ହସିନାଙ୍କ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କଲା ବାଂଲାଦେଶ !
ପ୍ରସାଦ ରାଓ
ଡିସେମ୍ବର ୨୩
ବାଂଲାଦେଶରେ ଗାଦିଚ୍ୟୁତ ହେବା ପରେ ଭାରତ ଚାଲି ଆସି ଆଶ୍ରୟ ନେଇ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ନ୍ୟାୟିକ ବିଚାରଣା ପାଇଁ ବାଂଲାଦେଶକୁ ପ୍ରତ୍ୟାର୍ପଣ କରାଯିବାକୁ ଆଜି ବାଂଲାଦେଶ ସରକାର ଆନୁଷ୍ଠାନ ଭାବେ ଭାରତ ସରକାରଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି । ବାଂଲାଦେଶ ପକ୍ଷରୁ ଏନେଇ ମୌଖିକ (କୂଟନୈତିକ ବାର୍ତ୍ତା ମାଧ୍ୟମରେ) ଭାବେ ଭାରତକୁ ଅନୁରୋଧ କରାଯାଇଥିବା ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି । ବାଂଲାଦେଶରେ ଗତ ଜୁଲାଇ, ଅଗଷ୍ଟରେ ମୌଳବାଦୀ ଛାତ୍ର ସଂଗଠନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସରକାର ବିରୋଧରେ ବ୍ୟାପକ ଛାତ୍ର ଆନ୍ଦୋଳନ ହୋଇଥିଲା । ଏହି ଆନ୍ଦୋଳନ ସମୟରେ ବହୁ ଆନ୍ଦୋଳନକାରୀଙ୍କୁ ହତ୍ୟା କରାଯିବା ଓ ଅନ୍ୟାନ୍ୟ ଅପରାଧରେ ଶେଖ ହାସିନାଙ୍କ ସରକାରଙ୍କୁ ଦାୟି କରାଯାଇ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ପକ୍ଷରୁ ହସିନାଙ୍କ ନ୍ୟାୟିକ ବିଚାରଣା ପାଇଁ ବାଂଲାଦେଶକୁ ପ୍ରତ୍ୟାର୍ପଣ କରାଯିବାକୁ ଭାରତ ସରକାରଙ୍କୁ ଆନୁଷ୍ଠାନକ ଭାବେ ଅନୁରୋଧ କରାଯାଇଛି । ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶଦାତା ତୌହିଦ ହୋସେନ ଆଜି ଅପରାହ୍ନରେ ଢାକାରେ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ‘ଡେଲି ଷ୍ଟାର’କୁ ଏହି ସୂଚନା ଦେଇଛନ୍ତି । ବାଂଲାଦେଶ ଗୃହ ମନ୍ତ୍ରଣାଳୟ ପରାମର୍ଶଦାତା ଲ୍ୟୁଟିନାଂଟ ଜେନେରାଲ (ଅବସରପ୍ରାପ୍ତ) ଜାହାଂଗୀର ଆଲମ ଚୌଧୁରୀ ମଧ୍ୟ ‘ଢାକା ଟ୍ରିବ୍ୟୁନ’କୁ କହିଛନ୍ତି, ଭାରତ ସହିତ ବାଂଲାଦେଶର ବଂଦୀ ବିନିମୟ ଚୁକ୍ତି ରହିଛି । ସେହି ଚୁକ୍ତି ଅନୁଯାୟୀ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ପ୍ରତ୍ୟାର୍ପଣ କରାଯିବାକୁ ଭାରତକୁ ଅନୁରୋଧ କରାଯାଇଛି । ଶେଖ ହାସିନାଙ୍କ ବିରୋଧରେ ଗୁରୁତର ଆପରାଧିକ ଅଭିଯୋଗ ଥିବାରୁ ନ୍ୟାୟିକ ବିଚାରଣା ପାଇଁ ତାଙ୍କୁ ଭାରତରୁ ବାଂଲାଦେଶକୁ ପ୍ରତ୍ୟାର୍ପଣ କରାଇ ଅଣାଯିବ ବୋଲି ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଗତ ମାସରେ ଢାକାରେ ସୂଚନା ଦେଇଥିଲେ । ଶେଖ ହାସିନା ଦୀର୍ଘ ୧୫ ବର୍ଷ ବାଂଲାଦେଶ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ଶାସନକୁ ବିରୋଧ କରି ମୌଳବାଦୀ ଛାତ୍ର ସଂଗଠନଗୁଡିକ ଜୁଲାଇ, ଅଗଷ୍ଟରେ ମିଳିତ ଭାବେ ଆନ୍ଦୋଳନ ଓ ବିକ୍ଷୋଭ କରି ଦେଶରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଜୀବନ ବଂଚାଇ ଭାରତ ପଳାଇ ଆସିଥିଲେ । ଅଗଷ୍ଟ ୦୫ ତାରିଖ ସନ୍ଧ୍ୟାରେ ହାସିନାଙ୍କୁ ଭାରତ ନେଇ ଆସିଥିବା ବାଂଲାଦେଶ ବିମାନ ବାହିନୀ ହେଲିକପ୍ଟର ଦିଲ୍ଲୀର ଏକ ପ୍ରତିରକ୍ଷା ବିଭାଗ ବିମାନ ବନ୍ଦରରେ ଅବତରଣ କରିଥିଲା । ଅଗଷ୍ଟ ୦୫ ପରଠାରୁ ହାସିନା ଭାରତରେ ଆଶ୍ରୟରେ ନେଇଛନ୍ତି । ହାସିନାଙ୍କ ଦେଶତ୍ୟାଗ ପରେ ନୋବେଲ ପୁରସ୍କାରପ୍ରାପ୍ତ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଅନ୍ତରୀଣ ସରକାର ପ୍ରତିଷ୍ଠା ହୋଇଛି ଏବଂ ଜୁଲାଇ, ଅଗଷ୍ଟରେ ଛାତ୍ର ଆନ୍ଦୋଳନ ସମୟରେ ଘଟିଥିବା ବ୍ୟାପକ ଗଣହତ୍ୟା ଘଟଣାରେ ହାସିନାଙ୍କୁ ଅଭିଯୁକ୍ତ ଦର୍ଶାଯାଇ ବିଚାରଣା ପାଇଁ ହାସିନାଙ୍କୁ ପ୍ରତ୍ୟାର୍ପଣ କରାଯିବାକୁ ଭାରତକୁ ଅନୁରୋଧ କରାଯାଇଛି । ପ୍ରତ୍ୟାର୍ପଣ ଚୁକ୍ତି ବଳରେ ହାସିନାଙ୍କୁ ଭାରତରୁ ବାଂଲାଦେଶକୁ ଫେରାଇ ନିଆଯିବ ବୋଲି ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ମାସେ ତଳେ ଢାକାରେ କହିଥିଲେ । ଏବେ, ହାସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି ପାଇଁ ଆଇସିଟି (ଇଂଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ)ରେ ଆବେଦନ ହେବ ବୋଲି ବାଂଲାଦେଶ ପାଇଁ ନୂତନ ଭାବେ ନିଯୁକ୍ତ ଆଇସିଟି ମୁଖ୍ୟ ପ୍ରସିକ୍ୟୁଟର ମହମ୍ମଦ ତାଜୁଲ ଇସଲାମ କହିଛନ୍ତି । ହାସିନାଙ୍କ ବିରୋଧରେ ଅନ୍ତରୀଣ ସରକାରଙ୍କ ପକ୍ଷରୁ ୪୨ଟି ହତ୍ୟା ମାମଲା ସମେତ ମୋଟ ୫୧ଟି ମାମଲା ରୁଜୁ ହୋଇଛି । ଭାରତ-ବାଂଲାଦେଶ ମଧ୍ୟରେ ୨୦୧୩ରେ ବନ୍ଦୀ ବିନିମୟ ବା ପ୍ରତ୍ୟାର୍ପଣ ଚୁକ୍ତି ହୋଇଥିଲା ଏବଂ ୨୦୧୬ରେ ସେଥିରେ କିଛି ସଂଶୋଧନ କରାଯାଇଥିଲା । ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ ହାସିନାଙ୍କ ବିରୋଧରେ ଥିବା ୫୧ଟି ମାମଲାର ବିଚାରଣା ପାଇଁ ବାଂଲାଦେଶ ସରକାର ଏହି ପ୍ରତ୍ୟାର୍ପଣ ଅନୁରୋଧ କରଛନ୍ତି । ତେବେ, ଯେଉଁ ସବୁ ଆପରାଧ ପାଇଁ ହାସିନାଙ୍କୁ ପ୍ରତ୍ୟାର୍ପଣ ଅନୁରୋଧ ହୋଇଛି ସେସବୁ ରାଜନୈତିକ ଚରିତ୍ରର ହୋଇଥିଲେ ବାଂଲାଦେଶ ସରକାରଙ୍କ ଅନୁରୋଧକୁ ଭାରତ ପ୍ରତ୍ୟାଖାନ କରି ପାରିବ । ଦ୍ୱିପାକ୍ଷିକ ଚୁକ୍ତିରେ ଏହି ବ୍ୟବସ୍ଥା ରହିଛି । କିନ୍ତୁ, ହତ୍ୟା ଭଳି ଅପରାଧ ରାଜନୈତିକ ଚରିତ୍ର ଭାବେ ଗ୍ରହଣୀୟ ହୋଇନପାରେ । ତଥାପି, ଯେଉଁ ସବୁ ଅଭିଯୋଗର ବିଚାରଣା କଥା କୁହାଯାଉଛି ସେସବୁ ଅଭିଯୋଗର ସତ୍ୟାସତ୍ୟ ବା ବିଶ୍ୱସନୀୟତାକୁ ନେଇ ସନ୍ଦେହ ରହିଥିଲେ ଏବଂ ନ୍ୟାୟିକ ସ୍ୱାର୍ଥ ଦୃଷ୍ଟିରୁ ଭାରତ ସରକାର ବାଂଲାଦେଶ ସରକାରଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରିପାରିବେ ବୋଲି ବିଏସଏସ ରିପୋର୍ଟରେ ଦର୍ଶାଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS