ଜଷ୍ଟିସ ସୁବ୍ରମଣ୍ୟନଙ୍କ ନିଯୁକ୍ତିକୁ କଂଗ୍ରେସର ବିରୋଧ !
ପ୍ରସାଦ ରାଓ
ଡିସେମ୍ବର ୨୪
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଏନଏଚଆରସି (ଜାତୀୟ ମାନବାଧିକାର କମିଶନ) ଅଧ୍ୟକ୍ଷ ଭାବେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି.ରାମସୁବ୍ରମଣ୍ୟନଙ୍କୁ ନିଯୁକ୍ତି ଦେଇଥିବା ଏହାର ସଭ୍ୟ ଭାବେ ଜଷ୍ଟିସ ପ୍ରିୟଙ୍କ କାନୁନଗୋ ଓ ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତି ନେଇ କଂଗ୍ରେସ ନିଜର ବିରୋଧ ଦର୍ଶାଇ ଏନଏଚଆରସି ଅଧ୍ୟକ୍ଷ ଓ ସଭ୍ୟଙ୍କ ଚୟନ ପ୍ରକ୍ରି୍ରୟାକୁ ‘ଏକପାଖିଆ ଓ ତୃଟିପୂର୍ଣ୍ଣ’ ବୋଲି କହିଛି । ବରିଷ୍ଠ କଂଗ୍ରେସ ନେତା – ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଆଜି ମିଳିତ ଭାବେ ଏନଏଚଆରସିର ନୂତନ ଅଧ୍ୟକ୍ଷ ଓ ଦୁଇ ସଦସ୍ୟଙ୍କ ନିଯୁକ୍ତିକୁ ନେଇ କଂଗ୍ରେସର ବିରୋଧ ଦର୍ଶାଇଛନ୍ତି । ସେମାନେ କହିଛନ୍ତି, ବୁଧବାର ଦିନ ଯେଉଁ ଚୟନ କମିଟି ବୈଠକ ହୋଇଥିଲା ସେଥିରେ ଆଲୋଚନା ଓ ସହମତିର ପରଂପରାକୁ ଜାଣିଶୁଣି ଏଡାଇ ଦିଆଯାଇ ସଂଖ୍ୟାଗରିଷ୍ଠ ମତ ଆଧାରରେ ଅଧ୍ୟକ୍ଷ ଓ ଦୁଇ ସଦସ୍ୟଙ୍କୁ ଚୟନ କରିଛି । ଫଳରେ, ଚୟନ ପ୍ରକ୍ରିୟାରେ ସାଧୁତା ଓ ନିରପେକ୍ଷତାର ଅଭାବ ଥିବା କଂଗ୍ରେସ ଅନୁଭବ କରୁଛି । ଚୟନ କମିଟି ଏନଏଚଆରସି ଅଧ୍ୟକ୍ଷ ଓ ସଭ୍ୟଙ୍କ ନାମ ଚୂଡାନ୍ତ କରିବା ସମୟରେ ଯେଉଁ ସବୁ ଆଇନସଂଗତ ଆଲୋଚନା ହୋଇଥିଲା ଓ ଉଦ୍ବେଗ ପ୍ରକାଶ ପାଇଥିଲା ତାହାକୁ ଏଡାଇ ଦେଇଛି । ସାଧାରଣ ଜନତାଙ୍କ ମୌଳିକ ମାନବାଧିକାର ସୁରକ୍ଷିତ ରଖିବା ଏବଂ ସମାଜର ନିଷ୍ପେଷିତ ବର୍ଗଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଜାତୀୟ ମାନବାଧିକାର କମିଶନଙ୍କ ମୌଳିକ ଦାୟିତ୍ୱ ହୋଇଥିବାରୁ ଏନଏଚଆରସିରେ ସବୁ ବର୍ଗ ଓ ସଂପ୍ରଦାୟଙ୍କୁ ସୁରକ୍ଷା ଦେଲା ଭଳି ପ୍ରତିନିଧିତ୍ୱର ଆବଶ୍ୟକତା ଥିଲା । ତେବେ, ଚୟନ କମିଟି ମନମୁଖୀ ଭାବେ ଅଧ୍ୟକ୍ଷ ଓ ଦୁଇ ସଦସ୍ୟଙ୍କ ନାମ ଚୟନ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଜାତୀୟ ମାନବାଧିକର ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସ ସୁପ୍ରିମ କୋର୍ଟର ଦୁଇ ପୂର୍ବତନ ବିଚାରପତି ଜଷ୍ଟିସ ରୋହିଂଟନ ଫଲି ନରିମାନ ଓ ଜଷ୍ଟିସ କେ.ଏମ.ଯୋଶେଫଙ୍କ ନାମ ସୁପାରିଶ କରିଥିଲା । ଜଷ୍ଟିସ ନରିମାନ ସଂଖ୍ୟାଲଘୁ ପାର୍ଶୀ ସଂପ୍ରଦାୟର ହୋଇଥିବା ବେଳେ ଜଷ୍ଟିସ ଯୋଶେଫ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସଂପ୍ରଦାୟର । ସୁପ୍ରିମ କୋର୍ଟ ବିଚାରପତି ଥିବା ସମୟରେ ଜଷ୍ଟିସ ଯୋଶେଫ ବ୍ୟକ୍ତି ସ୍ୱାଧୀନତା ଓ ସମାଜର ନିଷ୍ପେଷିତ ବର୍ଗଙ୍କୁ ସୁରକ୍ଷା ଦେବା ଭଳି ଅନେକ ରାୟ ଦେଇଥିଲେ । ସେହିଭଳି, ଏନଏଚଆରସି ସଭ୍ୟ ପଦ ପାଇଁ କଂଗ୍ରେସ ପକ୍ଷରୁ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ଏସ.ମୁରଲୀଧର ଓ ସଂଖ୍ୟାଲଘୁ ମୁସଲିମ ସଂପ୍ରଦାୟର ଜଷ୍ଟିସ ଅକିଲ ଅବଦୁଲହମିଦ କୁରେଶୀଙ୍କ ନାମ ସୁପାରିଶ କରାଯାଇଥିଲା । ଜଷ୍ଟିସ ମୁରଲୀଧର ପ୍ରଗତିଶୀଳ ସାମାଜିକ ନ୍ୟାୟ ଓ ମାନବାଧିକାର ସୁରକ୍ଷା ସପକ୍ଷରେ ଏବଂ ହାଜତ ହିଂସା ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା ନଜିର ରହିଛି । ଜଷ୍ଟିସ କୁରେଶୀ ମଧ୍ୟ ସାମ୍ବିଧାନିକ ବିଧି ବ୍ୟବସ୍ଥାର ସୁରକ୍ଷା ଏବଂ ପ୍ରଶାସନିକ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ଚୟନ କମିଟି ସେମାନଙ୍କ ନାମକୁ ଉପେକ୍ଷା କରି ବହୁମତ ଆଧାରରେ ସୁପ୍ରିମ କୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ରାମସୁବ୍ରମଣ୍ୟନଙ୍କୁ ଏନଏଚଆରସି ଅଧ୍ୟକ୍ଷ ଏବଂ ଜଷ୍ଟିସ ପ୍ରିୟଙ୍କ କାନୁନଗୋ ଓ ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀଙ୍କୁ ସଭ୍ୟ ଭାବେ ନିଯୁକ୍ତି ସକାଶେ ସୁପାରିଶ କରିବା କଂଗ୍ରେସ ପାଇଁ ଗ୍ରହଣୀୟ ହୋଇନି ବୋଲି ଦୁଇ କଂଗ୍ରେସ ନେତା କହିଛନ୍ତି । ଚୟନ କମିଟିର ସୁପାରିଶ ଆଧାରରେ ରାଷ୍ଟ୍ରପତି ଗତକାଲି ଏନଏଚଆରସିର ନୂତନ ଅଧ୍ୟକ୍ଷ ଭାବେ ଭି.ରାମସୁବ୍ୟମଣ୍ୟନ ଏଂ ସଦସ୍ୟ ଭାବେ ଜଷ୍ଟିସ କାନୁନଗୋ ଓ ଜଷ୍ଟିସ ଷଡଙ୍ଗୀଙ୍କୁ ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ କାନୁନଗୋ ଏନସିପିସିଆର (ନ୍ୟାସନାଲ କମିସନ ଫର୍ ପ୍ରେଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ)ର ପୂର୍ବତନ ଅଧ୍ୟକ୍ଷ ଥିବା ସମୟରେ ଜଷ୍ଟିସ ଷଡଙ୍ଗୀ ହେଉଛନ୍ତି ଝାଡଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS