସୁବିଧା ନମିଳିବା ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ‘ଆପ୍’ ଓ ବିଜେପିକୁ ଦାୟୀ କରାଯାଇଛି । କଂଗ୍ରେସ ନେତା ମାକାନ ଗତକାଲି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ‘ଫର୍ଜିୱାଲା’ କହି କଟାକ୍ଷ କରିଥିଲେ । ‘ଦେଶରେ ଜାଲସାଜିରେ ଯଦି କେହି ରାଜା ଅଛନ୍ତି ସେ ହେଉଛନ୍ତ ଅରବିନ୍ଦ କେଜରୀୱାଲ । ତେଣୁ ଆମେ ରାଜ୍ୟର କେଜରୀୱାଲ ସରକାର ଓ କେନ୍ଦ୍ରର ବିଜେପି ସରକାର ବିରୋଧରେ ଶ୍ୱେତପତ୍ର ଜାରି କରିଛୁ’ ବୋଲି ମାକାନ କହିଛନ୍ତି । ୨୦୧୨ରେ କେନ୍ଦ୍ରରେ ୟୁପିଏ-୨ ସରକାର ବିରୋଧୀ ଗାନ୍ଧୀବାଦୀ ନେତା ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ‘ଆପ୍’ର ଜନ୍ମ । ୧୫ ବର୍ଷ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ କଂଗ୍ରେସ ସରକାରକୁ କ୍ଷମତାରୁ ହଟାଇ କେଜରୀୱାଲ ଦଳ ‘ଆପ୍’ କ୍ଷମତାକୁ ଆସି ଥିଲା ଏବଂ ଲଗାତୀ ୧୫ ବର୍ଷ ହେଲା ଦିଲ୍ଲୀରେ ଶାସନ କରୁଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପିର ସରକାର ପ୍ରତିଷ୍ଠା ହେବା ପରଠୁ ଆମ୍ ଆଦମୀ ପାର୍ଟି (ଆପ୍) ସରକାରଙ୍କ ଅଡୁଆ ବଢିଛି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ଦିଲ୍ଲୀର ‘ଆପ୍’ ସରକାରଙ୍କ ମଧ୍ୟରେ କ୍ଷମତାକୁ ନେଇ ଲଢେଇରୁ ଦିଲ୍ଲୀରେ ଏକପ୍ରକାର ସ୍ଥାଣୁ ଅବସ୍ଥା ସୃଷ୍ଟି ହୋଇଛି । ୨୦୨୪ ନିର୍ବାଚନରେ ମୋଦୀ ସରକାରଙ୍କୁ କ୍ଷମତାରୁ ହଟାଇବା ପାଇଁ ୨୦୨୩ରେ କଂଗ୍ରେସ ସହଯୋଗରେ ଜାତୀୟସ୍ତରରେ ବିରୋଧୀ ‘ଇଣ୍ଡି’ ମେଂଟ ଗଠନ ହୋଇଥିଲା ଏବଂ ସେଥିରେ ‘ଆପ୍’ ସାମିଲ ହୋଇଥିଲା । ତେବେ, ବିରୋଧୀ ମେଂଟର ଉଦ୍ଦେଶ୍ୟ ସଫଳ ହୋଇନାହିଁ । ୨୦୨୪ ସାଧାରଣ ନିର୍ବାଚନରେ ଲୋକସଭାରେ ବିଜେପିର ଆସନ ସଂଖ୍ୟା ୨୪୦କୁ ଖସିଥିଲେ ମଧ୍ୟ କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ପ୍ରତିଷ୍ଠା ହୋଇଛି ଓ ଲଗାତର ତୃତୀୟ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଅପରପକ୍ଷରେ, ୨୦୨୪ ଲୋକସଭା ନିର୍ବାଚନ ପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନଗୁଡିକରେ ‘ଇଣ୍ଡି’ ମେଂଟ ସହଯୋଗୀ ଦଳଙ୍କ ମଧ୍ୟରେ ମତଭେଦ ଖୋଲାଖୋଲି ସାମ୍ନାକୁ ଆସିଛି । ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନ୍ଫରେନ୍ସ (ଏନସି) ସହ ମେଂଟରେ ଥାଇ ସୁଦ୍ଧା କଂଗ୍ରେସ ଜମ୍ମୁ ଅଂଚଳରେ ଖରାପ ପ୍ରଦର୍ଶନ କରି ବିରୋଧୀ ମେଂଟରେ ଅଲୋଡା ହୋଇପଡିଥିବା ଦେଖିବାକୁ ମିଳୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସ୍ଥାନରେ ଟିଏମସି ମୁଖ୍ୟ (ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ) ମମତା ବାନାର୍ଜୀ ‘ଇଣ୍ଡି’ ମେଂଟର ନେତୃତ୍ୱ ନିଅନ୍ତୁ ବୋଲି ବିରୋଧୀ ମେଂଟର ଅଧିକାଂଶ ସହଯୋଗୀ ଏବେ ଦାବି କରୁଥିବା ବେଳେ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ‘ଆପ୍’ ପରସ୍ପର ପ୍ରତି ଅବିଶ୍ୱାସ ବ୍ୟକ୍ତ କରି ମୁହାଁମୁହିଁ ହେବା ‘ଇଣ୍ଡି’ ମେଂଟର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାଦ୍ୱାରା ବିଜେପି ଲାଭବାନ ହେଉଛି, ଏଥିରେ କୌଣସି ସନ୍ଦେହ ନାହିଁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS