ରଘୁବର ବିଦା ହେଲେ, ପୁଅ ମାମଲାର ପୂର୍ଣ୍ଣଛେଦ ପଡିବ ?
ପ୍ରସାଦ ରାଓ
ଡିସେମ୍ବର ୨୫
ବିଜେପି କେନ୍ଦ୍ରୀୟ ନେତୃତ୍ୱ ଆକସ୍ମିକ ଭାବେ ଗତକାଲି ଓଡ଼ିଶା ରାଜ୍ୟପାଳ ଥିବା ରଘୁବର ଦାସଙ୍କୁ ଇସ୍ତଫା ଦେବାକୁ କହି ତାଙ୍କ ସ୍ଥାନରେ ମିଜୋରାମ ରାଜ୍ୟପାଳ ଡକ୍ଟର କମ୍ବମପତି ହରିବାବୁଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିବା ଘଟଣା ଅନେକଙ୍କୁ ବିସ୍ମିତ କରିଛି । ଅବଶ୍ୟ, କେବଳ ଓଡ଼ିଶା ନୁହେଁ, ଗତକାଲି ଅନ୍ୟ କିଛି ରାଜ୍ୟରେ ମଧ୍ୟ ରାଜ୍ୟପାଳ ବଦଳିଛନ୍ତି । ମିଜୋରାମ ରାଜ୍ୟପାଳ ଡକ୍ଟର ହରିବାବୁଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ବଦଳି କରାଯାଇଥିବା ବେଳେ ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଭି.କେ.ସିଂହଙ୍କୁ ତାଙ୍କ ସ୍ଥାନରେ ମିଜୋରାମରେ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି, ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ କେରଳକୁ ବଦଳି କରାଯାଇଛି ଏବଂ ତାଙ୍କ ସ୍ଥାନରେ କେରଳ ବିବାଦୀୟ ରାଜ୍ୟପାଳ ଅରିଫ ମହମ୍ମଦ ଖାନଙ୍କୁ ବିହାରକୁ ଅଣାଯାଇଛି । ଜାତିଆଣ ଦଂଗାଗ୍ରସ୍ତ ମଣିପୁରରେ ପୂର୍ବତନ କେନ୍ଦ୍ରୀୟ ଗୃହ ସଚିବ ଅଜୟ କୁମାର ଭାଲ୍ଲାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ଏସବୁ ଅଦଳବଦଳ କରିଛନ୍ତି । ତେବେ, ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ରାଜ୍ୟପାଳ ପଦରୁ ହଟାଇ ଦିଆଯାଇଥିଲେ ମଧ୍ୟ ତାଙ୍କୁ ଅନ୍ୟ କେଉଁଠି ନିଯୁକ୍ତି ଦିଆନଯାଇ ନିଜ ରାଜ୍ୟ ଝାଡଖଣ୍ଡକୁ ପଠାଇ ଦିଆଯିବା ହିଁ ଚର୍ଚ୍ଚାର ଖୋରାକ ଯୋଗାଇଛି । ଓଡ଼ିଶାରେ ବିଜେଡି ଶାସନର ଶେଷ ପର୍ଯ୍ୟାୟରେ ବିଜେପି ନେତୃତ୍ୱ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ ଏବଂ ଦାସ ବିଦାୟୀ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ରାଜ୍ୟପାଳ ଦାୟିତ୍ୱ ନେବା ପରେ ରାଜ୍ୟର ସମସ୍ତ ଗ୍ରାମାଂଚଳ ଓ ସହରାଂଚଳକୁ ଗସ୍ତ କରି ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ସବୁର ସମୀକ୍ଷା କରିଥିଲେ । ଯୋଜନା ସବୁ ତଳସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି ତାହାରସମୀକ୍ଷା କରିବା ସମୟରେ ସେ ରାଜ୍ୟ ବିଜେଡି ସରକାର କେନ୍ଦ୍ରୀୟ ଯୋଜନା ସବୁକୁ ହଡପ କରି ନିଜ ନାମରେ ଚଳାଇ ଥିବା ଅନୁଭବ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ କରିଥିଲେ । ଏହାଛଡା, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶେଷ ପାଳିର ସରକାରରେ ବିଭିନ୍ନ କାରଣରୁ ସରକାର-ବିରୋଧୀ ଜନମତ ତୀବ୍ର ଥିବା କେନ୍ଦ୍ରୀୟ ନେତୃତ୍ୱକୁ ସୂଚିତ କରିବା ସହ ସରକାର-ବିରୋଧୀ ଅନ୍ତଃସ୍ରୋତରୁ ବିଜେପି ସୁଫଳ ପାଇବା ନିଶ୍ଚିତ ବୋଲି ଅନୁମାନ ବ୍ୟକ୍ତ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଓଡ଼ିଶାରେ ବିଜେଡି-ବିଜେପି ମେଂଟ ଆଲୋଚନା ଜୋର ଧରିଥିଲା । ଦୁଇ ଦଳ ମଧ୍ୟରେ ଦିଲ୍ଲୀରେ ଜୋରଦାର ଚାଲିଥିବା ବେଳେ ରାଜ୍ୟ ବିଜେପି ନେତାମାନେ ରାଜ୍ୟରେ ବିଜେଡି ସରକାର ବିରୋଧୀ ଅନ୍ତଃସ୍ରୋତ ରହି ଥିବାରୁ କୌଣସି ପ୍ରକାର ମେଂଟ ନ କରିବାକୁ ବିଜେପି ନେତୃତ୍ୱକୁ ବୁଝାଇବାକୁ ଉଦ୍ୟମ କରୁଥିଲେ । ତଥାପି ଆଲୋଚନା ଜାରି ଥିବା ଦେଖି ରାଜ୍ୟପାଳ ଦାସ ଓଡ଼ିଶା ବିଜେପି ନେତାଙ୍କ ସହ ସ୍ୱର ମିଳାଇ ଦଳର କେନ୍ଦ୍ରୀୟ ନେତାଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । ଓଡ଼ିଶାରେ ବିଜେପି କ୍ଷମତାସୀନ ବିଜେଡି ସହ କୌଣସି ପ୍ରକାର ନିର୍ବାଚନୀ ବୁଝାମଣା କଲେ ସରକାରଙ୍କ ବିରୋଧରେ ଥିବା ଅନ୍ତଃସ୍ରୋତରୁ କଂଗ୍ରେସ ଫାଇଦା ନେଇଯିବ ବୋଲି ବିଜେପି କେନ୍ଦୀୟ ନେତୃତ୍ୱ ବୁଝିବା ପରେ ମେଂଟ ଆଲୋଚନାରେ ପୂର୍ଣ୍ଣଛେଦ ପଡିଥିଲା ଏବଂ ବିଜେପି ଓ ବିଜେଡି ଭିନ୍ନ ଭିନ୍ନ ଭାବେ ନିର୍ବାଚନ ଲଢିଥିଲେ । ରାଜ୍ୟପାଳ ଦାସ ଓ ରାଜ୍ୟ ବିଜେପି ନେତୃବର୍ଗଙ୍କଠାରୁ ପାଇଥିବା ତଥ୍ୟ (ଫିଡବ୍ୟାକ୍) ଆଧାରରେ ବିଜେପି ନେତୃତ୍ୱ ବିଜେଡିକୁ ‘ଓଡ଼ିଆ ଅସ୍ମିତା’ର ସୁରକ୍ଷା ନାମରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ ଏବଂ ୨୦୨୪ ନିର୍ବାଚନରେ ଦଳକୁ ତାହାର ସୁଫଳ ମିଳିଛି । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡି ବିରୋଧୀ ଅନ୍ତଃସ୍ରୋତ ପ୍ରତିଫଳିତ ହେବା ସହ ରାଜ୍ୟରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଛି । ଏହା କହବା ଅତ୍ୟୁକ୍ତି ହେବ ନାହିଁ ଯେ, ବିଜେପିକୁ ଓଡ଼ିଶାରେ ପ୍ରଥମ ପାଇଁ କ୍ଷମତାକୁ ଆଣିବାରେ ରାଜ୍ୟପାଳ ରଘୁବର ଦାସଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେବେ, ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟପାଳ ଦାସ ପ୍ରଥମେ ନିଜ ପୁଅକୁ ନେଇ ଅଡୁଆରେ ପଡିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗତ ଜୁନ ମାସରେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଅଗଷ୍ଟ ମାସରେ ରାଜ୍ୟପାଳଙ୍କ ପୁଅ ପୁରୀ ରାଜଭବନରେ ସହଯୋଗୀଙ୍କ ସହ ମିଶି ରାଜଭବନ ସଚିବାଳୟର ଜଣେ ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ମାଡ ଖାଇଥିବା ରାଜଭବନର ଏଏସଓ ଜଣକ ଘଟଣା ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ପୁଲିସ ଏତଲା ରଖିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଥମ ବିଧାନସଭା ଅଧିବେଶନରେ ମୋହନ ସରକାରଙ୍କୁ ଘେରି ଥିଲେ ଏବଂ ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯିବାକୁ ବିଜେଡି ଓ କଂଗ୍ରେସ ବିଧାୟକମାନେ ଦାବି କରି ଅଚଳାବସ୍ଥା ସୃଷ୍ଟି କରିଥିଲେ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ଦିନ ମଧ୍ୟରେ ଅଭିଯୋଗର ତଦନ୍ତ କରାଯାଇ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ଦେଇଥିଲେ । ଏହି ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ପକ୍ଷରୁ ରାଜଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୋହନ ସରକାରଙ୍କୁ ଅଡୁଆରେ ପକା ଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଗୃହ ବିଭାଗ ରଖିଥିବାରୁ ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ତାହାର ଉତ୍ତର ଦିଅନ୍ତୁ ବୋଲି ବିରୋଧୀ ଦାବି କରୁଥିଲେ । ରାଜ୍ୟ ବିଜେପି ସରକାର ‘ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳ ନୀତି’ କଥା କହୁଥିବା ବେଳେ ରାଜ୍ୟପାଳଙ୍କ ପୁଅ ଘଟଣାରେ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ହିଁ ସରକାରଙ୍କ ବାରମ୍ବାର ସମାଲୋଚନାର ଶରବ୍ୟ କରିଛି । ଏହାଛଡା, ଅନ୍ୟ କିଛି ପ୍ରସଙ୍ଗରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମତଭେଦ ରହିଥିବା ମଧ୍ୟ ଏବେ ଗଣମାଧ୍ୟମରେ ଆଲୋଚନା ହେଉଛି । ଓଡ଼ିଶା ରାଜ୍ୟପାଳ ପଦରୁ ବିଦା ହୋଇଥିବା ରଘୁବର ଦାସ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଝାଡଖଣ୍ଡ ନିର୍ବାଚନରେ ପ୍ରାର୍ଥୀ ହେବାକୁ ମନ ବଳାଇ ଥିଲେ । ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଭେଟି ସେ ତାଙ୍କ ମନ କଥା ଜଣାଇଥିଲେ ମଧ୍ୟ ତାଙ୍କୁ ସେହି ସୁଯୋଗ ଦିଆନଯାଇ ବୋହୂ ପୂର୍ଣ୍ଣିମା ସାହୁଙ୍କୁ ବିଜେପିରୁ ପ୍ରାର୍ଥୀ କରାଯାଇଥିଲା । ବୋହୂ ମଧ୍ୟ ନିର୍ବାଚନ ଜିତିଛନ୍ତି । ନଭେମ୍ବରରେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ଓଡ଼ିଶାର ରାଜଭବନକୁ ବିଜେପି ‘ୱାର୍ ରୁମ୍’ ଭଳି ବ୍ୟବହାର କରିଥିଲା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ କିଛି ମନ୍ତ୍ରୀ ଝାଡଖଣ୍ଡ ଯାଇ ଓଡ଼ିଆ ଅଧ୍ୟୁଷିତ ଅଂଚଳରେ ନିର୍ବାଚନ ପ୍ରଚାର କରିଥିଲେ । ରାଜ୍ୟପାଳ ଦାସ ମଧ୍ୟ ଝାଡଖଣ୍ଡ ଯାଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ଗଣମାଧ୍ୟମରେ ଅଭିଯୋଗ ହୋଇଥିଲା । ତେବେ, ସେମାନଙ୍କ ପ୍ରଚାର ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ କୌଣସି ପ୍ରକାର ପ୍ରଭାବିତ କରିନଥିବାରୁ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ପୂର୍ଣ୍ଣ ବହୁମତରେ ସରକାରକୁ ଫେରିଥିବା ବେଳେ ବିଧାନସଭାରେ ବିଜେପିର ଆସନ ସଂଖ୍ୟା କମିଛି । ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଖିରେ ରଖି ବିଜେପି କେନ୍ଦ୍ରୀୟ ନେତୃତ୍ୱ ଗତ ଜୁନ ମାସରେ ଓଡ଼ିଶାର ଆଦିବାସୀ ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ ସେତେବେଳେ ରାଜନୈତିକ ମହଲରେ ଆଲୋଚନା ହେଉଥିଲା । ତେବେ, ବିଜେପିର ଏହି ରଣନୀତି ଝାଡଖଣ୍ଡରେ ବିଫଳ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ମୋହନ ଚରଣ ମାଝୀଙ୍କ ସ୍ଥାୟିତ୍ୱକୁ ନେଇ କଳ୍ପନା ଜଳ୍ପନା ଚାଲିଥିଲା । ତେବେ, ବିଜେପି ନେତୃତ୍ୱ ରଘୁବର ଦାସଙ୍କୁ ପ୍ରଥମେ ଓଡ଼ିଶା ରାଜ୍ୟପାଳ ପଦରୁ ହଟାଇ ତାଙ୍କ ସ୍ଥାନରେ ମିଜୋରାମ ରାଜ୍ୟପାଳ ଡକ୍ଟର କମ୍ବମପତି ହରିବାବୁଙ୍କୁ ନିଯୁକ୍ତି ଦେଇଛନ୍ତି । ଅପରପକ୍ଷରେ, ଓଡ଼ିଶା ରାଜ୍ୟପାଳ ପଦରୁ ହଟି ଥିବା ରଘୁବର ଦାସଙ୍କୁ କୌଣସି ପଦପଦୀରେ ନିଯୁକ୍ତି ଦିଆଯାଇଥିବାର ସୂଚନା ନାହିଁ । ବିଦାୟୀ ରାଜ୍ୟପାଳ ରଘୁବର ଦାସ ଝାଡଖଣ୍ଡର ବିଜେପିର ଜଣେ ଓବିସି ନେତା । ଝାଡଖଣ୍ଡ ନିର୍ବାଚନରେ ପରାଜୟ ପରେ ବିଜେପି ରାଜ୍ୟରେ ଦଳର ସାଂଗଠନିକ ସ୍ଥିତିକୁ ସୁୁଦୃଢ କରିବା ପାଇଁ ତାଙ୍କ ଅଭିଜ୍ଞତାକୁ ବ୍ୟବହାର କରିପାରେ ବୋଲି କେତେକ ମହଲରେ ଆଲୋଚନା ହେଉଛି । ତେବେ, ସବୁ ନିର୍ଭର କରୁଛି ବିଜେପିର ମୌଜୁଦା ନେତୃତ୍ୱ ଉପରେ । ଓଡ଼ିଶାରେ ନିଯୁକ୍ତ ନୂତନ ରାଜ୍ୟପାଳ କେ.ହରିବାବୁ ମଧ୍ୟ ଜଣେ ଅଭିଜ୍ଞ ନେତା । ମିଜୋରାମ ରାଜ୍ୟପାଳ ହେବା ପୂର୍ବରୁ ସେ ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଜେପିର ସଭାପତି ଭାବେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଛନ୍ତି । ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ସେ ବିଜେପି ଜାତୀୟ କାର୍ଯ୍ୟକାରୀଣୀ ସଦସ୍ୟ ଥିଲେ । ୧୯୯୯ରେ ସେ ବିଶାଖାପାଟନମରୁ ଆନ୍ଧ୍ର ବିଧାନସଭାକୁ ଓ ୨୦୧୪ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଫେସର ଗଣେଶୀ ଲାଲଙ୍କ ପରେ ଓଡ଼ିଶା ରାଜ୍ୟପାଳ ଭାବେ ଆଉ ଜଣେ ଶିକ୍ଷାବିତଙ୍କୁ ପାଇଛି । ତେବେ, ନୂତନ ରାଜ୍ୟପାଳ ଓଡ଼ିଶାବାସୀଙ୍କ ମନକୁ କେତେଦୂର ଛୁଇଁ ପାରିବେ ତାହା ଆଗାମୀ ଦିନରେ ଜଣାପଡିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS